ନେତୃତ୍ୱ ଓ ନେତୃତ୍ୱ

 

 

 

 

 

 

 

 

 

 

ନେତୃତ୍ୱ ଓ ନେତୃତ୍ୱ

କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ସୂଚୀପତ୍ର

 

୧.

ଉତ୍ତରାଧିକାର

୨.

ସିଂହଭୂମିରେ ଶୃଗାଳ

୩.

ନାରୀ ଏବଂ ସୃଷ୍ଟିସ୍ଥିତି

୪.

ଗୋପବନ୍ଧୁ ସ୍ମୃତି

୫.

ବଙ୍ଗ ଉତ୍କଳ ଦୁଇଟି ଭଗନୀ

୬.

ପ୍ରତିବାଦର ଉତ୍ତର

୭.

ନବଯୁଗ-ସାହିତ୍ୟ-ସଂସଦ ଉଦ୍‌ବୋଧନ

୮.

କହି ପୁଛି ଜାଣେ ଯେ

୯.

ଦୁଃଖ କହିବି କି ସୁଖ କହିବି

୧୦.

ମେଧା ଶକ୍ତି ମାପିବା ପାଇଁ

୧୧.

ଇତିହାସ ତିଆରି

Image

 

ଉତ୍ତରାଧିକାର

 

ଯେତେ ବଡ଼ ଶୋକ ଆସୁ ପଛକେ ତହିଁରେ କାତର କ୍ଳୀବ ବା ଅର୍ଥବ ହୋଇ ଗାନ୍ଧୀ-ନୀତିର ବିରୋଧୀ । ସେ ନୀତି ସବୁ ଅବସ୍ଥାରେ ଆଶାବନ୍ତ ଓ ଅଗ୍ରଗାମୀ । ଗାନ୍ଧୀ-ହତ୍ୟାର ବିରାଟ କଠୋରତା ଆଗରେ ଆଶାବନ୍ତ ହୋଇ ଅଗ୍ରଗାମୀ ଚିନ୍ତା କରିବା ଏକ ଅସମ୍ଭବ ବ୍ୟାପାର ବୋଲି ମନେ ହୋଇପାରେ । କିନ୍ତୁ ଗାନ୍ଧୀ-ନୀତି ପୃଥିବୀର ଯେ କୌଣସି ଅସମ୍ଭବକୁ ମଧ୍ୟ ଅସ୍ୱୀକାର କରେ । ତାହାର ଅନେକ ପ୍ରମାଣ ଆମେ ଗଲା ତିନିଟା ଦଶନ୍ଧି ଭିତରେ କେତକ ଘଟଣାରେ ଦେଖଇ ଆସିଛୁଁ ।

 

ପୃଥିବୀର ରାଜନୀତିକ ଇତିହାସରେ ଯେତେଗୁଡ଼ିଏ ନୀତିର ପ୍ରଚଳନ ଦେଖାଯାଏ, ଗାନ୍ଧୀ-ନୀତି ତାହା ଭିତରେ ସମ୍ପୂର୍ଣ୍ଣ ଅଭିନବ । ଆନ୍ତର୍ଜାତିକ ରାଜନୀତି କ୍ଷେତ୍ରରେ କାର୍ଲ ମାର୍କସ୍‌ ବା ଲେନିନ୍‌ ଯାହା ଲୋଡ଼ିଥିଲେ ଗାନ୍ଧୀ ମଧ୍ୟ ସେହି ଭଳି ଚରମ-ପନ୍ଥୀ । ସବୁଠାରୁ ବେଶି ଲୋକଙ୍କର ହିତଦୃଷ୍ଟିରୁ ସେହିମାନଙ୍କ ସମ୍ମତି ଉପରେ ଶାସନ ପ୍ରତିଷ୍ଠା କରିବା, ସମାଜର ପ୍ରତି ଅବୟବକୁ ସୁସ୍ଥ ସ୍ୱାଧୀନ କରିବା କାର୍ଲ ମାର୍କସ୍‌ ବା ଲେନିନ୍‌ଙ୍କ ଭଳି ଗାନ୍ଧୀଜୀଙ୍କର ମଧ୍ୟ ଚୂଡ଼ାନ୍ତ ଲକ୍ଷ୍ୟ ଥିଲା । କେବଳ କାର୍ଯ୍ୟ ପନ୍ଥା ଫରକ । ମାର୍କସ୍‌ବାଦ ଅସ୍ତ୍ର ହିଂସା, ଗାନ୍ଧୀବାଦର ଅହିଂସା ।

 

ଗାନ୍ଧୀ-ବାଦର ସମାଲୋଚକ କହନ୍ତି, ଅହିଂସା କେବଳ ଗାନ୍ଧୀଜୀଙ୍କ ଛଡ଼ା ତାଙ୍କର କେହି ପଟ୍ଟଶିଷ୍ୟ ମଧ୍ୟ କାର୍ଯ୍ୟରେ ପରିଣତ କରୁଥିଲା ଭଳି ଅନେକ ସମୟରେ ଜଣା ପଡ଼ନ୍ତି ନାହିଁ । ପୁଣି ଅହିଂସା ହେଉଛି ମଣିଷ ସଭ୍ୟତାର ଶେଷ ନିଦାନ । ରାଜନୀତି କ୍ଷେତ୍ରରେ ଏଭଳି ଏକ ନୀତିର ପ୍ରଚଳନ ଆଦୌ ସମ୍ଭବ ବୋଲି ମଧ୍ୟ ଅନେକଙ୍କ ମନରେ ବିଶ୍ୱାସ ଆସେ ନାହିଁ । ତଥାପି ରାଜନୀତି କ୍ଷେତ୍ରରେ ମଧ୍ୟ ଯଦି ଏହି ଅସ୍ତ୍ର ବଳରେ ପୃଥିବୀର ସର୍ବଶ୍ରେଷ୍ଠ ଶକ୍ତିକୁ ହଟେଇ ଦିଆଯାଇ ପାରେ, ପୁଣି ଏହି ନୀତିକୁ ପୂର୍ଣ୍ଣ ରୂପେ ଅନୁସରଣ କରି ଯଦି ଜଣେ ଲୋକ ୭୮ ବର୍ଷ ପର୍ଯ୍ୟନ୍ତ ବହୁ ଶତ୍ରୁଙ୍କ ଭିତରେ ଏକାନ୍ତ ନିରସ୍ତ୍ର ଅସହାୟ ହୋଇ ବଞ୍ଚିରହି ପାରେ, ତେବେ ଅନ୍ୟ ମନୁଷ୍ୟ ପକ୍ଷରେ ତାହା ଯେ ଏକାବେଳକେ ଅସମ୍ଭବ ସେ କଥାକୁ କୌଣସି ନ୍ୟାୟଶାସ୍ତ୍ର ସମର୍ଥନ କରିବ ନାହିଁ । ସତକୁ ସତ ଆଜି ଗାନ୍ଧୀ-ହତ୍ୟା ଭିତରେ ଯେଉଁ ରହସ୍ୟ ନିହିତ ଅଛି, ତାହା ଅନୁସନ୍ଧାନ କଲେ ମନ ଭିତରେ ଅଗ ହୋଇ ଗୋଟାଏ ପ୍ରଶ୍ନ ପହଞ୍ଚେ, ୭୮ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କୁ ହତ୍ୟା କରା ନ ଯାଇ କିପରି ଛାଡ଼ି ଦିଆ ଗଲା ? କିମ୍ବା ଭାରତ ସ୍ୱାଧୀନତା ପୀଠରେ ଏହାହିଁ କଣ ଶ୍ରେଷ୍ଠତମ ବଳୀ ରୂପେ ଆଗରୁ ରଖା ହୋଇଥିଲା ।

 

ତାହାର କାରଣ, ରାଜନୀତିକ ବିଜୟ ହାସଲ କରିବା ଯେଉଁମାନଙ୍କ ଜୀବନର ବ୍ରତ ହୋଇଛି, ଦେଶଜୟୀ ସମ୍ରାଟ, ରାଜା, ସେନାପତି, ମନ୍ତ୍ରୀ, ଜନନାୟକ ବା ବିପ୍ଳବୀ ନେତା ରୂପେ ସବୁ ଯୁଗରେ ସବୁ ଦେଶର ଇତିହାସରେ ଯାହାଙ୍କ ନାମ ଲିପିବଦ୍ଧ ରହିଛି, ସବୁରି ଭିତରେ ହିଁ ଗାନ୍ଧୀଜୀ ଯେପରି ଏକକ ଓ ସ୍ୱତନ୍ତ୍ର । ସବୁ ଯୁଗରେ ସବୁ ଦେଶର ଇତିହାସରେ ଯେଉଁମାନଙ୍କ ନାମ ଲିପିବଦ୍ଧ ରହିଛି, ସେମାନଙ୍କ କୃତିତ୍ୱ ମଧ୍ୟରେ କିଏ ନିଜ ପକ୍ଷରୁ କିମ୍ବା ପ୍ରତିଦ୍ୱନ୍ଦୀ ପକ୍ଷରୁ କେତେ ହଜାର ବା କେତେ ଲକ୍ଷ ନର ନାରୀଙ୍କ ରକ୍ତରେ ନିଜ ହାତକୁ ରଙ୍ଗାଇ ପାରିଛନ୍ତି । ପୁରାଣ ଯୁଗରୁ ଆରମ୍ଭ କରି ଆଜିଯାକେ କେବଳ ରକ୍ତାକ୍ତ ଲଢ଼େଇର କାହାଣୀକୁ ଆମ୍ଭେମାନେ ଶୁଣି ଆସିଛୁଁ ।

 

କେଉଁଠାରେ ନର ଓ ରାକ୍ଷସ ମଧ୍ୟରେ, କେଉଁ ଠାରେ ଭାଇ ଭାଇ ଭିତରେ କିମ୍ବା ଗୋଟିଏ ରାଜ୍ୟ ସଙ୍ଗେ ଅପର ରାଜ୍ୟର ସଂଘର୍ଷ ହୋଇ ଏକ ପକ୍ଷ ବିଜୟ ହାସଲ କରିଛନ୍ତି । ବର୍ତ୍ତମାନ ଯୁଗରେ ମଧ୍ୟ ରାଜନୀତିକ ବିଜୟ ଲାଭପାଇଁ ରକ୍ତାକ୍ତ ଯୁଦ୍ଧବିପ୍ଳବର ଉଦାହରଣ ସବୁ ଦିନର ଘଟଣା ରୂପେ ଆମ ଆଖି ଆଗରେ ନାଚୁଛି । କେବଳ ରକ୍ତହୀନ ଯୁଦ୍ଧ ଓ ରକ୍ତହୀନ ବିପ୍ଳବର ନିଶାଣ ଧରି ସବୁରି ଉର୍ଦ୍ଧ୍ୱରେ ଭାରତ ବର୍ଷ ଠିଆ ହୋଇଛି, ମଣିଷ ଜାତିର ହଜାର ହଜାର ବର୍ଷର ଇତିହାସକୁ ଉପହାସ କରି । ନବ ଭାରତର ସର୍ବଶ୍ରେଷ୍ଠ ଭାସ୍କର, ସବୁଠାରୁ ବଡ଼ ବିନ୍ଧାଣୀ ଗାନ୍ଧୀଜୀ । ହିଟଲର, ମୁସୋଲିନି, ନେପୋଲିୟନ, ଆଲେକଜାଣ୍ଡାର, ଲିଂକଲନ୍‌, ୱାଶିଂଟନ, ରୋସୋ, ସକ୍ରେଟିସ୍‌ଙ୍କ, କଥା ଆମେ ଅଳ୍ପ ବହୁତ ଜାଣୁ । ରାମ, କୃଷ୍ଣ, ଯୁଧିଷ୍ଠିର, ଶଙ୍କର, ଚୈତନ୍ୟ ନାମକ ପ୍ରଭୃତି ପ୍ରାତ୍ୟବୀର ମନୀଷମାନଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ । ଯିଶୁ, ମହମ୍ମଦ, କନଫୁସିଅସ୍‌, ବୁଦ୍ଧ ପ୍ରଭୃତି ଧର୍ମ-ସଂସ୍କାରକ ବା ଧର୍ମପ୍ରଚାରକ ମଧ୍ୟ ପୃଥିବୀରେ ଜନ୍ମଲାଭ କରିଥିଲେ । ଦର୍ଶନ, ବିଜ୍ଞାନ, କଳା, ସାହିତ୍ୟ ବା ଇତିହାସରେ ବହୁ ମନୀଷୀ ଦେଶ ଓ ସମାଜକୁ ବହୁ ଅମୂଲ୍ୟ ଦାନ ଦେଇ ଯାଇଛନ୍ତି । କିନ୍ତୁ ରାଜନୀତି କ୍ଷେତ୍ରରେ ଗାନ୍ଧୀ ଯେଉଁ ଅହିଂସା ଅସ୍ତ୍ର ଧରାଇ ଦେଇଗଲେ, ପୃଥିବୀର ସୃଷ୍ଟି କାଳରୁ ଆଉ କେହି ତାହା ଦେଇ ନ ଥିଲେ । ଏହି ଅସ୍ତ୍ର ସାହାଯ୍ୟରେ ଯୁଦ୍ଧ କରି ମଧ୍ୟ ମନୁଷ୍ୟ ଯେ ପ୍ରବଳ ଶତ୍ରୁକୁ ଜୟ କରିପାରେ, ତାହା ଗାନ୍ଧୀ ଜୀବନରେ ହିଁ ପ୍ରମାଣିତ ହେଲା ।

 

ଅହିଂସାରେ ଅବତାର ରୂପେ, ଭାରତର ପୁଞ୍ଜୀଭୂତ ତପସ୍ୟା ରୂପେ ଯେଉଁ ଜୀବନ ଗଢ଼ା ହୋଇଥିଲା, ତାହାର ସମାପ୍ତି ହେଲା ଗୁଳି ଚୋଟରେ । ସେ ଚୋଟ ମୂଳରେ ଯେତେ ଷଡ଼ଯନ୍ତ୍ର ବା ରାଜନୀତିକ ଅଭିସନ୍ଧି ଥିଲେ ମଧ୍ୟ, ଯେତେ ହୀନତମ ସ୍ୱାର୍ଥ ଓ ବ୍ୟକ୍ତିଗତ ହିଂସା ଜଡ଼ିତ ଥିଲେ ମଧ୍ୟ ତାହାର ଆବାଜ ଆଜି ପୃଥିବୀ ପୃଷ୍ଠରେ କେଉଁ ବାଣୀ ଶୁଣାଇଛି ଗତ ମହାଯୁଦ୍ଧର ପ୍ରାରମ୍ଭରେ ଯେଉଁ ବିରାଟ ପୁରୁଷ ହିଟଲର ମୁସୋଲିନୀଙ୍କୁ ମଧ୍ୟ ଅହିଂସା ନୀତିରେ ଦୀକ୍ଷିତ କରିବାକୁ ଦୁରାଶା ପୋଷଣ କରିଥିଲେ, ଅହିଂସା ବଳରେ ଇଂଲଣ୍ଡ ମଧ୍ୟ ଯୁଦ୍ଧଜୟୀ ହେବ ବୋଲି ଯେ ପରାମର୍ଶ ଦେଇଥିଲେ, ପୁଣି ଯାହାଙ୍କ ନୀତି ଓ ପରାମର୍ଶ ଆଜି ମଧ୍ୟ ରକ୍ତାକ୍ତ ଧରଣୀର ଲୋକ ବୁଝିବାକୁ ଅସମର୍ଥ, ମୃତ୍ୟୁର ଅଳ୍ପ ଦିନ ପୂର୍ବରୁ ଭାରତରେ ସାମ୍ପ୍ରଦାୟିକ ହତ୍ୟା ବିଭୀଷିକାର ଦମନ ପାଇଁ ଯେ ଆମରଣ ଅନଶନ କରି ଆଶ୍ଚର୍ଯ୍ୟ ରୂପେ କୃତକାର୍ଯ୍ୟ ହୋଇଥିଲେ, ଯାହାଙ୍କ ଜୀବନର ପ୍ରତି ଘଟଣା ଅସାଧାରଣ- ତାହାଙ୍କର ମୃତ୍ୟୁ ଆଉ ସାଧାରଣ ହୁଅନ୍ତା କିପରି ?

 

ଆମରଣ ଅନଶନର ଯେଉଁ ପ୍ରଭାବ ଭାରତ ଉପରେ ପଡ଼ିଥିଲା ଶେଷରେ ତାହାଙ୍କ ହତ୍ୟା ସମଗ୍ର ପୃଥିବୀର ରାଜନୀତି କ୍ଷେତ୍ରରେ ହିଂସା ଓ ରକ୍ତପାତ ପ୍ରତି ଅଙ୍ଗୁଳି ସଙ୍କେତ ଦେଲା । ଯଥାର୍ଥରେ ସେ ଗୁଳି ମାନବ ସଭ୍ୟତାର ଘୃଣ୍ୟତମ କଳଙ୍କ ପ୍ରତି ଆଜି ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି । ତାହାର ଆବାଜ ବାଜିଛି ବହୁ ମାନବର ହୃଦୟରେ । ସର୍ବଶ୍ରେଷ୍ଠ ଅହିଂସା ପୁରୁଷ ବକ୍ଷରେ ଯେଉଁ ଗୁଳି ବାଜିଲା, ତାହା ଆଜି ଭାରତୀୟ ପ୍ରାଣକୁ ବିପନ୍ନ କରିନାହିଁ କି ? ଆଜି କେବଳ ଭାରତ ତାହାର ସ୍ୱାଧୀନତାପୀଠରେ ଶ୍ରେଷ୍ଠତମ ବଳିଦାନ କରିନାହିଁ, ସମଗ୍ର ପୃଥିବୀର ମାନବ ସମାଜର ସ୍ୱାଧୀନତା ପାଇଁ ରକ୍ତହୀନ ସମରରେ ଡେଇଁ ପଡ଼ିବାକୁ ତାହା ଡାକ ଦେଇଛି । ଆଜୀବନ ସେ ଭାରତ ପାଇଁ ଆତ୍ମୋତ୍ସର୍ଗ କରିଥିଲେ; କିନ୍ତୁ ଶେଷରେ ସେ ଯେଉଁ ମୃତ୍ୟୁ ବରଣ କଲେ ତାହା ଯେମିତି ସମଗ୍ର ପୃଥିବୀ ପାଇଁ ।

 

ଗାନ୍ଧୀ-ଜୀବନଠାରୁ ଗାନ୍ଧୀ-ମରଣ ଅଳ୍ପ ଗୌରବମୟ ହୋଇ ନାହିଁ । ଗାନ୍ଧୀ-ଜୀବନର ଆଲୋକ ପ୍ରଧାନତଃ ଭାରତକୁ ଆଲୋକିତ କରୁଥିଲା । ଗାନ୍ଧୀ-ମରଣ ଆଜି ସମଗ୍ର ପୃଥିବୀକୁ ପ୍ରତିଭାତ କଲା । ସେ ଆଲୋକକୁ ଅଧିକ ସ୍ଥାୟୀ ଓ ଉଜ୍ଜ୍ୱଳତର କରିବାର ଭାର କୋଟି କୋଟି ଗାନ୍ଧୀ ଦାୟାଦଙ୍କ ହାତରେ ଉତ୍ତରାଧିକାର ସୂତ୍ରେ ନ୍ୟସ୍ତ ରହିଲା ।

Image

 

ସିଂହଭୂମିରେ ଶୃଗାଳ

 

ଗୋଟା ଦୁନିଆ ଯେ ଆଜି ହୁ ହୁ ବଦଳିବାରେ ଲାଗିଛି, ଦୂରକୁ ନ ଯାଇ ଏହି ଇତିହାସମୟ ଓଡ଼ିଶା ପ୍ରଦେଶକୁ ଚାହିଁଲେ ହିଁ ତାହା ବେଶ୍‌ ବୁଝାଯାଏ । ୧୯୩୬ ମସିହା ପ୍ରାରମ୍ଭ ଭାଗରେ ଓଡ଼ିଶା ଯାହା ଥିଲା ସେତେବେଳେ, ଆଜି ୧୯୩୭ ମସିହା ମଝିରେ ତାହାର ଅବସ୍ଥା ଗଣନା କରି କେହି ଗଣକ କହି ନ ଥିଲେ । ଆଉ କଥା ତେଣିକି ଥାଉ ଓଡ଼ିଶାର ଚେହେରା ବୋଲି ସେତେବେଳ କିଛି ନ ଥିଲା, ଆଜି ତାହା ଘଟିଛି । ସେତିକି ନୁହେଁ- ସେ ଚେହେରା ପୁଣି ଭାରତୀୟ ଚେହେରା ସଙ୍ଗେ ନିଜ ଟେକ ରଖିବାର ସୂଚନା ଦେଇଚି, ଭାରତର ସର୍ବଶ୍ରେଷ୍ଠ ରାଜନୈତିକ ପୋଷାକ ପିନ୍ଧି ଉଭା ହୋଇଚି । ଏ ପ୍ରଦେଶରେ ରୀତିମତ ଆଧୁନିକ ଧରଣର ପତ୍ର ପତ୍ରିକା ଥିଲେ ତାହାର ବ୍ୟଙ୍ଗ ଶିଳ୍ପୀ (Cartoonist) ନାନା ରୂପେ ଏହି ନୂଆ ଚେହେରାର ଚିତ୍ର ଆଙ୍କିଥାନ୍ତେ ।

 

ମୁଁ ଯଦି ବ୍ୟଙ୍ଗଶିଳ୍ପୀ ହୋଇଥାନ୍ତି, ତା’ହେଲେ ଆଗ ଓଡ଼ିଶାକୁ ମୁଣ୍ଡହୀନ କରି ତାହାର ବେକ ଉପରେ ଏକ ଗାନ୍ଧୀଟୋପି ଏବଂ ତାହାର କଙ୍କାଳ ଉପରେ ଏକ ଜବାହରଲାଲି ଫତୁଆ ପିନ୍ଧାଇ ଦିଅନ୍ତି । ତାହାର ଉତ୍ତରପଟେ ଯେଉଁଠି ସିଂହଭୂମି, ସେଠାରେ ଗୋଟେ ମଶାଣିର ଚିତ୍ର ଆଙ୍କି ଦିଟା ମଣିଷ ଦେହରେ ବିଲୁଆ ଶାଗୁଣାଙ୍କ ମୁହଁ ଯୋଡ଼ି ଦିଅନ୍ତି ଏବଂ ମେଦିନୀପୁରର କଣ୍ଟାଇ ସବ୍‌ଡିଭିଜନ ଉପରେ ଖାଲି ଦରପୋଡ଼ା କାଠ ଓ ଯୂଈ ଗାତ ଛଡ଼ା ଆଉ କିଛି ରଖନ୍ତି ନାହିଁ । କାରଣ ଓଡ଼ିଶା ପ୍ରଦେଶର ବର୍ତ୍ତମାନ ଚିତ୍ର ମନେ ପକାଇଲେ, ତାର ଚୌହିଦି ମନେ ପଡ଼େ ଏବଂ ଏହି ଚୌହଦିରେ ଓଡ଼ିଆ ଜାତୀୟତାର ଯେଉଁ ମଶାଣି ପଡ଼ିଚି, ତାହା କାହାରି ଆଖିକୁ ସହଜରେ ଏଡ଼ି ଯିବ ନାହିଁ ।

 

ମେଦିନୀପୁର ସବ୍‌ଡିଭିଜନକୁ ଏ ରୂପ ଚିତ୍ରଣ କରିବାର କାରଣ ସୁସ୍ପଷ୍ଟ । ସିଂହଭୂମିରେ ବିଲୁଆ ଚିତ୍ର ଦେବାର ଅର୍ଥ ସେପଟୁ ଓଡ଼ିଆ ଜାତୀୟତାର ଯେଉଁ କ୍ଷୀଣ ଶବ୍ଦଟିକ ଶୁଭୁଚି, ତାହା ଏହି ଜାତୀୟ ଜୀବର ଅବା ଅଣଚାଶ ବୋହିବାର, ସେ କଥା ସ୍ଥିର ନ ହେଲେହେଁ ଏମିତି ଗୋଟାଏ କିଛି ରୂପେ ତାକୁ ଧରିନେଲେ ଅନ୍ୟାୟ ହେବ ବୋଲି ମନେ ହୁଏ ନାହିଁ ।

 

ଅବଶ୍ୟ ଏହି ଶବ୍ଦ ବର୍ତ୍ତମାନ ଓଡ଼ିଶାର କଂଗ୍ରେସ ସରକାର କାନରେ ବାଜିଥିବାର କିଛି ଲକ୍ଷଣ ଦେଖାଯାଇ ନାହିଁ । ଏହାର କାରଣ ସ୍ୱରୂପ ତାହା ବ୍ରିଟିଶ ସିଂହର ଗର୍ଜନରେ ଅବା ବଡ଼ ବଡ଼ ରାଜନୈତିକ ସ୍ଳୋଗାନ ଶୁଣି ତାବଧ ଧରି ଯାଇଥିବ । ଆଉ ଗୋଟେ ଅସଲ କାରଣ ଏହି ଯେ ଓଡ଼ିଶାକୁ ଅଲଗା ପ୍ରଦେଶ କରିବାରେ କିମ୍ବା ପ୍ରାକୃତିକ ଓଡ଼ିଶାର ଏକତ୍ରୀକରଣ ପାଇଁ ଓଡ଼ିଶା ଭିତରର ସବୁ ରକମ ରାଜନୈତିକ ବା ରାଜାନୁଗତ ଦଳର ଚେଷ୍ଟା ଯେପରି କ୍ଷୀଣ, ଦୁର୍ବଳ, ପରୋକ୍ଷ ଓ ତୁଚ୍ଛ, ଭାଷାସୂତ୍ରରେ ପ୍ରଦେଶ ଗଢ଼ିବା ପାଇଁ ଭାରତ-ଜାତୀୟ-କଂଗ୍ରେସର ମତ ଥିଲେହେଁ ଓ ଉତ୍‌କଳକୁ ଗୋଟିଏ ଅଲଗା ପ୍ରଦେଶ ରୂପେ ଏହା ବିଚାରିଥିବାର ଶୁଣାଗଲେହେଁ, ନୂଆ ଶାସନ ଖସଡ଼ାରେ ଏ ପ୍ରଦେଶର ଫରକ ପରିଚୟ ମିଳି ନ ଥିଲେ କାହାରି କିଛି ଚେଷ୍ଟା ପଣ୍ଡ ହେଲା ବୋଲି ବୋଧହୁଏ କ୍ଷୋଭ କରିବାକୁ ନ ଥିଲା । ଅନ୍ୟ କଥାରେ, ଇଂରେଜୀ ସରକାରଙ୍କ ନିପଟ ଅନୁଗ୍ରହ ଏଥିପାଇଁ ପନ୍ଦର ପଣରେ ଦାୟୀ ଏବଂ ସେତକ ଅନୁଗ୍ରହ ଲାଗି ଯେଉଁମାନେ କାର୍ଯ୍ୟ, କଳ୍ପନା, ଖୁସି ଓ ଖୋସାମତ କରୁଥିଲେ, ତାଙ୍କର ଅଗତ୍ୟା ଇଂରେଜୀ ସରକାରଙ୍କୁ ଛାଡ଼ି ଆଉ କାହାରିକୁ ଏ ଦିଗରେ ଶ୍ରଦ୍ଧା ବା ସାବାସ୍‌ କରିବା ପାଇଁ କାରଣ ଅତି ସାମାନ୍ୟ ।

 

କଂଗ୍ରେସ କଥା କହିଲେ, ବିହାରରୁ କାଢ଼ି ଓଡ଼ିଶାକୁ ଅଲଗା କରି ଚିହ୍ନାଇବା ପାଇଁ ସେ ଯେତିକି କରିଚି, ସେତିକି କିମ୍ବା ସେତିକିରୁ ବେଶି ନ କରିଚି ମଧ୍ୟ । ବରଂ ଓଡ଼ିଶା ବିହାରରୁ ଭିନ୍ନ ହୋଇ ଅଲଗା ହାଣ୍ଡି କରିବାର ସୁଯୋଗ ପାଇବାକୁ ତାହାର ସ୍ୱାତନ୍ତ୍ର୍ୟ ବା ଉନ୍ନତିର ଗୋଟିଏ ନଗଣ୍ୟ ପରିଚୟ ରୂପେ ଧରାଗଲେ ମଧ୍ୟ କଂଗ୍ରେସ ଆଖିରେ ସେ ଆଜି ସୁଦ୍ଧା ବିହାର ସଙ୍ଗରେ ମିଶିକରି ରହିବାର ଅଯୋଗ୍ୟତାରୁ ତ୍ରାହି ପାଇ ନାହିଁ । କଣ୍ଟା କାଦୁଅ, ବେତ ବେଡ଼ି, ନିର୍ବାସନ ବା ନିର୍ବାଚନରେ ତାହାର କରାମତି ଅନେକଙ୍କଠାରୁ ଊଣା ନ ଥିଲେହେଁ କଂଗ୍ରେସ ନଜରରେ ୧୯୨୭ ମସିହାରେ ଓଡ଼ିଶା ଯାହା ଥିଲା, ୧୯୩୭ ମସିହାରେ ଓଡ଼ିଶା ସେଥିରୁ କିଛି ଆଗେଇଛି ବୋଲି ସାର୍ଟିଫିକେଟ ପାଇ ନାହିଁ । ଇଂରେଜୀ ସରକାର ଭାରତର ଆଉ ଦଶଟା ପ୍ରଦେଶ ପରି ଏହାକୁ ବହୁ ଗୁଣରେ ଏକ ସ୍ୱତନ୍ତ୍ର ପ୍ରଦେଶର ପରିଚୟ ଦେଇଥିଲେହେଁ ଅଲଗା ଲାଟ ଓ ଅଲଗା ସେକ୍ରେଟାରିଏଟ ଖଞ୍ଜି ଦେଇଥିଲେହେଁ, କଂଗ୍ରେସ ନଜରରେ ଏବେ ମଧ୍ୟ ତାର ନାବାଳକି ଦୋଷ କଟି ନାହିଁ । ବିହାରର କଂଗ୍ରେସ ନେତାଙ୍କ ଅଧିନରେହିଁ କଂଗ୍ରେସ ଓଡ଼ିଶା ପରିଚାଳିତ; ଅନ୍ୟ କଥାରେ ଓଡ଼ିଶା ଖାଲି ଗାନ୍ଧୀଟୋପି ପିନ୍ଧି ଶିଖିଛି, ତା ମୁଣ୍ଡଟି କିନ୍ତୁ ବିହାରରେ ।

 

ଓଡ଼ିଶାର ହାତ ଗୋଡ଼ ମୁଣ୍ଡ ପ୍ରଭୃତି ଠା ଠା ଛିଣ୍ଡି ପଡ଼ିଥିବାର ଯେଉଁ ବିକୃତ ଚିତ୍ର ରହିଥିଲା, ତାହାର କେତେକ ଅଂଶ ସେ ଫେରି ପାଇଛି ସତ; କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ମସ୍ତିଷ୍କ ସେହି ଅନୁପାତରେ ନଜର ନ ଥିବାରୁ ଏହା ଗୋଟାଏ ପ୍ରକାଣ୍ଡ ପ୍ରମାଣ । ଅର୍ଥାତ ଭାରତର ଆଉ ଦଶ ଜଣଙ୍କ ସଙ୍ଗେ ହାତ ଗୋଡ଼ ଓ ପେଟ ଥାଇ ଜଣେ ବୋଲି ସେ ଗଣିତ ହୋଇଛି ମାତ୍ର-ତାହାର ପରିଚୟ ନିପଟ ଦୈହିକ ଛଡ଼ା ଆଉ କିଛି ନାହିଁ ।

 

କିନ୍ତୁ ଏହାଦ୍ୱାରା ଗୋଟେ ଦିଗରେ ତାହାର ଭିବଷ୍ୟତ ସୁବିଧାର ବାଟ ଫିଟିଛି । ବିହାର ପାଖେ ରାଜନୀତି-କ୍ଷେତ୍ରରେ ଏକ ମାନସିକ ଶିଶୁ ହୋଇ ସେ ପ୍ରଦେଶ ସହିତ ଓଡ଼ିଶାର ସ୍ନେହ ସଦ୍ଭାବ, ଅନୁକମ୍ପା ଓ ଅଳିର ସମ୍ପର୍କ ବଢ଼ିଛି ଏବଂ ବିହାରରେ ହିଁ ତାହାର ମସ୍ତବଡ଼ ଜାତୀୟ ମଶାଣି ପଡ଼ି ରହିଛି ସିଂହଭୂମି । ପୁଣି ବିହାର ଓଡ଼ିଶା ଦୁଇଟି ଯାକ ପ୍ରଦେଶରେ ଶାସନ-ଚାଳକ ଆଜି ଭାରତ ଜାତୀୟ କଂଗ୍ରେସ ଏବଂ ଦୁଇଟି ପ୍ରଦେଶର କର୍ମ ଯୋଜନା ପାଇ ଜଣେ ସାଧାରଣ ମାଲିକ (Zonal leader) ହୋଇଛନ୍ତି ବିହାରରେ ।

 

ତେଣୁ ଦୁଇ ପ୍ରଦେଶରେ କଂଗ୍ରେସର ଏହି ଶାସନ କାଳ ମଧ୍ୟରେ ସିଂହଭୂମି ସମସ୍ୟାର ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ଆଶା କରିବା ସର୍ବଥା ଯୁକ୍ତିଯୁକ୍ତ । ବିହାର ଓଡ଼ିଶା ଉଭୟ ପ୍ରଦେଶରେ ବହୁ ସତ୍ୟାଗ୍ରହୀ ଥିବାର ଏଥିପୂର୍ବେ ଢେର ଚାକ୍ଷୁଷ ପ୍ରମାଣ ମିଳି ସାରିଛି । ସତ୍ୟପ୍ରତି ଆଗ୍ରହ ଦେଖାଇ ଉଭୟ ପ୍ରଦେଶର ଲେକେ ହିଁ ନିଜର ପ୍ରାଦେଶିକତା ଭୁଲି ସମାନ ନୀତି ଓ ସମାନ କର୍ମ ଯୋଜନା ଘେନି ସମାନ ଦୁଃଖ ତ୍ୟାଗ ଓ ସହିଷ୍ଣୁତା ଦେଖାଇଥିବାର ଶୁଣାଯାଏ ଏବଂ ଏକା ଜେଲରେ ଏକା ରକମ ଖାଟେଣି ଖଟି ପରସ୍ପରର ନିକଟତର ହୋଇଥିବାର ସମ୍ଭବ ହୁଏ । ଆଜି ପୁଣି ସମାନ ନୀତି ଓ ସମାନ କର୍ମ ଯୋଜନାଦ୍ୱାରା ଉଭୟ ପ୍ରଦେଶର ଶାସନ କଳ ଚଳାଇବା ପାଇଁ ସେହି ସତ୍ୟାଗ୍ରହୀମାନଙ୍କର ଆଗ୍ରହ ମୂର୍ତ୍ତିମନ୍ତ ।

 

ସ୍ୱାଧୀନତାର ଆଉ ଯେତେ ରକମ ଅର୍ଥ ବା ସଂଜ୍ଞା ଥାଉ ପଛେ ମଣିଷର ଏହା ସତ୍ୟ ପରିଚୟ, ଏ କଥା କୌଣସି ସତ୍ୟାଗ୍ରହୀ ଆଗରେ କହିବାକୁ ହେବ କି ? ଆଉ ମଧ୍ୟ ଯେ କାହାରି ପକ୍ଷେ ନିଜର ଭାଷା ଓ ଜାତୀୟ ସଂସ୍ମୃତି ଯେ ସ୍ୱାଧୀନତାର ଏକାନ୍ତ ଅଙ୍ଗୀଭୂତ ଏବଂ ତାହାକୁ ହରାଇବାଠାରୁ ହୀନତର ଅସ୍ୱାଭାବିକତା ଓ ଅସତ୍ୟ ଯେ ଆଉ ବେଶି କିଛି ହୋଇ ନ ପାରେ, ଜାତୀୟ-ଚୈତନ୍ୟ ବିଶିଷ୍ଟ ସତ୍ୟାଗ୍ରହୀଙ୍କୁ ତାହା ବୁଝାଇବାକୁ ଯିବା ହାସ୍ୟକର ଧୃଷ୍ଟତା ଛଡ଼ା କଣ ହେବ ?

 

ତେଣୁ ସିଂହଭୂମି ସମ୍ବନ୍ଧେ ଯଥାର୍ଥ ସତ୍ୟ ବିଚାର ଏବଂ ସେଠାରୁ ଯେଉଁ ଶବ୍ଦ ଶୁଭୁଛି ତାହା ଆଜି ଶୃଗାଳର କି ଆଉ କାହାର, ସେ କଥାର ଉଚିତ ସାମଧାନ ଯଦି ଏହି ସତ୍ୟାଗ୍ରହୀଙ୍କଠାରୁ ଆଶା କରିବା ଯୁକ୍ତିହୀନ ହୁଏ, ତାହାହେଲେ ପୃଥିବୀରେ ସତ୍ୟ ଏବଂ ଯୁକ୍ତିର ସ୍ଥାନ ଆଉ କେହିଁଠି ଆଶା କରିବା, ସଠିକ୍ ତାହା ନିର୍ଣ୍ଣୟ କରନ୍ତୁ ।

Image

 

ନାରୀ ଏବଂ ସୃଷ୍ଟି ସ୍ଥିତି

 

ଏ ପ୍ରବନ୍ଧ ଆରମ୍ଭ କରିବା ବେଳେ ଲେଖକର ପୂରାପୂରି ଚୈତନ୍ୟ ଅଛି ଯେ, ସେ ନାରୀ ନୁହେଁ, ପୁରୁଷ । ନାରୀ ବିଷୟରେ ଭାବିବା ବେଳେ କିମ୍ବା କହିବା ବେଳେ ଆଜି ଅନେକ ପୁରୁଷଙ୍କର ଏହିପରି ଲିଙ୍ଗ-ଚେତନା ଜନ୍ମିଥାଏ । କାରଣ ପୁରୁଷର ଦୃଷ୍ଟି ଆକର୍ଷଣ ପାଇଁ ନାରୀ କେବଳ ଚାବିକାଠି କାନିରେ ନ ବାନ୍ଧି ରୀତିମତ ଚାବୁକ ସାହାଯ୍ୟରେ ତାହାର ଚୈତନ୍ୟ-ଉଦୟ କରି ଦେଉଅଛି । ଅବଶ୍ୟ ଚାବୁକଟା ହିଁ ନାରୀର ଏକ ମାତ୍ର ଅସ୍ତ୍ର ହୋଇ ନାହିଁ । ନିଜ ବିଷୟରେ ଚିନ୍ତା କରିବାକୁ ସେ ଆଜି ଏତେ ବେଶି ସମର୍ଥ ହୋଇ ପଡ଼ିଚି ଯେ, ଗୋଟାଏ ଦେଶର ଲୋକ ଅନ୍ୟ ଦେଶର ଭଲ ମନ୍ଦ ପାଇଁ ବ୍ୟବସ୍ଥା ଦେବା ଯେମିତି ହାସ୍ୟକର, ନାରୀ ବିଷୟରେ ପୁରୁଷର ମଧ୍ୟ ସେହିପରି କିଛି କହିବା ଅନଧିକାର ବୋଲି ବୋଧହୁଏ ।

 

*Suffragette ଦଳର ନାରୀମାନେ ଏହିପରି ହିଂସା ମୂଳକ ଉପାୟରେ ନାରୀ-ଦ୍ରୋହୀ ପୁରୁଷମାନଙ୍କ ମତ ବଦଳାଇ ଥାନ୍ତି ।

 

କାରଣ ଆଜି କାଲି ‘ଅଧିକାର’ର ଯୁଗରେ ପୃଥିବୀର ପ୍ରତ୍ୟେକ ଗୋଷ୍ଠୀ ପ୍ରତ୍ୟେକ ସମ୍ପ୍ରଦାୟ ଓ ବ୍ୟକ୍ତି ନିଜ ନିଜର ସହଜ ସତ୍ତା ଅନୁଭବ କରିବାକୁ ବ୍ୟଗ୍ର । ସେଥିପାଇଁ ନାରୀ ଆଜି ପୁରୁଷର ବ୍ୟକ୍ତିତ୍ୱ ତଳେ ନିଜ ସତ୍ତାକୁ ହଜାଇ ଦେବାକୁ ଘୃଣା କରେ । ପୁରୁଷ ମଧ୍ୟ ତାହାର ଚାରିପାଖରେ ଅବସ୍ଥା ଦେଖି ସତ୍ୟ ଯୁଗରୁ ଆମ୍ଭର କରି ନାରୀର ଯେଉଁ ସତୀତ୍ୱକୁ ଆଜିଯାଏ ଜଗା ରଖା କରି ଆସୁଥିଲା, ତାହା ବଦଳରେ ତାହାର ସତ୍ତାକୁ ହିଁ ବଡ଼ ସ୍ଥାନ ଦେବାକୁ ବାଧ୍ୟ ହୋଇଅଛି । ନାରୀ ଏବଂ ପୁରୁଷର ଯଥାର୍ଥ ସ୍ଥାନ କେଉଁଠାରେ, ରାଷ୍ଟ୍ର ଏବଂ ସମାଜର ସବୁ କ୍ଷେତ୍ରରେ ଏ ଦୁହିଁଙ୍କର ସହଜ ଦାବୀ କେତେ ଦୂର, ଦେଣା ପାଉଣା କଣ, ଇତ୍ୟାଦି ବିଷୟ ଠିକ ବୁଝିବା ପାଇଁ ପୁରୁଷ ପରି ନାରୀ ମଧ୍ୟ ନିଜକୁ ଯୋଗ୍ୟ ବୋଲି ବିବେଚନା କରୁଚି । ତେଣୁ, ନାରୀ ବିଷୟରେ କହିବାକୁ ଗଲେ ପୁରୁଷ ଯାହା କିଛି ନିଜପକ୍ଷରୁ ହିଁ କହିପାରେ । ସେ କେବଳ ଗୋଟାଏ ଦିଗର ବିଚାର ଓ ବିବେଚନା ବୋଲି ଗୃହୀତ ହେଲେ ମଧ୍ୟ ସେଥିରେ ଇଚ୍ଛା କଲେ ତାହାକୁ ମୁଖ ବନ୍ଦକରି ରହିବାକୁ ହେବ । କାରଣ ନାରୀ ସହିତ ପୁରୁଷର ଯେଉଁ ସମ୍ପର୍କ, ସେଥିରେ ଆଉ କିଛି ପ୍ରତିବନ୍ଧକ ନ ଥାଉ ପଛେ ଲଜ୍ଜା ଟିକିଏ ଅଛି ।

 

ସବା ଆଗ ଏହି ସମ୍ପର୍କଟା କେମିତି ଥିଲା, ଜଙ୍ଗଲି ଜାତିମାନଙ୍କୁ ଚାହିଁ ତାହାର ଗୋଟାଏ ପରିଷ୍କାର ଧାରଣା ଆମେ କରିପାରୁଁ । ପିଲାଠାରୁ ଯୁବା ଅବସ୍ଥା ପର୍ଯ୍ୟନ୍ତ ସିଧା ସଳଖ ଗତିବିଧି-କାହାରି ଉପସ୍ଥିତିରେ କେହି ସଚେତନ ନୁହେଁ-ଯୁବତୀକୁ ଦେଖିଲେ ଦୁଇ ଗୁଣ ଉତ୍ସାହରେ ଯୁବକର ବକ୍ତୃତା ଆରମ୍ଭ ହୁଏ ନାହିଁ, କିମ୍ବା ସେହି ଚପଳ ପ୍ରଳାପକୁ ଶୁଣିବା ପାଇଁ ଯୁବତୀ କାନ ଡେରି ବସେ ନାହିଁ । ରାତି ପାହିଲେ ଉଭୟେ ନିଜ ନିଜ କାମରେ ବ୍ୟସ୍ତ-ନାରୀ ପୁରୁଷର ମନ ନେବାପାଇଁ ସବୁ କାମଛାଡ଼ି ଖାଲି ପ୍ରସାଧନରେ ସମୟ କାଟେ ନାହିଁ, କିମ୍ବା ପ୍ରେମ ପାଗଳ ହଠାତ୍‌ କବିତା ଲେଖିବାକୁ ବସି ୟୁନିଭର୍ସଟି ପରୀକ୍ଷାରେ ଫେଲ ହୁଏ ନାହିଁ । କାମ ସରିଲେ ହସ କୌତୁକରେ ଘରକୁ ଫେରନ୍ତି, ଭୋକ ହେଲେ ମନବୋଧ କରି ଖାନ୍ତି; ଗୀତ ଗାଇବାକୁ ମନ ହେଲେ ବିଲ ପାହାଡ଼ କାବ୍ୟମୟ କରି ଦିଅନ୍ତି, ନାଚନ୍ତି, ଖେଳନ୍ତ; ରାତି ହେଲେ ନିଘାମ ନିଦରେ ଶୋଇଯାନ୍ତି । ସବୁଠାରୁ ବଡ଼ କଥା, ଘରକରଣା ମଜବୁତିଆ କାମକା ଝିଅଙ୍କୁ ବେଶି ଆଦର କରନ୍ତି, ସତୀତ୍ୱ ବୋଲି କୌଣସି ଶବ୍ଦର ଅର୍ଥ ବୁଝନ୍ତି ନାହିଁ । ସେଥିପାଇଁ ପାଞ୍ଚ ବର୍ଷ ଦିନୁ ଝିଅ ଗୁଡ଼ାଙ୍କ ମୁଣ୍ଡରେ ଓଢ଼ଣା ଟାଣି ପୁଅଗୁଡ଼ାଙ୍କ ମୁଣ୍ଡକୁ ବିକୃତ କରନ୍ତି ନାହିଁ । ସତୀତ୍ୱ ଜିନିଷଟାକୁ ଚିରକାଳ ଯତ୍ନରେ ଲୁଚାଇ ରଖି ଶେଷରେ ଅଗ୍ନି କୁଣ୍ଡରେ ବିସର୍ଜନ ଦିଅନ୍ତି ନାହିଁ ।

 

କ୍ରମେ ଏହି ଅବସ୍ଥା ବଦଳିବାକୁ ଆରମ୍ଭ କଲା । ଦେହର ଯେଉଁ ଅଂଶ ଅବୃତ ହେଲେ ଜଣକର ଅନ୍ୟ ଉପରେ ବେଶି ନଜର ପଡ଼ିବ ଏବଂ ଯେଉଁ ଅଂଶ ଗୁଡ଼ିକରେ ସ୍ତ୍ରୀ ପୁରୁଷଙ୍କ ଶରୀର ବିଜ୍ଞାନର ସାମଞ୍ଜସ୍ୟ ନାହିଁ, ସେହି ଅଂଶତକ ବାହାର ଆଲୁଅରୁ ଲୁଚି ରହିଲା-ଶେଷରେ ସମସ୍ତ ଦେହ ଏବଂ ହାତ, ଗୋଡ଼, ନାକ, କାନ ଓ ଆଖି ! ମୁସଲମାନ ମହିଳାମାନେ ରେଳରେ ଯିବାବେଳେ କାହାରି କାହାରି ଏ ଦୃଶ୍ୟ ଦେଖିଥିବାର ମନେଥିବ । କୃତ୍ରିମତାର ଚୁଡ଼ାନ୍ତକୁ ଯାଇ ଏବେ ପୁଣି ମଣିଷ ମନ ସେହି ପ୍ରାକୃତିକ ଅବସ୍ଥାକୁ ଫେରିଚି । ବୁଢ଼ାମାନେ ଯେମିତି ନିଜର ପିଲାଦିନର କଥାକୁ ବେଶି ସ୍ନେହ ଦୃଷ୍ଟିରେ ଦେଖନ୍ତି ଏବଂ ତାହାପ୍ରତି ଅଧିକ ପକ୍ଷପାତ କରିଥାନ୍ତି, ଜର୍ମାନୀର ନ୍ୟୁଡଷ୍ଟ ଦଳକୁ ସେହିରୂପେ ଭାବ-ପ୍ରବଣତା ହୁଏତ ଗ୍ରାସ କରି ସାରିଥାଏ । କାରଣ, ବର୍ତ୍ତମାନକୁ ଏକାବେଳେ ଆଗ୍ରହ୍ୟ କରି ଇଭ୍‌ ଏବଂ ଆଡାମଙ୍କର ଆଦିମ ଯୁଗକୁ ଏମାନେ ଫେରିଯିବାକୁ ଚାହାନ୍ତି । କିନ୍ତୁ ସମସ୍ତ ଦେହକୁ ଲୁଚାଇ ରଖିବା କିମ୍ବା ପୂରାପୂରୀ ଖୋଲି ଦେଖାଇବା-ଏହି ଦୁଇଟା ଚରମ ସୀମା ଭିତରୁ ଗୋଟାଏ ଗ୍ରାହ୍ୟ କିମ୍ବା ଆଉ ଗୋଟାଏ ମଝିଆ ପନ୍ଥା ଧରିବାକୁ ହେବ, ସେଥିପାଇଁ ଅନେକ ଆଖପାଖର ଅବସ୍ଥା ବିଚାର କରିବା ଦରକାର ।

 

* ଗତ ୧୯୧୪-୧୮ ମହାଯୁଦ୍ଧ ପରେ ଜର୍ମାନୀରେ ଏହି ଦଳର ସୃଷ୍ଟି ହୋଇ ବର୍ତ୍ତମାନ ନାନା ଦେଶରେ ବ୍ୟାପ୍ତ ହୋଇ ପଡ଼ିଚି । ଏହାର ନିୟମ ଅନୁସାରେ ନାରୀ ପୁରୁଷ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ପରସ୍ପର ସଙ୍ଗେ ମିଳିତ ହୁଅନ୍ତି । ସ୍ଥାନେ ସ୍ଥାନେ ନ୍ୟୁଡିଷ୍ଟ୍ କ୍ଲବ୍‌ ଓ ନ୍ୟୁଡିଷ୍ଟ୍ କଲୋନି ପ୍ରଭୃତି କୃତ୍ରିମତାର ଚରମ ପ୍ରତିବାଦ ରୂପେ ତିଆରି ହୋଇଛି ।

 

ଏହି ବିଚାର କରିବାକୁ ଗଲାବେଳେ ସବୁଠାରୁ ଆଗ ହୋଇ ମନେପଡ଼େ ସ୍ୱାସ୍ଥ୍ୟ । ଉଭୟ ନାରୀ ପୁରୁଷର ସ୍ୱାସ୍ଥ୍ୟ ଉପରେହିଁ ସମାଜ ଓ ରାଷ୍ଟ୍ରର ସ୍ୱାସ୍ଥ୍ୟ ନିର୍ଭର କରେ । ଅତଏବ ଏହି ସ୍ୱାସ୍ଥ୍ୟ ପାଇବା ପାଇଁ କେତେଟା କାଳ୍ପନିକ ପ୍ରଥା ଓ ପ୍ରବାଦକୁ ଯଦି ଅଗ୍ରାହ୍ୟ କରିବାକୁ ହୁଏ, ସମୂହର ଉନ୍ନତି ଲାଗି ବ୍ୟକ୍ତି ସମାଜ କିମ୍ବା ଧର୍ମ ବିଶେଷରେ ମତାମତକୁ ଯଦି ଉପେକ୍ଷା କରାହୁଏ, ସେଥିରେ ଲୋକାପବାଦର ଭୟ ଥିଲେହେଁ, ଲୋକ ସମାଜରେ ମଙ୍ଗଳ ବାଞ୍ଛାରେ ପରିତୃପ୍ତି ଅଛି । ଦେହ ଏବଂ ମନରେ ନାରୀ ପୁରୁଷ ଦୁହେଁ କିପରି ସୁସ୍ଥ ଓ ସବଳ ହେବେ, ପୁଣି କିପରି ଭବିଷ୍ୟତ ବଂଶଧରମାନଙ୍କର ଜୀବନ ସୁଖମୟ ହେବ, ଏଥିପାଇଁ ବ୍ୟବସ୍ଥା ଦେବାକୁ ଅପୁତ୍ରିକ ଶଙ୍କରାଚାର୍ଯ୍ୟ କିମ୍ବା ସଂସାରତ୍ୟାଗୀ ବୁଦ୍ଧଦେବଙ୍କ ପକ୍ଷରେ ସମ୍ଭବ ନୁହେଁ । ଯେଉଁମାନେ ପାରିବାରିକ ଓ ସାମାଜିକ ଜୀବନରୁ ବଞ୍ଚିତ, ତାହାର ଦୁଃଖ ଅଭାବ ସହିତ ଜଡ଼ିତ ନୁହନ୍ତି, ଆତ୍ମୋନ୍ନତି ପାଇଁ ସେମାନେ ଯେଉଁସବୁ ଚିନ୍ତା କରି ଯାଇଅଛନ୍ତି, ତାହା ପ୍ରତି ଯଥାଯୋଗ୍ୟ ସମ୍ମାନ ଦେଖାଇବାକୁ କେହି ଆପତ୍ତି କରି ନପାରେ; କିନ୍ତୁ ଯେଉଁଠାରେ ମଣିଷର ସ୍ୱାସ୍ଥ୍ୟ ଉପରେ ଆପଦ ଆସି ପହଞ୍ଚେ, ସେଠାରେ ଯଦି ‘ଆପ୍ତ ବାକ୍ୟ’ ସ୍ମରଣ କରି କୌଣସି ବିଶେ ସୁଫଳର ଆଶା ନ ଥାଏ, ତାହା ହେଲେ ‘ନୂତନ ପଞ୍ଜିକାକୁ’ ପୁରାତନ ପୋଥି ଭିତରେ ଥୋଇ ପୂଜା କରିବାକୁ ହେବ । ଦେହବିଜ୍ଞାନ ଉପରେ ଯେଉଁମାନେ ବହୁ ଚିନ୍ତା, ବହୁ ଗବେଷଣା ଓ ବହୁ ପରୀକ୍ଷା କରି ହାତେ ହାତେ ସୁଫଳ ଦେଖାଇ ଦେଇ ଅଛନ୍ତି ? ପୁଣି ଯେଉଁ ମାନଙ୍କ ସିଦ୍ଧାନ୍ତକୁ ଅନୁସରଣ କରି ଆମ ଆଗରେ ପୁଷ୍ଟ ବଳିଷ୍ଠ ଜାତିମାନେ ତିଆରି ହେଉ ଅଛନ୍ତି ? ସେମାନଙ୍କ କଥାକୁ ଟିକିଏ କାନ ଦେବାକୁ ହେବ ।

 

ଅବଶ୍ୟ ଆଗ କରି ଦେଖିବାକୁ ହେବ ଯେ, ନାରୀ ପୁରୁଷର ବର୍ତ୍ତମାନ ପରିସ୍ଥିତି ପ୍ରକୃତ ସ୍ୱାସ୍ଥ୍ୟକର କି ନୁହେଁ । ନୀତି, ନିୟମ, ଚରିତ୍ର ଓ ସତୀତ୍ୱ ପ୍ରଭୃତି ହଜାର ହଜାର ବର୍ଷ ତଳର ଯେଉଁ ସବୁ ପୁରୁଣା ପଦ୍ଧତି ଓ ପୁରୁଣା ଶବ୍ଦ ମଣିଷ ଜାତିର ମନ ଭିତରେ ଟସର ପୋକ ପରି ଅସଂଖ୍ୟ ଅର୍ଥ ଓ ଅନର୍ଥର ଜାଲ ତିଆରି କରି ତାହାରି ଭିତରେ ହିଁ ଆତ୍ମଗୋପନ କରିଛି, ଏହି ସବୁ ଜାଲ ଛିଣ୍ଡାଇ ସେ ପୋକକୁ ପଦାକୁ ଆଣି ନିରପେକ୍ଷ ପରୀକ୍ଷା କରିବା ଅବଶ୍ୟ ଦୁଃସାଧ୍ୟ ହୋଇପାରେ, କିନ୍ତୁ ଅସାଧ୍ୟ ନୁହେଁ । ପରସ୍ପର ଦୃଷ୍ଟିକୁ ଅଧିକ ଆକର୍ଷଣ କରିବା ଉଦ୍ଦେଶ୍ୟରେ କିମ୍ବା ଦେହକୁ ସୁରକ୍ଷା କରିବା ପାଇଁ ଅଥବା ଅନ୍ୟ ଯେ କୌଣସି କାରଣରୁ, ନାରୀ ପୁରୁଷ ଦୁହେଁ ଯେଉଁ ଦିନଠାରୁ କୃତ୍ରିମତାର ଘୋଡ଼ଣୀଦ୍ୱାରା ଦେହକୁ ଲୁଚାଇବାକୁ ଗଲେ, ସେହିଠାରୁ ହିଁ ତାଙ୍କର କୃତ୍ରିମ ଚେଷ୍ଟାର ସମାପ୍ତି ହେଲା ନାହିଁ । ଧର୍ମ, ଅର୍ଥ ଓ ରାଷ୍ଟ୍ରନୀତି ପ୍ରଭୃତିର ଉଦ୍‌ଭବ ହୋଇ ସେଗୁଡ଼ିକର ପ୍ରଭାବ ଓ ସଂଘାତରେ ନାରୀ ପୁରୁଷର ସମ୍ବନ୍ଧଟା କ୍ରମେ ଜଟିଳ ହେବାକୁ ଲାଗିଲା । ଦେହର କେତେକ ବିଶେଷ ପ୍ରକ୍ରିୟା ଓ ବିଶେଷ ଗଠନ ହେତୁରୁ ନାରୀ ପୁରୁଷ ଅପେକ୍ଷା ସ୍ୱଭାବତଃ ଦୁର୍ବଳ ହେଲେହେଁ ତାହାକୁ ସାଧ୍ୱୀ ପତିବ୍ରତା କରିବା ଉଦ୍ଦେଶ୍ୟରେ ନାନା ବେଷ୍ଟନୀ ଭିତରେ ରଖି ଅଧିକ ଦୁର୍ବଳ କରି ଦିଆଗଲା । ହିନ୍ଦୁ ମୁସଲମାନଙ୍କ ପରି ବୌଦ୍ଧ ଓ ଖ୍ରୀଷ୍ଟିୟାନମାନେ ମଧ୍ୟ ଅଳ୍ପ ବେଶି ଏହି ଜବରଦସ୍ତି ନୈତିକତା ପ୍ରୟୋଗ କରିବାରୁ କ୍ଷାନ୍ତ ହୋଇ ନାହାନ୍ତି ।

 

ଏହି କୃତ୍ରିମ ବନ୍ଧନୀ ଭିତରେ ଲୁଚି ରହି ନାରୀ କ୍ରମେ ଗୋଟାଏ ଅଦ୍ଭୁତ ରହସମୟ ବସ୍ତୁ ହୋଇ ପଡ଼ିଚି । ସେଥିପାଇଁ ପୁରୁଷ ତାକୁ କେତେବେଳେ ଦେବୀ ରୂପରେ ବନ୍ଦନା କରିଚି, କେତେ ବେଳେ ବାଘ ସାପ ପରି ଭୟ କରିଚି, କିନ୍ତୁ ତାହାର ପ୍ରକୃତ ସ୍ୱରୂପଟି ଦେଖିବାକୁ ସମର୍ଥ ହୋଇ ପାରି ନାହିଁ । କାରଣ ଦୁହିଙ୍କ ଭିତରେ ‘କେଦାର ଗୌରୀ’ର ଯେଉଁ ଅଭେଦ୍ୟ ପ୍ରାଚୀର ଦଣ୍ତାୟମାନ ହେଲା, ସେଥିରେ କବିତା ଲେଖି ତୃପ୍ତି ଲାଭ କରିବା କିମ୍ବା ବୈରାଗ୍ୟ ଗ୍ରହଣ କରି ହିମାଳୟ ପ୍ରସ୍ଥାନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ । ସେଥି ପାଇଁ ପୃଥିବୀର ସକଳ ଭାଷାରେ କୁଢ଼ କୁଢ଼ ପ୍ରେମ କବିତା ରଚିତ ହୋଇ ନାରୀର ରୂପ ସ୍ତୁତି କରାଯାଇ ଅଛି, ଏବଂ ଦୁହିଙ୍କ ସମ୍ୱନ୍ଧର ଦୂରତାକୁ ଅଧିକ ଉତ୍ସାହ ଦିଆ ହୋଇଚି । ଯଥାର୍ଥରେ ଆଜି ଦେଖିବାକୁ ଗଲେ ଦାନ୍ତେଙ୍କର ଭିଜନ୍‌ କିମ୍ବା କାଳିଦାସଙ୍କର ମେଘଦୂତରେ ବିଏଟ୍ରିସ୍‌ ଏବଂ ଯକ୍ଷପତ୍ନୀ କେବଳ କଳ୍ପନାର ଗୋଟିଏ ଗୋଟିଏ ଖୋଳପିନ୍ଧି ଦୁଷ୍ପ୍ରାପ୍ୟ ହୋଇ ପଡ଼ିଚନ୍ତି, ପୁଣି ରୋମାଣ୍ଟିକ ଜୀବନର ଦାରୁଣ ବ୍ୟର୍ଥତାକୁ ଅଧିକ ପରିସ୍ଫୁଟ କରି ଦେଇଚନ୍ତି ।

 

* ଆଜି କିନ୍ତୁ ଋଷିଆର ସୋହେଟ୍‌ ଶାସନତନ୍ତ୍ରରେ ଜୀବନର ଅନ୍ୟାନ୍ୟ ବିଭାଗ ପରି ନାରୀ ପୁରୁଷର ସମ୍ବନ୍ଧକୁ ସତ୍ୟ ଓ ସହଜ କରିବାର ଚେଷ୍ଟା ଲାଗିଛି । ତାହାର ଗୋଟାଏ ପ୍ରମାଣ ହେଉଛି-ରୋମାଣ୍ଟିକ୍ ପ୍ରେମକବିତା ପଢ଼ିବାକୁ କିଂବା ଲେଖିବାକୁ ନିଷେଧ ଜାରି ।

 

ଏହିପରି କଳ୍ପନାର ଗୋଟିଏ ଅଶରୀରୀ ଆଲୋକ ଭିତରେ ପୁରୁଷ ଓ ନାରୀ ଜଣେ ଅନ୍ୟ ଜଣକୁ ନିରୀକ୍ଷଣ କରିଚି । ଯେତେବେଳେ ଟିକିଏ ବେଶି ନିକଟବର୍ତ୍ତୀ ହୋଇ ପଡ଼ିଚି, ସେତେବେଳେ ସ୍ତ୍ରୀଠାରୁ ଦୂରତ୍ୱର ସମ୍ବନ୍ଧଟିକ ତୁଟି ଯାଇ ସେ ହୋଇଚି ଏକ ‘ରାତ କା ବାଘନୀ’, ପୁଣି ସ୍ତ୍ରୀକୁ ଛାଡ଼ି ପୁରୁଷର ଖାଲି ନିଜ ପେଟକୁ ଭର୍ତ୍ତି କରିବାର ସୁବିଧା ଥିବାରୁ ସେ ପାଲଟିଚନ୍ତି ଭର୍ତ୍ତୃହରି । ଏହି ଦୂରତ୍ୱ ସ୍ଥାପନରେ ଆମର କାଳ୍ପନିକ ଜୀବନର ଉନ୍ନତ ଓ ବୃଦ୍ଧି ଏତେ ବେଶି ସାଧିତ ହୋଇ ପଡ଼ିଚି ଯେ, ଶେଷରେ ତାହା ବାସ୍ତବ ଜୀବନର ବ୍ୟର୍ଥତାରେ ପରିଣତ ହୋଇଚି । ଏ ବ୍ୟର୍ଥତା ପାଇଁ ଆମ୍ଭମାନଙ୍କର ଧର୍ମ ଓ ନୀତିର ଭୟ ଅନେକ ପରିମାଣରେ ଦାୟୀ । ସଂଯମ ଓ ଅବରୋଧ ଭିତରେ ନାରୀ ପୁରୁଷର ସମ୍ବନ୍ଧକୁ ଯେତେ କସି କସି ଆମେ ବାନ୍ଧିବାକୁ ଯାଇଚୁଁ, ତାର ଫଳ କେବଳ ବିଫଳତାରେ ହିଁ ଆମକୁ ଉପହାସ କରିଚି । ଭାରତବର୍ଷରେ ଯେତେବେଳେ ସଂଯମର ଚର୍ଚ୍ଚା ବେଶି ହୋଇ ପଡ଼ିଛି, ସେତେବେଳେ ନିରୁପାୟ ହୋଇ ବେଶ୍ୟାର ଆଶ୍ରୟ ନେବାକୁ ହୋଇଚି ।

 

* ଅତ୍ୟଧିକ ନାରୀ - ପୀତିର ବଶବର୍ତ୍ତୀ ହେବ ଦୋଷରୁ ତୁଳସୀ ଦାସ ଓ ଭର୍ତ୍ତୁହରି ନାରୀ-ନିନ୍ଦୁକ ହୋଇ ପଡ଼ିଛନ୍ତି।

 

ଭାରତୀୟ ସଂଯମ ଯେପରି ହିମାଳୟର ଅଭିମୁଖୀ, ଭାରତୀୟ ପ୍ରେମ ସେହିପରି ବେଶ୍ୟାଳୟର ଅଭିସାରୀ ହୋଇଚି । କିନ୍ତୁ ସଂଯମର ଉର୍ବରତା କେବଳ ଉର୍ବଶୀ ମେନକାଙ୍କ ସହଚର୍ଯ୍ୟରେ ପ୍ରକାଶ ପାଇ ନାହିଁ, ହିମାଳୟ ଶୃଙ୍ଗ ପର୍ଯ୍ୟନ୍ତ ପଳାୟନ କରି ମଧ୍ୟ ଆମେ ଋଷ୍ୟଶୃଙ୍ଗ ଉଦ୍ଭବ କରିବାର କୀର୍ତ୍ତି ଅର୍ଜନ କରିଚୁଁ । ଯେଉଁଠାରେ ପ୍ରେମର ଅଭିନୟ ଆବଶ୍ୟକ ହୋଇଚି, ସେଠାରେ ବେଶ୍ୟା ପ୍ରୀତିର ଉତ୍‌କର୍ଷ ହିଁ କଳ୍ପନା କରାଯାଇଚି । ଅଥବା, ଋଷ୍ୟାଶ୍ରମର ପବିତ୍ର ବେଷ୍ଟନୀ ରଚନାକରି ବେଶ୍ୟା କନ୍ୟାର ପ୍ରେମକୁ ସୌକୁମାରର ଚରମ ଚିତ୍ରଣ କରାଯାଇଅଛି । ଧର୍ମଚିନ୍ତା ଉଦୟ ହେବା ପୂର୍ବରୁ ‘ଚିନ୍ତାମଣି’ର ଆଶ୍ରୟ ନେବାକୁ ପଡ଼ିଚି । ଯେତେ ମହାବାକ୍ୟ ରଚନା କରି ନିଜକୁ ଘୋଡ଼ାଇବାକୁ ଯାନ୍ତୁ ପଛେ କାଳିଦାସଙ୍କର ବେଶ୍ୟାପ୍ରୀତି ଅପବାଦଟା ଆଜି ସୁଦ୍ଧା ଘୋଡ଼ାଇ ହୋଇ ପାରି ନାହିଁ । ପ୍ରେମର ବାସ୍ତବ ଦିଗଟାକୁ ବର୍ଣ୍ଣନା କରିବାରେ ଯଥେଷ୍ଟ ସିଦ୍ଧି ଅର୍ଜିଥିଲେ ହେଁ ଶେଷରେ ବେଶ୍ୟାର ସ୍ତୁତି ନ କରିବା ପର୍ଯ୍ୟନ୍ତ ଭଞ୍ଜକବି ତୃପ୍ତି ଲାଭ କରି ନାହାନ୍ତି ।

 

* ମୃଚ୍ଛକଟିକ ପ୍ରେମାତୁର ବ୍ରାହ୍ମଣ ଯୁବକଙ୍କର ବେଶ୍ୟା ପ୍ରେମ ।

 

* କଣ୍ୱକମୁନିଙ୍କ ଆଶ୍ରମବାସିନୀ ଶକୁନ୍ତଳା ।

 

* ବିଲ୍ବମଙ୍ଗଳଙ୍କର ପ୍ରେମିକା ବେଶ୍ୟା ।

 

* ଉପେନ୍ଦ୍ର ଭଞ୍ଜଙ୍କ ‘‘ରସପଞ୍ଚକ’’ କାବ୍ୟ ଦ୍ରଷ୍ଟବ୍ୟ ।

 

ଯେଉଁମାନେ କବିମାନେ ଏତେ ବେଶି ସ୍ୱାଧୀନ ହୋଇ ପାରି ନାହାନ୍ତି, ସେମାନେ ନିଜ ପ୍ରବୃତ୍ତିର ପରିତୋଷ ପାଇଁ ଦେବତାମାନଙ୍କର ଆଶ୍ରୟ ନେଇ ଅଛନ୍ତି । ସେଥିପାଇଁ ଭାରତବର୍ଷର ପୁରୁଣା କାବ୍ୟ ପୁରାଣ ଗୁଡ଼ିକ ଏହି ଦେବ ପ୍ରେମର ଛଳନାରେ ପୂର୍ଣ୍ଣ । ଅବଶ୍ୟ ଯେଉଁଠାରେ କବି ଅତ୍ୟନ୍ତ ସ୍ୱାଧୀନ ସେଠାରେ ସେ ଦେବତାଙ୍କ ଛଦ୍ମ ବେଶ ଭିତରେ ମାନବକୁ ହିଁ ବଡ଼ ସ୍ଥାନ ଦେଇଛନ୍ତି । ଦେବ ଦେବୀମାନଙ୍କର କ୍ରିୟା କଳାପ ଯେ ମନୁଷ୍ୟ ଅପେକ୍ଷା ଅଦ୍ଭୁତ ନୁହେଁ, ପୁଣି ମନୁଷ୍ୟ ପରି ସେମାନଙ୍କ ଦେହର ବିଶେଷ ବିଶେଷ ଅଂଶର ବିଶେଷ ବିଶେଷ ଲକ୍ଷଣ ଥିବା ଯେ ଅସମ୍ଭବ ନୁହେଁ, ତାହାର ପ୍ରମାଣ ସ୍ୱରୂପ ରଚିତ ହୋଇଚି କୁମାର ସମ୍ଭବ । ଅବଶ୍ୟ ଏ ଧରଣ ବର୍ଣ୍ଣନାର ଯେ ପ୍ରତିବାଦ ହୋଇ ନାହିଁ ତାହା ନୁହେଁ । କାରଣ କାଳିଦାସ ଅଳ୍ପ ଦିନର ମଣିଷ; ତେଣୁ ଯୋଗୀ ଋଷିର ଉପାଧି ଲାଭ କରିବା ପାଇଁ ସେ ବିଶେଷ ଯତ୍ନ ନେଇ ନାହାନ୍ତି । ତଥାପି ସ୍ମୃତି ସଂହିତାର କଠୋର ବନ୍ଧନ ଭିତରେ ରହି ଭାରତୀୟ ପ୍ରେମ ଯେ ଅତି ଅସ୍ୱଭାବିକ ଗତିରେ ଚାଳିତ ହୋଇଛି, ଏଥିରେ ବିଶ୍ବାସ କରିବାକୁ ପ୍ରମାଣର ଅଭାବ ନାହିଁ । ପ୍ରକୃତରେ ଏ ଦେଶରେ ପ୍ରେମିକା ହୋଇଚନ୍ତି ବେଶ୍ୟା, ନ ହେଲେ ବିଧବା । କିମ୍ବା ଦେବ ଦେବୀଙ୍କର ବାହାନା କରି ଏକା ବେଳକେ ଷୋଳ ହଜାର ସଦ୍ୟ ସଧବା ! ନ ହେଲେ ଅଭାବ ପକ୍ଷରେ ଯେଉଁ ତଳ ଜାତିର ନାରୀମାନଙ୍କ ଭିତରେ ଅବରୋଧ ନାହିଁ, ସେମାନଙ୍କୁ ଘେନି ପରକୀୟା ପ୍ରୀତିର ଅବତାରଣା ହୋଇଛି । ଏହି ସମ୍ବନ୍ଧ ଗୁଡ଼ିକର ଗଭୀର ଦାର୍ଶନିକ ତତ୍ତ୍ୱ ଯାହା ଅଛି, ଜଗତର ଅନ୍ୟାନ୍ୟ ସମ୍ବନ୍ଧ ଉପରେ ମଧ୍ୟ ସେହିପରି ନାନା ଅର୍ଥ ଆରୋପ କରାଯାଇ ପାରେ । କିନ୍ତୁ ନାରୀର ଅବରୋଧ ଓ ପୁରୁଷର ଜବରଦସ୍ତି ସଂଯମ ଯେ ଏଥିପାଇଁ ବହୁତ ଅଂଶରେ ଦାୟୀ, ତାହା ସଂଯମ ଓ ସାଧନାର କେନ୍ଦ୍ରସ୍ଥଳ ସବୁ ତୀର୍ଥସ୍ଥାନ ଉପରେ ଗୋଟିଏ ଥର ଆଖି ବୁଲାଇ ଦେଲେ ହିଁ ବୁଝାଯାଏ ।

 

* ଚଣ୍ଡୀଦାସ ଓ ରାମୀ ରଜକନୀ ।

 

ଖ୍ରୀଷ୍ଟିୟାନ ଦେଶମାନଙ୍କରେ ମଧ୍ୟ ଏହିରୂପ କଠୋର ସଂଯମ ଓ ନୈତିକତାର ଅଭ୍ୟାସ ଯୋଗୁଁ ଅଂସଖ୍ୟ ଗୋପନ ବ୍ୟଭିଚାରର ବିବରଣୀ ଶୁଣାଯାଏ । ମଧ୍ୟଯୁଗରେ (Middle Ages) ଖ୍ରୀଷ୍ଟିଆନ୍‌ ସେଣ୍ଟମାନେ ଗାଧୋଇବା କିମ୍ବା ଦେହ ହାତ ପରିଷ୍କାର ରଖିବାକୁ ମଧ୍ୟ ଧର୍ମ୍ମ ବିରୁଦ୍ଧ ବୋଲି ମନେ କରୁଥିଲେ । ହିନ୍ଦୁର ଦେବଦାସୀ କିମ୍ବା ‘ମାତା’ ମାନଙ୍କପରି ଖ୍ରୀଷ୍ଟିୟାନ ମଧ୍ୟ ତାଙ୍କର ନନ୍‌ମାନଙ୍କୁ କେବଳ ଦେବ-ଭୋଗ୍ୟ ପବିତ୍ର ବସ୍ତୁରୂପେ ଜ୍ଞାନ କରୁଥିଲେ । ନନ୍‌ମାନଙ୍କର ମଠ ଗୁଡ଼ିକରେ (Nunnery) ଯେଉଁ ସବୁ କଡ଼ା ନିୟମ ଜାରି କରାଯାଇ ଥିଲା, ସେଥିରେ ସେମାନେ ପୁରୁଷର ଛାଇ ମଧ୍ୟ ଦେଖିବାକୁ ପାଉ ନ ଥିଲେ ଏବଂ ତାହା ଶୁଣି ଆଜିକାଲି ସ୍କୁଲ କଲେଜର ବାଳିକା ମାନେ ବୋଡିଂ ହତାରେ ଅବରୁଦ୍ଧ ଥାଇ ସୁଦ୍ଧା ଯେତିକି ସ୍ୱାଧୀନତା ପାନ୍ତି ତହିଁରେ ନିଜକୁ ଖୁବ୍‌ବେଶି ଭାଗ୍ୟବତୀ ମନେ କରିବେ । ଅଥଚ ଏହି ନୟମ ବନ୍ଧନ ଯେତିକି କଠିନ ହୋଇଚି, ତାହାର ବ୍ୟତିକ୍ରମ ବରଂ ଅଧିକ ପ୍ରବଳ ହୋଇ ଉଠିଚି । ରାମକୃଷ୍ଣ ପରମହଂସଙ୍କ ପରି ସେଣ୍ଟ ଆବ୍ରାହାମ ଯେପରି ବିବାହର ବାସର ରାତ୍ରିରୁ ସ୍ତ୍ରୀକୁ ଛାଡ଼ି ପଳାୟନ କରିଅଛନ୍ତି, ଅନେକ ସାନାତନୀ ପଣ୍ଡା ପୂଜକଙ୍କ ପରି ସେଣ୍ଟ୍‌ ଅଗଷ୍ଟିନ୍‌ ମଧ୍ୟ ସତର ଗୋଟି ଜାରକ ସନ୍ତାନଙ୍କୁ ଛାଡ଼ି ଯାଇଚନ୍ତି ଏବଂ ଅନେକ ମଠାଧୀଶଙ୍କ ପରି ସେଣ୍ଟ୍‌ ପେଲାଗୋଙ୍କ ଅଧୀନରେ ୭୦ ଗୋଟି ରକ୍ଷିତା ସ୍ତ୍ରୀ ଥିବାର ପ୍ରମାଣ ମିଳିଚି । ଋଷ୍ୟଶୃଙ୍ଗ ଉଦ୍ଭବ କରିବାର ପ୍ରଖର କଳ୍ପନା ଜାତ ହୋଇ ନ ଥିଲେ ହେଁ ଅନେକ ବିଶପ୍‌ ନିଜ ନିଜର କନ୍ୟା ଓ ଭଗିନୀମାନଙ୍କ ସଙ୍ଗେ ଯୌନ ସମ୍ପର୍କ ରଖିବାର ଯେଉଁ ସହଜ ପନ୍ଥା ଉଦ୍ଭାବନ କରିଚନ୍ତି, ନନେରୀ କିମ୍ବା ଖ୍ରୀଷ୍ଟ-ବଧୂମାନଙ୍କର ପବିତ୍ର ମଠ ଗୁଡ଼ଇକରୁ ଯେଉଁ ପରିମାଣରେ ଶିଶୁକଙ୍କାଳ ଆବିଷ୍କୃତ ହୋଇ ଅଛି, ତାହା ପ୍ରତ୍ନତାତ୍ତ୍ୱିକମାନଙ୍କ ଗବେଷଣା ପାଇଁ ଯଥେଷ୍ଟ ସାହାଯ୍ୟ କରେ ।

 

* ‘‘The purity of the body and its garments means the impurity of the soul’’- Paul.

 

ଏହି ସବୁ ନିୟମର ଫଳାଫଳ ଆଜି ଯେପରି ଦେଖାଯାଏ, ତାହାର ପ୍ରଚଳନ ସମୟରେ ମଧ୍ୟ ସେହିପରି ଦେଖା ଯାଇଥିଲା । କିନ୍ତୁ ସେତେବେଳେ ନିୟମ ଏବଂ ତାହାର ବ୍ୟତିକ୍ରମ ଭିତରେ ହିଁ ଟଣା ଭିଡ଼ା ଚାଲିଥିଲା । ବ୍ୟଭିଚାର ପ୍ରବଳ ହେବାର ଦେଖି ନିୟମକୁ ଆହୁରି କଠୋର ହେବାକୁ ପଡ଼ିଲା । ଖ୍ରୀଷ୍ଟିଆନ ବିଶପମାନଙ୍କୁ ମା ଭଉଣୀମାନଙ୍କ ପାଖରେ ରହିବାକୁ ବାରଣ କରାଗଲା, ହିନ୍ଦୁ ସନ୍ନ୍ୟାସୀମାନଙ୍କୁ ଜଙ୍ଗଲ କିମ୍ବା ମଠର ଆଶ୍ରୟ ନେବାକୁ ହେଲା । ସବୁ ଧର୍ମରେ ନାରୀମାନଙ୍କୁ ନିନ୍ଦା କରାଗଲା । ନାରୀ ନରକର ଦ୍ୱାର, ସେ ବ୍ରାହ୍ମଣର ସନ୍ତାନ ହେଲେ ମଧ୍ୟ ଶୂଦ୍ରା, ଧର୍ମରେ ତାହାର ଅଧିକାର ନାହିଁ, ହିନ୍ଦୁମାନଙ୍କ ପରି ଖ୍ରୀଷ୍ଟିଆନ ପଦ୍ରୀ (Father) ମାନେ ମଧ୍ୟ ଠିକ୍ ଏହି କଥାକୁ ତାର ସ୍ୱରରେ ଘୋଷଣା ନ କରି ଛାଡ଼ି ନାହାନ୍ତି । କାରଣ ସବୁ ଦେଶର ଧର୍ମଗୁରୁମାନେ ଘଟଣା କ୍ରମେ ପୁରୁଷ ହୋଇ ଜନ୍ମଲାଭ କରିଅଛନ୍ତି ଏବଂ ନାରୀ ହିଁ ପୁରୁଷକୁ ପ୍ରଥମେ ପ୍ରଲୋଭନ ଦେଖାଏ ବୋଲି ତାହାକୁ ଏତେଦୂର ହୀନ ଦୃଷ୍ଟିରେ ଦେଖିଚନ୍ତି ଯେ ସେଥିରୁ ମନେ ହୁଏ ସେମାନେ ନାରୀଠରୁ ଜାତହୋଇ ଥିବାର ମଧ୍ୟ ଭୁଲି ଯାଇଚନ୍ତି ।

 

* ‘‘Woman was represnted as the door oihell, as the mother of all human ills. She should be ashamed of the very thought that she is woman’’

 

ସେଥିପାଇଁ ନାରୀ ହୋଇଚି ଗୋଟାଏ ବିଷଧର ଅହି, ନ ହେଲେ ପାଷାଣର ଅହଲ୍ୟା । କେହି ତାକୁ ଭୟ କରି ଦୂରରେ ରହିଚି, ଆଉ କିଏ ତାକୁ ଦେବୀ କରିବା ଉଦ୍ଦେଶ୍ୟରେ ପଥର କରି ରଖିଚି; ଯେ ଦୂରରେ ରହିଚି ସେ ତାକୁ ଦେଇଚି ଘୃଣା ଓ ଅଭିସମ୍ପାତ, ଯେ ଜଡ଼ କରିଚି ସେ ତାହାର ଆଉ କିଛି କରିବାକୁ ବାକୀ ରଖି ନାହିଁ । ଏହି ଭାବରେ ନାରୀ ପୁରୁଷଠାରୁ ଯେଉଁ ନିଗ୍ରହ ପାଇଚି, ତାହା କୌଣସି ନିଗ୍ରୋ ଦାସ ପ୍ରତି ଖ୍ରୀଷ୍ଟୀୟାନମାନଙ୍କର ବ୍ୟବହାରଠାରୁ ଊଣା ନୁହେଁ । ଯେଉଁଠାରେ ସେ ଅନ୍ୟ ପୁରୁଷକୁ ଅତର୍କିତରେ ଚାହିଁ ଦେଇଚି, ସେଠାରୁ ତାର ଆଖି ବନ୍ଦ; ଯେଉଁଠାରେ କେହି ପୁରୁଷ ତାହାକୁ ଛୁଇଁଦେଇଚି, ତେବେ ତାହାର ଅଗ୍ନିପରୀକ୍ଷା । ମୋଟ ଉପରେ ନାରୀକୁ ମୂର୍ଖ, ଅବିବେକ, ମୁକ ଓ ଜଡ଼ କରି ରଖିବା ବ୍ୟତୀତ ତାହାର ପବିତ୍ରତାର ସୁରକ୍ଷାପାଇଁ ପୁରୁଷ ଆଉକିଛି ସଦୁପାୟ ଖୋଜି ପାଇନାହିଁ ।

 

* ଆକାଶଗାମୀ ଇନ୍ଦ୍ରଙ୍କୁ ଥରେ ମାତ୍ର ଚାହିଁ ଦେଇଥିବା ଅପରାଧରେ ଅହଲ୍ୟାଙ୍କୁ ସ୍ୱାମୀ ଅଭିଶାପରେ ଅନେକ ଯୁଗ ପଥର ହୋଇ ପଡ଼ି ରହିଥିବା ଉପାଖ୍ୟାନଟି ଅନେକଙ୍କୁ ଜଣା ।

 

ନାରୀ ମଧ୍ୟ ତାହାର ଏହି ଦଶାକୁ କେତେବେଳେ ଆଶୀର୍ବାଦ ମନେକରି ପୁରୁଷ ପ୍ରତି ଭକ୍ତି ପ୍ରୀତିର ଅତି ନିର୍ବ୍ବୋଧ ପରିଚୟ ଦେଇଚି, କିମ୍ବା ଦୈବର ଅଭିଶାପ ଭାବି ତୁନି ରହିଚି । ଇଉରୋପରେ ଫରାସୀ ବିପ୍ଲବ ପର୍ଯ୍ୟନ୍ତ ନାରୀକୁ ପୂର୍ବ ଦଶା ବଦଳି ନ ଥିଲା ଏବଂ ଉତ୍ତରାଧିକାର ସୂତ୍ରରେ ତାହାର ଦାବୀ ସ୍ୱୀକାର କରାଯାଇ ନ ଥିଲା । ଫରାସୀ ବିପବର ସ୍ୱାଧୀନ ଭାବୁକମାନେ ହିଁ ତାହାକୁ ରାଷ୍ଟ୍ର ଓ ସମାଜରେ ପୁରୁଷଠାରୁ କୌଣସି ଅଂଶରେ ହୀନ ନୁହେଁ ବୋଲି ପରିଚିତ କରାଇଲେ । ୧୯୧୪-୧୮ ମହାଯୁଦ୍ଧଠାରୁ ହିଁ କେମାଲ ପଶାଙ୍କ କୃପାରୁ ତୁର୍କିର ମୁସଲମାନରମଣୀ ନିଜକୁ ମଣିଷ ବୋଲି ଆବିଷ୍କାର କଲା । ଆମେରିକାର ଅବସ୍ଥା ଅବଶ୍ୟ ବହୁତ ଆଗରୁ ଟିକିଏ ଫରକ ହୋଇ ପଡ଼ିଥିବା ପରି ବୋଧହୁଏ । ଦେଶ ଛାଡ଼ି ବିଦେଶକୁ ଗଲେ ଉଭୟେ ନାରୀ ପୁରୁଷଙ୍କର ସ୍ୱତନ୍ତ୍ର୍ୟ ଯେପରି ଟିକିଏ ବେଶି ହୋଇ ପଡ଼ିଥାଏ, ଆମେରିକାରେ ବୋଧହୁଏ ତାହା ହିଁ ହୋଇଅଛି ଏବଂ ତାହାରି ଆଦର୍ଶରେ ଜାପାନ ମଧ୍ୟ ନିଜକୁ ତିଆରି କରି ନେଇଚି । ଆମେରିକାରେ କମ୍ପାନିୟନେଟ୍ ମ୍ୟାରେଜ୍ (Companionate Marriage) ପରି ଯେମିତି ସ୍ୱାଧୀନ ବିବାହ ପ୍ରଥାର ପ୍ରସ୍ତାବ କରାଯାଇଚି ଏବଂ ବାଇସ୍କୋପର ଅଭିନେତ୍ରୀ ହେବାପାଇଁ ସେଠାରେ ଝିଅମାନେ ଯେଉଁ ପରିମାଣରେ ବାଇ ହୋଇ ପଡ଼ିଚନ୍ତି; କିମ୍ବା ଯେଉଁମାନଙ୍କର ମଟରକାର ଅଛି (ଅନେକ ଝିଅଙ୍କର ଅନ୍ତତଃ ଖଣ୍ଡେ ମଟରଗାଡ଼ି ଥିବାର ଜଣାଯାଏ) ସେମାନେ ତାହା ସାହାଯ୍ୟରେ ନିଜର ପ୍ରେମିକକୁ ଦୁର ସ୍ଥାନମାନଙ୍କୁ ଘେନିଯାଇ ପ୍ରେମଳାପଟାକୁ ଆହୁରି ଅନେକ ଦୁର ପର୍ଯ୍ୟନ୍ତ ଆଗେଇ ନେବାରେ ଯେମିତି ତୃଟି କରୁ ନାହାନ୍ତି, ଜାପାନର ଝିଅମାନେ ମଧ୍ୟ ବିବାହ ପୂର୍ବରୁ ପ୍ରଥମେ ବେଶ୍ୟାବୃତ୍ତି ଦ୍ୱାରା ସେମିତି ଯୌନ-ଜୀବନର ଅଭିଜ୍ଞତା ସଙ୍ଗେ ସଙ୍ଗେ କିଛି ବିବାହ-ଯୌତୁକ ଅର୍ଜନ କରିବାକୁ ଯାଇ ଏ ପ୍ରଥାଟିକୁ ସମାଜର ଗୋଟାଏ ରୀତିମତ ଅନୁଷ୍ଠାନ-କରି ପକାଇଛନ୍ତି । ସୋହ୍ୟେଟ୍ ରୁଷିଆରେ କି ପୁରୁଷ କି ନାରୀ ପ୍ରତ୍ୟେକଙ୍କୁ ରାଷ୍ଟ୍ରର କଲ୍ୟାଣ ଦିଗରୁ ହିଁ ବିବେଚନା କରା ଯାଉଚି । ବ୍ୟକ୍ତି ବିଶେଷର ସୃଷ୍ଟି ସ୍ଥିତି କେବଳ ବ୍ୟଷ୍ଟିର ଉପକାର ଉଦ୍ଦେଶ୍ୟରେ ରାଷ୍ଟ୍ର (State) ହିଁ ଏହି ବ୍ୟଷ୍ଟିର ଜୀବନ୍ତ ପ୍ରତିନିଧି ଏବଂ ସମସ୍ତ ରାଜ୍ୟର ଶିଶୁମାନଙ୍କ ପାଳନ ଭାର ଏହା ନିଜ ହାତକୁ ନେବା ହିଁ କର୍ତ୍ତବ୍ୟ ମନେ କରି ଏକ ବିରାଟ ପରୀକ୍ଷାର ଆରମ୍ଭ କରିଚି । ତାହା ଫଳରେ ବର୍ଣ୍ଣାଶ୍ରମର ତ ନାମ ଗନ୍ଧ ଲୋପ ପାଇଛି, ବର୍ଣ୍ଣଶଙ୍କରଙ୍କୁ ଖୋଜି ବାହାର କରିବା ମଧ୍ୟ ଅସମ୍ଭବ ହୋଇ ପଡ଼ିଛି । ନୀରୋଗ ସୁପୁଷ୍ଟ ଶିଶୁର ହିଁ ଆଦର ବଢ଼ିଛି । ପ୍ରେମ ବୋଲି ଗୋଟାଏ ଏତେ ବଡ଼ ପୁରୁଣା ଜିନିଷ ଏବଂ ଯୁବକ ଯୁବତୀଙ୍କର ଏମିତି ଏକ ପ୍ରାଣାଧିକ ପ୍ରିୟ ବସ୍ତୁର ଆଜି ସେଠାରେ ମନସନ୍ତତ୍ୱ ସଙ୍ଗେ ବିଶେଷ ସମ୍ପର୍କ ନାହିଁ; ଦେହରେ ତତ୍ତ୍ୱ ଭିତରେ ହିଁ ତାହା ଆବଦ୍ଧ । ଆର୍ଯ୍ୟ ରୁଷିମାନେ ଯାହାକୁ ଗୋଟାଏ କଥାରେ କାଟି ଫିଙ୍ଗି ଦେଇଛନ୍ତି,-‘‘ପୁତ୍ରାର୍ଥେ କ୍ରୀୟତେ ଭାର୍ଯ୍ୟା’’।

Image

 

ଗୋପବନ୍ଧୁ ସ୍ମୃତି

 

ତିରୋଧାନର ୧୮ବର୍ଷ ହୋଇଗଲା । ଏହା ଭିତରେ ଓଡ଼ିଶାରୁ ପୁଣି ଭାରତରୁ କେତେ ପିଲା, ବୁଢ଼ା, ଭେଣ୍ଡିଆ ମରଣର ଆଖି-ମିଟିକାରେ ବିଦା ହୋଇ ଗଲେଣି । କିଏ ଜନ୍ମ ହୋଇ ଭେଣ୍ଡା ହେଲେଣି । ତାଙ୍କ ଭିତରେ କେତେ ମଣିଷ, କେତେ ଅମଣିଷ, କିଏ ଯୋରଦାର, କେତେ ସତିଆ ଚାଲ୍‌ବାଜ ଓ ମିଛୁଆ-ଯୋହୁକୁମ, କେତେ ଭକୁଆ ଓ ଭେକଧାରୀ, କେତେ ଗୁଣ୍ଡା ଓ ମୁର୍ଖ ଦୁନିଆ ଉପରେ ମାଡ଼ି ଗଲେଣି ।

 

ଗୋପବନ୍ଧୁ ବଞ୍ଚିଥିବା କାଳରେ ଯେ ଏଭଳି ଲୋକ ନ ଥିଲେ, ତାହା ନୁହେଁ; ସେତେବେଳେ କି ତାଙ୍କୁ ବହୁତ ପାଠୁଆ ଅଭଦ୍ର ଓ ଅପାଠୁଆ ଭଦ୍ର ଲୋକଙ୍କ ସାଙ୍ଗରେ ଚଳିବାକୁ ପଡ଼ିଥିବ; ବହୁତ ପାଜି ଓ ପକେଟ୍‌ମାରୁଙ୍କ ପାଖେ ରହି ତାଙ୍କ ଦେହ ଜଳୁଥିବ ।

 

୧୯୨୮ ମସିହାରେ ଆଜି ପର୍ଯ୍ୟନ୍ତ ଏହି ଯେ ଅଠର ବର୍ଷ-ଏହି ଭିତରେ କେତେ ଘରେ, କେତେ ଗାଁ, କେତେ ଥାନା, ମହକୁମା, ଜିଲା ଅବା ରାଜ୍ୟ ଉପରେ ପୋଡ଼ି, ବଢ଼ି, ମଡ଼କ, ଭୂଇଁକମ୍ପ, ଲଢ଼େଇ, ଭିଡ଼େଇ ହୋଇଯାଇଛି । ଏହାର ଭିତରେ କେତେ ଫକଡ଼ ଧନୀ ହେଲେଣି, କେତେ ଧନୀ ଭିକ ମାଗିଲେଣି । କେତେ ଲୋକ ଦୋକାନ ବଜାର, କାରଖାନାମାନଙ୍କରେ ଭର୍ତ୍ତି ହେଲେଣି; ଆହୁରି କେତେ ସରକାରଙ୍କଦ୍ୱାରା ଜେଲଖାନାମାନଙ୍କରେ ଭର୍ତ୍ତି ହୋଇ ସେଠୁଁ ବାହାରି ସରକାର ହେବାକୁ ବସିଲେଣି । କେତେ ପୁଣି ଗୋପବନ୍ଧୁଙ୍କ ବଞ୍ଚିବା ସମୟରୁ ଆଜିଯାକେ ଭାରତବର୍ଷର ଖରଦରେ ପଡ଼ି ସଢ଼ୁଛନ୍ତି !

 

ଜେଲ ଭିତରେ ପଶିବାକୁ ଗୋପବନ୍ଧୁ ନିଜେ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ । କିନ୍ତୁ ସେଠାରୁ ଫେରି ସରକାର ଆସନରେ ବସିବାର ଯୋଗ୍ୟତା ତାଙ୍କଠାରେ ଦେଖା ଯାଇନାହିଁ । ସେଥିଲାଗି ଆଧୁନିକ ନେତୃତ୍ୱର କେତେଗୁଡ଼ିଏ ଲକ୍ଷଣ ତାଙ୍କଠାରେ ଅଭାବ ଥିଲା ପରି ମନେହୁଏ-। ତେଣୁ ସରକାରୀ ଜେଲ ସଙ୍ଗେ ତାଙ୍କ ସହଯୋଗ ଯେମିତି ଘନିଷ୍ଠ ଥିଲା, ସରକାରୀ ସିରସ୍ତା ସଙ୍ଗେ ସେମିତି ହୋଇ ପାରି ନ ଥିଲା ।

 

ହୁଏ ତ ସେତେବେଳର ସରକାରୀ ଜେଲ ଓ ସରକାରୀ ଅଫିସ ଭିତରେ ଯେଉଁ ଫରକ ଥିଲା, ଏତେବେଳର ଜେଲ ଓ ଅଫିସ ଭିତରେ ସେ ଫରକ କମି ଆସିଛି । ଏତେବେଳେ ହୁଏତ ସରକାରୀ ଜେଲକୁ ଯିବା ଅର୍ଥ ପରେ ପୁଣି ସରକାରୀ ଅଫିସକୁ ଯିବା ବୁଝାଇଥାଏ । ସେଥିପାଇଁ ଭାରତର କେତେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଜେଲକୁ ପଠାଇଥିବାର ପୁରସ୍କାର ରୂପେ ସରକାରୀ ଲୋକଙ୍କ ଲାଗି ସେମାନେ ଜେଲଖାନାରୁ ବାହାରି ଉତ୍ତମ ଖାନା ବ୍ୟବସ୍ଥା କରିବାର କିମ୍ବା ସରକାରଙ୍କ ଖାନାରେ ବସିବାକୁ ସୁଖ ମଣିବାର ଦେଖାଯାଏ । ପୁଣି ସେତେବେଳେ ସରକାରୀ ଲୋକେ ଯେମିତି ଜେଲ କଏଦୀଙ୍କୁ ଦେଖୁଥିଲେ, ଏହା ଭିତରେ ଥରେ ଅଧେ ସେହି କଏଦୀମାନେ ସରକାରୀ ଆସନ ମାଡ଼ି ବସୁଥିବାରୁ ସେମିତି ହୁଏତ ସେମାନଙ୍କୁ ଦେଖୁ ନାହାନ୍ତି ।

 

ସରକାର ବିପକ୍ଷରେ ରହି ଥରକୁ ଥର ଜେଲ ଯା ଆସ କରିବାରେ ଓ ସରକାରୀ ସିରସ୍ତାକୁ ହାତକୁ ନେବାରେ କେତେ ଜେଲ-ଫେରନ୍ତା ବଡ଼ ନେତା ଓ ବିଲାତ-ଫେରନ୍ତା ବଡ଼ ସରକାରୀ ଚାକିରିଆଙ୍କ ଭିତରେ ଚିହ୍ନା ପରିଚୟ ବୁଝାମଣା ହେବାର ସୁବିଧା ମିଳି ଯାଇଥିବ । ଜଣେ ଆଉ ଜଣକୁ ଖୁସି କରି ପାରିଲେ ଯେ ଦି’ପକ୍ଷର ଲାଭ, ଉଭୟ ପକ୍ଷ ଏ କ୍ଷଣି ହୁଏ ତ ସେ କଥା ଆଗଠାରୁ ଭଲ କରି ବୁଝି ସାରିଲେଣି । ଦେଶ ଭିତରର ଓ ବାହାରର କେତେଗୁଡ଼ାଏ ଘଟଣାର ପ୍ରଭାବ ମଧ୍ୟ ଏଭଳି ସାଲିସ୍ ସହଯୋଗ ପାଇଁ ବାଟ ଫିଟାଇ ଦେଉଛି । ସେସବୁ କଥା ବିଚାରିବା ଆମର ଏଠାରେ ଲୋଡ଼ା ନାହିଁ । ଅଠର ବର୍ଷର ସବୁ ଘଟଣାକୁ ଟିକିନିଖି ପରଖ କରିବାକୁ ଆମେ ଯାଉ ନାହୁଁ ।

 

ଆମେ ଖାଲି ଦେଖିବାକୁ ଚାହୁଁ, ଏହି ଅଠର ବର୍ଷ ଭିତରେ ଜାତି ବା ଦେଶ କେତେ ଦୂର ଆଗେଇଛି କି ପଛେଇଛି । ଅଠର ବର୍ଷ ତଳେ ଜାତି ଯେଉଁ ସବୁ ଦୁଃଖ ଦୁର୍ବିପାକ, ଅଭାବ ଅସୁବିଧା ଭୋଗୁଥିଲା, ସେଗୁଡ଼ିକର ଆଜି କିଛି ସମାଧାନ ହୋଇଛି କି ନାହିଁ । ଏ କଥା ବୋଧହୁଏ ସତ ଯେ, ଜଣେ ଗୋପବନ୍ଧୁ ନ ଥିଲେ କଣ ହେଲା, ଓଡ଼ିଶାରେ ବହୁ ନେତାଙ୍କର ଆଜି ଦର୍ଶନ ମିଳେ-ଯେଉଁମାନଙ୍କ ଭିତରୁ କାହାଠାରେ ଗୋପବନ୍ଧୁଙ୍କ ହୃଦୟ, କାହାଠାରେ ତାଙ୍କ ମସ୍ତିଷ୍କ, କହାଠାରେ ତାଙ୍କ ସାହସ, କାହାଠାରେ ତାଙ୍କ ତ୍ୟାଗ, କାହାଠାରେ ତାଙ୍କ ସ୍ନେହ, କାହାଠାରେ ତାଙ୍କ କ୍ରୋଧ, ପୁଣି କାହାଠାରେ ତାଙ୍କ ହସକାନ୍ଦ ମାତ୍ର ଅବଶିଷ୍ଟ ରହିଯାଇଛି । ଜଣକ ବଦଳରେ ବହୁ ନେତା ବାହାରିଛନ୍ତି; ଗୋପବନ୍ଧୁ ଆଜି ବହୁ ମଧ୍ୟରେ ନିଜକୁ ବାଣ୍ଟିଦେଇ ପାରିଛନ୍ତି ।

 

କିନ୍ତୁ ଡାକ୍ତର ବେଶି ହେଲେ ରୋଗ ବଢ଼ିଲା ବୋଲି କେହି କେହି ଯେମିତି କହନ୍ତି, ବେଶି ନେତାଙ୍କ ଆବିର୍ଭାବରେ ଜାତିର ଦୁଃଖ, ଦୁର୍ବିପାକ, ଅଭାବ ଅସୁବିଧା ସେମିତି ବେଶି ଦେଖା ଯାଉ ନାହିଁ ତ ? ସେ ଆଡ଼କୁ ଆଖି ପକେଇଲେ କଟକ ସହରର ପଚା ମ୍ୟୁନିସିପାଲିଟିଠାରୁ ଆରମ୍ଭ କରି ଓଡ଼ିଶାର ମଫସଲ ଗାଁର ବଢ଼ି, ମରୁଡ଼ି, ଭୋକଶୋଷର ଦୁଃଖ ଏବେ ମଧ୍ୟ ସବୁଠୁଁ ବଡ଼ ହୋଇ ଉଠେ ନାହିଁ କି ? ଏବେ ମଧ୍ୟ ବହୁତ ପୁରୁଷ ନିରକ୍ଷର, ବହୁତ ନାରୀ ଘର ଭିତରେ ଲୁଚି ନାହାନ୍ତି କି ? ଏବେ ମଧ୍ୟ ସରକାର କଣ, ଜାତି କଣ, ସ୍ୱାଧୀନତା କଣ ଶିଖିବାକୁ ବହୁତ ଲୋକଙ୍କର ବାକୀ ନାହିଁ କି ? ଏବେ ମଧ୍ୟ ଚୌଧୁରୀ ବଜାର ଛକରେ ଯାଦୁମଲମ ବିକିବାକୁ କେହି ଘୂଙ୍ଗୂର ପିନ୍ଧି ନାଚିଲେ, ଅବା ମଫସଲ ଗାଁକୁ ହାତୀ କି ମଟର ଚଢ଼ି ପହଞ୍ଚିଲେ ବକ୍ତୃତା ଝାଡ଼ିବା ପାଇଁ ସହଜେ ଗୋଟାଏ ସଭାର ଲୋକ ନ ମିଳିବେ କି ? ଏବେ ମଧ୍ୟ ଭାରତର ଚାରି ଶହ ଜାତିଙ୍କ ଭିତରେ ଜାତିଆଣ ବିଚାର କମିଲାଣି କିଁ ? ଛୁଆଁ ଅଛୁଆଁ ଉଠିଲାଣି କି ?

 

ଭଲ ଆଡ଼କୁ ଚାହିଁଲେ ‘ଶହେ ହାଣ୍ଡିକି ଏକ ଠେଙ୍ଗା’ ଭଳି ଏସବୁ ପ୍ରଶ୍ନରୁ ଗୋଟାଏ ରୋକ ଠୋକ ଜବାବ ମିଳେ,-ଆମେ ସ୍ୱାଧୀନତାକାମୀ-ସେତିକି ହୋଇଗଲେ ସବୁ ପ୍ରଶ୍ନ ଆପେ ଅକାମୀ ହୋଇଯିବ । ଆମ ସରକାରର ନାମ ଏବେ ‘ଲୋକପ୍ରିୟ’, ଅର୍ଥାତ ବହୁତ ଲୋକଙ୍କର ପ୍ରିୟ ନ ହେଲେ ଏ ଭଳି ସରକାର ତିଷ୍ଠି ନ ପାରେ । ସେ ବହୁତ ଲୋକ ଓଡ଼ିଶା ଲୋକ ସଂଖ୍ୟାର ଶତକଡ଼ା ପଛେ ବାର କଣ ହୁଅନ୍ତୁ, ତାଙ୍କ ଭିତରୁ କେହି ଭୋଟ ଦିଅନ୍ତୁ ଅବା ନ ଦିଅନ୍ତୁ । ପୁଣି ‘ଜନପ୍ରିୟ’ ବୋଇଲେ ତାହା ଭିତରେ ଦୁର୍ଜନ ସୁଜନ ଉଭୟ ଥାଇ ପାରନ୍ତି । ମୁନାଫାଖୋର ଚୋରାବଜାରୀ, ମିଲମାଲିକ, ଘୁସଖୋର ସରକାରୀ ବା ବେସରକାରୀ ଦଲାଲ ପୁଣି ତଣ୍ଟିଚିପା ଜମିଦାର ମଧ୍ୟ ଥାଇ ପାରନ୍ତି । ଏହି ଅଳ୍ପ କେତେକ ବଡ଼ବଡ଼ିଆଙ୍କ ତଳେ ଲକ୍ଷ ଲକ୍ଷ ଚାଷୀ ମୁଲିଆ, କୁଲି ମଜୁରିଆ, ଯେଉଁମାନେ ଆଠ ଘଣ୍ଟା ଖଟି ଦିନ ମଜୁରି ପାନ୍ତି; ଜମିବାଡ଼ି ନାହିଁ ଯେ ଟିକସ ଖଜଣା ଦେଇ ଭୋଟର ହେବେ; ଘରଖଣ୍ଡ ବି ଆଉ କାହାର ଡିହ ଉପରେ ।

 

ଏ ସମସ୍ତଙ୍କର ପ୍ରିୟ ହେବା ଛଡ଼ା ସବୁରି ଉପରେ ଇଂରେଜ ସରକାରଙ୍କ ମଧ୍ୟ ପ୍ରୀତିଭାଜନ ହେବା ଆବଶ୍ୟକ ପଡ଼ିପାରେ । ଇଂରେଜ ସରକାରଙ୍କୁ ଯେବେ ବାପ ବୋଲି ଓ ଜାତୀୟ କଂଗ୍ରେସକୁ ତାଙ୍କ ପୁଅ ବୋଲି (ଜାତୀୟ କଂଗ୍ରେସର ମୂଳ ଜନ୍ମଦାତା ଜଣେ ଗୌରଙ୍ଗ ଥିଲେ) ଧରାଯାଏ ଓ ଭାରତକୁ ଏକ ଗଧ ବୋଲି ଅନୁମାନ କରାଯାଏ, ତେବେ ବାପ ପୁଅ ଗଧ ବିକିବା କଥାଟି ମନେ ପଡ଼େ । ସମସ୍ତଙ୍କୁ ଖୁସି କରିବାକୁ ଯାଇ କେତେବେଳେ ସେ ଗଧଟି ଉପରେ ବାପ ଚଢ଼େ ତ ଆଉ କେତେବେଳେ ପୁଅ ଚଢ଼ୁଚି; ପୁଣି ବାପ ପୁଅ ଦୁହେଁ ଏକା ସଙ୍ଗରେ ଚଢ଼ି ଲୋକନିନ୍ଦାରୁ ରକ୍ଷାପଇବାକୁ ଗଧଟିକୁ ବାହୁଙ୍ଗାରେ ଝୁଲାଇ କାନ୍ଧରେ ବୋହିଲେ; ଶେଷରେ ସେହି ଲୋକମାନଙ୍କୁ ଡରି ଗଧଟିକୁ ନଦୀ ଗର୍ଭରେ ବିସର୍ଜନ କଲେ । ଏ ଦେଶରେ ମିଲ ମାଲିକ, କୁଲି ମଜୁରିଆ, ଜମିଦାର ରୟତ, ମହାଜନ ଖାତକ ସବୁରିକୁ ଖୁସି କରିବା ଭଳି ‘ଜନପ୍ରିୟ’ ସରକାର ଗଢ଼ି ବସିଲେ ଶେଷରେ ଭାରତ ବର୍ଷର ଅବସ୍ଥା ଗଧ ଭଳି ନ ହେଲେ ରକ୍ଷା ।

 

ଗୋପବନ୍ଧୁଙ୍କ ସମୟରେ ଦେଶର ଏତେଗୁଡ଼ିଏ ସମସ୍ୟା ଏ ଭଳି ଉତ୍କଟ ଆକାର ଧରି ଦେଖା ଦେଇ ନ ଥିଲା । ନଈବଢ଼ି, ଫସଲ ହାନିହିଁ ଓଡ଼ିଶା କହିଲେ ବୁଝାଉଥିଲା । ଏବେ ସେ କଥାଗୁଡ଼ିକ ଏତେ ପୁରୁଣା ଓ ଦେହଘସା ହୋଇ ପଡ଼ିଚି ଯେ, ନ ଖାଇ ଲୋକେ ମରିବାଟା ଆଜି ଖୁବ୍ ବିଚିତ୍ର ନୁହେଁ । ବରଂ ଖୁବ୍ ଖାଇକରି ମରିବାଟାକୁ ବଡ଼ ସମସ୍ୟାରୂପେ ଧରିଲେ ତାହା ଟିକିଏ ନୂଆ ଶୁଣାଯିବ । ଧାନ ଚାଉଳଠାରୁ ହଜମି ଚୂର୍ଣ୍ଣବଟୀ ବେଶି ଲୋଡ଼ା ବୋଲି କହି ପାରିଲେ, ପୁଣି ଏ ଦେଶର ପ୍ରତି ଲୋକ ପକ୍ଷରେ ତାହା ଉପକାରୀ ବୋଲି ପ୍ରଚାର ଚଳାଇପାରିଲେ ଅନ୍ତତଃ ଅଖିଆ ଏଠାରେ କେହି ମରୁ ନ ଥିବାର ପ୍ରମାଣଟାଏ ରହିଯିବ । ଫଳରେ ଗୋଟାଏ ଅଧେ କେମିକାଲ କାରଖାନା ଖୋଲାଯାଇ ହଜମକଲ୍ୟାଣ ବଟୀ ତିଆରି ହେବ । ଚାରିଆଡ଼େ ସେ ଔଷଧ ବିକ୍ରି ହୋଇ ଓଡ଼ିଶାକୁ ଲାଭ ଆସିବ । ଏଭଳି କାରଖାନା ପାଇଁ ଓଡ଼ିଶାରେ ଲୋକ ନ ଥିବାରୁ ବାହାର ମିଲ ମାଲିକଙ୍କୁ ହାତରେ ରଖିବା ଦରକାର । ହଜମକଲ୍ୟାଣ ବଟୀ ଆମଦାନି କରିବାକୁ କାରଖାନାରେ ଯେଉଁ ହଜାର ହଜାର ମଜୁରିଆ ଆଠ ଘଣ୍ଟା ଖଟିବେ ସେମାନେ ହେବେ ସମସ୍ତେ ନିପଟ ଓଡ଼ିଆ । ହଜମିକଲ୍ୟାଣ ବଟୀର କଲ୍ୟାଣରୁ ବଦହଜମୀ ଆହାର ଭକ୍ଷଣ କରିବାକୁ ସେହିମାନଙ୍କର ତଥା ଦେଶରେ ଆଉ କାହାରି ଭୟ ରହିବ ନାହିଁ ।

 

ପୁଣି ଗୋଟାକରୁ ପାଞ୍ଚଟା କଳ କାରଖାନା, ବଢ଼ି ଶେଷକୁ ଏମିତି ପ୍ରସାର ହେବ ଯେ, ଦିନେ କେବେ ଆମେରିକା ଭଳି ଏ ଦେଶର ମାଲିକ ସୌଦାଗରଙ୍କ ଭାଗ୍ୟ ଗଣନା ପାଇଁ ଗୋଟାଏ ଅଧେ ଜାତକ-କାରଖାନା ମଧ୍ୟ ବସିପାରେ-ନିତି ହଜାର ହଜାର ଜାତକ ତହିଁରୁ ବାହାରି ଲୋକଙ୍କୁ ଘୋଡ଼ା ଦୌଡ଼, ଅଂଶ ବଜାର ବା ଖରିଦ ବିକ୍ରି ଦଲାରୀ କାମ ଆଦିରେ ମତାଉଥିବ ।

 

ପୁରୀ, କୋଣାର୍କ, କାଠଯୋଡ଼ି ପଥରବନ୍ଧ ବା ତାରକସି କାମର ଓଡ଼ିଆ ମିସ୍ତ୍ରୀ କାରିଗର ଆଉରି ଥରେ ନୂଆ କରି ଦେଶର ଜାତିର ଟେକ ରଖିବେ । ଯେଉଁ ସରକାର ଏହା କରିପାରିବେ, ମିଲମାଲିକମାନେ ତାଙ୍କର ପ୍ରିୟ ହେବା ସଙ୍ଗେ ସଙ୍ଗେ କଲିକତା ରେଙ୍ଗୁନକୁ ଯେଉଁ ଲକ୍ଷ ଲକ୍ଷ ଓଡ଼ିଆ କୁଲି ମଜୁରିଆ ଚାଲାଣ ହେଉଛନ୍ତି, ତାହା ବନ୍ଦ କରି ସେମାନଙ୍କର ମଧ୍ୟ ପ୍ରିୟ ହେବାର କାରଣ ରହିବ । ପୁଣି ଖଜଣା ବୃଦ୍ଧି ନ-ହେଲେ ଏ ପ୍ରଦେଶରେ ଯେ ଶିକ୍ଷାବୃଦ୍ଧି, ସ୍ୱସ୍ଥ୍ୟବୃଦ୍ଧି, ରାସ୍ତାଘାଟର ବୃଦ୍ଧି ବା ଦରମା ବୃଦ୍ଧି ସମ୍ଭବ ନୁହେଁ-ଏ ଭଳି ଅର୍ଥନୀତିକ ଯୁକ୍ତି ବାଢ଼ି ପାରିଲେ ଓ ପହିଲେ ଜମିଦାରମାନଙ୍କୁ ଶୋଧନ ଦେଇ, ପରେ ସେମାନଙ୍କ ସଂଶୋଧନ ପାଇଁ ପ୍ରସ୍ତାବ କଲେ କିମ୍ବା ମଜୁରିଆଙ୍କୁ ପାଟି ତୁଣ୍ଡ ନ କରିବାକୁ କହି ମିଲମାଲିକ ସହିତ ଦୋସ୍ତି ଆରମ୍ଭ କଲେ ଅଥବା ମହାଜନୀ ଆଇନରେ ଖାତକର ସୁବିଧା କରିବା ବାହାନାରେ ଖାଲି ସାନ ସାନ ମହାଜନଙ୍କୁ ଟିକିଏ ହରକତ କରି ବଡ଼ ବଡ଼ ମହାଜନଙ୍କୁ ପୋଷିବାର ବ୍ୟବସ୍ଥା କଲେ ? ଦେଶର ସବୁ ଶ୍ରେଣୀର ଲୋକଙ୍କର ପ୍ରିୟ ହେବାର ଉଦ୍ୟମ ବୁଝା ପଡ଼େ । କିନ୍ତୁ ତହିଁରୁ ଶେଷରେ ଗଧ ଗଳ୍ପଟାର ସାରାଂଶ ଯେ ନ ମିଳିବ-ଅର୍ଥାତ୍ ଭାରତବର୍ଷଟାକୁ ବୋହି ନ ପାରି ପାଣିରେ ଫିଙ୍ଗିଦେବା ଭଳି ନ ହେବ, ସେ କଥା ଆଗରୁ କେହି ଜୋରଦେଇ କହିପାରିବ ନାହିଁ ।

 

ବଞ୍ଚିଥିଲେ ଗୋପବନ୍ଧୁ ଏ ସମାସ୍ୟାଗୁଡ଼ିକ ପ୍ରତି କି ଭାବରେ ଆଗୁସାର ହୁଅନ୍ତେ କେଜାଣି ! ଭାରତର ବୃହତ୍ତମ ସଂଗଠିତ ରାଜନୀତିକ ଅନୁଷ୍ଠାନର ଶ୍ରେଷ୍ଠ ନେତା ହିସାବରେ ସେ ମଧ୍ୟ କଂଗ୍ରେସର ନିର୍ଦ୍ଦେଶ ମାନି ଚଳିବାକୁ ହୁଏ ତ ବାଧ୍ୟ ହୁଅନ୍ତେ । ଅବସ୍ଥାକୁ ଚାହିଁ ତାଙ୍କୁ ମଧ୍ୟ କେତେଟା ବଙ୍କା ବାଟ ଧରିବାକୁ ପଡ଼ିଥାନ୍ତା । ତେବେ ଯେ କେତେଗୋଟି ସମାସ୍ୟା ତାଙ୍କ ଆଗରେ ପହଞ୍ଚିଥିଲା, ସେଗୁଡ଼ିକୁ ସେ ସିଧା ସଳଖ ଭାବରେ ନେଇଥିଲେ ଓ ସିଧା ସଳଖ ହୋଇ ଲଢ଼େଇ କରିଥିଲେ ବୋଲି ମନେହୁଏ ।

 

ଗାଁ ଗାଁ ଧୋଇ ଯାଇଛି, ଲୋକେ ପୁରୁଣି ଶାଗ, ବାଉଁଶ କରଡ଼ି ଖାଉଛନ୍ତି, ସେ କଥାକୁ ଆଗ ଚାହିଁ ପରେ ତୁମେ ହୀରାକୁଦ ବନ୍ଧରେ ଶୁଭ ଦିଅ । ଆଗ କିରାସିନି ତେଲ ଅଭାବ ଘୁଞ୍ଚାଇ ପରେ ଡୁଡୁମାରୁ ବିଜୁଳିବତୀ ଆଣି ଓଡ଼ିଶାତମାମ ପଛେ ଆଲୁଅ କରୁଥାଅ । ଘର ପିଛା ସବୁରି ଆଗ ଲଜ୍ଜା ନିବାରଣର ଉପାୟ କରି ଲୁଗା ସିଣ୍ଡିକେଟ୍ ଗଢ଼ ଓ ତେଲିଆ ମୁଣ୍ଡରେ ତେଲ ଢାଳ । ଯେଉଁ ଓଡ଼ିଆ ଅଞ୍ଚଳଗୁଡ଼ିକ ଏବେ ସୁଦ୍ଧା ଅନ୍ୟ ପ୍ରଦେଶ ଭିତରେ ରହି ନିଜର ଭାଷା ସଂସ୍କୃତି ହରାଇ ବସୁଛି, ସେଗୁଡ଼ିକୁ ଆଗେ ଉଦ୍ଧାର କରିବାର ବାଟ ବତାଇ ପରେ ପଛେ ସରକାରୀ ମହଲରୁ ସାବାସି ପାଅ ।

 

ରେଭେନ୍‌ସା କଲେଜର ପ୍ରକାଣ୍ଡ କୋଠା ତୋଳା ହେଲାବେଳେ ଗୋପବନ୍ଧୁ ସମାଲୋଚନ କରିଥିଲେ, ଓଡ଼ିଆ ପିଲାଙ୍କର ପାଠ ପଢ଼ିବା, ପାଇଁ ଏହା ଏକ ହାସ୍ୟକର ବ୍ୟାପାର ବୋଲି ଦର୍ଶାଇ । ଅନ୍ୟ ପ୍ରଦେଶର କଲେଜ ଘର ସଙ୍ଗେ ତୁଳନା କରି ଓ ଏବର ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦେଖି ତାଙ୍କର ଏ ଭଳି ସମାଲୋଚନା ଅମୁଳକ ଓ ଅଦୁରଦର୍ଶୀତାର ପରିଚୟ ବୋଲି ପହିଲେ ମନେ ହୋଇଥାଏ । କିନ୍ତୁ ଓଡ଼ିଆ ପିଲାଙ୍କ ଘର ଦୁଆର ଅବସ୍ଥା ବିଚାରିଲେ, ଦେଶଗୋଟାକର ସମ୍ପୂର୍ଣ୍ଣ ଚିତ୍ର ଆଖି ଆଗରେ ଧରିଲେ, ପୁଣି ତଥାକଥିତ ଉତ୍କଳ ବିଶ୍ୱବିଦ୍ୟାଳୟର କୀର୍ତ୍ତିକଳାପ, ଚୋର ମା ଲାଜେ ନ କାନ୍ଦିଲା ପରି ଦୁଆର କିଳି ବାହୁନିଲେ ତାଙ୍କ ସମାଲୋଚନା ଆଜି ମଧ୍ୟ ପୁରୁଣା ନୁହେଁ ବୋଲି ମନେ ହୁଏ । ଆଜି ମଧ୍ୟ ମନେ ହୁଏ, ଜିଲାବୋର୍ଡ଼ ଡାକ୍ତରଖାନାରେ ଔଷଧ ନାମ ଦେଇ ରଙ୍ଗିନ ପାଣି ବାଣ୍ଟିଲା ଭଳି ଉଚ୍ଚ ଶିକ୍ଷା ନାଆଁରେ ନୂଆ ନୂଆ ହାଇସ୍କୁଲ ବସି ଯେଉଁ ପାଠ ବଣ୍ଟା ଯାଉଛି, ତାହା ଭିତରେ ଭେଲ ଖାଣ୍ଟି ବାଛିବା ଦରକାର ।

 

କିନ୍ତୁ ସେଭଳି ବାଛିବାରେ ଫଳାଫଳ କିଛି ଅଛି କି ? ଖାଲି ଓଡ଼ିଶା କାହିଁକି, ଭାରତବର୍ଷର କେଉଁଠି ଆଉ କି ବିଚାର ହେଉଛି ? ସେ ବିଚାରର ଫଳ ଅବା ହେଉଛି କଅଣ ? ଯେଉଁ ସ୍ୱାଧୀନତା ମିଳିଗଲେ ସବୁ ମିଳିଯିବ ବୋଲି ଆଜିଯାକେ କେତେ ଲୋକ ବିଚାର କଲେ, କେତେ ଲୋକ ବେଶି ସୁଖୀ ହେବେ ବୋଲି ଦୁଃଖ କଷ୍ଟ ଜେଲ ଜୋରିମାନା ଭୋଗିଲେ, କେତେ ବେଶି ଧନୀ ହେବା ଆଶାରେ ଧନ ଖର୍ଚ୍ଚ କଲେ, ସେହି ସ୍ୱାଧୀନତାକୁ ନିଜ ଇଚ୍ଛାରେ ଦେବାକୁ ଇଂରେଜ ସରକାର ଏବେ ତ ତିଆର । ପୁଣି ବିଲାତରୁ ମନ୍ତ୍ରୀ ପ୍ରତିନିଧି ଦଳ ସ୍ୱାଧୀନତା ଦେବାକୁ କେତେ ବୁଝାସୁଝା ନ କଲେ । ମାସ ମାସ ଧରି ତାଙ୍କର ଝାଙ୍କ ଛିଡ଼ିଗଲା । ମାତ୍ର ସଶରୀରରେ ଜେଲକୁ ନ ନେବା ପର୍ଯ୍ୟନ୍ତ ଆମେ ଯେମିତି ଦିନେ ସରକାର ପାଖେ ନିଷ୍କ୍ରିୟ ପ୍ରତିରୋଧ ଜଣାଉଥିଲୁଁ, ସେମିତି ଆଜି ଜବରଦସ୍ତି ନ ଲଦିବାଯାକେ ଆମେ ସ୍ୱାଧୀନତା ନେବୁ ନାହିଁ ବୋଲି ଜିଦି ଧଇଲୁଁ । ଆମର ସେ ନିଷ୍କ୍ରିୟ ପ୍ରତିରୋଧ ନୀତି ଓ ଅଭ୍ୟାସଟା ସେତେବେଳର ସରକାରଙ୍କ ପାଖେ ଅଛପା ନ ଥିଲା । ତେଣୁ ଶେଷରେ ସାମରିକ ବଡ଼ଲାଟ ସ୍ୱାଧୀତାର ଏକ ଚରମ ସ୍ୱରୂପ ଦେଖାଇ କହିଲେ, ‘ନବ ତ ନିଅ, ନଇଲେ ମାମୁଁ ଘର କଟୁରିରେ ଚୋଟେ ଦେବି ।’

 

* ଭାରତର ସ୍ୱାଧୀନତା ପ୍ରାକ୍‌କାଳରେ ଲିଖିତ ।

 

ଯେଉଁ ସ୍ୱାଧୀନତା ଆସିଲେ ଆମର ଶିକ୍ଷା-ନୀତି, ଅର୍ଥ-ନୀତି; ସମାଜ-ନୀତି ଦଣ୍ଡକେ ବଦଳି ଯିବ ବୋଲି ଆଶା ପୋଷୁଥିଲୁଁ, ତାହା ଯଦି ଏତେ ଜୋରଜବରଦସ୍ତି ଭିତରେ ଆସେ, ବାକୀ ଉନ୍ନତି ଗୁଡ଼ିକ ଆମ ନିଜ ବିଚାରରେ ହେବ ବୋଲି କି ଭରସା ରହିଲା ? ବସନ୍ତ ହଇଜା ପ୍ରତିଷେଧ ପାଇଁ ଜବରଦସ୍ତି ଟିକା ଦିଆ ହୁଏ-ଲୋକେ ଇଚ୍ଛା ନ କଲେ ମଧ୍ୟ । ମହାମାନ୍ୟ ବଡ଼ଲାଟ ହୁଏତ ସେମିତି ଚଉଦ ଜଣ ମାନ୍ୟବର ନେତାଙ୍କୁ ଧରି ନୂଆଦିଲ୍ଲୀରେ ଜବରଦସ୍ତି ସ୍ୱାଧୀନତା ଟିକା ଦେବାକୁ ଯାଉଛନ୍ତି । ଆମ ନିଜ ଭଲମନ୍ଦ ବିଚାରବୁଦ୍ଧି ଅଭାବରୁ ଯେ ଏ ଭଳି ଜବରଦସ୍ତି ହେଲା, ସେ କଥା ନ ମାନିବାକୁ କଣବା ଅଛି ? ନୂଆଦିଲ୍ଲୀରେ ଯାହା ଘଟୁଛି, କଲିକତା ମାନ୍ଦ୍ରାଜ ବା କଟକ ଲାଟସଭାରେ ତହିଁରୁ ବେଶି କିଛି ଘଟିବ କାହିଁକି ? ଏଥିପାଇଁ ଖାଲି ମୁସଲିମ ଲିଗ ଯଦି ଦାୟୀ ବୋଲି କୁହାଯାଏ, ତେବେ ତ ସେ କଂଗ୍ରେସ ଠାରୁ ବେଶି ଶକ୍ତିଶାଳୀ ମାନିବାକୁ ହେବ ନାହିଁ ଯେବେ ଇଂରେଜ ସରକାର ଦାୟୀ ହୁଅନ୍ତି ତେବେ ତ ‘କାହାକୁ କହିବା କପାଳରେ ସିନା କର ମାରିବା’ ।

 

ତାହା ହେଲେ ଦେଶର ନେତୃତ୍ୱ ରହିଲା କେଉଁଠାରେ ? କଅଣ ଦେଖି ଆମେ ଭବିଷ୍ୟତକୁ ଆଶା କରିବୁଁ ? ଯେଉଁ ମୌଳିକ ସମସ୍ୟାଗୁଡ଼ିକୁ ଗୋପବନ୍ଧୁଙ୍କ ନେତୃତ୍ୱ ସବୁରି ଆଗରେ ଛିଡ଼ା କରାଇ ପାରିଥିଲା, ସେଗୁଡ଼ିକର ସମାଧାନ କେବେ ଓ କେଉଁଠାରେ ? ଅଠର ବର୍ଷ ପରେ ସେହି ସମସ୍ୟାଗୁଡ଼ିକହିଁ ଆଜି ପୁଣି ମୁଣ୍ଡ ଟେକିଛନ୍ତି । ସେହି ପ୍ରଶ୍ନଟିର ଆଗରେ ଥିବା ପ୍ରଶ୍ନବାଚକ ଚିହ୍ନଟା କ୍ରମେ ବଡ଼ ହୋଇ ଉଠୁଛି । କିଏ ତାହାର ଜବାବ ଦେବ ? ସେ ଜବାବ ଆଜି ସହର ବଜାରର ଅଳ୍ପ କେତେକ ପାଠୁଆଙ୍କ ହାତରେ ନାହିଁ ଅବା ଗାଁ ଗଣ୍ଡାରେ କେତେ ଜଣ ଅଧାପାଠୁଆ ଅଶିକ୍ଷିତ ଦଲାଲଙ୍କ ହାତରେ ନାହିଁ । ସେ ଜବାବ ଅଛି କେବଳ ଦେଶର ଲକ୍ଷ ଲକ୍ଷ ଅଧିକାଂଶ ନରନାରୀଙ୍କ ମୁହଁରେ, ଯାହାଙ୍କର ଜବାବ ଦେବା କିମ୍ବା ଯାହାଙ୍କ ଜବାବ କାହାରି ମୁହଁରୁ ବାହାରିବା ସବୁବେଳେ ଅପରାଧ ବୋଲି ଧରା ହୋଇ ଆସିଛି । ଗୋପବନ୍ଧୁ ବଞ୍ଚିଥିଲେ ଅବା ଏକା ସେ ଜବାବ ଦେଇଥାନ୍ତେ ।

Image

 

ନେତୃତ୍ୱ ଓ ନେତୃତ୍ୱ

ବଙ୍ଗ ଉତ୍କଳ ଦୁଇଟି ଭଗିନୀ

 

ସ୍ୱଦେଶକୁ ନାରୀ କଳ୍ପନା କରିବାର ତାତ୍ପର୍ଯ୍ୟ :–

 

ପୃଥିବୀ ଶବ୍ଦଟା ସ୍ତ୍ରୀଲିଙ୍ଗ । ସେଥିପାଇଁ ତାହାକୁ ମାଆ କହିବାରେ ବ୍ୟାକରଣଗତ ଭୁଲି ନାହିଁ । କିନ୍ତୁ ଭାରତବର୍ଷ, ଉତ୍କଳ କିମ୍ବା ବଙ୍ଗ ଶବ୍ଦଗୁଡ଼ିକର ଆକାର ପ୍ରକାରରୁ ଯେମିତି ମନେ ହୁଏ, ସେଥିରେ ଭାରତମାତା ବଙ୍ଗଜନନୀ କିମ୍ବା ଉତ୍କଳ ମାତା କହିବାଦ୍ୱାରା ଏ ସବୁ ସ୍ଥାନର ଲୋକେ ଖୁବ୍ ଭାବପ୍ରାଣ ବୋଲି ବୁଝାଇଲେ ହେଁ ସେମାନଙ୍କର ଭାଷାଜ୍ଞାନ ସମ୍ବନ୍ଧେ ଯେ କାହାରି ସନ୍ଦେହ ଜନ୍ମିବାର କଥା । ତଥାପି ଦେଶଭକ୍ତ ବଙ୍ଗ ପ୍ରଦେଶକୁ ଜନନୀ ଓ ଉତ୍କଳକୁ ମାତା ନ କହିଲେ ଆରାମ ଓ ଉତ୍ସାହ ପାନ୍ତି ନାହିଁ ।

 

ସ୍ୱଦେଶକୁ ମାତୃରୂପରେ କଳ୍ପନା କରିବାର ଅବଶ୍ୟ କେତେକ କାରଣ ଅଛି । ଯେଉଁ ଦେଶମାଟିରେ ଲୋକ ଭୂମିଷ୍ଠ ହୁଏ, ଯେଉଁ ଦେଶର ଆହାରରେ ଲଳିତ ହୁଏ, ଯେଉଁ ଦେଶର ଭାଷା ସବା ଆଗ ଶିଖେ, ତାହାକୁ ସହଜରେ ମାଆ ସଂଗେ ତୁଳନା କରାଯାଇ ପାରେ । ପୈତୃକ ବ୍ୟାଧି ପରି ସେ ଦେଶର ଜଳବାୟୁରେ ଯେବେ ମ୍ୟାଲେରିଆ କିମ୍ବା ବାତଜ୍ୱର ଆରମ୍ଭ ହୁଏ, ସେଥିପାଇଁ ତାହା ଘୃଣ୍ୟ କିମ୍ବା ତ୍ୟକ୍ତ ହୋଇ ପାରେ ନାହିଁ । ତାହା ସହିତ ପିଲାଦିନର ଅନେକ ସ୍ମୃତି ଓ ସଂସ୍କୃତି ଜଡ଼ିତ ଥାଏ । ସେଥିପାଇଁ ବ୍ୟାକରଣର ବାଧାକୁ ନ ମାନି ତାକୁ ହୁଏତ ମା ରୂପରେ ଦେଖନ୍ତି ।

 

କିନ୍ତୁ ମାତୃକଳ୍ପନା ପରି ସ୍ୱଦେଶକୁ ପିତୃକଳ୍ପନା କରିବାପାଇଁ କମ୍ କାରଣ ନାହିଁ ତ ? ଅଥଚ ‘ମାତୃଭୂମି’ କଥାର ପ୍ରଚଳନ ଏ ଦେଶରେ ଯେତେ ବେଶି ‘ପିତୃଭୂମିର’ ତାହା ନାହିଁ । ଯେଉଁସବୁ ଭାଷାଭାଷୀ ପିତା ହେବାର ଅଧିକାର ଅର୍ଜି ଅଛନ୍ତି, ସେମାନେ ଅବଶ୍ୟ ଏହି ପିତୃଭୂମି (Fatherland) କଥାଟା ଖୁବ୍ ବ୍ୟବହାର କରନ୍ତି । କିନ୍ତୁ ଭାରତବର୍ଷର ଲୋକେ ଆଜି ସୁଦ୍ଧା ଏତେ ବେଶି ଦୁର୍ବଳ ଓ ଦୁଗ୍ଧପୋଷ୍ୟ ହୋଇ ରହିଚନ୍ତି ଯେ, ତାହାର ଫଳ ସ୍ୱରୂପ ଏ ଦେଶଟା କ୍ରନ୍ଦନ-ମୁଖରା, ସନ୍ତାନ-କାତରା ମା ରୂପେ କଳ୍ପିତ ହୋଇଅଛି । ଏ ଦେଶ ବାସିନ୍ଦାମାନଙ୍କର ବଳହୀନତା, ସ୍ନେହାନ୍ଧତା ଓ ଭାବପ୍ରବଣତାର ପରିଚୟ ଦେବା ସଙ୍ଗେ ସଙ୍ଗେ ଜଣେ ପିତାର ଅପେକ୍ଷା ମଧ୍ୟ ରଖିଚି । ଅତଏବ ଏ ଦେଶର ପିତାର ଅଧିକାର ଅନ୍ୟ ହାତକୁ ଯାଇଚି ।

 

ଯେତେଦୂର ମନେ ହୁଏ, ଭାରତବର୍ଷରେ ସ୍ୱଦେଶ ପ୍ରତି ଏହି ମାତା ସମ୍ବୋଧନଟାର ଆମଦାନି ଖୁବ୍ ବେଶି ଦିନର ନୁହେଁ । ପୁରୁଣା ପୋଥିରେ ଏହା ତ ଦେଖିବାକୁ ମିଳେ ନାହିଁ, ଭାରତବର୍ଷର ବିଭିନ୍ନ ପ୍ରଦେଶର ନାମକରଣରୁ ମଧ୍ୟ ଦେଖାଯାଏ, ଏଗୁଡ଼ିକ ଆଗେ କଦାପି ମା ରୂପେ କଳ୍ପନା କରାଯାଇ ନାହିଁ । ଗୁଜର, ମାଳବ, ମଗଧ, କର୍ଣ୍ଣାଟ, ଗାନ୍ଧାର କିମ୍ବା ପଞ୍ଜାବ ପ୍ରଭୃତିକୁ ଖାଲି ଧରି ବାନ୍ଧି ନାରୀରୂପ ଦିଆ ଯାଇପାରେ ।

 

ଏହିପରି ଜବରଦସ୍ତିରେ ହିଁ ବଙ୍ଗ ଓ ଉତ୍କଳକୁ ଜନନୀ କୁହା ଯାଇଥାଏ, ପୁଣି ଏକ ‘ଭାରତମାତା’ର ସନ୍ତାନ ଭାବରେ ସେମାନଙ୍କୁ ଦୁଇଟି ଭଉଣୀ ସଙ୍ଗେ ତୁଳନା କରାଯାଏ । ଅନେକ ଦିନ ତଳେ ଓଡ଼ିଶାବାସୀ ବଙ୍ଗୀୟମାନଙ୍କର ପୁରୀଠାରେ ଅନୁଷ୍ଠିତ ଏକ ସଭାରେ (Bengalee Settlers' Conference) ଯେଉଁ ଉଦବୋଧନ କରାଯାଇଥିଲା, ତାହାର ପହିଲି ଧାଡ଼ିଟି ଥିଲା-‘‘ବଙ୍ଗ ଉତ୍କଳ ଦୁଇଟି ଭଗିନୀ ସତତ ବୃଦ୍ଧ ମମତା ପାଶେ ।’’ ସାମାନ୍ୟ ଉଚ୍ଚାରଣ ଭେଦ ଛାଡ଼ିଦେଲେ ଏ ଧାଡ଼ିଟିକୁ ବଙ୍ଗ ଭାଷା ଯେମିତି ନିଜର ବୋଲି କହିପାରେ ଓଡ଼ିଆ ଭାଷାର ମଧ୍ୟ ସେଥିରେ ସମାନ ଦାବୀ ଅଛି । ଗୀତଟିର ଆଉ ସବୁ ପଦ ବିଷୟରେ ଅବଶ୍ୟ ଠିକ୍ ଏହି କଥା କହି ହେବ ନାହିଁ । କିନ୍ତୁ ପ୍ରଥମ ପଦଟିରୁ ବଙ୍ଗଳା ତଥା ଓଡ଼ିଶାକୁ ଦୁଇଟି ଭାଇ କିମ୍ବା ଭଉଣୀ କହିଲେ ବିଶେଷ ଅନର୍ଥର ଆଶଙ୍କା ନାହିଁ । ଏହିପରି ସଂସ୍କୃତ ଶବ୍ଦର ଆଶ୍ରୟରେ ଭାରତର ଆଉ ସବୁ ପ୍ରଦେଶ ସଙ୍ଗେ ଓଡ଼ିଶାର ସଖ୍ୟଭାବର ସୂଚନା ମିଳିପାରେ । ଭାରତ ଜାତୀୟ ମହାସଭାରେ ମଧ୍ୟ ସବୁ ପ୍ରଦେଶର ଲୋକେ କିଛି କିଛି ବୁଝିବା ଭଳି ସଂସ୍କୃତ ଶବ୍ଦ ମିଶ୍ରିତ ସଂଗୀତ ବୋଲା ଯାଇଥାଏ ।

 

ବଙ୍ଗ ଓ ଉତ୍କଳ କୌଣସି ନାରୀ ନ ଥିଲେ :–

 

ଭାରତବର୍ଷର ସବୁ ପ୍ରଦେଶ ଭିତରେ ଖାଲି ଭାଷାଗତ ନୁହେଁ, ରାଷ୍ଟ୍ରଗତ, ଧର୍ମଗତ ଓ କୃଷ୍ଟିଗତ ଅନେକ ସମ୍ବନ୍ଧ ବହୁ ପୁରାଣ କାଳରୁ ସ୍ଥାପିତ ହୋଇଅଛି । ପରବର୍ତ୍ତୀ ସମୟରେ ଏହି ପ୍ରଦେଶଗୁଡ଼ିକର ସ୍ୱାତନ୍ତ୍ର୍ୟ କ୍ରମେ ପ୍ରକାଶିତ ହୋଇ ପଡ଼ିଥିଲେ ହେଁ ସେ ସବୁର ମୂଳ ଉତ୍ସ ଗୋଟିଏ, ଅର୍ଥାତ୍ ସବୁ ପ୍ରଦେଶହିଁ ଏକ ମହାଭାରତୀୟ ଭାବରେ ପ୍ରଭାବିତ ହୋଇଅଛି, ଯଦ୍ୟପି ଏହି ମୂଖ୍ୟ ରୂପେ ଧର୍ମଭାବ ସଙ୍ଗେହିଁ ସଂଶ୍ଳିଷ୍ଟ । ସମଗ୍ର ଭାବରେ ଭାରତର ରାଷ୍ଟ୍ରକଳ୍ପନା କେବେ କରାଯାଇଥିଲା, ତାହା ଏଠାରେ ନ କହିବାହିଁ ଭଲ । କାରଣ ତାହା ପ୍ରମାଣ କରିବାକୁ ଯେଉଁ ଅନୁସନ୍ଧାନ ଓ ଆୟାସ ଆବଶ୍ୟକ, ସେଥିପାଇଁ କେବଳ ଲେଖକ ନୁହେଁ ପାଠକଙ୍କର ଅଣନିଶ୍ୱାସୀ ହେବାର ସମ୍ଭାବନା ମଧ୍ୟ ଯଥେଷ୍ଟ ଅଛି ।

 

ବର୍ତ୍ତମାନର ଓଡ଼ିଶାକୁ ଯଦି ଆଂଶିକ ଭାବରେ କଳିଙ୍ଗ କିମ୍ବା ଉତ୍କଳ ବୋଲି ଧରାଯାଏ, ତାହା ହେଲେ ବୈଦିକ ଯୁଗରୁ ହିଁ ଏହାର ସ୍ୱତନ୍ତ୍ର ସତ୍ତା ଥିଲା ବୋଲି ଶୁଣିବାକୁ ପାଉଁ । ଐତରେୟ ବ୍ରହ୍ମଣରେ ପର୍ଯ୍ୟନ୍ତ କଳିଙ୍ଗର ନାମ ଉଲ୍ଲେଖ ଅଛି, ଯଦିବା ପୌରାଣିକ ଯୁଗରେ ବାଳି ଓ ସୁଦେଷ୍ଣଙ୍କଠାରୁ ଜାତ ହୋଇଥିବା ଅଙ୍ଗ, ବଙ୍ଗ, କଳିଙ୍ଗ ପ୍ରଭୃତି ସନ୍ତାନମାନଙ୍କ ରାଜ୍ୟଗୁଡ଼ିକ ଭିତରେ ମଧ୍ୟ ଏହା ଚିହ୍ନିତ ହୋଇଥିଲା । ମହାଭାରତ ଯୁଦ୍ଧରେ କୌରବମାନଙ୍କ ପକ୍ଷରେ ଏ ପ୍ରଦେଶର ଲୋକେ ଯୁଦ୍ଧ କରିଥିଲେ । ପୁଣି ମନୁଙ୍କର ଦଶଟି ପୁଅଙ୍କ ଭିତରେ ବଡ଼ ପୁଅ ଇଳାଙ୍କ ନାମ ଅନୁସାରେ ମଧ୍ୟ ‘ଉତ୍କଳ’ ନାମକରଣ ହୋଇଥିଲା । ବୌଦ୍ଧ ଜାତକ ଓ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ କିମ୍ବା ହୁଏନସାଂଙ୍କ ଭ୍ରମଣ ବିବରଣୀରେ ଏ ଦେଶର ଖ୍ୟାତି ନିହିତ ଅଛି । ଅର୍ଥାତ୍ ଭାରତବର୍ଷର ଅନ୍ୟ ସବୁ ପ୍ରଦେଶ ପରି କିମ୍ବା ପୃଥିବୀଗୋଟାକର ସବୁ ଦେଶ ପରି କ୍ଷୁଦ୍ର ଓଡ଼ିଶାର ମଧ୍ୟ ପୁରାତତ୍ତ୍ୱ ଅଛି; ପୁଣି ଭାରତର ଆଉ ସବୁ ପ୍ରଦେଶ ସହିତ ବହୁ କାଳରୁ ଏହି ସମ୍ବନ୍ଧ ଅଛି ।

 

ତଥାପି ପୁରାଣ କଥା ସତ ହୋଇଥିଲେ ‘କଳିଙ୍ଗ’ ଓ ‘ଉତ୍କଳ’ ଉଭୟହିଁ ପୁରୁଷ ରୂପେ ଜନ୍ମିଥିଲେ, ବଙ୍ଗ ମଧ୍ୟ କଳିଙ୍ଗର ସହୋଦର ଭାଇ ଅର୍ଥାତ୍ ଭଉଣୀ ହୋଇ ଥିବାର ପ୍ରମାଣ ପୁରାଣରୁ ମଧ୍ୟ ମିଳେ ନାହିଁ ।

 

ଚୈତନ୍ୟ ଧର୍ମର ନାରୀତ୍ୱ :–

 

ତେବେ ଏହି ଦୁଇଟି ଭାଇ ଆଜି ପୂର୍ଣ୍ଣ ରୂପେ ଦୁଇଟି ଭଉଣୀରେ ପରିଣତ ହେଲେ କିପରି ଏ ଜାତୀୟ ମନୋଭାବ ମୂଳରେ ଉଭୟ ପ୍ରଦେଶ ଲୋକଙ୍କ ଜୀବନରେ ବର୍ତ୍ତମାନର ପୌରୁଷହାନିହିଁ ପ୍ରଧାନ କାରଣ ବୋଲି ସହଜେ ଅନୁମାନ କରାଯାଇ ପାରେ, ପୁଣି ଏହି ପୌରୁଷହାନିକୁ ସ୍ପଷ୍ଟଭାବରେ ଉତ୍ସାହ ଓ ସାହାଯ୍ୟ ଦେଇଛି ଉଭୟ ପ୍ରଦେଶ ଭିତରେ ଏକ ପ୍ରବଳ ଧର୍ମଗତ ସମ୍ବନ୍ଧ । ଭାରବର୍ଷର ଚାରି ଗୋଟି ପ୍ରଧାନ ଧର୍ମ ପୀଠ ଭିତରୁ ଓଡ଼ିଶାର ପୁରୀକ୍ଷେତ୍ର ଏକତମ ହେଲେହେଁ ପୁଣି ସେ ସୂତ୍ରରୁ ଓଡ଼ିଶା ସଙ୍ଗେ ଭାରତର ଆଉ ସବୁ ପ୍ରଦେଶର ଅତି ପୁରୁଣା କାଳରୁ ନାନା ଭାବରେ ସମୃନ୍ଧି ରହିଥିଲେହେଁ ବଙ୍ଗ ଆଉ ଓଡ଼ିଶାର ଧର୍ମଗତ ସମ୍ବନ୍ଧରେ ଟିକିଏ ବିଶେଷତ୍ୱ ଅଛି । ଏହି ବିଶେଷତ୍ୱ ଦ୍ୱାରା ଉଭୟ ପ୍ରଦେଶର ସମ୍ବନ୍ଧ ଏତେ ଦୂର ନିବିଡ଼ ହୋଇ ପଡ଼ିଚି ଯେ, ବର୍ତ୍ତମାନ ଏମାନେ ଜଣେ ଅନ୍ୟଠାରୁ ପୂରାପୂରି ଅଲଗା ହୋଇ ପାରିଲେ ହିଁ ବଞ୍ଚିବେ-

 

ଏହି ଧର୍ମଗତ ସମ୍ବନ୍ଧ ଆରମ୍ଭ ହେଲା ଚାରି ଶହ ବର୍ଷରୁ କିଛି ବେଶି ହେବ, ଯେତେବେଳେ ଓଡ଼ିଶାର ଏକଛତ୍ର ଅଧିପତି ପ୍ରତାପରୁଦ୍ର ଦେବ । ପ୍ରତାପରୁଦ୍ରଙ୍କର ଧର୍ମନାମରେ ଭୀରୁତା ଓ କ୍ଷାତ୍ର ସୁଲଭ କାପୁରୁଷତାର ପ୍ରୟୋଜନ କଲେ ବଙ୍ଗର ଶ୍ରୀଚୈତନ୍ୟ । ଓଡ଼ିଶାର ଚୈତନ୍ୟ ପ୍ରଚାରିତ ନୂତନ ବୈଷ୍ଣବ ଧର୍ମକୁହିଁ ମୁଁ ଏଠାରେ ଲକ୍ଷ୍ୟ କରୁଚି । ଏହାକୁ ବୈଷ୍ଣବ ଧର୍ମ ନ କହି ଚୈତନ୍ୟ-ଧର୍ମ କହିବାରେହିଁ ଅଧିକ ସୁଯୁକ୍ତି ଅଛି;ପୁଣି ଧର୍ମ ନ କହି ଏକ ଛଦ୍ମ ଯୁଦ୍ଧ କହିଲେ ମଧ୍ୟ ଆପତ୍ତି ନାହିଁ । କାରଣ ପ୍ରତାପରୁଦ୍ରଙ୍କ ପିତାମହ କପିଳେନ୍ଦ୍ର ଗୌଡ଼ ବିଜୟ କରି ବଙ୍ଗ ପ୍ରଦେଶରେ ଯେଉଁ ସାମ୍ରାଜ୍ୟ ବିସ୍ତାର କରିଥିଲେ, ବଙ୍ଗ ତାହାର ପ୍ରତିଶୋଧ ନେଲା ଓଡ଼ିଶାକୁ ଶ୍ରୀ ଚୈତନ୍ୟଙ୍କୁ ପଠାଇ ଦେଇ । ଯଥାର୍ଥରେ ଓଡ଼ିଶାକୁ ଚୈତନ୍ୟଙ୍କ ଆଗମନ ହିଁ ଏ ଦେଶ ବକ୍ଷରେ ବଙ୍ଗଳାର କୃଷ୍ଟିଗତ ଓ ଧର୍ମଗତ ସାମ୍ରାଜ୍ୟ ବିସ୍ତାରର ସୂଚନା ।

 

ଚୈତନ୍ୟଙ୍କର ଏହି ନବ ପ୍ରଚାରିତ କୃଷ୍ଣ ଧର୍ମରେ ମହାଭାରତର ଆଦର୍ଶ ଓ ଗୀତାର କର୍ମଯୋଗ ଗୌଣ ହୋଇ ପଡ଼ିଲା; ଗୋଟିଏ କାପୌରୁଷେୟ ଜଡ଼ତା ଓ ନିଶ୍ଚେଷ୍ଟତାହିଁ ସବୁଠାରୁ ବଡ଼ ହୋଇ ଉଠିଲା । ପୁରୁଷର ଆଦର୍ଶ ହେଲା ନାରୀ । କୃଷ୍ଣଙ୍କୁ ପାଇବାକୁ ହେଲେ ଗୋପୀଭାବ ବା ସଖୀଭାବରେ ପ୍ରାଣିତ ହେବା ପ୍ରୟୋଜନ । ତେଣୁ ନାରୀ ପରି ବସନ ଭୂଷଣ, ନାରୀ ପରି କଥା ଓ ବ୍ୟବହାର, ପୁଣି ନାରୀର ଲୋମାଞ୍ଚ, ଆଶ୍ରୟ ଓ ବେପଥୁରା ସାଧନା ହେଲା ପୁରୁଷର ଧର୍ମ । ଏପରି କି ଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କର ନାରୀ ରୂପ ପରିଗ୍ରହ ହେଲା ଗୋଟାଏ ସୁଖ୍ୟାତି; ଏବେ ମଧ୍ୟ କେହି କେହି ବୈଷ୍ଣବ ନାରୀ ଅଙ୍ଗାର ଲକ୍ଷଣମାଣ ସାଧନା ବଳରେ ନିଜ ଦେହରେ ପରିସ୍ଫୁଟ କରୁଥିବାର ଶୁଣାଯାଏ । ଯେଉଁ ପୌରୁଷ ବଳରେ ଉତ୍କଳର ସମ୍ରାଟ ଗୌଡ଼େଶ୍ୱର ହୋଇ ପାରିଥିଲେ ତାହାକୁ ପରାଜିତ କଲା ଧର୍ମ ନାମରେ ବଙ୍ଗର ନାରୀତ୍ୱ; ପୁଣି ଓଡ଼ିଶା ମଧ୍ୟ ଏହି ନାରୀତ୍ୱର ଆଦର୍ଶ ସ୍ୱୀକାର କଲାରୁ ଉଭୟ ପ୍ରଦେଶ ଭଗିନୀ ରୂପେ କଳ୍ପିତ ହେବାର ଯାଥାର୍ଥ୍ୟ ଏହି ସମୟରୁହିଁ ବୋଧହୁଏ ପ୍ରତିଷ୍ଠିତ ହେଲା ।

 

ଚୈତନ୍ୟ ଓ କଳାପାହାଡ଼ :–

 

ବାସ୍ତବିକ ଦେଖିବାକୁ ଗଲେ ଚୈତନ୍ୟଙ୍କ ଦ୍ୱାରା ଓଡ଼ିଶାର ସାମରିକ ଶକ୍ତିର ଯେଉଁ ବିପୁଳ କ୍ଷତି ହୋଇଅଛି, ସେଥିରେ କଳାପାହାଡ଼ଙ୍କ ଅପେକ୍ଷା ତାଙ୍କୁ ବେଶି ଘୃଣା କରିବା ଉଚିତ । କଳାପାହାଡ଼ କେବଳ ଓଡ଼ିଶାର ମନ୍ଦିର ଓ ଦେବଦେବୀଙ୍କୁ ଭାଙ୍ଗି ଦେଇଗଲେ । ଏବେ ମଧ୍ୟ ଏ ପ୍ରଦେଶରେ ଯେତେ ମନ୍ଦିର ଓ ଦେବଦେବୀ ଅଛନ୍ତି, ସେଥି ଭିତରୁ ଆହୁରି ଅଧେ ଭାଙ୍ଗି ଲୋପ କରି ଦେଇଥିଲେ ଏ ଭୂମିରରୁ ଦେବପୂଜା ଲୋପ ହେବାର ନୁହେଁ । କିନ୍ତୁ ଚୈତନ୍ୟ ଯାହା ଭାଙ୍ଗି ଦେଇଗଲେ ତାହାର ମୂଲ୍ୟ ଓଡ଼ିଶାର ସହସ୍ର ଦେବ-ପ୍ରତିମା ଓ ମନ୍ଦିରଠାରୁ ଯଥେଷ୍ଟ ବେଶି । ତାହା ହେଉଛି, ଗୋଟାଏ ଜାତିର ପୌରୁଷ ଓ ବିରାଟ ସାମରିକ ଶକ୍ତି । କଳାପାହାଡ଼ ଭାଙ୍ଗିଲେ ପଥରର ପିତୁଳା ଓ ପଥରର ଦେଉଳ; ଚୈତନ୍ୟ ଭାଙ୍ଗିଲେ ଜୀଅନ୍ତା ମଣିଷର ବିଗ୍ରହ ଓ ତାହାର ବାସଗୃହ । ଦୁଇ ଜଣ ଯାକହିଁ ଦେଶେଦ୍ରୋହୀ, ଜାତିଦ୍ରୋହୀ ବା ଧର୍ମଦ୍ରୋହୀ । କଳାପାହାଡ଼ ଥିଲେ ହିନ୍ଦୁ ସନ୍ତାନ ଏବଂ ଚୈତନ୍ୟଙ୍କ ପୂର୍ବ ପୁରୁଷ ଓଡ଼ିଶାର ଯାଜପୁରରୁ ବଙ୍ଗ ପ୍ରଦେଶକୁ ଯାଇଥିବାର ଅନେକ ପ୍ରମାଣ ମିଳେ ।

 

ଇତିହାସ କହେ, ପ୍ରତାପରୁଦ୍ରଙ୍କର ସାମ୍ରାଜ୍ୟ ବିସ୍ତାର ଓ ବଙ୍ଗ ବିଜୟର ଯେଉଁ କଳ୍ପନା ଥିଲା, ତାହାର ଅସଲ ଅନ୍ତରାୟ ହେଲେ ଚୈତନ୍ୟ । କାରଣ ପ୍ରତାପରୁଦ୍ରଙ୍କୁ ସେ ଖାଲି ସମରଅଭିଯାନରୁ ନିବର୍ତ୍ତାଇଲେ ନାହିଁ-ଓଡ଼ିଶାର ଯେଉଁ ଜାତୀୟ ଦେବତା ଏ ଦେଶର କ୍ଷାତ୍ରଶକ୍ତିକୁ ଜାଗରୂକ ରଖିଥିଲେ, ଏ ଦେଶ ପାଇଁ ଯେଉଁ ଦେବତା କାଞ୍ଚି ଅଭିଯାନରେ ନିଜେ ଯୁଦ୍ଧ କରିଥିବା କିମ୍ବଦନ୍ତୀରେ ଲୋକେ ବିଶ୍ୱାସ କରନ୍ତି, ପୁଣି ଯାହାଙ୍କଠାରେ ଅଧ୍ୟା ପଡ଼ି ଏ ଦେଶ ରାଜାଙ୍କର ସ୍ୱାଧୀନତା ଅକ୍ଷୂର୍ଣ୍ଣ ଥିଲା ଚୈତନ୍ୟଙ୍କ ପରାମର୍ଶ ଓ ପ୍ରତାପରୁଦ୍ରଙ୍କର ନିର୍ଦ୍ଦେଶ କ୍ରମେ ସେହି ଜଗନ୍ନାଥଙ୍କୁ ପ୍ରଥମେ ଦେବଦାସୀମାନଙ୍କ ଦ୍ୱାରା ଗୀତଗୋବିନ୍ଦ ଶୁଣାଇ ଶୁଆଇ ରଖିବାର ଚେଷ୍ଟା ହେଲା । ସଙ୍ଗେ ସଙ୍ଗେ ସମର-କାନ୍ତ କ୍ଷାତ୍ର ଶକ୍ତି ପକ୍ଷରେ ମଧ୍ୟ ରଣ ଦୁନ୍ଦୁଭି ବଦଳରେ ଖୋଳ କରତାଳ ଓ ନାମ ସଂକୀର୍ତ୍ତନ ହେଲା-ନିଦ ଆଣିବାର ଧୋବାୟା ଗୀତ । ଓଡ଼ିଶାର ଦେବତା ଓ ତାଙ୍କରି ଚଳନ୍ତି ପ୍ରତିମା ରାଜାଙ୍କ ପଛେ ପଛେ ରାଜାଙ୍କର ଉଚ୍ଚ କର୍ମଚାରି ଓ ମନ୍ତ୍ରଣାଦାତାମାନେ ସେହି ପନ୍ଥା ଧରିଲେ । ଦକ୍ଷିଣରୁ ରାୟ ରାମାନନ୍ଦ ବିଜୟନଗରର ବିଜୟ କଳ୍ପନାକୁ ତୁଚ୍ଛ ଜ୍ଞାନ କରି ତୁଳସୀ ମାଳି ଓ କେଥଳି ଧରି ଫେରିଲେ ପୁଣି ତାଙ୍କ ଭାଇ ଗୋପୀନାଥ ବଡ଼ଜେନା ମେଦିନୀପୁରର ଶାସକ ଥାଇ ରାଜସ୍ୱ ବାକୀ ରଖିଥିବା ଅପରାଧରେ ରାଜଦରବାରରୁ ଯେ ଶିରଚ୍ଛେଦର ଆଦେଶ ପାଇଥିଲେ ବୈଷ୍ଣବ ମାନଙ୍କର ପ୍ରରୋଚନାରେ ସେ ଆଦେଶ ମଧ୍ୟ ପ୍ରତ୍ୟାହାର କରାଗଲା । ଅନ୍ୟ କଥାରେ ଓଡ଼ିଶାର ରାଜ-ଶକ୍ତି ଏହି ଚୈତନ୍ୟ ଧର୍ମ ନିକଟରେ ଚୁଡ଼ାନ୍ତ ପରାଜୟ ମାନିଲା, ପୁଣି ଓଡ଼ିଶାର ବୁଦ୍ଧିଜୀବୀ ସମଗ୍ର କରଣ କୁଳଟା ମଧ୍ୟ ଗୋପୀନାଥ ବଡ଼ଜେନାଙ୍କୁ ଆଦର୍ଶ ରୂପେ ଧରି ଏହି ଧର୍ମ ସାହାଯ୍ୟରେହିଁ ସବୁ ଅପରାଧରୁ କ୍ଷମା ପାଇବ ବୋଲି ଭରସା ରଖିଲା । ବାକୀଥିଲା ବ୍ରାହ୍ମଣ ଜାତିଟା । ନିଜର ବିଚାରହୀନ ସ୍ଥିତିଶୀଳତା ଓ ପଣ୍ଡିତମାନଙ୍କର ମୁର୍ଖାମିରୁ ହେଉ କିମ୍ବା ଆଉ ଯେ କୌଣସି କାରଣରୁ ହେଉ, ଚୈତନ୍ୟ ଧର୍ମକୁ ବ୍ରାହ୍ମଣମାନେ ସୁଦୃଷ୍ଟିରେ ଦେଖି ପାରି ନ ଥିଲେ । କିନ୍ତୁ କ୍ଷତ୍ରିୟ ଓ କରଣମାନଙ୍କ ବ୍ୟତୀତ ଆଉ ଯେ ସବୁ ଜାତିର ଲୋକେ ଏ ଦେଶରେ ଅଛନ୍ତି, ସେମାନଙ୍କ ଭିତରେ ଏହି ପୈାରୁଷହୀନ ଧର୍ମଭାବ ପ୍ରବେଶ କରାଇବା ପାଇଁ ବ୍ରାହ୍ମଣମାନେହିଁ ଦାୟୀ । ଜଗନ୍ନାଥ ଦାସ ଚୈତନ୍ୟ ଧର୍ମକୁ ଗ୍ରହଣ ନ କଲେହେଁ ଓଡ଼ିଆ ଭାଷାରେ ଯେଉଁ ଭାଗବତ ଲେଖିଲେ, ସେଥିରେ ଓଡ଼ିଶାର ଆଧ୍ୟାତ୍ମିକ ଉନ୍ନତି ଯେଉଁ ପରିମାଣରେ ହେଲା ସେହି ଅନୁପାତରେ ଏହାର ବଳିଷ୍ଠ ସାମରିକ ଶକ୍ତିର ଅଧଃପାତ ଘଟିଲା ।

 

ଅବଶ୍ୟ ପ୍ରତାପରୁଦ୍ରଙ୍କ ପରେ ମଧ୍ୟ ମୁକୁନ୍ଦ ଦେବଙ୍କ ସମୟରେ ଓଡ଼ିଶାର କେତେକ ଦୀପ୍ତିଥିଲା, ପୁଣି ଗଙ୍ଗାର ତ୍ରିବେଣୀ ଘାଟଯାଏ ହୁଏତ ଏହାର ପ୍ରତିପତ୍ତ ଥିଲା । କିନ୍ତୁ ଗଙ୍ଗା ଓ ପଦ୍ମା ଦେଶରୁ ଆସି ଚୈତନ୍ୟ ଯେଉଁ ତରଳ ଶୀତଳ ସ୍ରୋତ ବୁହାଇ ଦେଲେ; ସେଥିରେ ପାହାଡ଼ କଙ୍କରମୟ ଓଡ଼ିଶାର କାଠିନ୍ୟ ଓ ଉଷ୍ଣତା କ୍ରମେ ଦୂର ହୋଇଗଲା ।

 

ଭାରତର ରାଷ୍ଟ୍ରୀୟ ପଙ୍ଗୁତାରେ ଧର୍ମର ଦାୟିତ୍ୱ ଓ ଓଡ଼ିଶା ଜଗନ୍ନାଥ ଧର୍ମର ଅସାରତା :–

 

ପ୍ରକାଶ୍ୟ ଭାବରେ ଚୈତନ୍ୟ, ପ୍ରତାପରୁଦ୍ର, ରାୟ ରାମାନନ୍ଦ ବା ଜଗନ୍ନାଥ ଦାସ ଓଡ଼ିଶା ସାମ୍ରାଜ୍ୟର ଅଧଃପତନର ସୁତ୍ରପାତ କରିଥିଲେହେଁ ଓଡ଼ିଶାର ସାମ୍ରାଜ୍ୟ ଅଥବା ଶାସନତନ୍ତ୍ର ଯେ ଏ ରୂପ ଆଘାତରେ ମ୍ରିୟମାଣ ହେବା ଭଳି ଦୁର୍ବଳ ଥିଲା, ତାହା ମଧ୍ୟ ସ୍ପଷ୍ଟ ପ୍ରତୀତ ହୁଏ । ଧର୍ମ ନାମରେ ଏହି ପରି ଜଡ଼ତା ଓ ପଙ୍ଗୁତାକୁ ଶାନ୍ତି ଭ୍ରମ କରି ସେହି ସମୟଠାରୁ ଦେଢ଼ ହଜାର ବର୍ଷ ପୂର୍ବେ ଭାରତ ସାମ୍ରାଜ୍ୟ ମଧ୍ୟ ନଷ୍ଟ ହୋଇଥିଲା; ଆଉ ତାହାର ପ୍ରଧାନ ହେତୁ ଥିଲା ଏହି କଳିଙ୍ଗ ରାଜ୍ୟ । କଳିଙ୍ଗ ସମରଠାରୁ ହିଁ ଅଶୋକ ଦେଶ ଜୟ ଛାଡ଼ି ଧର୍ମଜୟ ପାଇଁ ମନ ବଳାଇଲେ । ଧର୍ମର ଆବରଣ ଭିତରେ ସମଗ୍ର ଭାରତର ପୁଣି ବିଭିନ୍ନ ପ୍ରଦେଶର ଶକ୍ତିହୀନତା ଓ ରଣଭୀରୁତା ପ୍ରଚ୍ଛନ୍ନ ରହି ଥିବାର ଆଉ ଅନେକ ଘଟଣାରୁ ପ୍ରମାଣ କରି ଦିଆଯାଇ ପାରେ ଏବଂ ଭାରତୀୟ ଧର୍ମ ଏ ଦେଶର ଜାତୀୟତା ଗଢ଼ିବା ଦୂରେ ଥାଉ, ଏ ଦେଶବାସୀଙ୍କୁ ଯେ ମନୁଷ୍ୟ ପଦବାଚ୍ୟ ହେବାରୁ ବଞ୍ଚିତ କରି ରଖିଅଛି ଓ ପୃଥିବୀ ଉପରର ପାଞ୍ଚ ଭାଗରୁ ଭାଗେ ଲୋକଙ୍କୁ ପଙ୍ଗୁ ଓ କ୍ଳୀବ କରି ପକାଇ ଅଛି, ତାହା ଯେ କୌଣସି ବିଦେଶୀ ଜାତିର ଭାରତ ଉପରେ ଆକ୍ରମଣ ଓ ଅତ୍ୟାଚାରର ଫଳ ଅପେକ୍ଷା କମ୍ ନୁହେଁ । ସେଥିପାଇଁ ଆଜି ଏ ଦେଶରେ ଧର୍ମ ନାମରେ ଯେତେ ଜଞ୍ଜାଳ ଓ ଅନର୍ଥ ପଶିଛି, ତାହାଠାରୁ ଏହାର ବହୁଯୁଗ ବ୍ୟାପୀ ପରାଧୀନତାକୁ ପୃଥକ କରିବା କଠିନ ।

 

ଭାରତୀୟ ସ୍ୱାଧୀନତା ପୂର୍ବେ ଦେବାଦେବୀଙ୍କ ଉପରେ ଭରସା ରଖି ତିଷ୍ଠିଥିଲା, ଭାରତୀୟ ସାମରିକତା ଏହି ଦେବାଦେବୀଙ୍କଠାରୁହିଁ ଶକ୍ତି ସଞ୍ଚୟ କରୁଥିଲା-ଏପରି କି ଭାରତର କବି, ସାହିତ୍ୟକ ଓ ପଣ୍ଡିତମାନେ ମଧ୍ୟ ଏହି ଦେବା ଦେବୀଙ୍କଠାରୁ ବର ଲାଭ କରି ଯଶସ୍ୱୀ ହେଉଥିଲେ । ସମଗ୍ର ଭାରତ ପରି ଓଡ଼ିଶାରେ ମଧ୍ୟ ଦେବପୂଜା ବା ଧର୍ମଭାବ ଅତି ପ୍ରବଳ ଥିଲା ଓ ମନୁଷ୍ୟ ନିମିତ୍ତମାତ୍ର ହୋଇ କାର୍ଯ୍ୟ କରୁଥିଲା । କିନ୍ତୁ ଓଡ଼ିଶାର ଧର୍ମଭାବ ମୂଳରେ କୌଣସି ସ୍ୱାତନ୍ତ୍ର୍ୟ ନ ଥିଲା । ପ୍ରୋଟେଷ୍ଟାଣ୍ଡ କ୍ୟାଥଲିକମାନଙ୍କ ପରି ଶୈବ ବୈଷ୍ଣବ ପ୍ରଭୃତି ଧର୍ମମତ ଗୁଡ଼ିକ ନିଆରା ହେଲେହେଁ ଖ୍ରୀଷ୍ଟ କିମ୍ବା ମହମ୍ମଦ ଧର୍ମମତ ଗୁଡ଼ିକର ନାନା ଶାଖା ଭିତରେ ରହି ଲୋକେ ଯେମିତି ନିଜ ମତବାଦର ସ୍ୱାତନ୍ତ୍ର୍ୟ ରଖି ପାରିଥିଲେ, ଓଡ଼ିଶାରେ ସେହିପରି ଶୈବ, ଶାକ୍ତ, ବୈଷ୍ଣବ, ବୌଦ୍ଧ ଇତ୍ୟାଦି ମତବାଦର ବୈଶିଷ୍ଟ୍ୟ ରକ୍ଷା ହୋଇନାହିଁ । ଓଡ଼ିଶାର ଜଗନ୍ନାଥ ଧର୍ମ ସବୁ ମତବାଦକୁ ଗ୍ରହଣ କରିବାକୁ ଯାଇ ଗୋଟାଏ ସାର୍ବଜନୀନତାର ଦାବୀ ରଖିଛି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ମୂର୍ତ୍ତୀଙ୍କୁ ବୈାଦ୍ଧ ତ୍ରିପିଟକଙ୍କଠାରୁ ଆରମ୍ଭ କରି ରାମ, ଲକ୍ଷ୍ମଣ, ସୀତା ଏବଂ ଶିବ ଓ ଶକ୍ତି ପ୍ରଭୃତି ନାନା ରୂପର ପ୍ରତୀକ ବୋଲି ଶୁଣା ଯାଇଥାଏ । ପୁଣି ବୁଦ୍ଧ, ଶଙ୍କର, କବୀର, ରାମାନୁଜ ଓ ନାନକ ପ୍ରଭୁତି ବିଭିନ୍ନ ସମ୍ପ୍ରଦାୟର ମତ ପ୍ରଚାରକମାନେ ଯେ ଯେତେବେଳେ ଆସି ଅଛନ୍ତି ସମସ୍ତେ ଏଠାରେ ଅବାଧ ପ୍ରବେଶ ପାଇ ଅଛନ୍ତି । ତେଣୁ ଓଡ଼ିଶାରେ ସବୁ ମତବାଦର ଗୋଟାଏ ସମନ୍ୱୟ ହେବାର ଯେପରି ଚେଷ୍ଟା ହୋଇଅଛି, ସେଥିରେ ଏ ଦେଶର ଆତିଥେୟତା ଏତେ ବେଶି ବିସ୍ତୃତ ହୋଇ ପଡ଼ିଛି ଯେ, ଶେଷକୁ ଏହାର ନିଜର ହୋଇ କିଛି ରହି ନାହିଁ । ସମସ୍ତଙ୍କ ପାଇଁ ସବୁ ବେଳେ ଦ୍ୱାର ଖୋଲିଦେବା ଦ୍ୱାରା ଏ ଜାତିର ଗ୍ରାହସ୍ଥ୍ୟ-ଧର୍ମ ଲୋପ ପାଇ ଏକ ପ୍ରକାର ବୈଶ୍ୟ ଧର୍ମହିଁ ଏଠାରେ ସ୍ଥାନ ମାଡ଼ି ବସିଚି । ସବୁ ଧର୍ମ ମତକୁ ଭଲ କହିବା ଦ୍ୱାରା ଏହା ଯଥାର୍ଥ ଭଲ ମନ୍ଦର ବିଚାରଶୂନ୍ୟ ହୋଇ ପଡ଼ିଚି । ସେହି କାରଣରୁହିଁ ବଙ୍ଗର ଚୈତନ୍ୟ ଯେତେବେଳେ ବୈଷ୍ଣବ ଧର୍ମର ଏକ ନୂଆ ରୂପ ଘେନି ଏହାର ଦ୍ୱାରସ୍ଥ, ସେତେବେଳେ ମଧ୍ୟ ଏହି ଧର୍ମର ଆଲିଙ୍ଗନ ଭିତରେ ନିଜକୁ ଦାନ କରିବାକୁ ସେ ଇତସ୍ତତଃ ହୋଇ ନାହିଁ, ଏପରିକି ଗୋଟାଏ ବିଶାଳ ସାମ୍ରାଜ୍ୟର ବିନିମୟରେ ମଧ୍ୟ !

 

ଗଞ୍ଜାମ ଓ ମେଦିନୀପୁର :–

 

ଅବଶ୍ୟ ଚୈତନ୍ୟଙ୍କ ପୂର୍ବରୁ ରାଜା କପିଳେଦ୍ରଙ୍କ ସମୟରୁହିଁ ବଙ୍ଗ ଓ ଉତ୍କଳ ମଧ୍ୟରେ ଅନେକ ସମ୍ବନ୍ଧ ଦେଖା ଦେଇଥିଲା । ସେତିକି ବେଳୁ ଓଡ଼ିଆମାନେ ବହୁ ସଂଖ୍ୟାରେ ବଙ୍ଗ ପ୍ରଦେଶରେ ବାସ କରିବାକୁ ଲାଗିଲେ । ଚୈତନ୍ୟଙ୍କ ସମୟରେ ସେହିପରି ଅନେକ ବଙ୍ଗାଳୀ ଓଡ଼ିଶାରେ ଘର କରି ରହିଲେ । ଗୋପୀନାଥ ବଡ଼ଜେନାଙ୍କର ମେଦିନୀପୁର ଶାସନରେ ଯେ ଅକ୍ଷମତା ଦେଖାଗଲା, ତାହା କ୍ରମେ ସେଠାରେ ଓଡ଼ିଆ କର୍ତ୍ତୃତ୍ୱକୁ ହୀନବଳ କରି ପକାଇଲା । ରାୟ ରାମାନନ୍ଦ ରାଜମାହେନ୍ଦ୍ରିର ଶାସକ ଥାଇ ଯେଉଁ ଦିନ ବୈଷ୍ଣବ ଦୀକ୍ଷା ନେଇ ଫେରିଲେ, ସେହି ଦିନ ବୋଧ ହୁଏ ଗଞ୍ଜାମ ଅଞ୍ଚଳ ମାନ୍ଦ୍ରାଜ ପ୍ରଦେଶ ଭିତରେ ବହୁ କାଳ ରହିବ ବୋଲି ଓଡ଼ିଶାର ଭାଗ୍ୟ ପାଞ୍ଜିରେ ଲେଖାଗଲା । ମେଦିନୀପୁର ପକ୍ଷରେ ମଧ୍ୟ ସେହି କଥା କୁହାଯାଇପାରେ । ଫରକ ଭିତରେ ଖାଲି ଏତିକି, ଓଡ଼ିଶା ଓ ବଙ୍ଗଳାର ଭାଷାଗତ ଓ କୃଷ୍ଟିଗତ ସାମଞ୍ଜସ୍ୟ ବେଶି ଥିବାରୁ ମେଦିନୀପୁର ଲୋକେ ଯେଉଁ ପରିମାଣରେ ବଙ୍ଗାଳୀ ହୋଇ ପାରିଲେ ,ଗଞ୍ଜାମ ଲୋକେ ସେପରି ତୈଲଙ୍ଗୀ ହୋଇ ପାରି ନାହାନ୍ତି ।

 

ଏ ଦୁଇଟି ଜିଲ୍ଲା ଅଲଗା ହୋଇ ପଡ଼ିବାରୁ ସମୁହ ଭାବରେ ଓଡ଼ିଶାର ଜାତୀୟ କ୍ଷତି ହୋଇଛି ସତ; କିନ୍ତୁ ଅଲଗା ହେବାଦ୍ୱାରା ସେ ଦୁଇ ଜିଲ୍ଲାର ଓଡ଼ିଆ ଜମିଦାରକୁଳ ବଞ୍ଚି ଯାଇ ଅଛନ୍ତି-। ଗଞ୍ଜାମ, ମେଦିନୀପୁର ବା ସିଂହଭୂମିର ସବୁ ବଡ଼ ଜମିଦାର ପ୍ରାୟ ଓଡ଼ିଆ; ଅଥଚ ପୁରୀ,କଟକ, ବାଲେଶ୍ୱର, ନାମକ ତିନୋଟି ଜିଲ୍ଲାର ଯେଉଁ ଓଡ଼ିଶାକୁ ଚୈତନ୍ୟ ଧର୍ମ ପହିଲେ ଭଲ ରୂପେ ଗ୍ରାସ କଲା, ପରବର୍ତ୍ତୀ ରାଜନୀତି କ୍ଷେତ୍ରରେ ସେ ସବୁ ସ୍ଥାନର ଓଡ଼ିଆ ଜମିଦାର କୁଳ ବୋଧହୁଏ ଉକ୍ତ ଧର୍ମ କୃପାରୁ ହିଁ ବହୁ ପରିମାଣରେ ନିର୍ବାଣ ଲାଭ କଲେ । ମୌର୍ଯ୍ୟଙ୍କ ଠାରୁ ଆରମ୍ଭ କରି ମରହଟ୍ଟାଙ୍କ ପର୍ଯ୍ୟନ୍ତ ସବୁ ହିନ୍ଦୁ ରାଜତ୍ୱର ମୂଳ ମନ୍ତ୍ର ଥିଲା ଧର୍ମ ଏବଂ ତାହାରି ବଳରେ ସେ ସବୁ ଆଜି ନିର୍ବାଣ ବା ମୁକ୍ତି ପାଇଛି । ଆଜି ମଧ୍ୟ ସେ ଆଦର୍ଶରୁ ଭାରତ ତଳକୁ ଖସିନାହିଁ । ସେଥିପାଇଁ ଭାରତୀୟ ରାଜନୀତି ଓ ଶାସନର ଯେଉଁମାନେ ଦାବୀ କରନ୍ତି, କଥା କଥାକେ ତାଙ୍କଠାରୁ ହିମାଳୟ ପ୍ରସ୍ଥାନ, ଯୋଗ ସାଧନ, ଆତ୍ମଶୁଦ୍ଧି ଓ ପ୍ରାୟୋପବେଶନର ସମ୍ବାଦ ଶୁଣାଯାଏ-

 

* ମହତ୍ମା ଗାନ୍ଧୀଙ୍କ କର୍ମ ପନ୍ଥା ।

 

ବଙ୍ଗରେ ଓଡ଼ିଆ ଓ ଓଡ଼ିଶାରେ ବଙ୍ଗାଳୀ ଅଧିବାସୀ :–

 

ଯାହାହେଉ ବଙ୍ଗ ଓ ଉତ୍କଳର ଆଜି ଯେଉଁ ସମ୍ବନ୍ଧ ଦେଖା ଯାଏ, ତାହାକୁ ବେଶି ଦୁରକୁ ଟଣା ଟଣି ନ କରି କପିଳେନ୍ଦ୍ର ଓ ଚୈତନ୍ୟଙ୍କ ସମୟରୁ ଦେଖି ଆସିଲେ ହିଁ ବର୍ତ୍ତମାନ ପାଇଁ ଯଥେଷ୍ଟ ହେବ । କପିଳେନ୍ଦ୍ରଙ୍କ ବଙ୍ଗ-ବିଜୟ କାଳରୁ ବଙ୍ଗ ପ୍ରଦେଶରେ ଯେମିତି ଅନେକ ଓଡ଼ିଆ ଯାଇ ଘର କରି ରହିଲେ, ଚୈତନ୍ୟଙ୍କ ଓଡ଼ିଶା ବିଜୟ ସମୟରୁ ମଧ୍ୟ ବଙ୍ଗ ପ୍ରଦେଶର ଅନେକ ଲୋକ ଓଡ଼ିଶାକୁ ଉଠି ଆସିଲେ । ଓଡ଼ିଶା ବାସୀ ବଙ୍ଗୀୟମାନେ ଯେମିତି ଭାବରେ ଆଜି ସୁଦ୍ଧା ଓଡ଼ିଆମାନଙ୍କଠାରୁ ପୃଥକ୍ ରହି ଅଛନ୍ତି, ବଙ୍ଗବାସୀ ଓଡ଼ିଆମାନେ ମଧ୍ୟ ଭାଷା ଓ ବ୍ୟବହାରରେ ସମ୍ପୁର୍ଣ୍ଣ ରୂପେ ବଙ୍ଗାଳୀ ହେଲେହେଁ-ଏପିରିକି ଭଟ୍ଟାଚାର୍ଯ୍ୟ, ଚକ୍ରବର୍ତ୍ତୀ, ଧର, ନନ୍ଦୀ, କେଡ଼େ, ଭୂଡ଼ଁ, ପୋଁଡ଼, ଭଦ୍ର, ଉପାଧ୍ୟାୟ, ହାଲ୍‍ଦାର, ଅଧିକାରୀ, ବେଦୀ, ତ୍ରୀବେଦୀ ଓ ପାଠକ ପ୍ରଭୃତି ପଦବୀଗୁଡ଼ିକ ସେଠାରେ ନିଜ ନିଜ ନାମ ବଙ୍ଗରେ ଯୁକ୍ତ କରିଥିଲେହେଁ-ଆଜି ସୁଦ୍ଧା ସେମାନେ ଦାକ୍ଷିଣାତ୍ୟ ବୈଦିକ ରୂପରେ ଚିହ୍ନିତ ହୋଇ ବଙ୍ଗର ରାଜ ନରେନ୍ଦ୍ର ବ୍ରାହ୍ମଣଙ୍କ ସଙ୍ଗେ ଏ ପର୍ଯ୍ୟନ୍ତ ବୈବାହିକ ସମ୍ବନ୍ଧ ଆଦି କରି ନାହାନ୍ତି । ଓଡ଼ିଶାର ବଙ୍ଗୀୟମାନଙ୍କୁ ଯେମିତି ବେଶି ପରିମାଣରେ ମହାନଦୀ ଓ କାଠଯୋଡ଼ି କୂଳରେ ଘର କରି ରହିଥିବାର ଦେଖାଯାଏ, ବଙ୍ଗଳାର ଦାକ୍ଷିଣାତ୍ୟ ବୈଦିକମାନେ ସେମିତି ଗଙ୍ଗାର ଦୁଇ କୂଳରେ ହିଁ ବେଶି ସଂଖ୍ୟାରେ ଘର କରି ରହିଁ ଅଛନ୍ତି ।

 

* ‘ବଙ୍ଗେ ଦକ୍ଷିଣାତ୍ୟ ବୈଦିକ’’ ନାମକ ଗ୍ରନ୍ଥ ଦେଖନ୍ତୁ ପ୍ରଣେତା-ଶ୍ରୀ କେଶବ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ।

 

ଚୈତନ୍ୟଙ୍କ ସମୟରୁ ହିଁ ଦୁଇଟି ପ୍ରଦେଶର ଭାଗ୍ୟ ଏପରି ଭାବରେ ସଂଯୁକ୍ତ ହୋଇ ରହିଲା ଯେ , ତାହା ପରେ କଳାପାହାଡ଼ଙ୍କ ପ୍ରତାପ ଓ ମରହଟ୍ଟାଙ୍କ ପ୍ରହାର କାହା ମୁଣ୍ଡରେ ବେଶି ଲାଗିଛି, ବୁଝିବା ଦୁସ୍ତର । ମୁସଲମାନ ରାଜତ୍ୱରେ ଅନେକ କାଳ ଓ ଇଂରେଜୀ ରାଜତ୍ୱ ଆଜି ସୁଦ୍ଧା ଦୁଇଟି ପ୍ରଦେଶର ଭାଗ୍ୟ ନାନା ଦିଗରୁ ସଂଯୁକ୍ତ ଅଛି ଏବଂ ନାନା କ୍ଷେତ୍ରରେ ଦୁହିଁଙ୍କ ମଧ୍ୟରେ ଆଦାନ ପ୍ରଦାନ ଚଳି ଆସିଅଛି ।

 

ଦୁଇ ପ୍ରଦେଶ ଭିତରେ ଆଦାନ ପ୍ରଦାନର ସାମଞ୍ଜସ୍ୟ :–

 

କଲିକତାର ନିଲାମ ଡାକରା ଫଳରେ ଅନେକ ବଙ୍ଗାଳୀ ଓଡ଼ିଶା ସଙ୍ଗେ ସଦ୍ଭାବ ବଢ଼ାଇବାକୁ ଯାଇ ଯେମିତି ତାହାର ବଡ଼ ବଡ଼ ଜମିଦାର ଗୁଡ଼ିକ କରଗତ କରିବାରେ ହେଳା କରି ନାହାନ୍ତି ,ସେମାନଙ୍କର ଓଡ଼ିଆ ଗୁମାସ୍ତାମାନେ ମଧ୍ୟ ଜମିଦାରଙ୍କ ରକ୍ତ ଥଣ୍ଡା ରଖିବା ପାଇଁ ପ୍ରଜାଙ୍କ ରକ୍ତକୁ ଦିନରାତି ଗରମ ରଖିବାକୁ ଚେଷ୍ଟା କରିଥାଆନ୍ତି; ପୁଣି ସେହି ଅବସରରେ ଜମିଦାରଙ୍କ ଆୟଠାରୁ ନିଜ ଆୟ ବଢ଼ାଇବା ଦିଗରେ ବେଶି ନଜର ଦେଇ ଯଥେଷ୍ଟ କୃତଜ୍ଞତା ଦେଖାଇଥାନ୍ତି । ଉଭୟ ପ୍ରଦେଶରେ ଜମିଦାର ରୟତ ଓ ମହାଜନ ଖାତକର ସମ୍ବନ୍ଧ ପ୍ରାୟ ସମାନ । ଦୁଇ ପ୍ରଦେଶ ମଧ୍ୟରେ ପୂଜା ପର୍ବ ବ୍ରତ ଉପବାସର ଅନେକ ସାମ୍ୟ ଅଛି ଓ ଦୁଇଟି ଭାଷାର ଅନେକ ଢଗଢମାଳୀ ବା ପୁରୁଣା କାହାଣି ଶୁଣିଲେ ଅନ୍ୟକୁ ନକଲ କରିଚି ବୋଲି ମନେହୁଏ ;ଆହୁରି ସେ ଗୁଡ଼ିକ ଉପରେ ଦୁଇଟି ଯାକ ଦେଶର ଦାବି ଏତେ-ବେଶି ସମାନ ଯେ ସେଥିରେ ଉଭୟଙ୍କ ଦାବି ର ମୁଲ୍ୟ କମିଯାଏ । ଓଡ଼ିଆଙ୍କ କାଖ ତଳେ ବଟୁଆ ପରି ବଙ୍ଗାଳୀଙ୍କ ଓଠ ତଳେ ହୁକା ଝୁଲି ଥିବାର ଦେଖାଯାଏ । ମାଛ ଶବ୍ଦ-ଟାକୁ ଉଚ୍ଚାରଣ କରିବାକୁ ବଙ୍ଗାଳୀମାନେ ଜିଭ ଉପରେ ଯେତେ କମ୍ ଜୋର ଦିଅନ୍ତୁ ପଛେ, ସେଥିରେ ତାହା ଓଡ଼ିଆଙ୍କ ଜିଭ ଅପେକ୍ଷା କମ୍ ଲାଳାୟିତ ହୁଏ ନାହିଁ ।

 

ଉଭୟ ପ୍ରଦେଶରେ ସ୍ତ୍ରୀ ପୁରୁଷଙ୍କ ଆଚାର ବ୍ୟବହାର ଓ ସମ୍ପର୍କ ପ୍ରାୟ ସମାନ । ଆହାର ଭୂଷଣରେ ବେଶି ଫରକ ନାହିଁ । ଉଭୟ ପ୍ରଦେଶର ପୁରୁଷମାନେ ହିଁ ନାରୀଙ୍କୁ ବିବାହ କରନ୍ତି । ଯେ କୌଣସି ପୁରୁଷ ଯେ କୌଣସି ନାରୀକୁ ବିବାହ କରିପାରେ, କେବଳ ବିଧବା ସଧବାଙ୍କୁ ଛାଡ଼ି । ଓଡ଼ିଶାରେ ଅବଶ୍ୟ ହାଟୁଆ ଜାତିଙ୍କ ଭିତରେ ବିଧବା ବିବାହ ଚଳେ ପୁଣି ବ୍ରାହ୍ମଣ ବୈଶ୍ୟଙ୍କୁ ଛାଡ଼ି ଅନ୍ୟ ଜାତି ମାନେ ପ୍ରାୟ ଯୁବତୀ ବିବାହ କରି ପାରନ୍ତି । ତଥାପି ବଙ୍ଗ ଦେଶ ପରି ଓଡ଼ିଶାରେ ମଧ୍ୟ ଜଣେ ପୁରୁଷ ବିବାହ କରିବା ପାଇଁ କେତେ ସଂଖ୍ୟକ ନାରୀ ଯଥେଷ୍ଟ, ତାହା ନିର୍ଦ୍ଦିଷ୍ଟ ନାହିଁ । ଯଦିବା ବଙ୍ଗର କୁଳୀନ ପ୍ରଥା ଏହାକୁ ଯେମିତି କାମ ଉପରେ ସରଖ କରି ପାରିଛି । ଓଡ଼ିଶାର ରାଜାପୁରୁଷଙ୍କୁ ଛାଡ଼ି ସାଧାରଣ ଲୋକେ ଏ ଦିଗରେ ସେତେ ବେଶି ଅଗ୍ରସର ହୋଇନାହାନ୍ତି । ଉଭୟ ପ୍ରଦେଶରେ ଜବରଦସ୍ତି ସତୀତ୍ୱ ରକ୍ଷା କରାଯାଇଛି । ପୂର୍ବେ ଏଥିପାଇଁ ଜବରଦସ୍ତି ସହ ମରଣ ଥିଲା । ଏବେ ମଧ୍ୟ ଜବରଦସ୍ତି ବୈଧବ୍ୟ ରକ୍ଷା କରାହୁଏ । ପୂର୍ବର ସତୀ ଘଣ୍ଟାକ ଭିତରେ ପୋଡ଼ି ମରୁ୍ଥିଲା, ବର୍ତ୍ତମାନର ସତୀ ଜୀବନ ଗୋଟାକ ଯାକ ପୋଡ଼ି ହୋଇ ମରେ । ଏହି ସତୀତ୍ୱ ରକ୍ଷା ଉଦ୍ଦେଶ୍ୟରେ ଉଭୟ ସ୍ଥାନରେ ସ୍ୱାମୀ ସ୍ତ୍ରୀ ବ୍ୟତୀତ ନାରୀ ପୁରୁଷ ଭିତରେ ଅବାଧ ମିଶ୍ରଣ ନିଷିଦ୍ଧ; ପୁଣି ଉଭୟ ପ୍ରଦେଶରେ ହିଁ ପ୍ରେମିକା ହୋଇଥାନ୍ତି ବେଶ୍ୟା କିମ୍ବା ଶାଳିକା ।

 

ବଙ୍ଗ ଓ ଉତ୍‌କଳ ଦୁଇଟି ଭଉଣୀ ହୋଇ ଦୁଇଟି ସଉତୁଣୀ ମଧ୍ୟ :–

 

ଏହିସବୁ କାରଣରୁ ବଙ୍ଗ ଓ ଉତ୍କଳକୁ ଦୁଇଟି ଭଉଣୀ କହିବା ଆପତ୍ତିଜନକ ହୋଇ ନାହିଁ, ଯଦି ବା ଦୁଇ ଭଉଣୀଙ୍କର ଜଣେ ସାଧାରଣ ସ୍ୱାମୀ ହେବା ଫଳରେ ଅନେକ ସମୟରେ ସେମାନଙ୍କୁ ସୌତୁଣୀର ଆଚରଣ କରିବାକୁ ପଡ଼ିଥାଏ । ଏ ରୂପ ଆଚରଣରେ ବେଶି ପୀଡ଼ାଗ୍ରସ୍ତ କିନ୍ତୁ ଓଡ଼ିଶା । ନିଜର ସ୍ଥିତିକୁ ଅନୁଭବ କରିବା ଆଗରୁ ବଙ୍ଗର ସ୍ଥିତିକୁ ବଡ଼ ତୀବ୍ରଭାବରେ ଏହାକୁ ଅନୁଭବ କରିବାକୁ ହୋଇ ଅଛି । ପୁଣି ସପତ୍ନୀ ହେବାଠାରୁ ଏହି ଅନୁଭବ କ୍ରମେ ଉତକଟତର ହୋଇ ଉଠୁଛି । ବଙ୍ଗର ଏହା ଘୃଣ୍ୟ, କାରଣ ତାହାର ସ୍ୱାମୀ ନିକଟରେ ଏହା ଅପର ଏକ ଭାଗଦାର ; ବଙ୍ଗକୁ ମଧ୍ୟ ଏହା ଘୃଣା କରିଛି, କାରଣ ତାହାର ସ୍ୱାମୀ ପ୍ରଥମେ ଏହି ବଙ୍ଗର ହିଁ ଉଚ୍ଛିଷ୍ଟ । ପ୍ରଥମେ ଏହି ବଙ୍ଗର ଆଲିଙ୍ଗନ ଓ ଚୂମ୍ବନକୁ ସେ ଲାଭ କରି ସାରିଛି । ଗୃହ ପ୍ରବେଶ କରି ଦେଖିଲା ଯଥାର୍ଥ ଗୃହିଣୀ ହୋଇ ବସିଛି ବଙ୍ଗ, ସୁତରାଂ ଭଣ୍ଡାର ଚାବିକାଠି ଖଣ୍ଡ ପଡ଼ିଛି ପହିଲେ ତାରି ହାତରେ ! ଏହାର ନିଜର ହୋଇ କିଛି ନାହିଁ । କେଉଁଠାରେ ବସିବ, କାହା ସଙ୍ଗେ ହସିବ, କିଛି ତାକୁ ଜଣାନାହିଁ । ସ୍ୱାମୀ ସାଥିରେ ଟିକିଏ ଦେଖା କରିବାକୁ ହେଲ ବି ପହିଲେ ସପତ୍ନୀର ଅନୁମତି ଦରକାର । ବସ୍ତୁତଃ ତାକୁ ଏହି ସ୍ୱାମୀ ଅପେକ୍ଷା ସଉତୁଣୀ ପ୍ରଭୃତ୍ୱହିଁ ବେଶି ମାନିବାକୁ ପଡ଼ିଲା । ସ୍ୱାମୀର ମନସ୍ତୁଷ୍ଟି ପାଇଁ ସପତ୍ନୀ ଯେଉଁ ବେଶ ଭୂଷା ଘେନିଥିଲା , ତାହାର ମଧ୍ୟ ଅନୁକରଣ କରି ବସିଲା । ସ୍ୱାମୀର ଆକ୍ରମଣ ଅପେକ୍ଷା ସପତ୍ନୀର ଆକ୍ରମଣ ହଁ ସେ ଅଧିକ ଅନୁଭବ କଲା । ତେଣୁ ସ୍ୱାମୀ ସଙ୍ଗେ କଜିଆ କରିବା ଆଗରୁ ସୌତୁଣୀ ସଙ୍ଗେ କଜିଆ କରିବାର ଅନେକ ଉପାଦାନ ତାକୁ ମିଳିଲା ।

 

ଦୁଇଟି ଭଉଣୀ ଯଦି ସୌତୁଣୀ ହୁଅନ୍ତି, ତାହାହେଲେ ସେମାନଙ୍କ ଭିତରେ ସପତ୍ନୀ ଭାବଟା ଯେପରି ଉତ୍କଟତର ହେବାର କଥା ବଙ୍ଗ ଉତ୍କଳ ଭିତରେ ସେହି ଆଦର୍ଶଟା ବେଶ୍ ଅନୁଧେୟ । ବଙ୍ଗ ସର୍ବ ପ୍ରଥମେ ପତ୍ନୀତ୍ୱ ଗ୍ରହଣ କରିବା ଫଳରେ ଯେଉଁ ଅଧିକାର ଓ ଶକ୍ତି ଲାଭ କରିଅଛି, ତାହା ବଳରେ ସେ ଉତ୍କଳ ପ୍ରତି ତାତ୍ସଲ୍ୟ ଓ ଅଗ୍ରାହ୍ୟଭାବ ପ୍ରକାଶ କରେ । କାରଣ ସେ ଭଲକରି ଜାଣେ ଉତ୍କଳରେ ସେ ଯେଉଁ ଅଧିକାର ପାଇଛି, ଉତ୍କଳ କଦାପି ସେ ଅଧିକାର ତାହାର ଧନ ସମ୍ପତ୍ତି ଉପରେ ହାସଲ କରି ପାରିବ ନାହିଁ । ଆହୁରି ମଧ୍ୟ ତାକୁ କିରାନିଖାନା, ଡାକ୍ତରଖାନା ଓ ଜେଲଖାନା ପ୍ରଭୃତିକୁ ତଡ଼ିଦେଇ ତାହାର ଜମିବାଡ଼ି ଏପରିକି ତାହାର ଧନ ଦାର ଉପରେ ମଧ୍ୟ ଅଧିପତ୍ୟ ବିସ୍ତାର କରିଛି ମୁସଲମାନ । ତେଣୁ ଓଡ଼ିଆଙ୍କ ପାଇଁ ସେଠାରେ ସମ୍ପୂର୍ଣ୍ନ ସ୍ଥାନାଭାବ ।

 

*ଏହା ପ୍ରବନ୍ଧ ଲେଖାଯିବା ସମୟରେ ବଙ୍ଗରେ ମୁସଲମାନଙ୍କ ଦ୍ୱାରା ହିନ୍ଦୁ ରମଣୀ ହରଣ ବ୍ୟପାର ଦୈନିକ ସମ୍ବାଦ ପତ୍ରରେ ଲକ୍ଷ୍ୟ କରିବାର ବସ୍ତୁ ହୋଇଥିଲା ।

 

ଉତ୍କଳ କିନ୍ତୁ ବଙ୍ଗକୁ ତାତ୍ସଲ୍ୟ କିମ୍ବା ଅଗ୍ରାହ୍ୟ କରିବାର ସ୍ଥାନକୁ ଉଠିପାରି ନାହିଁ ବୋଲି ତାହାକୁ ସେ ଘୃଣା ଓ ବିଦ୍ୱେଷ କରେ । ଅବଶ୍ୟ ସେତକ ସେ ଜୋର ସହିତ ଓ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଆଗରୁ ମାନ୍ଦ୍ରାଜ, ବଙ୍ଗଳା ଓ ସିଂହଭୂମି ଆଡ଼ୁ ତାହାର ଗଳାଟି କାଟି ଦିଆ ଯାଇଅଛି-। ତା’ ନ ହେଲେ ଅନେକ କ୍ଷେତ୍ରରେ ସେ କମ ବେଶି ପ୍ରତିଯୋଗିତା ରଖି ଆସୁଅଛି ।

 

ଚୈତନ୍ୟ ଓ ବ୍ରାହ୍ମଧର୍ମ ପ୍ରଚାର ଦ୍ୱାରା ବଙ୍ଗ ଯେପରି ଉତ୍କଳର ରୂକ୍ଷତାକୁ ମାର୍ଜିତ ଓ ସୁସଭ୍ୟ କରିଛି, ଉତ୍କଳର କୁଲି ଚାକର ଧୋବା ମେହେନ୍ତରମାନେ ସେହିପରି ବଙ୍ଗକୁ ପରିଷ୍କୃତ ସୁସଭ୍ୟ ରଖି ଆରାମ ଯୋଗାଇ ଆସିଛନ୍ତି । ଓଡ଼ିଶାର ଶିଳ୍ପ, ସାହିତ୍ୟ ଓ ଇତିହାସ ଆଲୋଚନାରେ ବଙ୍ଗାଳୀ ଗବେଷକମାନେ ଓଡ଼ିଶାର ଯେଉଁ ସବୁ ଅଭାବ ପୂରଣ କରିଛନ୍ତ, ତାହାଦ୍ୱାରା ଓଡ଼ିଆ ରାଜାମହାରାଜାଙ୍କ ସାହାଯ୍ୟରେ ତାଙ୍କର ନିଜର ମଧ୍ୟ ଅନେକ ଅଭାବ ଦୂର ହୋଇଛି । ଅର୍ଥାତ୍ ସେମାନଙ୍କ ଦ୍ୱାରା ଓଡ଼ିଶାର ଅତୀତ ଅନ୍ଧକାର ଯେଉଁ ଉପାୟରେ ଆଲୋକିତ, କଲିକତା ଇଲେକ୍ଟ୍ରିକ୍ ପାୱାର ହାଉସ୍‌ର ଓଡ଼ିଆ ମଜୁରିଆମାନେ କମ୍‌ବେଶି ସେହିପରି ଉପାୟରେ ସେମାନଙ୍କ ଘର ଆଲୁଅ କରୁଛନ୍ତି କହିଲେ ଦୋଷନାହିଁ । କଥାରେ, ବ୍ୟବହାରରେ, ଉପନ୍ୟାସ ନାଟକରେ, ଗଦ୍ୟ କବିତାରେ ଟିକିଏ ସୁଯୋଗ ପାଇଲେ ତାତ୍ସଲ୍ୟ ଓ ବିଦ୍ରୂପ ଦ୍ୱାରା ଓଡ଼ିଆଙ୍କୁ ଯେମିତି ହୀନ କରିବାକୁ ଚେଷ୍ଟା ବଙ୍ଗାଳୀମାନେ କରି ଆସିଛନ୍ତି, ଓଡ଼ିଆମାନେ ମଧ୍ୟ ପାଲା, ସଂକୀର୍ତ୍ତନ ଓ ରାସରେ, ଉପନ୍ୟାସ ନାଟକ ଓ କବିତାରେ ବଙ୍ଗ ଭାଷାର ବିକୃତ ଅନୁକରଣ କରି ସେମାନଙ୍କୁ ବରାବର ଉତ୍ତ୍ୟକ୍ତ କରିଛନ୍ତି ।

 

ଦୁଇ ପ୍ରଦେଶର ସାହଚର୍ଯ୍ୟରେ ପରସ୍ପରର ଉପକାର :–

 

ବଙ୍ଗର ସହଚର୍ଯ୍ୟ ଦ୍ୱାରା ଓଡ଼ିଶାର ଯେପରି ଉପକାର ହୋଇଛି, ବଙ୍ଗର ମଧ୍ୟ କମ ହୋଇନାହିଁ । ଓଡ଼ିଆଙ୍କର ବିବେକଶୂନ୍ୟ ରକ୍ଷଣଶୀଳତା,ଅତି ମାତ୍ରାରେ ଗୃହରୁଗ୍‌ଣତା, ଶିକ୍ଷା ଓ ସଭ୍ୟତା ସମ୍ୱନ୍ଧରେ ନିର୍ବୋଧ ଧାରଣା, କୃଷି ଓ ବ୍ୟବସାୟ ବିଷୟରେ ପଙ୍ଗୁତା ଇତ୍ୟାଦି ନିଜର ଅସଂଖ୍ୟ ଅଭାବ ସେମାନେ କିଛି ଅନୁଭବ କରି ପାରିଛନ୍ତି । ବଙ୍ଗାଳୀ ମାନଙ୍କ ଶିକ୍ଷା ଓ ସଭ୍ୟତା କ୍ଷେତ୍ରରେ ଓଡ଼ିଆ ମଧ୍ୟ ଗୋଟିଏ ମସ୍ତ ଉପକାର କରିଛି-ବଙ୍ଗକୁ ହାସ୍ୟ ଯୋଗାଇଛି । ଓଡ଼ିଆର ଅପରିଷ୍କୃତ ରୂପ, ତାହାର ଅସାମାନ୍ୟ ଦାରିଦ୍ର୍ୟ, ତାହାର ଅସମ୍ଭବ ତୃଟି, ତାର ଅଦ୍ଭୁତ ବଟୂଆ, ତାହାର-ଗଦର୍ଭ ଗତି, ମର୍କଟ ମୁଖ, ତାହାର କଦର୍ଯ୍ୟ ଭାଷା, କୁତ୍ସିତ ହସ, ବିକୃତ କାନ୍ଦଣା ଓ ବିରାଟ ବୋକାମିକୁ ଘେନି ଏକ ବିପୁଳ ହାସ୍ୟ ରସର ଅବତରଣା ସେ କରିଛି ତାହାର ଭଣ୍ଡାମିର ପ୍ରମାଣ ସ୍ୱରୁପ ଉତ୍କଳୀୟ ଗୋପାଳଭାଣ୍ଡକୁ ବଙ୍ଗ ଦେଶର ଘରେ ଘରେ ସେ ପରିଚିତ କରାଇଅଛି । ବଙ୍ଗକୁ ହାସ୍ୟ ଯୋଗାଇବା ପାଇଁ ନିଜକୁ ଗୁରୁତର ରୂପେ ହୃଦୟଙ୍ଗମ କରିବାକୁ ମଧ୍ୟ ଲୋଡ଼ି ନାହିଁ । ଏପରିକି ନିଜର ସାଧାରଣ ବୁଦ୍ଧି ପୁଣି ନିଜର ସାଧାରଣ ମର୍ଯ୍ୟାଦା-ଜ୍ଞାନର ଚୂଡ଼ାନ୍ତ ପକ୍ଷାଘାତ ଏବଂ ନିଜର ଆପଦ ଓ ଧ୍ୱଂସକୁ ମଧ୍ୟ ଏଥିପାଇଁ ସେ ଡାକିଆଣିଛି ।

 

ଅତଏବ ଏ ସବୁ କ୍ଷେତ୍ରରେ ଆଦାନ ପ୍ରଦାନର ତଉଲ କରିବା କଠିନ । ଉଭୟ ପ୍ରଦେଶର ରାଜନୀତିରେ ନୌକରୀ କରିବାଟାହିଁ ସବୁଠାରୁ ବଡ଼ ସମସ୍ୟା । ଉଭୟ ସ୍ଥାନରେ ରାଜନୀତିଜ୍ଞମାନେ ଯଥେଷ୍ଟ ବେଶ୍ ଗପ କରି ପାରନ୍ତି, କିନ୍ତୁ କହନ୍ତି ଖୁବ କମ୍ । ଉଭୟ ପ୍ରଦେଶର ସାହିତ୍ୟ ଉନ୍ନତ ପଥରେ ଗତି କରୁଛି, ପୁଣି ପୃଥିବୀର ସାତ ଆଠ ଗୋଟି ଭାଷା ଭିତରେ ବଙ୍ଗଳା ଭାଷାର ନାମୋଲ୍ଲେଖ ଅଛି । ତଥାପି ଉଭୟ ପ୍ରଦେଶରେ ଯେତେ ବହି ପ୍ରକାଶିତ ହୁଏ, ସେଥିମଧ୍ୟରୁ ସବୁଠାରୁ କମ୍ ସମୟରେ ଓ ସବୁଠାରୁ ବେଶି ସଂଖ୍ୟାରେ ବିକ୍ରି ହୋଇଥାଏ ନୂତନ-ପଞ୍ଜିକା । ଉଭୟ ପ୍ରଦେଶ ଭିତରେ ଆହୁରି ଘନିଷ୍ଠତର ସାମଞ୍ଜସ୍ୟ ମଧ୍ୟ ଅଛି । ଓଡ଼ିଆ କୁଲି ଚାକରଙ୍କୁ ଶିକ୍ଷିତ ବଙ୍ଗାଳୀ ମାନେ ଅନେକ ବର୍ଷ ଧରି ‘ଶଲା-ଉଡ଼େ’ କହିବା ଦ୍ୱାରା ଯେଉଁ ମିଷ୍ଟି ସମ୍ବନ୍ଧର ସୂଚନା ଦେଇ ଥାନ୍ତି, ତାହା ଫଳରେ ଶକ୍ଷିତ ଓଡ଼ିଆ ମାନେ ବଙ୍ଗଳାଙ୍କ ଭିତରେ ନିଜର ଶ୍ୱଶୁରଠାରୁ ଆରମ୍ଭ କରି ଶଡ଼ୁ ପର୍ଯ୍ୟନ୍ତ ସବୁ ସତ୍ୟ ସମ୍ବନ୍ଧ ବସାଇ ଦେଇ ଏ ସମ୍ବୋଧନର ଏକାବେଳେ ଗୋଟାଏ ଜୀବନ୍ତ ଓ ବାସ୍ତବ ଜବାବ ଦେଇ ଅଛନ୍ତି ।

 

ଫରକ ଭିତରେ ଅବା ଓଡ଼ିଆମାନେ ବେଶି ପରିମାଣରେ ଚୁଡ଼ା ଖାନ୍ତି, ସେଥିପାଇଁ ହୁଏତ ତାଙ୍କର ମୁଣ୍ଡ ଗୁଡ଼ିକ ଟିକେ ଚେପ୍‌ଟା ଏବଂ ଖୁବ୍ ଭାରୀ ବୋଝ ବୋହିବାକୁ ତାହା ପ୍ରଶସ୍ତ; ବଙ୍ଗାଳୀମାନେ ରସଗୋଲାକୁ ବେଶି ଭଲ ପାନ୍ତି, ସେଥିପାଇଁ ତାଙ୍କର ମୁଣ୍ଡଗୁଡ଼ିକ ହୁଏତ ଗୋଲ ଏବଂ ଚୂଡ଼ାଖିଆଙ୍କଠାରୁ ମଧୁରତର ଗୋଲାମି କରିବାକୁହିଁ ନିଜର ବଡ଼ କୃତିତ୍ୱ ବୋଲି ତାହା ଆବିଷ୍କାର କରିଛି । ତେଣୁ ଦୁଇ ପ୍ରଦେଶର ସମ୍ବନ୍ଧ ଏତେ ବେଶି ଘନିଷ୍ଠ ଯେ, ଏଣିକି ବଙ୍ଗାଳୀ ମାନେ ଓଡ଼ିଶାର ଆଉ କିଛି ଖାଇବାକୁ ନ ପାନ୍ତୁ ପଛେ ହାଉଆ ଖାଇବାକୁ ନିଶ୍ଚୟ ଆସିବେ; ପୁଣି ଓଡ଼ିଆମାନେ ବଙ୍ଗ ପ୍ରଦେଶରୁ ନିଜେ କିଛି ଖାଇବାକୁ ନ ପାଇଲେ ହେଁ ରୋଷେଇ କରି ସେମାନଙ୍କୁ ଖୋଇ ଦେବାକୁ ବରାବର ଯିବେ ।

 

ଓଡ଼ିଶାରେ ସ୍ଥାୟୀ ଅଧିବାସୀ ବଙ୍ଗାଳୀ :–

 

ଦୁଇ ପ୍ରଦେଶ ଲୋକଙ୍କ ସମ୍ବନ୍ଧରେ ଏ ସବୁ କଥା ଭାବିଲା ବେଳେ ମନେ ପଡ଼େ ଓଡ଼ିଶାର ସ୍ଥାୟୀ ଅଧିବାସୀ ବଙ୍ଗୀୟମାନଙ୍କର କଥା । ଅନୁପାତରେ ଏମାନଙ୍କ ସଂଖ୍ୟା ଓଡ଼ିଶାରେ ଅଳ୍ପ ହେଲେହେଁ ଜର୍ମାନୀର ଇହୁଦୀମାନଙ୍କ ପରି ନାନା କ୍ଷେତ୍ରରେ ସେମାନେ ଓଡ଼ିଶାର ସେବା ଓ ଉପକାର କରି ଅଛନ୍ତି; ପୁଣି ସେହିମାନଙ୍କ ପରି ହିଁ ସବୁବେଳେ ତାଙ୍କ ଉପରେ ସନ୍ଦେହ ଦୃଷ୍ଟି ପଡ଼ିଛି । ପାଞ୍ଚ ଶହ ବର୍ଷ ହେଲା ଓଡ଼ିଆଙ୍କର ଅଭାବ ଅଭିଯୋଗ ସଙ୍ଗେ ଏମାନେ ନିଜ ଅଭାବକୁ ଯୋଗ କରିଅଛନ୍ତି, ଓଡ଼ିଶାର ଶିକ୍ଷା ସଭ୍ୟତାର ସୁନାମ ପାଇଁ ଓଡ଼ିଆଙ୍କଠାରୁ ଅଳ୍ପ ଚେଷ୍ଟା କରି ନାହାନ୍ତି । ଓଡ଼ିଆଙ୍କ ଘରକୁ ଲଗାଇ ନିଜର ଘର କରିଛନ୍ତି; ପୁଣି ଓଡ଼ିଆଙ୍କ ଭାଷା ସଙ୍ଗେ ନିଜ ଭାଷାକୁ ମିଶାଇବାକୁ ଯାଇ ଯେଉଁ ଭାଷା କହନ୍ତି, ସେଥିରେ ଖାଣ୍ଟି ବଙ୍ଗାଳୀଙ୍କ ଦ୍ୱାରା ତ ଉପହସିତ ହୁଅନ୍ତି, ଓଡ଼ିଆଙ୍କ ଠାରୁ ମଧ୍ୟ ବିଦ୍ରୂପ ଶୁଣନ୍ତି ! ଅଥଚ ସେହିମାନେହିଁ ନିଜ ଭାଷାକୁ ଲକ୍ଷ୍ୟ ନ ରଖି ଓଡ଼ିଆ ଭାଷାକୁ ରକ୍ଷା କରିଥିଲେ; ପୁଣି ଉତ୍କଳର ପ୍ରଥମ ସମ୍ବାଦ-ପତ୍ର ପ୍ରକାଶ ଏବଂ ପ୍ରଥମ ନେତୃତ୍ୱ ଗ୍ରହଣ କରିଥିଲେ-ଯଥା, ଗୌରୀଶଙ୍କର ରା୍ୟ ଓ ମଧୁସୁଦନ ଦାସ ସି.ଆଇ.ଇ । ସେହିମାନଙ୍କ ଚେଷ୍ଟାରେ ହିଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୋଟାଏ ନୂଆ ଯୁଗ ଆସିଛି; ପୁଣି ସେହିମାନଙ୍କ ଦ୍ୱାରା ହିଁ ଓଡ଼ିଶାର ଇତିହାସ ଲେଖାଯାଇଛି, ଓଡ଼ିଶାରେ ବେସରକାରି ସ୍କୁଲ ବସିଚି ଓ ଓଡ଼ିଶାର ସମାଜ ସଂସ୍କାର ଆରମ୍ଭ କରାଯାଇଛି-ଯଥା, ରାଧାନାଥ,ଫକୀର ମୋହନ, ମଧୁସୂଦନ ରାଓ,ପ୍ୟାରି ମୋହନ ଆଚାର୍ଯ୍ୟ । ଅବଶ୍ୟ ମଧୁସୁଦନ ଦାସ, ଫକୀର ମୋହନ ସେନାପତି ଓ ମଧୁସୂଦନ ରାଓ ଓଡ଼ିଆମାନଙ୍କର ବଂଶଧର ଥିଲେ ବୋଲି କଥିତ ଅଛି, କିନ୍ତୁ ସେମାନଙ୍କର ବଂଶଧରମାନେ ରାଧାନାଥ ଓ ଗୌରୀଶଙ୍କରଙ୍କ ବଂଶଧରମାନଙ୍କ ଅପେକ୍ଷା ଘର ଭିତରେ ଅଧିକ ବିଶୁଦ୍ଧ ବଙ୍ଗଳା ଭାଷା କହିଥାନ୍ତି ବୋଲି ଶୁଣାଯାଏ; ପୁଣି ବଂଶଧରମାନଙ୍କଠାରୁ ହିଁ ସାଧାରଣତଃ ଜାତି ଗୋତ୍ର ସ୍ଥିର କରନ୍ତି ।

 

ଏହି କାରଣରୁ ଓଡ଼ିଶାବାସୀ ବଙ୍ଗୀୟମାନଙ୍କୁ କାୟମନୋ-ବାକ୍ୟରେ ଓଡ଼ିଆ ହେବା ପାଇଁ ଯେଉଁମାନେ ପରାମର୍ଶ ଦିଅନ୍ତି, ସେମାନଙ୍କର ତତ୍‌ପୂର୍ବରୁ ଅନେକ ଦିଗର କଥା ବିଚାରିବା ଦରକାର । ସେଥିମଧ୍ୟରୁ ପ୍ରଥମ କଥା-ଏକା ଭାରତରେ ନୁହେଁ, ଭାରତର ବାହାରେ ମଧ୍ୟ ବଙ୍ଗାଳୀ ଗୋଟିଏ ନାମଯାଦା ଜାତି ଓ ନାମଯାଦା ଭାଷା; କିନ୍ତୁ ଓଡ଼ିଆର ବାହାରେ କୌଣସି ସ୍ୱତନ୍ତ୍ର ପରିଚୟ ନାହିଁ । ବଙ୍ଗାଳୀ ବୋଲି ପରିଚୟ ଦେବା ଦ୍ୱାରା ଚାକିରି ବ୍ୟବସାୟ ପ୍ରଭୃତି କ୍ଷେତ୍ରରେ ଯେପରି ସୁଯୋଗ ଅଛି, ଓଡ଼ିଆ ହେଲେ ସେତେ ନାହିଁ ।

 

ଦ୍ୱିତୀୟ କଥା-କେବଳ ବଙ୍ଗର ମୁସଲମାନ ନୁହନ୍ତି କିମ୍ବା ବଙ୍ଗବାସୀ ଓଡ଼ିଆ ନୁହନ୍ତି, ଓଡ଼ିଶାବାସୀ ଓଡ଼ିଆମାନେ ମଧ୍ୟ, ଏପରିକି ରାଜା ମହାରାଜା, ନେତୃସ୍ଥାନୀୟ ବ୍ୟକ୍ତି, ଶିକ୍ଷିତ ଓ ସାହିତ୍ୟକମାନଙ୍କର ମଧ୍ୟ ବଙ୍ଗୀୟ ହେବାରେ ଚେଷ୍ଟା ସୁସ୍ପଷ୍ଟ । ତେଣୁ ଓଡ଼ିଶାବାସୀ ବଙ୍ଗୀୟମାନଙ୍କୁ ଓଡ଼ିଆ ହେବାକୁ କହିଲେ ପହିଲେ ଶିକ୍ଷିତ ଓଡ଼ିଆଙ୍କ ମତି ଗତିରୁହିଁ ପ୍ରତିକୂଳାଚରଣ କରିବାକୁ ପଡ଼େ ।

 

ତୃତୀୟ କଥା-ଓଡ଼ିଶାରେ ଏପରି ବ୍ୟକ୍ତିଗତ କିମ୍ବା ସଙ୍ଘବଦ୍ଧ ଚେଷ୍ଟା ବିରଳ, ଯାହା ମୂଳରେ ବଙ୍ଗୀୟ କବି ପଣ୍ଡିତଙ୍କର ସୁପାରିସ୍ ନାହିଁ । ଓଡ଼ିଶାର ପ୍ରାଚୀନ ଶିଳ୍ପ ଇତିହାସ କଥା ଛାଡ଼ି ଦେଲେ ମଧ୍ୟ ପଠାଣି ସାମନ୍ତ, ରାଧାନାଥ ଗ୍ରନ୍ଥାବଳୀ ଓ ସତ୍ୟବାଦୀ ବିଦ୍ୟାଳୟ ପ୍ରଭୃତିରେ ସେହିମାନଙ୍କ ସାର୍ଟିଫିକେଟ୍ ଦେଖିବାକୁ ମିଳେ । ଏହିପରି ନାନା କ୍ଷେତ୍ରରେ ବଙ୍ଗାଳୀ ମାନେହିଁ ଓଡ଼ିଆଙ୍କର ପରିଚୟ ହୋଇଥିବା ସ୍ଥଳେ, ଯେଉଁମାନେ ଆଜି ବଙ୍ଗାଳୀ ହୋଇ ରହିଅଛନ୍ତି, ସେମାନଙ୍କୁ ଓଡ଼ିଆ ହେବାପାଇଁ କେଉଁ ଯୁକ୍ତିରେ ପରାମର୍ଶ ଦିଆଯିବ ?

 

ଚତୁର୍ଥ କଥା-ଓଡ଼ିଶାର ମାଟି ଉପରେ ଦିନ ରାତି ଗର୍ଜନ କରି ଯେଉଁ ବାଷ୍ପୀୟ ଗାଡ଼ିଟା ଛୁଟିଛି, ସେ ତାହାର ନାମ ଘୋଷଣା କରୁଛି–‘‘ବେଙ୍ଗଲ ନାଗପୁର’’, ଓଡ଼ିଶାର ପାଣିତକ ଧରି ଯେଉଁ ସମୁଦ୍ର ଅହରହ କଳରୋଳରେ ମାତିଛି, ସେ ତାହାର ପରିଚୟ ଦେଉଛି-‘‘ବଙ୍ଗୋପସାଗର’’-। ଓଡ଼ିଶା ଆଗେ ନିଜେ ନିଜର ପରିଚୟ ଦେବାକୁ ସମର୍ଥ ହେଉ, ତା’ ପରେ ଅନ୍ୟକୁ ତିଆରିବା ପାଇଁ ପରାମର୍ଶ ଦେବ ।

Image

 

ପ୍ରତିବାଦର ଉତ୍ତର

 

‘ବଙ୍ଗ ଉତ୍କଳ ଦୁଇଟିଭଗିନୀ’ ନାମକ ମୋର ଏକ ପ୍ରବନ୍ଧ ୧୯୪୨ ସାଲ କନ୍ୟା ସଂଖ୍ୟା ‘‘ନବଭାରତ”ରେ ପ୍ରକାଶିତ ହୋଇଥିଲା । ଉକ୍ତ ପ୍ରବନ୍ଧ ବିରୁଦ୍ଧରେ ନାନା ଦିଗରୁ ଆପତ୍ତି ଉଠିଚି । ବଙ୍ଗ ଏବଂ ଉତ୍କଳ ପ୍ରତି ସ୍ଥଳ ବିଶେଷରୁ ମୁଁ କଟାକ୍ଷ କରିଥିବାରୁ ବଙ୍ଗ ଆଉ ଉତ୍କଳ ଭକ୍ତମାନେ ମୋ ଉପରେ ଦୋଷାରୋପ କରିଛନ୍ତି । ଜାତ୍ୟାଭିମାନୀ ବ୍ରାହ୍ମଣ ତଥା କରଣମାନଙ୍କର ମଧ୍ୟ ମୁଁ ଅସନ୍ତୋଷ ଭାଜନ ହୋଇଅଛି ।

 

ମୋହର ଏହି ପ୍ରବନ୍ଧ ପ୍ରତି କବି ରବିନ୍ଦ୍ରନାଥଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି; ପୁଣି ଏହାରି ଫଳରେହିଁ ଓଡ଼ିଶାକୁ ଆସିବା ପୂର୍ବରୁ ଉତ୍କଳର ବଙ୍ଗ ପ୍ରତି ବିଦ୍ୱେଷ ଭାବ ଥିବାର ସୂଚନା ଦେଇ ସେ ଶ୍ରୀମତୀ ମାଳତୀ ଦେବୀଙ୍କୁ ଚିଠି ଲେଖିଥିଲେ ।

 

ସବୁଠାରୁ ମୋ ଲେଖାପ୍ରତି ପ୍ରକାଶ୍ୟରେ ବେଶି ଉତ୍ତ୍ୟକ୍ତ ହୋଇଛନ୍ତି ଓଡ଼ିଶାର ଚୈତନ୍ୟ ସମ୍ପ୍ରଦାୟ । ଚୈତନ୍ୟଙ୍କୁ ମୁଁ ଓଡ଼ିଶା ସାମ୍ରାଜ୍ୟର ପତନ ପାଇଁ ମୁଖ୍ୟତଃ ଦାୟୀ ଧରିଛି; କଳାପାହାଡ଼ ସଙ୍ଗେ ତୁଳନା କରିଛି, ଚୈତନ୍ୟ ଧର୍ମର ଅତ୍ୟଧିକ ଗୋପୀଭାବ ସମ୍ବଦ୍ଧରେ ଆଲୋଚନା କରିଛି, ଇତିହାସକୁ ପ୍ରମାଣ ବୋଲି କହିଛି, ଇତ୍ୟାଦି ମୋର ତ୍ରୁଟିରୂପେ ପ୍ରଦର୍ଶିତ ହୋଇଅଛି । ଚୈତନ୍ୟ ଧର୍ମ ସମ୍ବନ୍ଧରେ ମୋର ସମ୍ୟକଜ୍ଞାନ ନ ଥାଇ ଏ ସକଳ ବିଷୟରେ ଅନଧିକାର ଚର୍ଚ୍ଚା କରିଛି ବୋଲି ମୋତେ ଅଭିଯୁକ୍ତ କରା ହୋଇଅଛି ।

 

ଚୈତନ୍ୟ ସମ୍ପ୍ରଦାୟର ‘ପରମାର୍ଥୀ’ ପତ୍ରିକାର ଗୋଟିଏ ସଂଖ୍ୟାରେ ଆମୂଳଚୂଳ କେବଳ ମୋହରି ପ୍ରବନ୍ଧକୁ ଉପଲକ୍ଷ କରି ଉକ୍ତ ଧର୍ମ ସମ୍ବଦ୍ଧୀୟ ବହୁ ଆଲୋଚନା ହୋଇଅଛି । ‘‘ନବଭାରତ’’ର ମକର ସଂଖ୍ୟାରେ ‘‘ଚୈତନ୍ୟ ଧର୍ମ ଓ ଓଡ଼ିଶା ସାମ୍ରାଜ୍ୟର ପତନ’’ ଶୀର୍ଷକ ପ୍ରବନ୍ଧଟିରେ ମଧ୍ୟ ମୋହରି ଲେଖାର ମତାମତ ଆଲୋଚିତ ହୋଇଅଛି । ଏହି ସମ୍ପର୍କରେ ଲିଖିତ (Ravenshavian) ପତ୍ରିକାର ଗତ ହୀରକ ଜୁବୁଲି ସଂଖ୍ୟାରେ Connection of Sri Chaitanya with Orissa ଶୀର୍ଷକ ପ୍ରବନ୍ଧଟି ମୁଁ ମନୋଯୋଗ ସହ ପଢ଼ିଚି ।

 

ମୋର ବକ୍ତବ୍ୟ ବିରୁଦ୍ଧରେ ଯେତେ ଗୁଡ଼ିଏ ପ୍ରମାଣ ପ୍ରଦର୍ଶିତ ହୋଇଅଛି, ତାହା ଭିତରେ ସର୍ବପ୍ରଧାନ ହେଉଛି, ଓଡ଼ିଶା ସାମାଜ୍ର୍ୟର ପତନ ପାଇଁ ଚୈତନ୍ୟଙ୍କୁ ଦାୟୀ କରିବା । କିନ୍ତୁ ଏଥିଲାଗି ମୋ ସହିତ କଜିଆ ହେବାର କାରଣ ନାହିଁ । ଓଡ଼ିଶାର ଐତିହସିକ ମାନେ ପୁଣି ଓଡ଼ିଶା ଇତିହାସର ସର୍ବଶ୍ରେଷ୍ଠ ପୁରୋଧା ରାଖାଲ ଦାସ ବନ୍ଦ୍ୟୋପାଧ୍ୟାୟ ଏଥିପାଇଁ ଦାୟୀ ।

 

ଚୈତନ୍ୟଙ୍କ ସମ୍ବନ୍ଧରେ ବହୁ ଲୋକଙ୍କର ବହୁ ବିବରଣୀ ଥିବା ସତ୍ତ୍ୱେ ଐତିହାସିକ ରାଖାଲ ଦାସ କାହିଁକି ଯେ ଜୟାନନ୍ଦଙ୍କ ‘‘ଚୈତନ୍ୟ-ମଙ୍ଗଳ’’ ଉପରେ ବିଶ୍ୱାସ କଲେ ତାହାର ଜବାବ ସେ ଦିଅନ୍ତେ । ତେବେ ଐତିହାସିକ ବିଚାରରେ ଯାହା ହେଉ, ସାଧାରଣ ଦୃଷ୍ଟିରେ ଦେଖାଯାଏ ଯେ, ଜୟାନନ୍ଦଙ୍କ ‘ଚୈତନ୍ୟ ମଙ୍ଗଳ’ରେ ମନୁଷ୍ୟର ବିଶ୍ୱାସଯୋଗ୍ୟ କେତେକ ବିବୃତ୍ତି ଅଛି ।

 

ଉଦାହରଣ ସ୍ୱରୂପ-ବୈଷ୍ଣବମାନେ ଚୈତନ୍ୟଙ୍କର ପୁରୀଠାରେ ଜଗନ୍ନାଥଙ୍କ ବିଗ୍ରହ ସହିତ ଲୀନ ହେବା, କିମ୍ବା ସମୁଦ୍ର ବକ୍ଷରେ ତିରୋଧାନ ବା ଅପ୍ରକଟ ହେବାର ଯେଉଁ ସବୁ ଅପାର୍ଥିବ ଘଟଣା ଉପରେ ବିଶ୍ୱାସ କରନ୍ତି, ପୁଣି ବୈଷ୍ଣବ ସାହିତ୍ୟରେ ସେ ସବୁ ଉଲ୍ଲେଖ କରିଅଛନ୍ତି, ଜୟାନନ୍ଦ ସେ ସମସ୍ତ ଗଳ୍ପକୁ ତ୍ୟାଗ କରି ଲେଖିଛନ୍ତି-ରଥ ଯାତ୍ରାରେ ଚୈତନ୍ୟ ଉଦ୍ଦାମ ନୃତ୍ୟ କରୁଥିବା ବେଳେ ତାଙ୍କ ବାମ ପାଦରେ ଇଟା ବାଜି ଜଖମ ହୋଇ ପଡ଼ିଲେ । ସେହି ଆଘାତରେ ହିଁ ଅଳ୍ପ ଦିନ ପରେ ତାଙ୍କର ମୃତ୍ୟୁ ହେଲା । ସଙ୍ଗେ ସଙ୍ଗେ ଏ କଥା ମନେ ରଖିବାକୁ ହେବ ଯେ, ଦୟାନନ୍ଦ ଜଣେ ପରମ ଚୈତନ୍ୟ-ପନ୍ଥୀ ।

 

ଅବଶ୍ୟ ଜୟାନନ୍ଦଙ୍କ ରଚନା ଅପେକ୍ଷା ବୈଷ୍ଣବ ସାହିତ୍ୟରେ ପ୍ରାଚୀନତର ରଚନା ଅଛି-। କିନ୍ତୁ ଐତିହାସିକ ସତ୍ୟାସତ୍ୟ ପ୍ରାଚୀନ ରଚନାରେ କିମ୍ବା ପରବର୍ତ୍ତୀ ରଚନାରେ ବେଶି ନିହିତ, ତାହାର ବିଚାର ଐତିହାସିକଙ୍କ ହାତରେ । ଐତିହାସିକ ରାଖାଲ ଦାସ ସେ ବିଚାର କରିଛନ୍ତି-। ତେଣୁ ଏ କ୍ଷେତ୍ରରେ ତାଙ୍କ ତଥ୍ୟକୁ ଅସ୍ୱୀକାର କରିବାକୁ ହେଲେ ସେହିପରି ଶକ୍ତିଶାଳୀ ଐତିହାସିକ ଓ ବିଶ୍ୱାସଯୋଗ୍ୟ ପ୍ରମାଣ ଆବଶ୍ୟକ ।

 

ଚୈତନ୍ୟ ଧର୍ମର ନାରୀତ୍ୱ ବା ଗୋପୀ ଭାବର ଅତ୍ୟଧିକ ଚର୍ଚ୍ଚା ସମ୍ବଦ୍ଧରେ ମୁଁ ଯାହା ଲେଖିଥିଲି, ତାହାର ଯଥାଯଥ ପ୍ରତିବାଦ ହୋଇ ନାହିଁ କିମ୍ବା ମୋ କଥା ମିଥ୍ୟା ବୋଲି କେହି ପ୍ରମାଣିତ କରି ନାହାନ୍ତି । ଓଡ଼ିଶାରେ ଚୈତନ୍ୟଙ୍କ ପୂର୍ବରୁ ଲକ୍ଷ୍ମୀ ପୂଜା ବା ଗୋପୀନାଥ ପୂଜା କିମ୍ବା ସାରଳା, ମଙ୍ଗଳା ପୂଜା ନ ଥିଲା ବୋଲି ମୁଁ କେଉଁଠାରେ କହି ନାହିଁ । ଦେବୀ ପୂଜା, ଦୁର୍ଗା ଉପାସନା ଏକା ଓଡ଼ିଶା କାହିଁକି, ସମଗ୍ର ଭାରତରେ ତ ବହୁ ପ୍ରାଚୀନ କାଳରୁ ପ୍ରଚଳିତ; କିନ୍ତୁ ପୁରୁଷକୁ ନାରୀ ଭାବରେ ଅନୁପ୍ରାଣିତ କରିବା ପାଇଁ ଚୈତନ୍ୟ ଧର୍ମର ପ୍ରଭାବ ଯେମିତି ପରିସ୍ଫୁଟ, ତାହା କୌଣସି ବାଳକକୁ ମଧ୍ୟ ବୁଝାଇ ଦେବା ଆବଶ୍ୟକ ନାହିଁ ।

 

ବୈଷ୍ଣବ ରାଜାମାନେ ଯୁଦ୍ଧ କରୁ ନ ଥିଲେ କିମ୍ବା ପ୍ରତାପରୁଦ୍ରଙ୍କ ପୂର୍ବବର୍ତ୍ତୀ ପୁରୁଷୋତ୍ତମ ଓ କପିଳେନ୍ଦ୍ର ବୈଷ୍ଣବ ନ ଥିଲେ, ଏ ଧାରଣା ମୁଁ କରି ନାହିଁ ଏବଂ ଆଶା କରେ ମୋ ପ୍ରବନ୍ଧର ପାଠକ ମାନେ ମଧ୍ୟ କରି ନ ଥିବେ । ମୁଁ କେବଳ ଚୈତନ୍ୟଙ୍କର ନବ ବୈଷ୍ଣବ ଧର୍ମର ଉତ୍କଳରେ ପ୍ରଭାବ କଥା ଆଲୋଚନା କରିଛି, ଏ କଥା ଆଉ ଥରେ ବୁଝାଇ ଦେବା ଆବଶ୍ୟକ ନାହିଁ; ପୁଣି ଧର୍ମ ସହିତ ଭାରତୀୟ ସାମରିକତାର କି ସମ୍ପର୍କ, ତାହାରି ବିଚାର ପଦେ କଥାରେ ହୁଏ ନାହିଁ; ସେଥିପାଇଁ ପୂର୍ବାପର ସଙ୍ଗତି କ୍ରମରେ ଇତିହାସର ଘଟଣା ଗୁଡ଼ିକର ନିରପେକ୍ଷ ବିଚାର ପ୍ରୟୋଜନ, ତାହାର ସ୍ଥାନ ଏଠାରେ ନୁହେଁ ।

 

ଏହା ପରେ ଚୈତନ୍ୟ ଓ କଳାପାହାଡ଼ଙ୍କ ମଧ୍ୟରେ ଯେଉଁ ଚମତ୍କାର ତୁଳନା-ମୂଳକ ବ୍ୟାଖ୍ୟାଟିର ମୁଁ ଅବତାରଣା କରିଚି, ସେଥିଲାଗି-ମୋ ଲେଖନୀକୁ କେହି ବାହାବା ଦେବା ଦୂରେ ଥାଉ, ମୋ ଚିତ୍ତର ଅସଂଯମ ଓ ଭାବଚ୍ଛ୍ୱାସର ସନ୍ଧାନ ପାଇ ଅଛନ୍ତି । ଅଥଚ ନାମ ସଂକୀର୍ତ୍ତନ କାଳରେ ଚୈତନ୍ୟ-ପନ୍ଥୀମାନଙ୍କ ସଂଯମହୀନ ଭାବୋଚ୍ଛ୍ୱାସର ଯେଉଁ ଚିତ୍ର ମୁଁ ଏବଂ ମୋର ପ୍ରିୟ ପାଠକ ପାଠିକାମାନେ ପ୍ରତ୍ୟେକ୍ଷ କରିଛୁ, ତା’ର ଶତାଂଶରୁ ଅଂଶେ ହେଲେ ନିଜ ଠାରେ ପ୍ରକଟିତ କରିବାର କ୍ଷମତା ମୋର ଅଛି କି ?

 

ମୋଟା ମୋଟି ପ୍ରବନ୍ଧଟିର ଯେତେଗୁଡ଼ିଏ ଆଲୋଚନା ହୋଇଯାଇଚି, ତାହା ଭିତରୁ କେଉଁ କଥାଟି ମୋର ପ୍ରତିବାଦ, ତାହା ସ୍ପଷ୍ଟ ରୁପେ ଧରିବାର ଉପାୟ ନାହିଁ । ଅନେକ ସ୍ଥଳରେ ସମାଲୋଚକ ମୋର କଥାକୁହିଁ ସ୍ୱୀକାର କରିଅଛନ୍ତି । ସୁତରାଂ ପ୍ରତି କଥାର ପ୍ରତିବାଦ ଲେଖିବାର ଅବକାଶ ନାହିଁ ।

 

ଶେଷରେ ମୁଁ ଏତିକି କହିବାକୁ ଚାହେଁ ଯେ ମୁଁ ବଙ୍ଗ କିମ୍ବା ଉତ୍କଳ, ବ୍ରାହ୍ମଣ କିମ୍ବା କରଣ ଆଦି କୌଣସି ଦେଶ ବିଶେଷ ବା ଜାତି ବିଶେଷରେ ଅଧିକ ଅନୁରାଗୀ ନୁହେଁ ।

 

ସେହି ରୂପେ ଚୈତନ୍ୟ କିମ୍ବା ତାଙ୍କ ଶ୍ରେଣୀୟ ଆଉ କାହାରି ଶିଷ୍ୟ କିମ୍ବା ଭକ୍ତ ନ ହେଲେହେଁ ମୋର ତାଙ୍କ ଭିତରୁ କାହାରି ପ୍ରତି ସ୍ଥାୟୀ ଆକ୍ରୋଶ ନାହିଁ । କିନ୍ତୁ ସେମାନଙ୍କ କାର୍ଯ୍ୟ ଓ ତାହାରି ଫଳାଫଳ ସମ୍ବନ୍ଧରେ ମୁଁ ଏବଂ ମୋପରି ଆଉ ସମସ୍ତଙ୍କର ନିନ୍ଦା ପ୍ରଶଂସା କରିବାରେ ଅଧିକାର ଅଛି ।

 

ଆଉ ଗୋଟିଏ କଥା-ମୁଁ ଓ ମୋର ସମାଲୋଚକଙ୍କ ମଧ୍ୟରେ ମୌଳିକ ପ୍ରଭେଦ ରହିଛି, ବିଷୟଟିକୁ ବିଭିନ୍ନ ଦିଗରୁ ଦେଖିବାରେ । ଚୈତନ୍ୟଙ୍କୁ ଓ ତାଙ୍କରି ପରି ଅନ୍ୟମାନଙ୍କୁ ମୁଁ ଇତିହାସ ପ୍ରସିଦ୍ଧ ଖ୍ୟାତନାମା ବ୍ୟକ୍ତି ବିଶେଷ କିମ୍ବା ମହାପୁରୁଷ ବୋଲି ଜ୍ଞାନ କରେ । ମୋର ମନେ ହୁଏ, ସେମାନଙ୍କୁ ‘ମହାପ୍ରଭୁ, ଭଗବାନ୍’ ପ୍ରଭୃତି ଆଖ୍ୟା ଦେବା ତାଙ୍କ ପ୍ରତି ଘୋର ଅନ୍ୟାୟ କରିବା । କାରଣ ଐତିହାସିକ ଚରିତ୍ର ରୂପେ ଦେଖିବା ଦ୍ୱାରା ତାଙ୍କର ଅସ୍ତିତ୍ୱ ଓ ସତ୍ୟତା ସମ୍ବଦ୍ଧରେ କାହାରି ପ୍ରଶ୍ନ କରିବା ସହଜ ନୁହେଁ । ଅଥଚ ଭଗବାନ୍ ଓ ମହାପ୍ରଭୁ ପ୍ରଭୃତିଙ୍କର ଅସ୍ତିତ୍ୱ ବିରୁଦ୍ଧରେ ପୃଥିବୀରେ ବହୁ ସୁଯୁକ୍ତିପୂର୍ଣ୍ଣ ପ୍ରମାଣ ଅଛି ।

Image

 

ନବ ଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ

 

* ୧୯୩୫ ମସିହା କଟକରେ ଅନୁଷ୍ଠିତ ନବ ଯୁଗ-ସହିତ୍ୟ-ସଂସଦର ଆଦ୍ୟ ଉତ୍ସବର ମୁଖ ପୁରୋଧା ରୂପେ ଦେଇଥିବା ଉଦ୍‌ବୋଧନ ।

 

ଆମ୍ଭମାନଙ୍କର ଶିଶୁ ଅବସ୍ଥାରେ ହିଁ ସବୁ କ୍ଷେତ୍ରରୁ ତାଡ଼ନାର ଆରମ୍ଭ :–

 

ସହଯାତ୍ରି ବର୍ଗ !

 

ନବ ଯୁଗ ସାହିତ୍ୟ ସଂସଦର ପ୍ରଥମ ଉତ୍ସବ ସପ୍ତାହରେ ପ୍ରଧାନ ସଭାପତିର ଅଧିକାର ପାଇ ମୋହର ଆସନ ବ୍ରିଟିଶ ପାର୍ଲିଆମେଣ୍ଟର ସ୍ପିକର ବା ବାଚସ୍ପତି ସଙ୍ଗେ ସମାନ । ଫରକ ଭିତରେ ଏତିକି, ପାର୍ଲିଆମେଣ୍ଟରେ ସେ ସ୍ଥାନଟି ଯାହାଙ୍କୁ ମିଳେ, ସେ କେବଳ ବାଚସ୍ପତିର ନାମଟି ପାଇଥାନ୍ତି, କାମରେ ତାଙ୍କୁ ପ୍ରଗାଢ଼ ମୌନବ୍ରତ ମାନି ଅନ୍ୟମାନଙ୍କର ବକ୍ତୃତା ଶୁଣିବାକୁ ହିଁ ହୁଏ-ଏପରିକି ନିଜେ ଯାହା କହନ୍ତି, ସେଥିରେ ତାଙ୍କୁ ବାଚସ୍ପତି ନ କହି ମୂକ କହିବା ହିଁ ଅଧିକ ସଙ୍ଗତ ।

 

ମୋ କାମଟି କିନ୍ତୁ ଠିକ୍ ତାହା ନୁହେଁ । ଅନ୍ୟମାନଙ୍କୁ ମୂକ ରଖି ବେଶି ପରିମାଣରେ କଥା ଗପିବାହିଁ ମୋହର ଆଜି ଏଠାରେ କର୍ତ୍ତବ୍ୟ । କଥା ଯେତେ ଦିନ କହି ଶିଖି ନ ଥିଲି, ସେତେ ଦିନ ତାହା ଶୁଣିବାକୁ ବାପ ମା ଓ ଆଉ ସମସ୍ତଙ୍କର ଆଗ୍ରହ ଥିଲା ଯଥେଷ୍ଟ । କିନ୍ତୁ କହି ଶିଖିବା ସଙ୍ଗେ ସଙ୍ଗେ ନାନା ବିଷୟରେ ପ୍ରଶ୍ନ କରିବାକୁ ଆଗ୍ରହ ଯେତେବେଳେ ଜନ୍ମିଲା, ସେତେବେଳେ ଖାଲି ବାପା ମା ନୁହନ୍ତି, କ୍ରମେ କୁଟୁମ୍ବ, ପଡ଼ୋଶୀ, ସମାଜ ଓ ରାଷ୍ଟ୍ର ପ୍ରଭୃତି ସବୁ-ଦିଗରୁ ତାଗଦା ଆସିଲା-ଚୁପ୍ ଚୁପ୍ ! ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପାଇବା ପର୍ଯ୍ୟନ୍ତ ସମୟ ଭିତରେ ଏହି ଚୂପ୍ ଚାପ ତାଗଦାଟା ହିଁ ଆଉ ସବୁ ପାଠ ଅପେକ୍ଷା ବେଶି ପରିମାଣରେ ସ୍ମରଣରେ ଅଛି ।

 

ମୋହର ମନେ ହୁଏ, ଆମ୍ଭମାନଙ୍କର ବାସସ୍ଥାନ ଏହି ଗ୍ରହଟିର ଶତକଡ଼ା ଶହେ ଲୋକଙ୍କର ଜୀବନ ଆରମ୍ଭ ହୁଏ ଏହି ରୂପେ । ଯେମିତିକି ଶୈଶବରୁହିଁ ସମସ୍ତଙ୍କର ଅନେକ ଗୋପନୀୟ ବିଷୟରେ ଆମ୍ଭେମାନେ ପ୍ରଶ୍ନ କରିପାରୁଁ, ଯାହାର ପ୍ରକାଶନରେ ପୃଥିବୀ ପ୍ରଳୟର ଆଶଙ୍କା ଅଛି ! କିନ୍ତୁ ବନ୍ଧୁଗଣ ! ଶିଶୁ ମନର ଉଦ୍ଦ୍ୟାମ ସ୍ୱଚ୍ଛନ୍ଦ ପ୍ରକୃତି କୌଣସି ବାରଣ ବା ଭୟ ଦେଖାଇବା ଦ୍ୱାରା ଦମି-ଯିବାର ବସ୍ତୁ କି ? ନୂଆ ହୋଇ ସେ ଜଗତକୁ ଆସିଛି, ଛୋଟ ବଡ଼ ସବୁ ବସ୍ତୁ ସଙ୍ଗେ ତାହାର ପରିଚୟ ହେବା ଦରକାର, ସବୁ ବିଷୟରହିଁ ଜିଜ୍ଞାସୁ ହେବା ତାହାର ଧର୍ମ । ଅଥଚ ସବୁ ବିଷୟ ତାକୁ ବୁଝାଇ ଦେବା ପାଇଁ ଅଭିଭାବକଙ୍କର ସମୟ ନାହିଁ ପୁଣି ଅନେକ ବୁଷୟ ବୁଝାଇବା ପାଇଁ ସଙ୍କୋଚ ଅଛି । ଶିକ୍ଷକଙ୍କର ମଧ୍ୟ ଗୋଟିଏ କଥାକୁ ବାରମ୍ବାର ବୁଝାଇ ଦେବାକୁ ଧୈର୍ଯ୍ୟର ଅଭାବ । ଅତଏବ ଢିଙ୍କିଗିଳା ନୀତିରେ ତାହାକୁ ଜବରଦସ୍ତି ବୁଝାଇ ଦେବାର ବ୍ୟବସ୍ଥା ଅଛି । ସମାଜର ଅନ୍ୟ ସବୁ କ୍ଷେତ୍ରରେ ଯେଉଁ ବ୍ୟବସ୍ଥା, ଶିଶୁର ବୋଧଶକ୍ତି ବଢ଼ାଇବା ପାଇଁ ମଧ୍ୟ ତାହାହିଁ ନିର୍ଦ୍ଦିଷ୍ଟ ହୋଇଛି-ଅର୍ଥାତ୍ ଶାସ୍ତି । କାରଣ ଶିଶୁ ମଧ୍ୟ ଚୋରି କରେ, ଡକାୟତି କରେ, ପୁଣି ତାହାର ପ୍ରତିକାର ରୂପେ କାୟିକ ଶାସ୍ତି ହିଁ ସବୁଠାରୁ ସହଜ ଓ ସୁକର ପନ୍ଥା । କିନ୍ତୁ ଏହି ଭୟ ଦେଖାଇବା, ବାରଣ କରିବା କିମ୍ବା ଅନ୍ୟ ରକମ ପ୍ରକୃତ ଶାସ୍ତିରେ ମଧ୍ୟ ଶିଶୁର କୌତୁହଳ ଜନ୍ମିବାର କାରଣ ଅଛି । ସେଥି ସଙ୍ଗେ ମଧ୍ୟ ପରିଚିତ ହେବାକୁ ସେ ଚାହେଁ । ସେ ପରିଚୟଟା ଅବଶ୍ୟ ତାହା ପକ୍ଷରେ ସୁଖକର ହୋଇ ପାରେ ନାହିଁ । ତଥାପି ବାସ୍ତବ କ୍ଷେତ୍ରରେ ଦେଖାଯାଏ ତାହାର ଭିତର, ପ୍ରଶ୍ନ-‘କାହିଁକି’ ଓ ‘କଣ’ ପାଇଁ ପ୍ରହାର ମଧ୍ୟ ସନୋଷଜନକ ଜବାବର କାର୍ଯ୍ୟ କରିପାରେ ନାହିଁ । ପୃଥିବୀମୟ ଶିଶୁରହିଁ ଏହି ସମସ୍ୟା ।

 

ମନୁ ପରାଶରଙ୍କ ଦେଶରେ ଯେକୌଣସି ପ୍ରାଚୀନ ବ୍ୟବସ୍ଥା ସମ୍ୱନ୍ଧରେ କାରଣ ପଚାରିବା ମଧ୍ୟ ଦୋଷାବହ । ଋଷି-ବାକ୍ୟ ବିନା ପ୍ରଶ୍ନରେ ଶିରୋଧାର୍ଯ୍ୟ ପୁଣି ଯେ କେହି ବାକ୍ୟୋଚ୍ଚାରଣ କରିଅଛନ୍ତି, ସମସ୍ତେ ହିଁ ଋଷି । ଅତଏବ ମୂକ ହେବା ପାଇଁ କେବଳ ଆମ ପିତା ବା ଅଭିଭାବକ ଦାୟୀ ନୁହନ୍ତି । ଆମର ପ୍ରପିତାମହ ଓ ବୃଦ୍ଧ ପ୍ରପିତାମହମାନେ ମଧ୍ୟ ଏଥିପାଇଁ ବହୁ ସ୍ତୁତି ସଂହିତା ରଖି ଯାଇ ଅଛନ୍ତି ।

 

ମୋହ ପକ୍ଷରେ କିନ୍ତୁ ବହୁ କାଳ ମୂକ ରହିବା ପରେ ଆଜି ହଠାତ୍ ଏକ ପରିବର୍ତ୍ତନ ଆସିଛି-ଅର୍ଥାତ୍ ଆପଣମାନଙ୍କୁ ମୂକ ରଖି ମୁଁ ଆଜି ମୁଖର ହୋଇ ପାରିଛି । ବର୍ତ୍ତମାନ ମୁଖର ହେବାକୁ ଯାଇ ଦେଖୁଚି, ସେଥିଲାଗି ମୋ ଆଗରେ ଦୁଇଟା ରାସ୍ତା ପଡ଼ିଚି । ତାହା ଭିତରୁ ଗୋଟିଏ ହେଉଛି ସ୍ପର୍ଶ, ଆରଟି ଆଘାତ-ଗୋଟିକର ଲକ୍ଷ୍ୟ ସ୍ଥଳ ହୃଦୟ, ଆରଟିର ମସ୍ତିଷ୍କ । ଶୈଶବରୁ ଆଜି ପର୍ଯ୍ୟନ୍ତ ଅନେକ ସ୍ପର୍ଶ ମୁଁ ଦେଇଛି ଏବଂ ପାଇଥିବି ହୁଏ ତ । କିନ୍ତୁ ତାହାର ମୂଲ୍ୟ ବୁଝିବାକୁ ସମର୍ଥ ହୋଇ ପାରି ନାହିଁ । ସୁତରାଂ ବହୁ ଲୋକଙ୍କୁ ମୂକ ରଖିବାର ଏହି ଅବସର ପାଇ ମୋହର ଶ୍ରୋତାମାନଙ୍କ ମସ୍ତିଷ୍କକୁ ମୁଁ ଆଘାତ କରିବାକୁ ଲୋଡ଼େଁ । ଏହା ଯଦି ଠିକ୍ ଭାବରେ କରିପାରେଁ-ତେବେ ଚାଳିଶ ବର୍ଷ ପରେ ଏଡ଼ୋଆ ଅଧିକାରର ପ୍ରତିଶୋଧ ନେଇ ଇଟାଲି ଯେମିତି ଉତ୍ସାହ ପାଗଳ ହୋଇ ଉଠିଛି, ମୁଁ ମଧ୍ୟ ଆଜି ଚାଳିଶ ବର୍ଷ ବୟସର ଅଭିମୁଖୀ ହୋଇ ସେହି ରୂପ ଏକ ପ୍ରତିଶୋଧ ଆପଣମାନଙ୍କ ଉପରେ ନେଇ ଆନନ୍ଦିତ ହେବି ।

 

ବନ୍ଧୁଗଣ ! ଶିଶୁ ଅବସ୍ଥାରୁହିଁ ପ୍ରତି ଲୋକଠାରୁ କଥା କହିବାର ଏହି ନ୍ୟାର୍ଯ୍ୟ ଅଧିକାର ଛଡ଼ାଇ ନିଆଯାଏ । ସମାଜର ଏହି ନୂତନ ଆଗନ୍ତୁକ ପ୍ରତି ଯେଉଁ ଯଥେଚ୍ଛାଚାର, ଅବିବେକିତା, ଅବହେଳା ଓ ଅନୁକମ୍ପା ପ୍ରଦର୍ଶନ କରାଯାଏ, ତାହା ଧନୀର ନିର୍ଦ୍ଧନ ପ୍ରତି, ମହାଜନର ଖାତିକ ପ୍ରତି, ଉଚ୍ଚ ବର୍ଣ୍ଣର ହରିଜନ ପ୍ରତି, ପୁରୁଷର ନାରୀ ପ୍ରତି, ସବଳର ଦୁର୍ବଳ ପ୍ରତି ଏବଂ ପ୍ରଭୁର ଦାସ ପ୍ରତି ବ୍ୟବହାରଠାରୁ କୌଣସି ଅଂଶରେ ଅଳ୍ପ ବୋଲି ମେନ ହୁଏ ନାହିଁ ।

 

ଦେଶ ବିଶେଷରେ, ଜାତି ବିଶେଷରେ କମ୍ ବେଶି ପରିମାଣରେ ଏହାହିଁ ପୃଥିବୀ-ମୟ ସମସ୍ୟା । ଏହା ଭିତରୁ ଯଦି ଅଲଗା କରି ଭାରତବର୍ଷର କଥା ଉଲ୍ଲେଖ କରାଯାଏ, ତେବେ ତାହା କହିବାକୁ ହେବ ନାହିଁ, ବାହୁନିବାକୁ ପଡ଼ିବ । ଏ ଦେଶ-ଶିଶୁର ଗର୍ଭସ୍ଥ ହେବା ମାତ୍ରେ ମରଣର ଆଶଙ୍କା ଶତକଡ଼ା ୪୦ ଭାଗ । କାରଣ ଯାହାର ଗର୍ଭସ୍ଥ ସେ ହୁଏ, ଜନନୀ ହେବାର ଯୋଗ୍ୟତା ତାହାର ନା ବୁଦ୍ଧିରେ ନା ବୟସରେ ଜନ୍ମିଥାଏ । ଏ ଦେଶର ସବୁ ନୂତନ ସଂଗଠନ ଓ ନୂତନ ଆନ୍ଦୋଳନର ପରିକଳ୍ପନା ପରି ସବୁ ଶିଶୁଙ୍କର ହିଁ ଗର୍ଭରୁ ନଷ୍ଟ ହେବାର ଆଶଙ୍କା ବିଦ୍ୟାମାନ । ଏ ଦେଶର ବହୁ ଜନନୀଙ୍କର ଅଶିକ୍ଷା, ଅସ୍ୱାସ୍ଥ୍ୟ, ଅନିୟମ, ଆଉ କାହାର ଗୁରୁଜନ ପୁଣି ଗୁରୁଜନ ଅଭାବରେ ଭୂତପ୍ରେତର ଭୟ ହିଁ ଅନ୍ୟାନ୍ୟ କାରଣ ଭିତରେ ଏଥି ପାଇଁ ଦାୟୀ । ପୁଣି ଶିଶୁ ଯଦି ଦୈବାତ୍ ଗର୍ଭପାତ୍ ବିପତ୍ତିରୁ ବଞ୍ଚିଯାଏ ତାହାହେଲେ ମୁର୍ଖ ଧାଈ, ବିଶ୍ୱାସ-ଅନ୍ଧ ପିତା ଓ ପଡ଼ୋଶୀ ପୁଣି ଅଜ୍ଞ ଚିକିତ୍ସକ ହାତରେ ମଧ୍ୟ ତାହାର ମୃତ୍ୟୁର ଭୟ ପଦେ ପଦେ ।

 

ଏହିପରି ଲାଳନ ଉପରେ ଆଉରି ବି ତାଡ଼ନା ଅଛି ! ସେ ତାଡ଼ନା ଏତେ ଉତ୍କଟ, ଏତେ ବୀଭତ୍ସ ଯେ, ଦାସ ପ୍ରଥା ପରି ତାହା ହୃଦକମ୍ପ ଜାତ କରାଏ । ପିତା, ଶିକ୍ଷକ ବା ଗୁରୁଜନ ସମକ୍ଷରେ ପୁତ୍ରର ସିଧା ହୋଇ ଚାଲିଯିବାକୁ ମଧ୍ୟ ନିଷେଧ, କଥା କହିବା ତ ଦୂରର । ତିନି ଚାରି ବର୍ଷ ବୟସର ଶିଶୁକୁ ଶାନ୍ତ କରିବାକୁ ଯେତେ ନୁହେଁ, ତାହାଠାରୁ ଶାନ୍ତି ପାଇବାକୁ ହିଁ ଯେଉଁ ଭୂତର ଭୟ ତାହା ଭିତରେ ପ୍ରବେଶ କରାଇ ଦିଆଯାଏ, ଦଶ ବାର ବର୍ଷ ବୟସରେ ସେ ଭୟଟା ପିତା କିମ୍ବା ଶିକ୍ଷକର ରୂପ ପରିଗ୍ରହ କରେ । ତଥାପି ପିତା କିମ୍ବା ଶିକ୍ଷକଠାରେ ଯଦି ସେହି ଦାସ-ଭାବ ଆବଦ୍ଧ ରହନ୍ତା, ତେବେହେଲେ ରକ୍ଷା ଥିଲା । କିନ୍ତୁ ପରିବାର ପରି ସମାଜର ପ୍ରଭୃତ୍ୱ ମଧ୍ୟ ଏହି ଶିଶୁ ବୟସରୁ ହିଁ ଅନୁଭବ କରିବାକୁ ହୋଇଥାଏ ଏବଂ ସମସ୍ତଙ୍କ ପାଖରେ ତାଚ୍ଛିଲ୍ୟ ଓ ଅବହେଳା ପାଇବାକୁ ହୋଇଥାଏ ।

 

ଶୈଶବରୁ ଧର୍ମ-ଦାସତ୍ୱ ଓ ଯୌନ ଦାସତ୍ୱ ଶିକ୍ଷା :–

 

ସବୁ ଦିଗରୁ ସଙ୍କୋଚ ଓ ବାଧା ପାଇ ଅନ୍ୟମାନଙ୍କ ଅନୁକରଣରେ ତାହାକୁ ଆତ୍ମଦମନ ଶିକ୍ଷା କରିବାକୁ ହୁଏ । ବୟସ୍କମାନଙ୍କ ଅନୁକରଣରେ ତାକୁ ଯେପରି ଧର୍ମଦାସତ୍ୱ ପ୍ରଭାବିତ କରେ ପୁଣି ହେତୁହୀନ ଭୂତଭୟ ତାହା ସହିତ ଜଡ଼ିତ ହୋଇ ରହେ; ସେହିପରି ଏହି ଆତ୍ମଦମନର ଅଭ୍ୟାସରୁହିଁ ତାର ଯୌନଦାସତ୍ୱର ସୂତ୍ରପାତ ହୁଏ । ଅନ୍ୟକୁ ଅନୁକରଣ କରି ସେ ଯେମିତି ଅଜ୍ଞାତ ଦେବତା ପାଖରେ ମସ୍ତକ ନୁଆଏଁ, ସେମିତି ତାର ଜ୍ଞାତ ଯୌନ ପ୍ରବୃତ୍ତିକୁ ଗୋପନ ରଖେ । ଯେଉଁ ବସ୍ତୁ ଇନ୍ଦ୍ରିୟାତୀତ ତାହାକୁ ପ୍ରକାଶ୍ୟରେ ନମସ୍କାର କରେ, କିନ୍ତୁ ଯାହା ଇନ୍ଦ୍ରିୟଭୁକ୍ତ, ଅତି ପ୍ରକାଶ୍ୟ, ତାହାକୁ ଲଜ୍ଜାରେ ଘୋଡ଼ାଇ ରଖେ । ଧର୍ମକୁ ସେ ଅନୁଭବ କରେ ଭୟ ରୂପେ, କିନ୍ତୁ ଯୌନ-ପ୍ରକ୍ରିୟା କୃତ୍ରିମ ହେଲେହେଁ ତାହା ପକ୍ଷରେ ସୁଖକର । ଶିଶୁର ସ୍ୱଚ୍ଛ ଚେତନା ଉପରେ ପ୍ରଥମରୁ ଏହି ଯେ ଦାସତ୍ୱର ଦୁଇଟି ଛାୟାପାତ ହୁଏ, ସେଥି ମଧ୍ୟରୁ ଗୋଟିଏ ବିକୃତ କରେ ମସ୍ତିଷ୍କର, ଆରଟି କରେ ଦେହର ସ୍ୱାସ୍ଥ୍ୟକୁ ।

 

ଅଥଚ ଶିଶୁ ବେ କିଶୋର ଜୀବନର ଏହି କୃତ୍ରିମତା ପାଇଁ ପ୍ରତିକାରର ଯେପରି ବ୍ୟବସ୍ଥା କରାଯାଇ ଅଛି, ପ୍ରତିଶୋଧର ସେପରି ନାହିଁ କହିଲେ ହୁଏ । ଧର୍ମର ଦାସତ୍ୱକୁ ହୁଏ ତ ଏବେ ମଧ୍ୟ ଗୋଟିଏ ସମସ୍ୟା ବୋଲି ଆମ୍ଭେମାନେ ମନେ କରୁ ନାହିଁ । କାରଣ ବର୍ତ୍ତମାନ ଜଗତର ଯେଉଁମାନେ ସମାଜପତି, ଯେଉଁମାନଙ୍କର ଇଛା ଇଙ୍ଗିତରେ ବହୁ ରାଷ୍ଟ୍ର ମଧ୍ୟ ଅନେକ ଅଂଶରେ ପରିଚାଳିତ, ପ୍ରକାଶ୍ୟରେ ନ ହେଲେହେଁ ସେମାନଙ୍କର ଅର୍ଦ୍ଧଚେତନ ଉଦ୍ଦେଶ୍ୟ ଥାଏ, ଦୁନିଆଟାକୁ ଧର୍ମ-ଅନ୍ଧ କରି ରଖିବାକୁ । ଏ ଦେଶରେ ଯେତେ ଜାତି-ବାସନ୍ଦ ଓ ପ୍ରାୟଶ୍ଚିତ ଆଦି ଧର୍ମକ୍ରିୟା ଅନୁଷ୍ଠିତ ହୁଏ, ଅନୁସନ୍ଧାନ କଲେ ତାହା ମୂଳରେ ଏହିପରି ସ୍ୱାର୍ଥନ୍ୱେଷୀ ଧନିକ କିମ୍ବା ଅର୍ଦ୍ଧାହାରୀ ଅକର୍ମଣ୍ୟ ବ୍ରାହ୍ମଣକୁ ଦେଖିବାକୁ ମିଳିବ । କାରଣ ଜାତି ବାସନ୍ଦ ବା ପ୍ରାୟଶ୍ଚିତ୍ତ ଦ୍ୱାରା ଧର୍ମର କି ଉପକାର ହୁଏ, କିମ୍ବା ଯେ ପ୍ରାୟଶ୍ଚିତ୍ତ କରେ ବା ଦେବତାକୁ ଜୋରିମାନା ଦେଇ ଜାତି ଭିତରେ ପଶେ, ତାହାର ମଧ୍ୟ କି ମାନସିକ ଉନ୍ନତି ଘଟେ, ତାହା ତ କେହି ଦେଖି ନାହିଁ-ଦର୍ଶନୀୟ ଉପକାର ଯାହାର ହୁଏ, ତାହା ସମସ୍ତଙ୍କୁ ଜଣା । ତେଣୁ ଜଗତର ପ୍ରତି ଧନିକକୁ ମଧ୍ୟ ଆନ୍ତରିକତାର ସହିତ ଧର୍ମଭୀରୁ ହେବାକୁ ପଡ଼େ । ବିଶେଷତଃ ନିଜ ଉଦାହରଣରୁହିଁ ସେ ଭଲ ରୂପେ ଜାଣେ ଯେ, ସେ ନିଜେ ଯେଉଁ ଭାବରେ ଧନର ମାଲିକ ହୋଇ ପାରିଛି, ପୃଥିବୀର ଯେ କେହି ମୂର୍ଖ ସେପରି ମାଲିକ ହୋଇପାରେ; ଯେ ଉପାୟରେ ସେ ଅନ୍ୟଠାରୁ ଧନ ଆହରଣ କରି ଲକ୍ଷପତି, ଯେ କୌଣସି ଅଧମ ପକ୍ଷରେ ମଧ୍ୟ ତାହା ସମ୍ଭବ । ସେ ଧନକୁ କୌଣସି ଆଜ୍ଞାତ ଶକ୍ତି ରକ୍ଷା ନ କଲେ, ତାହା ରକ୍ଷା କରିବାର ଅନ୍ୟ ଉପାୟ କାହିଁ ?

 

ଅତଏବ ଧାର୍ମିକ ହେବା ଦ୍ୱାରା ତାହାର ଧନ ଯେପରି ବଢ଼େ, ସେ ଧନର ସୁରକ୍ଷା ପାଇଁ ମଧ୍ୟ ସଙ୍ଗେ ସଙ୍ଗେ ବ୍ୟବସ୍ଥା କରା ହୁଏ । ଦରିଦ୍ର ଓ ଅସହାୟ ବ୍ୟକ୍ତିର ପ୍ରତି ପଦରେ ପାପ ଓ ପତନର ଆଶଙ୍କା ଥିବାରୁ ପ୍ରାୟଶ୍ଚିତ୍ତର ଭାଗଟା ବେଶି ପରିମାଣରେ ତାହାକୁହିଁ କରିବାକୁ ହୋଇଥାଏ । କିନ୍ତୁ ସେ ପ୍ରାୟଶ୍ଚିତ୍ତରେ ପ୍ରକୃତ ପୁଣ୍ୟ ହୁଏ, ଉପକାର ହୁଏ, ଧନିକର କିମ୍ବା ବ୍ରାହ୍ମଣର-

 

ଶୈଶବରୁହିଁ ଗଡ୍ଡାଳିକା ନ୍ୟାୟରେ ଯେଉଁ ଧର୍ମ-ଶିକ୍ଷା ଆମର ହୁଏ, ସେଥିରେ ଆମକୁ ଭବିଷ୍ୟତ ପାଇଁ ଏହି ରୂପ ଓ ଏହାର ବିଭିନ୍ନ ରୂପ ପ୍ରାୟଶ୍ଚିତ୍ତ କରିବାକୁ ପ୍ରସ୍ତୁତ କରାଯାଏ । ପୁଣ୍ୟ, ପର୍ବ, ବାର, ବ୍ରତ, ବିବାହ, ଶ୍ରାଦ୍ଧ, କେଉଁ ଗୋଟିକ ପ୍ରାୟଶ୍ଚିତ୍ତ ନୁହେଁ ? କେଉଁ ଗୋଟିକର ବ୍ୟତିକ୍ରମ ଆମେ ନିର୍ଭୟରେ କରିବା ପାଇଁ ସମର୍ଥ ? କେଉଁଟିରେ ଆମେ ଋଣ କରିବାକୁ ଧନୀର ଦ୍ୱାରସ୍ଥ ନ ହେଉଁ, ଦରିଦ୍ର କରି ରଖିବାକୁ ପୁରୋହିତ ନ ଡାକୁଁ ?

 

ଶିଶୁ-ମସ୍ତିଷ୍କରେ ବଳ ପ୍ରୟୋଗ କରି ଏହିପରି ଅବୋଧ୍ୟ ଧର୍ମ ଭାବ, ଗୁରୁଜନ ଭକ୍ତି ଓ ଇନ୍ଦ୍ରିୟ-ଦମନ ଆଦି ଯଥାଯଥ କାରଣ ନ ବୁଝାଇ ନିର୍ବିଚାରରେ ଯେ ପ୍ରବେଶ କରାଇ ଦିଆଯାଏ, ପୁଣି ସେ ସବୁର ଟିକିଏ କାହିଁ ଅନ୍ୟଥା ହେଲେ ନିର୍ମମ ଭାବରେ ଯେ ଶାସ୍ତି ଦିଆଯାଏ, ସେଥିରୁ ମନେ ହୁଏ ସକଳ ଶିଶୁହିଁ ବିଦ୍ରୋହ ବା ବିପ୍ଳବ କୋଳରେ ଲାଳିତ ହୁଅନ୍ତି ।

 

ଶିଶୁର ହକ୍ :–

 

ଶିଶୁର ଯେ ପରିବାରରେ, ସମାଜରେ ଓ ରାଷ୍ଟ୍ର ଉପରେ ମଧ୍ୟ ଗୋଟିଏ ହକ୍ ଅଛି, ଏକଥା ଯେମିତି ଭାରତର ସ୍ୱରାଜ ପରି ଅସମ୍ଭବ । ଶିଶୁର ମଧ୍ୟ ଯେ ବ୍ୟକ୍ତିଗତ ସ୍ୱାଧୀନତା ବୋଲି କିଛି ଅଛି, ଜାତୀୟ ଧନର ଗୋଟିଏ ନ୍ୟାର୍ଯ୍ୟ ଅଂଶ ଉପରେ ତାହାର ମଧ୍ୟ ଯେ ଜନ୍ମଗତ ଦାବୀ, ଏ ଯେମିତି ଗୋଟାଏ ଉଡ଼ା କଥା !

 

ଶିଶୁ ଅବସ୍ଥାକୁ ପାର ହୋଇ ଗଲେ ଆମେ ଅନ୍ୟ ଶିଶୁକୁ ଦେଖି ମଧ୍ୟ ନିଜର ସେହି ଅବସ୍ଥାକୁ ଭୁଲି ଯାଉଁ । ଯଦି କେବେ ସ୍ମରଣ କରୁଁ, ସେ କେବଳ କବିତା ଆକାରରେ କିମ୍ବା ଭାବାବେଗରେ ପ୍ରକାଶ ପାଏ-ଠିକ୍ ଯେମିତି ଦରିଦ୍ର କୃଷକ ବା ଶ୍ରମିକର ସରଳ ଜୀବନ ସମ୍ବନ୍ଧରେ ଭାବୋଚ୍ଛ୍ୱାସ ଦେଖାଯାଏ । ଅନ୍ୟ ଦେଶ ପରି ଭାରତବର୍ଷର ବଡ଼ ବଡ଼ ସହରମାନଙ୍କରେ ଶିଶୁ ପାଇଁ ପୃଥକ, ରାସ୍ତା, ପୃଥକ୍ କ୍ରୀଡ଼ା ସ୍ଥଳ, ପୃଥକ୍ ପ୍ରଦର୍ଶନୀ, ପୃଥକ୍ ପାର୍କ ବା ପୃଥକ୍ ବଜାର ରଖାଯିବା ତ ଦୂରର କଥା, ସହରମାନଙ୍କର ଗୋରୁ, ଘୋଡ଼ା ଓ କୁକୁରଙ୍କୁ ଯେଉଁ ସ୍ୱାଧୀନତା ମିଳେ ମଣିଷ ପିଲାଙ୍କୁ ତାହା ମିଳେ କି ? କିଛି ଦିନ ଆଗେ ଏହି ସହର ରାସ୍ତା ଉପରେ ଗୋଟିଏ ବାଳକ ଏକ ଗାଈ କର୍ତ୍ତୃକ ଆକ୍ରାନ୍ତ ହୋଇ ଥିବାର ଖବର କାଗଜରେ ପଢ଼ିଥିଲି ଏବଂ ସେ ଘଟଣାରେ କୁଆଡ଼େ ମ୍ୟୁନିସିପାଲିଟି କଟକ ସହରରେ ସବୁ ଛୋଟ ପିଲାଙ୍କ ଉପରେ ଏକ ମାର୍ଶାଲ ଆଇନ ଜାରି କରିଥିଲେ ଯେ, କି ଦିନ କି ରାତି କୌଣସି ପିଲା ଏକା ହୋଇ ଘର ଭିତରୁ ବାହାରି ପାରିବ ନାହିଁ ।

 

ଘର ଭିତରେ ଅଭିଭାବକ, ସ୍କୁଲରେ ଶିକ୍ଷକ ପୁଣି ରାସ୍ତା ଉପରେ ମ୍ୟୁନିସିପାଲିଟି-ସମସ୍ତଙ୍କ ଠାରୁହି ଶିଶୁ ଉପରେ ଶାସ୍ତି ଓ ତାଡ଼ନା; ଅଭିଭାବକର ତାଡ଼ନା-ସଂଯମ ଶିକ୍ଷା ଲାଗି, ଶିକ୍ଷକର ଚାବୁକ-ପାଠ ମୁଖସ୍ଥ ପାଇଁ ପୁଣି ମ୍ୟୁନିସିପାଲିଟିର ଜାରି-ଗାଈକୁ ଭକ୍ତି କରିବାକୁ; କିଏ ମାରେ ମିଛ ନ କହିବା ପାଇଁ, କିଏ ମାରେ ସ୍ମରଣ ଶକ୍ତି ବଢ଼ାଇବା ଲାଗି, କିଏ ଅବା ମାରେ ଭକ୍ତି ଶିଖାଇବା ଉଦ୍ଦେଶ୍ୟରେ ।

 

କିନ୍ତୁ ବନ୍ଧୁଗଣ ! ଏହି ସବୁ ଶାସ୍ତି ଓ ପ୍ରହାର ଦ୍ୱାରା ଫଳ ହୁଏ କଅଣ ? ସମାଜରେ ନାନା, ବିଭାଗରେ ଆଜି ଯେଉଁମାନେ କର୍ଯ୍ୟ କରନ୍ତି, ସେମାନେ ସମସ୍ତେ ତ ପ୍ରାୟ ଏହି ପରି ପରିବାର, ଏହି ପରି ଶିକ୍ଷା ଓ ସମାଜ ବେଷ୍ଟନୀରେ ବଢ଼ି ଆସି ଅଛନ୍ତି ? ଆଜି ଯେଉଁମାନେ ଶିକ୍ଷା ବିଭାଗରେ, ଅଦାଲତ କଚେରିରେ, ରାଜନୀତିରେ, ଦେଶ ସେବାରେ, ସାହିତ୍ୟରେ ଓ ସମ୍ବାଦ ପତ୍ରରେ ନାନା ଭାବରେ କାର୍ଯ୍ୟ କରନ୍ତି, ସେମାନଙ୍କ ଶୈଶବ ତ ଏହି ପରି ଦଣ୍ଡ ଓ ଶାସନ ଭିତରେ ଗଠିତ ? ଅଥଚ ଏହି ସବୁ କ୍ଷେତ୍ରରେ ଅନେକ ଉଚ୍ଚ ଓ ନିମ୍ନ କର୍ମଚାରୀ, ଅନେକ ହାକିମ, ଅନେକ କିରାନି, ଅନେକ ଶିକ୍ଷକ, ଅନେକ ଅଧ୍ୟାପକ, ଅନେକ ଦେଶ ନାୟକ, ଅନେକ ସାହିତ୍ୟିକ, ସମ୍ପାଦକ ବା ସାମ୍ବାଦିକ ଦେଖାଯାନ୍ତି, ଯେଉଁମାନେ ଆଜି ଶୈଶବ ଛାଡ଼ି ଯୌବନ ପାର ହୋଇଥିଲେ ମଧ୍ୟ ଏତେ ଅସଂଯତ ଓ ଏତେ ଭୁଲ କରନ୍ତି ଯେ, ପୁଣି ଏମିତି ବୋକା, ଏମିତି ଗୁଆଁର ଓ ଏମିତି ମିଛୁଆ ଯେ, ଏ ବୟସରେ ମଧ୍ୟ ସେମାନଙ୍କର ସଂଶୋଧନର ଏକ ମାତ୍ର ଉପାୟ ହେଉଛି ଚାବୁକ ପ୍ରହାର !

 

ନିଜର ଅଧିକାର ଓ ନ୍ୟାୟ ଦାବୀ କରି ସଂଘବଦ୍ଧ ଭାବରେ ଶିଶୁର ଆନ୍ଦୋଳନ କରିବା ଅସମ୍ଭବ ବୋଲି ତାହା ପ୍ରତି ଯେତେ ଅନ୍ୟାୟ ଓ ଅତ୍ୟାଚାର କରାଯାଏ, ଯେତେ ରକମ ଅଦ୍ଭୁତ ଦଣ୍ଡର ଉଦ୍ଭାବନ କରା ହୁଏ, ବୟସ୍କ ଲୋକପ୍ରତି ସେ ରୂପ ବ୍ୟବହାର ହେଲେ, ତାହାର ପ୍ରତ୍ୟେକଟି ପାଇଁ ପେନାଲ କୋଡ଼୍‍ରେ ରାଜଦଣ୍ଡର ବିହିତ ବ୍ୟବସ୍ଥା ଅଛି । ସମାଜର ଏହି ଶ୍ରେଷ୍ଠ ଭବିଷ୍ୟତକୁ ଯେପରି ଭାବପର ନିଷ୍ପେଷିତ କରାଯାଏ, ସେଥିରେ ଏହାର ଆଗାମୀ ଉନ୍ନତିକୁ ଯେଉଁମାନେ ସ୍ୱପ୍ନ ଦେଖନ୍ତି ବହୁ ଅଂଶରେହିଁ ତାହା ସ୍ୱପ୍ନ ଭିତରେ ଆବଦ୍ଧ ରହିଯାଏ ।

 

ଏହି ଶିଶୁ ଯେତେବେଳେ ଯୁବକ ହୁଏ, ତାହାଠାରୁ ତେବେ ଆପଣମାନେ କି ଆଶା କରନ୍ତି ? ଯାହା ଆଶା କରନ୍ତି ତାହାର ପ୍ରମାଣ ଏହି ବହୁ ସଂଖ୍ୟକ ଚାବୁକ ଯୋଗ୍ୟ ଶିକ୍ଷକ, ଅଧ୍ୟାପକ, ଓକିଲ, ଅମଲା, କିରାନି, ଡାକ୍ତର, ଦେଶନେତା ଓ ସମ୍ପାଦକମାନେ । ତାହାର ପ୍ରମାଣ ଆପଣମାନେ ନିଜେ ଏବଂ ମୁଁ ।

 

ବର୍ତ୍ତମାନ ଶିକ୍ଷା ପଦ୍ଧତିରେ ତ୍ରୁଟି :–

 

ଶହ ଶହ ହଜାର ହଜାର ସଂଖ୍ୟାରେ ମେଷପଲ ପରି ଆପଣମାନେ ସ୍କୁଲ କଲେଜକୁ ଚାଲିଛନ୍ତି । ଇତିହାସ, ବିଜ୍ଞାନ, ନ୍ୟାୟ, ଦର୍ଶନ ସାହିତ୍ୟ ଓ ଅର୍ଥନୀତି ଆଦି ବହୁ ପାଠ୍ୟ-ପୁସ୍ତକରୁ କେତେ ନାମ ବା ଧାମ, ସଂଜ୍ଞା ବା ପ୍ରକରଣ, ଶବ୍ଦ ବା ଅବ୍ଦ ମୁଖସ୍ଥ କରି କିମ୍ବା ମୁଖସ୍ଥ କରି ନ ପାରିଲେ ପକେଟସ୍ଥ କରି ପରୀକ୍ଷାରେ ପାଶ ହୁଅନ୍ତି; ଅଥବା ସେଥି ମଧ୍ୟରୁ ଗୋଟିଏ କିଛି କରି ନ ପାରିଲେ କର୍ମ ଦେଇ ପାରିବା ଭଳି-ଜଣେ ଅଧେ ନିର୍ବୋଧଙ୍କୁ ମସୃଣ କରି ଶେଷରେ ନୌକରି କରନ୍ତି; କିମ୍ବା ବ୍ୟବସାୟ ଓକିଲାତି ଆଦିରେ ଯାବତୀୟ ମୁର୍ଖଙ୍କୁ ଖୁସି କରାଇ ଉପାର୍ଜନର ବାଟ ଦେଖନ୍ତି ଓ ବିବାହ କରନ୍ତି । ମୋଟା ମୋଟି ଦେଖିବାକୁ ଗଲେ ବର୍ତ୍ତମାନ ଯୁବକର ଆଦର୍ଶ ଏହା ବ୍ୟତୀତ ଆଉ କଣ ଅଛି ?

 

ଇତିହାସ, ବିଜ୍ଞାନ, ଦର୍ଶନ, ସାହିତ୍ୟ ପାଠ କରି ସେ ଏହିପରି ଗୋଟିଏ ପନ୍ଥା ଧରିବା ବ୍ୟତୀତ ଆଉ କି ପ୍ରେରଣା ପାଏ ? ତାହାର ଦୈହିକ ଉନ୍ନତି ଦିଗରେ, ତାହାର ଚିତ୍ତବୃତ୍ତିକୁ ବିକାଶୋନ୍ମୁଖ କରିବା ପାଇଁ ଏ ଶିକ୍ଷା ଆଉ କେତେ ଦୂର ସାହାଯ୍ୟ କରେ ? ସ୍କୁଲ କଲେଜରୁ ଯଦି ଠିକ୍ ହିସାବ ନିଆଯାଏ, ତଳଠାରୁ ଉପର ପର୍ଯ୍ୟନ୍ତ ପ୍ରତି ଶ୍ରେଣୀର ଛାତ୍ରଙ୍କଠାରୁ ଯଦି ସତ୍ୟ ସମ୍ବାଦ ଆହରଣ କରାଯାଏ, ତେବେ ମୋର ବିଶ୍ୱାସ, ଆମ୍ଭମାନଙ୍କର ଶିକ୍ଷାୟତନ ଗୁଡ଼ିକ ଗୋଟିଏ ଗୋଟିଏ ବିରାଟ ପ୍ରହସନ ରୂପେ ହିଁ ସ୍ପଷ୍ଟ ପ୍ରମାଣିତ ହେବ ଯେ, ଏହି ସ୍କୁଲ କଲେଜଗୁଡ଼ିକ ଅଧିକ ଜାଣିବା ପାଇଁ ଓ ଶିଖିବାପାଇଁ ଆମ ଭିତରେ ଆଗ୍ରହ ଆଣି ଦେବ କଅଣ, ଆମର ଚିନ୍ତାକୁ ଜାଗ୍ରତ, ଜୀବନ୍ତ ଓ ଅଗ୍ରଗାମୀ କରିବ କଅଣ, ପ୍ରତିଶ୍ରେଣୀର ଅଧିକାଂଶ ଛାତ୍ରଙ୍କୁ ଅଧିକାଂଶ ସମୟ ହିଁ ଅମନଯୋଗୀ କରେ କିମ୍ବା ପୂର୍ଣ୍ଣରୂପେ ସମସ୍ତ ଚିତ୍ତବୃତ୍ତିକୁହିଁ ଶୁଆଇ ରଖେ ।

 

ପ୍ରଚଳିତ ଶିକ୍ଷା-ପ୍ରଣାଳୀର ସହସ୍ର ତ୍ରୁଟି ଓ ଅଭାବ ଥିବା ସତ୍ୱେ ଅନ୍ୟ ଉତ୍କୃଷ୍ଟତର ପଦ୍ଧତିର ପ୍ରବର୍ତ୍ତନ ନ ହେବାଯାଏ, କୌଣସି ବିଚାରବାନ୍ ଲୋକ ଏ ଶିକ୍ଷାକୁ ଗ୍ରହଣ ନ କରିବାପଇଁ ଛାତ୍ରମାନଙ୍କୁ ପରାମର୍ଶ ଦେଇ ନ ପାରେ ।

 

କିନ୍ତୁ କ୍ଳାସ ଭିତରେ ଶୋଇ ରହିବାର ଅଭ୍ୟାସଟାକୁ ବାହାରକୁ ଆସି ଭାଙ୍ଗି ଦେବା ପାଇଁ, କଲେଜ କିମ୍ବା ସ୍କୁଲ ହତା ବାହାରେ ଆଉ ଟିକିଏ ପ୍ରାଣ-ପ୍ରବାହ, ଆଉ ଟିକିଏ ଆଶା ଆକାଂକ୍ଷାର ଉତ୍ତେଜନା ଉଦ୍ଦୀପନ କରି ଦେବା ପାଇଁ ଦେଶ ବିଦେଶରେ, ନଈ ପାହାଡ଼ରେ, କୁସ୍ତି କସରତରେ, ଟେନିସ୍ କ୍ରିକେଟ୍‌ରେ ସମସ୍ତଙ୍କର ଦେଖିବା ଭଳି ଟିକିଏ ଅଧିକ ଉପଯୁକ୍ତ ହେବା ପାଇଁ, ଆଉ ମଧ୍ୟ ବର୍ଷ ବର୍ଷ ଧରି ପଲାଓ ଏବଂ ପାଲା ଅଥଚା ଥିଏଟର ନାମରେ ଯେଉଁ ଗଣେଶ ଚତୁର୍ଥୀ ଓ ସରସ୍ୱତୀ ପୂଜା ହୁଏ, ପୁଣି ସେଥି ପାଇଁ ସ୍କୁଲ କଲେଜର ସବୁ ଛାତ୍ରଙ୍କୁ ଟ୍ୟାକ୍‌ସ ଗଣିବାକୁ ପଡ଼େ, ତାହାର ଅର୍ଥଟା ଆହୁରି ଭଲ କରି ବୁଝିବା ପାଇଁ, ଖେଳ ପଡ଼ିଆରେ ପରସ୍ପର ପ୍ରତି ଆଉ ଟିକିଏ ଭଦ୍ର ବ୍ୟବହାର କରିବା ପାଇଁ, ସିନେମା କିମ୍ବା ଥିଏଟର ଗୃହ ଭିତରେ ଆଉ ଟିକିଏ ସାଧାରଣ ଶିଷ୍ଟାଚାର ଅଭ୍ୟାସ କରିବା ପାଇଁ, ରାସ୍ତାରେ, ଘାଟରେ, ଗାଡ଼ିରେ ନୌକାରେ ଆଉ ଟିକିଏ ମର୍ଯ୍ୟାଦା ଜ୍ଞାନର ପରିଚୟ ଦେବା ପାଇଁ ଅର୍ଥାତ୍ ସବୁ ଅବସ୍ଥାରେ ଛାତ୍ରକୁ ଆହୁରି ଟିକିଏ ଜୀବିତ ହେବା ପାଇଁ ଯେ କୌଣସି ଚକ୍ଷୁଥିବା ଲୋକ ଇଚ୍ଛା କରିବ ।

 

ବିବାହର ବିଭିନ୍ନ ରୀତି ଓ ତାହାର ସଫଳତା :–

 

କିନ୍ତୁ ଏ ସମସ୍ତ ହାସଲ କଲେ ମଧ୍ୟ ଛାତ୍ର ବା ଯୁବକର ଆଉ ଦୁଇଟି ବାଧ୍ୟତା ମୂଳକ କର୍ତ୍ତବ୍ୟ ଅଛି । ତାହା ହେଉଛି ବିବାହ ଓ ଉପାର୍ଜନ । ଏ ଦୁଇଟି ବସ୍ତୁ ଏପରି ଭାବରେ ପରସ୍ପର ଜଡ଼ିତ ଯେ, ଗୋଟିଏ ଅନ୍ୟକୁ ଛାଡ଼ିପାରେ ନାହିଁ। ଅର୍ଥାତ୍ ବିବାହ କରିବାକୁ ହେଲେ ଉପାର୍ଜନ କରିବା ଦରକାର ପୁଣି ଉପାର୍ଜନ କଲେ ବିବାହ ନ କରିବାଟା ଅସୁନ୍ଦର । ଅବଶ୍ୟ ଯୁବକ ହେବା ପୂର୍ବରୁ ଏ ଦେଶରେ ଅନେକଙ୍କର ବିବାହ ହୋଇ ସରିଥାଏ । କିନ୍ତୁ ସମସ୍ତଙ୍କର ଜନ୍ମ ପରି, ବଞ୍ଚି ରହିବା ପରି, ବିବାହଟା ମଧ୍ୟ ଅକସ୍ମାତ୍ ହୋଇ ପଡ଼େ । ଉପାର୍ଜନଟା କିନ୍ତୁ ଠିକ୍ ଏପରି ଅକସ୍ମାତ୍ ହୋଇ ପାରେ ନାହିଁ । ଆମ୍ଭେମାନେ ଆଖି ବୁଜି ଜନ୍ମ ହେଉଁ, ଆଖି ବୁଜି ପାଠ ପଢ଼ୁଁ, ଆଖି ବୁଜି ବିବାହ କରୁଁ, ପୁଣି ସନ୍ତାନ ଉତ୍ପାଦନ କରୁ ମଧ୍ୟ ଆଖି ବୁଜି । କେବଳ ଆହାର କରିବା ବେଳକୁ ହିଁ ଆଖି ଖୋଲି ଚାହୁଁ । କାରଣ ଆହାର ଯାହାକୁ କହନ୍ତି, ସେ ବସ୍ତୁ ଆମ ଥାଳୀ ଭିତରେ ନ ଥାଏ ।

 

କିନ୍ତୁ ଆଖି ବୁଜି ବିବାହ କରିବା ଅପେକ୍ଷା, ତରୁଣ ତରୁଣୀଙ୍କର ତତ୍‌ପୂର୍ବରୁ ଆଧୁନିକ ରୀତିରେ ଗୁପ୍ତ ପ୍ରେମ-ଚିଟାଉ ଦ୍ୱାରା ପରିଚିତ ହେବା ଯେ ଅଧିକ ବଞ୍ଛନୀୟ, ତାହା ମୁଁ ଏଠାରେ କହିବାକୁ ଯାଉ ନାହିଁ । ଆଖି ବୁଜି ଯେଉଁମାନେ ବିବାହ କରନ୍ତି, ଅର୍ଥାତ୍ ତାହା ଆଗରୁ ନାରୀକୁ ପୁରୁଷ ଦେଖି ପାରେ ନାହିଁ କିମ୍ବା ପୁରୁଷ କି ବସ୍ତୁ ବୋଲି ନାରୀ ବୁଝେ ନାହିଁ, ସେଠାରେ ହୁଏ ତ ଉଭୟେ ପରସ୍ପର ଆଦର୍ଶକୁ କଳ୍ପନା କରନ୍ତି । ପୁରୁଷ କଳ୍ପନା କରେ ତାହାର ଆଦର୍ଶ ନାରୀ; ଆଉ ନାରୀ ତାହାର ଆଦର୍ଶ ପୁରୁଷ; କିନ୍ତୁ ଯେଉଁମାନେ ସେ ରୂପ କୌଣସି କଳ୍ପନାରୁ ବଞ୍ଚିତ, ତାଙ୍କର ବିବାହ ହୁଏ ନିରାଟ ଦେହ ସହିତ ଦେହର, ଗୋଟାଏ ମହମର ପୁରୁଷ ଓ ମହମର ନାରୀ ମଧ୍ୟରେ, କିମ୍ବା ଗୋଟାଏ କୁକୁର ସହିତ କୁକୁରୀର, ସେଠାରେ ମନ ବୋଲି କିଛି ବସ୍ତୁ ନାହିଁ, କେବଳ ମାଂସ, ସେଠାରେ ଆଖି କାନ ମଧ୍ୟ ତାହାର କ୍ରିୟରୁ ବଞ୍ଚିତ-ବିବେକ ନାହିଁ, ବିଚାର ନାହିଁ, ବୁଦ୍ଧି ନାହିଁ, ଚେତନା ନାହିଁ-ନାରୀ ପୁରୁଷର ସମ୍ବନ୍ଧ ମଧ୍ୟରେ ଆଦିମ ଓ ପ୍ରଧାନ ବସ୍ତୁଟାରହି ସେଠାରେ ଏକାଧିପତ୍ୟ-ଯୌନ ବୃତ୍ତି । କିନ୍ତୁ ଯେଉଁଠାରେ ଗୋପନ-ପ୍ରଣୟ-ପତ୍ର ଦ୍ୱାରା ବିବାହର ଉପକ୍ରମଣିକା ହୁଏ, ସେଠାରେ ମନର ସ୍ଥିତି ଅନୁଭୂତ ହେଲେହେଁ ସମ୍ବନ୍ଧର ଗୋପନୀୟତାରେ ସେ ମନର କଦାକାର ଓ ରୁଗ୍ଣ କାପୁରୁଷତାର ଚିହ୍ନ ସୁସ୍ପଷ୍ଟ ହୁଏ । ଏ ରୂପ ବିକୃତ ମନ ଅନ୍ୟାନ୍ୟ ଦେଶ ପରି ଓଡ଼ିଶାରେ ମଧ୍ୟ ବିରଳ ନୁହେଁ, ପୁଣି ତାହାର ପରିଚୟ ମିଳେ ଆଜିକାଲିର ତରୁଣ ସାହିତ୍ୟରୁ-। ଉକ୍ତ ସାହିତ୍ୟରେ ଅନେକ ପ୍ରେମ କବିତା, ଅନେକ ଗଳ୍ପ କିମ୍ବା ନାଟକରେ ନଟନଟୀଙ୍କର ଏଭଳି ଚରିତ୍ର ଚିତ୍ରଣ ଦେଖାଯାଏ, ଯାହାକୁ ‘ନଟୁ ଚୋରି’ର ମାର୍ଜିତ ସଂସ୍କରଣ ନ କହି କେବଳ ଆଧୁନିକ ସଂସ୍କରଣ କୁହାଯିବ ।

 

ଆଉ ଯେଉଁଠାରେ ମାର୍ଜିତ ରୁଚି ଓ ଭାରକୁ ଘେନି ବିବାହ ହୋଇଥାଏ, ଯେଉଁଠାରେ ଉଭୟ ପୁରୁଷ ଓ ନାରୀ ଶିକ୍ଷିତ କିମ୍ବା ଶିକ୍ଷିତା, ଯେଉଁଠାରେ ଉଭୟଙ୍କର ଦେହ ଓ ମନ ସ୍ୱାଚ୍ଛନ୍ଦ୍ୟ ଓ ସ୍ୱାତନ୍ତ୍ର୍ୟ ପାଇଅଛି, ପୁଣି ଉଭୟେ ହିଁ ପରସ୍ପରକୁ ବହୁ ପରିମାଣରେ ବୁଝିଥାନ୍ତି ବୋଲି ଅନୁମାନ କରାଯାଏ, ଆଉ ମଧ୍ୟ ଯେଉଁ ବିବାହର ସଂଖ୍ୟା ଏ ଦେଶରେ ଅତି ଅଳ୍ପ, ତାହା ପାଇଁ ସୁଦ୍ଧା କ୍ଷେତ୍ର ପ୍ରଶସ୍ତ ନୁହେଁ । ସେ ବିବାହ ମଧ୍ୟ ଅଳ୍ପ ବେଶି ପରିମାଣରେ ଏହି ପରି ଅକସ୍ମାତ୍ । ଅର୍ଥାତ୍ ସେ ବିବାହରେ ପୁରୁଷ ଓ ନାରୀର ପ୍ରଥମ ପରିଚୟ ହେବା ପରେ ହଠାତ୍ ଦିନେ ବିବାହ ହୋଇଯାଏ । ଜଣେ ଅନ୍ୟକୁ ଯଥା ଅର୍ଥରେ ନିର୍ବାଚନ କରିବାର ଅବକାଶ ସେଠାରେ ନାହିଁ । କାରଣ ଆଧିୁନିକ ରୀତିରେ ଶିକ୍ଷା ପାଇଲେ ହେଁ ଯୁବକ ଯୁବତୀର ଅବାଧ ମିଶ୍ରଣ ସମାଜରେ ସମ୍ଭବ ହୋଇ ନାହିଁ । ସେ କ୍ଷେତ୍ରରେ ପ୍ରାୟ ସବୁ ଯୁବତୀଙ୍କର ସ୍ୱାମୀ ହୁଏ ପ୍ରଥମ ପୁରୁଷ ଆଉ ସବୁ ଯୁବକଙ୍କର ପତ୍ନୀ ହୁଏ ପ୍ରଥମା ନାରୀ ।

 

ଚିରସ୍ଥାୟୀ ବିବାହ ଯଥା ଅର୍ଥରେ ସଫଳ ନୁହେଁ :–

 

ଏ ରୂପ ବିବାହର ଆରମ୍ଭରେ ଟିକିଏ ସ୍ୱାଧୀନତାର ଗନ୍ଧ ଥିଲେ ହେଁ, ବିବାହ ସରିଲେ ଏହାର ମଧ୍ୟ ସବୁ ସ୍ୱାତନ୍ତ୍ର୍ୟ ଲୋପ ପାଏ । ଏଥିରୁ ମଧ୍ୟ ପୁରୁଷ କିମ୍ବା ନାରୀକୁ ମୁକ୍ତି ମିଳିବାର ବାଟ ଅତି କଣ୍ଟକମୟ । ଏଥିରେ ମଧ୍ୟ ଥରେ ବିବାହ କରିବାର ଅର୍ଥ, ଆଜୀବନ ବିବାହ କରିବା । ଚିରସ୍ଥାୟୀ ବିବାହ ଯଥା ଅର୍ଥରେ ସଫଳ ନୁହେଁ । ଜଣେ ପୁରୁଷ ଜଣେ ସ୍ତ୍ରୀକୁ ମୃତ୍ୟୁ ପର୍ଯ୍ୟନ୍ତ ବିବାହ କରି ରହିବାକୁ ମୁଁ ଅବଶ୍ୟ ଦୋଷବହ ବୋଲି କହୁ ନାହିଁ । କିନ୍ତୁ କେହି ଯଦି ମୋତେ ବୁଝାଏ ଯେ, ଜଣେ ପୁରୁଷ ଏବଂ ଏକ ମାତ୍ର ସ୍ତ୍ରୀ ତିରିଶ ଚାଳିଶ ବର୍ଷ ଏକତ୍ର ବିବାହ କରି ଅକ୍ଷୁର୍ଣ୍ଣ ପ୍ରେମ ଓ ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରୁଅଛନ୍ତି, ତାହାହେଲେ ମୁଁ ମୋହର ବକ୍ତାଙ୍କୁ ପୁଣି ସେହି ସ୍ତ୍ରୀ ପୁରୁଷଙ୍କୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିବି । କାରଣ, ପ୍ରେମିକ ପ୍ରେମିକା ବା ଯୁବକ ଯୁବତୀ ଯେତେବେଳେ ପୁରୁଷ ଓ ନାରୀ ଅଥବା ଗୃହସ୍ଥ ଓ ଗୃହଣୀ ହୁଅନ୍ତି, ସେତେବେଳେ ଏହି ପ୍ରଥମ ତାରୁଣ୍ୟର ଭାବାବେଗ ବା ପ୍ରେମ ବସ୍ତୁଟା କି ରୂପ ଅକ୍ଷୁର୍ଣ୍ଣ ଓ ଅପ୍ରତିହତ ରହିପାରେ, ତାହା ଧାରଣା କରିବାକୁ ମୋ ମସ୍ତିଷ୍କ ପ୍ରସ୍ତୁତ ନୁହେଁ ।

 

ଆହୁରି ମଧ୍ୟ ଯେଉଁଠାରେ ଏକ ମାତ୍ର ପୁରୁଷ ଓ ଏକ ମାତ୍ର ନାରୀର ବିବାହ ଆଜୀବନ-କଏଦୀ ସଙ୍ଗେ ସମାନ ସେଠାରେ ପ୍ରେମର ଗ୍ରନ୍ଥି ଅଧିକ ଶିଥିଳ ପୁଣି ପରସ୍ପରର ସାହଚର୍ଯ୍ୟ ବେଶି ପରିମାଣରେ କଟୁ ହେବାର ହିଁ କଥା । କାରଣ ସେଠାରେ ପୁରୁଷ ମନେ କରେ, ନାରୀ ତାହାର ଜେଲଖାନା, ନାରୀର ମଧ୍ୟ ବିଚାର ବୁଦ୍ଧିଥିଲେ ପୁରୁଷକୁ ସେହି ରୂପେ ସେ ଜ୍ଞାନ କରିବା ସ୍ୱାଭାବିକ-। ପୁଣି ସେ ପରିସ୍ଥିତିରେ ନାରୀ ସ୍ଥିର ରୂପେ ଜାଣେ ଯେ, ତାହାର ବିନା ମୃତ୍ୟୁରେ ସ୍ୱାମୀ ଅନ୍ୟ ପତ୍ନୀ ଗ୍ରହଣ କରିବ ନାହିଁ ଏବଂ ସ୍ୱାମୀର ମଧ୍ୟ ଦୃଢ଼ ଧାରଣା, ବିବାହ ଦିନଠାରୁ ସ୍ତ୍ରୀ ଏକାବେଳେ ଅଗତି ପୁଣି ତାହାର ଏକାମାତ୍ର ଗତି ପୁରୁଷ । ଅତଏବ ପରସ୍ପର ପ୍ରତି ଅବହେଳା ଦେଖାଇବାରେ ମଧ୍ୟ ସଂସ୍କାର ଭଙ୍ଗର କୌଣସି ଆଶଙ୍କା ନାହିଁ । ସେ ବିଷୟରେ ଉଭୟେହିଁ ନିଶ୍ଚିନ୍ତ-। ପ୍ରତି ଦିନ କଜିଆ ଓ ମନ ଅମେଳ ଲାଗି ରହିଥିଲେ ହେଁ କାହାରି କିଛି ସ୍ଥାୟୀ କ୍ଷତିର ଭୟ ନାହିଁ । ସ୍ତ୍ରୀ ପ୍ରତି ସାମାନ୍ୟ ସମ୍ମାନହାନି ସୂଚକ ବ୍ୟବହାର ପାଇଁ ସ୍ୱାମୀକୁ କଚେରି ଦେଖିବାକୁ ହୁଏ ନାହିଁ କିମ୍ବା ପୁରୁଷ ପ୍ରତି ସମ୍ପୂର୍ଣ୍ଣ ତାଚ୍ଛିଲ୍ୟ ଦେଖାଇଲେ ହେଁ ଘର ଭିତରେ ସ୍ତ୍ରୀର ଆସନ ଅଟଳ । ସେଥିପାଇଁ ବିବାହକୁ ତିରିଶ ଚାଳିଶ ବର୍ଷ ପର୍ଯ୍ୟନ୍ତ କୃତିତ୍ୱର ସହିତ ସ୍ଥାୟୀ କରିବାକୁ ହେଲେ ପୁରୁଷକୁ ନାରୀ-ପ୍ରାଣ ବା ନାରୀକୁ ସ୍ୱାମୀସୋହାଗିନୀ ରହିବାକୁ ହେଲେ, ଉଭୟଙ୍କରହିଁ ପରସ୍ପରଠାରୁ ବେଶି ସମୟ ଅଲଗା ରହିବା ଉଚିତ; କିମ୍ବା ବେଶି ସମୟ ଜଣେ ଅନ୍ୟକୁ ଭୁଲି ରହିବା ଆବଶ୍ୟକ-ଅନ୍ୟ କଥାରେ, ଖାଲି ଛାଡ଼ପତ୍ର ପ୍ରଥାଟିକୁ ସ୍ୱୀକାର ନ କରି ବିବାହର ଧର୍ମ ଭଙ୍ଗ କରିବାକୁ ହେବ; ଅଥବା ତିରିଶ ଚାଳିଶି ବର୍ଷ ଧରି ଉଭୟ ନାରୀ ପୁରୁଷଙ୍କୁହିଁ ସମ୍ପୂର୍ଣ୍ଣ ନିର୍ବୋଧ ହେବାକୁ ପଡ଼ିବ ।

 

ପାଶ୍ଚାତ୍ୟ ବିବାହର ସ୍ୱାଧୀନତା :–

 

ଅବଶ୍ୟ ୟୁରୋପ ଓ ଆମେରିକାରେ ଯୁବକ ଯବୁତୀଙ୍କ ଭିତରେ ପର୍ଦାର ବାଧା ନ ଥିବାରୁ ନାରୀ ପକ୍ଷରେ ମନୋମତ ପୁରୁଷ ନିର୍ବାଚନ କିମ୍ବା ପୁରୁଷ ପକ୍ଷରେ ନାରୀ ନିର୍ବାଚନ ପାଇଁ କ୍ଷେତ୍ର ଏପରି ସଂକୀର୍ଣ୍ଣ ନୁହେଁ । କିନ୍ତୁ ସେଠାରେ ମଧ୍ୟ ବୟସର ଧର୍ମ ଅନୁ-ସାରେ ତରୁଣ ତରୁଣୀ ଅତ୍ୟନ୍ତ କାଳ୍ପନିକ ହେବାକୁ ବାଧ୍ୟ; ପୁଣି ସେ କଳ୍ପନା ବା ଭାବାବେଗ ଯଥାଶୀଘ୍ର ତୁଟି ଯିବାର ହିଁ କଥା । ସେଥିପାଇଁ ବିବାହଟାକୁ ସେଠାରେ ମୁଷା ଧରା ଯନ୍ତା ପରି ରଖା ଯାଇ ନାହିଁ-ତାହା ଭିତରେ ପଶିବା ଯେମିତି ସହଜ, ଫେରି ଆସିବା ସେମିତି କଠିନ ନୁହେଁ । ଅନଭିଜ୍ଞ ଯୁବକ ଯୁବତୀ ପକ୍ଷରେ ବିଚାରର ସ୍ଖଳନ ଘଟିବା ଯେ ଖୁବ୍ ସମ୍ଭବ, ସେଥିପାଇଁ ବିବାହକୁ ସେଠାରେ ଅଧିକ ଯୁକ୍ତିସଙ୍ଗତ କରି ଏଥିରୁ ମୁକ୍ତି ପାଇବାର ମାର୍ଗ ମଧ୍ୟ ନିର୍ଦ୍ଦେଶ କରା ଯାଇଅଛି ।

 

ତଥାପି ଏହି ଭାଭାବେଗ ଦ୍ୱାରା ତରୁଣ ତରୁଣୀର ସ୍ୱାସ୍ଥ୍ୟ ହାନି ଓ ଶାନ୍ତି ହାନିର ଯେଉଁ ଆଶଙ୍କା ବିଦ୍ୟମାନ, ସମାଜରେ ବର୍ଣ୍ଣଶଙ୍କରମାନଙ୍କ ସଂଖ୍ୟା-ବୃଦ୍ଧି ଦ୍ୱାରା ଚୋର, ଡକାଏତ, ରୁଗ୍ଣ ଓ ଅକର୍ମା ସଂଖ୍ୟା ଯେ ରୂପେ ବଢ଼ି ଚାଲିଛି, ସେଥିପାଇଁ ଆଉ ସବୁ କ୍ଷେତ୍ରରେ ଯେପରି, ବିବାହ କ୍ଷେତ୍ରରେ ମଧ୍ୟ ସେହିପରି ରୁଷିଆରେ ଏକ ତୁମୂଳ ପରୀକ୍ଷାର ସୂତ୍ରପାତ କରା ଯାଇଅଛି । ମନୁଷ୍ୟର ବୈଜ୍ଞାନିକ ଚିତ୍ତ ଯେତେଦୂର ନିରପେକ୍ଷ ଓ ଯୁକ୍ତି ପୂର୍ଣ୍ଣ ଚିନ୍ତା କରିପାରେ, ତାହାକୁହିଁ କାର୍ଯ୍ୟକ୍ଷେତ୍ରରେ ପ୍ରମାଣ କରିବାକୁ ଚେଷ୍ଟ ଲାଗିଅଛି । ଅବଶ୍ୟ ଏ ରୂପ ପରୀକ୍ଷା ଦ୍ୱାରା ଆଦର୍ଶଟା ବାସ୍ତବ ରୂପରେ ସୀମାବଦ୍ଧ ହୋଇ ପଡ଼ିଚି ପୁଣି କଳ୍ପନା ତାହାର ରଙ୍ଗିନ ଆଭା ହରାଇ ମଣିଷର ହାତ ମୁଠାରେ ଧରା ଦେଉଛି ବୋଲି କେତେକଙ୍କୁ ତାହା ସୁଖକର ବୋଧ ହେଉ ନାହିଁ; ଆଉ କେତେକ ଏହାଦ୍ୱାରା ମାନବର ଆଦର୍ଶ ଅଧିକ ଅଗ୍ରସର ଓ ଆହୁରି ବୃହତ୍ତର ହେବ ବୋଲି ମଧ୍ୟ ମତ ପୋଷଣ କରନ୍ତି ।

 

ବିବାହଟା ଯେ ମୁଖ୍ୟତଃ ଦେହ-ବିଜ୍ଞାନ ସଙ୍ଗେ ଜଡ଼ିତ, ମନୋବିଜ୍ଞାନର ସମ୍ପର୍କ ଏହା ସହିତ ଅତି ସାମାନ୍ୟ, ରୁଷିଆର ଏହି ନୀତି ବହୁ ଆଦର୍ଶବାଦୀଙ୍କୁ ଆନନ୍ଦ ଦେଇପାରି ନାହିଁ । ତଥାପି ପ୍ରଚଳିତ ବିବାହ ପ୍ରଥା ଯେ ତ୍ରୁଟିଶୂନ୍ୟ ନୂହେଁ, ପୁଣି ବିବାହକୁ ସ୍ଥାୟୀ ଓ ଯଥାର୍ଥ କରିବାକୁ ହେଲେ ଏଥିରେ ଯେ ଅଳ୍ପ କଳ୍ପନା ଓ ଅଧିକ ବାସ୍ତବତା ରଖିବାକୁ ହେବ, ଅଳ୍ପ ଉତ୍ସବ ଓ ଅଧିକ ସତ୍ୟ ଦୃଷ୍ଟିରେ ଏହାକୁ ଦେଖିବାକୁ ହେବ, ଅଳ୍ପ ଭାବୋଚ୍ଛ୍ୱାସ ଓ ଅଧିକ ବିଚାର ଏଥିରେ ଦେବା ଦରକାର, ଏ କଥା ବୁଝାଇବାକୁ ଗଲେ ଏଠାରେ ପୁନରୁକ୍ତି ହେବ ।

 

ତାହାହେଲେ ଦେଖାଯାଏ, ଜଣେ ପୁରୁଷ ଓ ଜଣେ ନାରୀ ବିବାହ କଲେ ସେଥିପାଇଁ ଯୌବନଟା ଉପଯୁକ୍ତ ସମୟ ନୁହେଁ। କାରଣ ଭାବୋଚ୍ଛ୍ୱାସଟା ଯୌବନ କାଳର ଧର୍ମ ଏବଂ ଭାବୋଚ୍ଛ୍ୱାସ ଥିଲେ ବିବାହଟା ସ୍ଥାୟୀ କିମ୍ବା ସତ୍ୟ ହୋଇ ପାରେ ନାହିଁ । ସୁତରାଂ ଜଣେ ପୁରୁଷ ଓ ଜଣେ ସ୍ତ୍ରୀଙ୍କ ଭିତରେ ସ୍ଥାୟୀ ବିବାହ ହେଲେ ସେଥିଲାଗି ହୁଏ ତ ବାଲ୍ୟ କିମ୍ବା ଯୌବନର ପରବର୍ତ୍ତୀ କାଳଟାହିଁ ପ୍ରଶସ୍ତ । କାରଣ ବାଲ୍ୟବିବାହଟା ନିର୍ବୋଧତା ଦୋଷରୁ ଓ ପ୍ରୌଢ଼ ବିବାହଟା ରକ୍ତହୀନତା ଦୋଷରୁ ସ୍ଥାୟୀ ହେବାର ସମ୍ଭାବନା ବେଶି ।

 

ଯୌବନ-ବିବାହ କୃତାର୍ଥ ହୁଏ କେଉଁଠାରେ ?

 

ଯୌବନ-ବିବାହକୁ ଯଦି ସମର୍ଥନ କରାଯାଏ, ତେବେ ଜଣେ ପୁରୁଷ ଓ ଚାରି ପାଞ୍ଚ ଜଣ ନାରୀ କିମ୍ବା ଚାରି ପାଞ୍ଚ ଜଣ ପୁରୁଷ ଓ ଜଣେ ନାରୀଙ୍କ ମଧ୍ୟରେ ହିଁ ବିବାହ ହେବା ଅଧିକ ଯୁକ୍ତିସଂଗତ । ଆଜି ମଧ୍ୟ ଯେଉଁ ସବୁ ସ୍ଥାନରେ ନାରୀ କିମ୍ବା ପୁରୁଷର ସଂଖ୍ୟା ଅପେକ୍ଷାକୃତ ଶସ୍ତା, ସେଠାରେ ଏହିରୂପ ବିବାହପ୍ରଥା ପ୍ରଚଳିତ । ଏକ ପ୍ରଥାଦ୍ୱାରା ଜଣେ ପୁରୁଷକୁ ଅଧିକ ପ୍ରେମ କରିବାକୁ ବହୁ ପତ୍ନୀଙ୍କ ମଧ୍ୟରେ ଯେପରି ପ୍ରତିଯୋଗିତା ହୁଏ, ଅନ୍ୟ ପ୍ରଥାଦ୍ୱାରା ଜଣେ ପତ୍ନୀ ସେହିପରି ବହୁ ସହ ସ୍ୱାମୀଙ୍କର ପ୍ରତିଦ୍ୱନ୍ଦିତା ସମ୍ଭବ । ଅତଏବ ପ୍ରେମର ରଜ୍ଜୁ ଧରି ଯେଉଁ ଟଗ୍‌-ଅଫ-ଓଆର୍ ଆରମ୍ଭ ହୁଏ, ସେଥିରେ ଯୌବନରେ ବିବାହ କଲେ ମଧ୍ୟ ତାହା କ୍ଷଣସ୍ଥାୟୀ ହେବାର ସମ୍ଭାବନା ଅତି ଅଳ୍ପ ।

 

ବୟସ୍କ ବିବାହର ସୁବିଧା :–

 

ତାହା ନ ହେଲେ ନିର୍ବୋଧ ବାଲ୍ୟବିବାହ ନ କରି ଯୌବନ ପାର ହୋଇ ଚାଳିଶ ପଞ୍ଚାଳିଶ ବର୍ଷରେ ବିବାହ କରିବାକୁ ଅନେକଙ୍କର ମତ ହୋଇପାରେ । ଅବଶ୍ୟ ବେଶି ବୟସରେ ବିବାହ କଲେ ଅନେକ ସୁବିଧା ସୁଯୋଗ ଅଛି, ଯାହା ଯୌବନରେ ମିଳେ ନାହିଁ କିମ୍ବା ଶୈଶବରେ ଖୋଜାହୁଏ ନାହିଁ । ବିବାହକୁ ସ୍ଥାୟୀ ଓ ସଫଳ କରିବାକୁ ହେଲେ ଦମ୍ପତିକୁ ହୁଏ ତ ସମ୍ପୂର୍ଣ୍ଣ ନିର୍ବୋଧ ରହିବାକୁ ହେବ କିମ୍ବା ବିନା ପ୍ରେମରେ ଅଥବା ଅତି ସାମାନ୍ୟ ପ୍ରେମରେ ହିଁ ସନ୍ତୁଷ୍ଟ ରହିବା ଦରକାର-ଏହି ଶେଷୋକ୍ତ ସୁବିଧାଟି ହିଁ ବୟସ୍କ ବିବାହରେ ମିଳିଥାଏ । ଏହି ବୟସରେ ହିଁ ଘର ସଂସାର ଦିଗରେ ସାଧାରଣତଃ ମନ ବସେ । ସ୍ତ୍ରୀ ପୁରୁଷ ପରସ୍ପରଠାରୁ ଯେଉଁ ସାହାଯ୍ୟ ଓ ଆଶ୍ରୟ ଲୋଡ଼ନ୍ତି, ଏହା ହିଁ ତାହାର ପ୍ରକୃଷ୍ଟ ସମୟ । ଏ ରୂପ ବିବାହ ଦ୍ୱାରା ଦେଶର ଅନାବଶ୍ୟକ ଜନସଂଖ୍ୟା ବୃଦ୍ଧିର ମଧ୍ୟ ସମାଧାନ କରାଯାଇପାରେ ସହଜରେ; କାରଣ ବୟସଟା ଅଧିକ ହେଲେ ଉତ୍ପାଦନର କ୍ଷମତା ହ୍ରାସ ପାଏ । ଶେଷ ଜୀବନରେ ସନ୍ତାନଦ୍ୱାରା ଭରଣ ପୋଷଣର ଆଶା କମ୍ ଥିବାରୁ ତାହା ଉପରେ ମଧ୍ୟ ଗଳଗ୍ରହ ହେବାକୁ ପଡ଼ିବ ନାହିଁ । ପୁଣି ସନ୍ତାନ ସାବାଳକ ହେବା ଆଗରୁ ଅର୍ଥାତ୍ ପିତାର ଦୋଷ ତ୍ରୁଟି ସେ ଦେଖାଇବା ପୂର୍ବରୁ ସାଧାରଣତଃ ପିତାକୁ ସଂସାରରୁ ବିଦାୟ ନେବାକୁ ହୋଇଥିବ-ସୁତରାଂ ବର୍ତ୍ତମାନ ଅପେକ୍ଷା ସେ ଅବସ୍ଥାରେ ପିତୃଭକ୍ତ ସନ୍ତାନର ସଂଖ୍ୟା ଅଧିକ ହେବ ।

 

ଆଉ ଯେଉଁମାନେ ଦ୍ୱିତୀୟ ପକ୍ଷ ଓ ତୃତୀୟ ପକ୍ଷର ସ୍ତ୍ରୀ ବିବାହ କରିବା ବାଞ୍ଛାରେ ପରିଣୀତା ପ୍ରଥମ ପକ୍ଷୀୟାର ମୃତ୍ୟୁ କାମନା କରନ୍ତି, ସେମାନଙ୍କୁ ହତାଶ ହେବାକୁ ପଡ଼ିବ । ପୁଣି ବିଚରା ବିବାହ ପାଇଁ ଏ ଦେଶରେ ସ୍ଥାନେ ସ୍ଥାନେ ଯେଉଁ ସବୁ ସଂଗଠନ କରାଯାଇ ଅଛି, ସେ ଗୁଡ଼ିକର ଦଶା ମଧ୍ୟ ଶୋଚନୀୟ ହେବ ।

 

ଅବଶ୍ୟ ଏତେ ଦୀର୍ଘ କାଳ ପର୍ଯ୍ୟନ୍ତ ବିବାହ ଲାଗି ଅପେକ୍ଷା କରିବାକୁ ସବୁ ଯୁବକର ଧୈର୍ଯ୍ୟ ରହି ନ ପାରେ । ଆଉ ମଧ୍ୟ ଉଦ୍ଦାମ ଯୌବନକୁ ସଂଯତ କରିବା ଦିଗରେ ଅନେକଙ୍କ ପକ୍ଷରେ ହୁଏ ତ ସ୍ତ୍ରୀର ଆବଶ୍ୟକତା ଯଥେଷ୍ଟ ଅଛି । ଅତଏବ ଅଳ୍ପ ବୟସରେ ଯେଉଁମାନେ ବିବାହ ନକରି ରହି ପାରିବେ ନାହିଁ ଗୋଟିଏ କଥା ସେମାନଙ୍କର ଭଲ ରୂପେ ମନେ ରଖିବା ଦରକାର । ଅର୍ଥାତ ଏପରି ଅବସ୍ଥାରେ ସେମାନେ ଯେତେ ପାରନ୍ତି, କନ୍ୟା କର୍ତ୍ତାଠାରୁ କରପଣ ଓ କନ୍ୟା ଯୌତୁକ ଆଦାୟ କରି ନେବା ହିଁ ଶ୍ରେୟଷ୍କର । କାରଣ ଏହିଭଳି ପରିସ୍ଥିତିରେ ଯେଉଁ ବିବାହ କରାଯାଏ, ତାହା ଭିତରେ ସବୁଠାରୁ ବେଶି ଦରକାର ଓ ସବୁଠାରୁ ବେଶି ବ୍ୟବହାରରେ ଲାଗିବା ଭଳି କିଛି ଜିନିଷ ଥାଏ ତ ତାହା ହେଉଛି ଏହି ଯୌତୁକ ବା ବରପଣ ।

 

ତରୁଣର ଅର୍ଥ ସମସ୍ୟା :–

 

ବନ୍ଧୁଗଣ ! କ୍ରୀଡ଼ା ଓ କୌତୁକ, ପାଠପଢ଼ା, ପୁଣି ପରୀକ୍ଷା ପାଶ, ବିବାହ ଓ ଆତ୍ମହତ୍ୟା, ସବୁ ଆପଣମାନେ କରନ୍ତୁ । କିନ୍ତୁ ଗୋଟିଏ କଥା ଭୂଲିଗଲେ ଚଳିବ ନାହିଁ । ମନୁଷ୍ୟର ସବୁ ଅବସ୍ଥାକୁ ଯେଉଁ ବିରାଟ ଶକ୍ତି ନିୟନ୍ତ୍ରିତ କରୁଛି, ପୃଥିବୀର ଶତକଡ଼ା ଅନେଶତ ଭାଗ ଚିନ୍ତା ଓ କାର୍ଯ୍ୟକୁ ଯେଉଁ ଶକ୍ତି ଦ୍ୱାରା ତଉଲ କରାଯାଏ ତାହା ହେଉଛି ଅର୍ଥ । ଧର୍ମନୀତି, ରାଜନୀତି, ସାମ୍ୟବାଦ, ସାମ୍ରାଜ୍ୟବାଦ, ଯୁଦ୍ଧ ବା ବିଗ୍ରହ ପ୍ରଭୃତି ରାଷ୍ଟୀୟ ଓ ଜାତୀୟ ବିଷୟରୁ ଆରମ୍ଭ କରି ବ୍ୟକ୍ତଗତ ପ୍ରତି ମାନବର ଚରିତ୍ର ମଧ୍ୟ ଏହାକୁ ହିଁ ଅକ୍ଷଦଣ୍ଡ କରି ଗତି କରୁଛି । ପୃଥିବୀର ହତ୍ୟା ଓ ବ୍ୟଭଚାର, ଦାନ ଓ ଧର୍ମ, ଇତିହାସ ଓ ବିଜ୍ଞାନ, ବନ୍ଧୁ ଓ ଶତ୍ରୁ ସମସ୍ତ ହିଁ ଏହି ଅର୍ଥ ସମସ୍ୟା ମଧ୍ୟରେ ସଂକୁଚିତ । କିନ୍ତୁ ଏ ମହା ସମସ୍ୟାର ସମାଧାନ ପାଇଁ ଭବିଷ୍ୟତ ସମାଜର ବିଶ୍ୱକର୍ମା ରୂପେ ତରୁଣ କଣ କରେ ? ମୋର ମନେ ହୁଏ, ଏ ପ୍ରଶ୍ନର ସିଧା ସଳଖ ଉତ୍ତର ହେବ ଚାକିରି କରେ । ଅଥଚ କେତେ ଜଣଙ୍କ ପାଇଁ ଚାକିରିର ଦ୍ୱାର ଉନ୍ମୁକ୍ତ ? ସମଗ୍ର ତରୁଣ ସମାଜରେ ସମସ୍ୟାର ସେଥିରେ ମୀମାଂସା ହୁଏ କି ? ଚାକିରିର ସମସ୍ୟା, ଉପାର୍ଜନର ସମସ୍ୟା, କେବଳ ଏହି ଦେଶର ନୁହେଁ, ବନ୍ଧୁଗଣ ! ଏହା ସମଗ୍ର ପୃଥିବୀବ୍ୟାପୀ । ଏହାର ମୀମାଂସା ଲାଗି ରୁଜ୍‌ଭେଲ୍‌ଟ ନିଉଁଡିଲ୍‌ କାଢ଼ିଛନ୍ତି ଓ ଲୟେଡ୍‌ ଜର୍ଜ ତାହାର ଆବୃତ୍ତି କରିଛନ୍ତି, ମୁସୋଲିନ୍‌ ଆବିସିନିଆକୁ ସୁସଭ୍ୟ କରିଛନ୍ତି କିମ୍ବା ହିଟ୍‌ଲର ଯୁଦ୍ଧଋଣ ଶୁଝିବେ ନାହିଁ ବୋଲି ମତ୍‌ଲପ ଆଣ୍ଟିଚନ୍ତି; ଯୁଗୋସ୍ଳେଭିଆର ରାଜା ଓ ଅଷ୍ଟ୍ରିୟାର ଡିକ୍‌ଟେଟେରଙ୍କୁ ମସ୍ତକ ଦେବାକୁ ହୋଇଛି ।

 

ଜାପାନ ବଜାର ଦର ଶସ୍ତା କରୁଚି କିମ୍ବା ଭାରତ ସରକାର ବେଶି ସଂଖ୍ୟାରେ ମନ୍ତ୍ରୀ ନିୟୋଗ କରୁଛନ୍ତି; କିନ୍ତୁ ଯାହାପାଇଁ ଏତେ ଆୟୋଜନ ସେ ଏ ସମ୍ବନ୍ଧରେ ଚିନ୍ତା କରେ କି ? ଯଦି କରେ, ତେବେ ତାହା ସମାଜ ଓ ରାଷ୍ଟ୍ର ଦୃଷ୍ଟିରୁ, କିମ୍ବା ନିଜର ବ୍ୟକ୍ତିଗତ ସୁବିଧା ପାଇଁ ? ସାମାଜିକ ଓ ରାଷ୍ଟ୍ରିକ ସମାଧାନ ନ ହେବାଯାଏଁ ବ୍ୟକ୍ତିର ସମାଧାନ ସମ୍ଭବ କି ?

 

ବ୍ୟଷ୍ଟି ଓ ସମଷ୍ଟିର ସବୁ ସୂତ୍ର, ସବୁ ସମ୍ବନ୍ଧ ବୁଝି ଶିକ୍ଷିତ ତରୁଣ ପକ୍ଷରୁ ଯାହା ଆଶା କରାଯାଏ, ସେ ସବୁ ପୂରଣ କରିବା ପାଇଁ ସେ ଆଜି କେତେ ଦୂର ସମର୍ଥ ହୋଇଛି ? ସମଷ୍ଟି-ଶିକ୍ଷା, ସମଷ୍ଟି-ବିବାହ, ସମଷ୍ଟି-ଉତ୍ପାଦନ ପ୍ରଭୃତି କଥାଗୁଡ଼ିକ ଯୁବକ ପକ୍ଷରେ କଣ ଖାଲି ଶୁକପକ୍ଷୀର ଭାଷା ? ଯେଉଁ ସମାଜ, ଯେଉଁ ଶକ୍ଷା, ଯେଉଁ ବ୍ୟବସାୟ ଓ ଯେଉଁ ରାଷ୍ଟ୍ର, ପୃଥିବୀର ବହୁ ଓ ସର୍ବାଧିକ ଅଂଶ ପାଇଁ ବାଞ୍ଛନୀୟ, ତାହା ହିଁ ଯେ ସର୍ବାପେକ୍ଷା ଅଧିକ ଯୁକ୍ତି ଯୁକ୍ତ, ଏ କଥା ମଧ୍ୟ ଯୁବକର ମସ୍ତିଷ୍କରେ ପୁରାଇ ଦେବାକୁ ହବ ? ଏ ସବୁ କ୍ଷେତ୍ରରେ ନିଜର ଚିନ୍ତା ଓ କର୍ମ ଯୋଜନା ପାଇଁ ଭବିଷ୍ୟତର ଯାତ୍ରୀମାନଙ୍କର ଯେଉଁ କର୍ତ୍ତବ୍ୟ, ସେଥିଲାଗି ମଧ୍ୟ ସେମାନଙ୍କ ରକ୍ତରେ ଉଷ୍ଣତା ଓ ପ୍ରାଣରେ ଉତ୍ତେଜନା ହେବା ଦରକାର ?

 

ମୋହର ବିଶ୍ୱାସ, ଛାତ୍ର ଅବସ୍ଥାରେ ଇତିହାସ, ଭୂଗୋଳ, ସାହିତ୍ୟ, ଦର୍ଶନ , ସ୍ୱାସ୍ଥ୍ୟ ଓ ବିଜ୍ଞାନ ସମ୍ବନ୍ଧରେ ଜାଣିବାକୁ ଆମର ଯେଉଁ ଅଧିକାର ଅଛି, ଯୌନତତ୍ତ୍ୱ, ସମାଜନୀତି ଓ ରାଜନୀତି ବିଷୟରେ ବୁଝିବାକୁ ପୁଣି ନିଜର ପାରିପାର୍ଶ୍ୱିକ ଅବସ୍ଥା ପାଠ କରିବାକୁ ସମାନ ଅଧିକାର ଅଛି । କିନ୍ତୁ ଅଧିକାର ଓ ଦାବୀର ପ୍ରଶ୍ନ ଯେଉଁଠାରେ ଉଠେ ସେଠାରେ ତାକୁ କେହି କାହାକୁ ଦେଇପାରେ ନାହିଁ । ସେ ସମସ୍ତ ଆଦାୟ କରି ନେବାକୁହିଁ ହୁଏ । ଏପରି କି ବହୁ କ୍ଷେତ୍ରରେ ଦଖାଯାଏ ବାପ ପୁଅକୁ କିମ୍ବା ସ୍ୱାମୀ ସ୍ତ୍ରୀକୁ ମଧ୍ୟ ଅଧିକାର ଦେବାକୁ ରାଜି ନୁହେଁ । ଏ ସବୁ କ୍ଷେତ୍ରରେ ଶକ୍ତିହୀନତା ଓ ସାହାସହୀନତା ହେତୁରୁ ମନସ୍ତତ୍ତ୍ୱବିତ୍‌ମାନଙ୍କ ଭାଷାରେ ଆତ୍ମଦମନ କରିବାକୁ ହୋଇଥାଏ ।

 

କିନ୍ତୁ ଯେତେବେଳେ ଏହି ପ୍ରତିରୋଧର ପ୍ରତିକ୍ରିୟା ଆରମ୍ଭ ହୁଏ, ସେତେବେଳେ ସବୁ କ୍ଷେତ୍ରରେ ବିପ୍ଳବର ସୃଷ୍ଟି ହୁଏ । ଚତୁସ୍ପାର୍ଶ୍ୱରେ ହିଁ ଆମ୍ଭେମାନେ ପ୍ରତ୍ୟହ ବହୁ ବିପ୍ଳବୀଙ୍କୁ ଦେଖିବାକୁ ପାଉଁ । ସେମାନଙ୍କ ଭିତରୁ ଅନେକ ତ୍ୟାଜ୍ୟପୂତ୍ତ, ଏକ୍‌ସ୍‌ପେଲ୍‌ଡ, ସମାଜ ଅଥବା ଜାତିଚ୍ୟୁତ, ବିଧର୍ମୀ ବା ବେଆଇନ ଦଳ ରୂପେ ସବୁ କ୍ଷେତ୍ରରୁ ବିତାଡ଼ିତ, ଅଥଚ ସେମାନଙ୍କୁ ହିଁ ପୁଣି ସମାଜ ଫେରାଇ ଆଣି ଅଭିନନ୍ଦନ କରେ । ପ୍ୟାରିମୋହନ ଆଚାର୍ଯ୍ୟ, ବିଶ୍ୱନାଥ କର, ମଧୂସୁଦନ ଦାସ ଓ ଗୋପବନ୍ଧୁ ଦାସ ପ୍ରଭୃତି ଏହି କ୍ଷୁଦ୍ର ଓଡ଼ିଶା ପ୍ରଦେଶରେ ମଧ୍ୟ ଏହି ରୁପ ସମ୍ମାନ ପାଇ ଅଛନ୍ତି । ଅଥଚ ଧର୍ମ, ସମାଜ ଓ ରାଷ୍ଟ୍ରରେ ଅଳ୍ପ ବେଶି ସେମାନଙ୍କୁ ବିପ୍ଳବୀ ବୋଲିବାକୁ ହିଁ ହେବ ।

 

ଯୁବକର ହେତୁହୀନ ଭୀରୁତା :–

 

କିନ୍ତୁ ବର୍ତ୍ତମାନର ଯୁବକ ବିପ୍ଳବୀ ହେବା ତ ଦୁରର କଥା, ସବୁ କ୍ଷେତ୍ରରେହିଁ ସେ ଆଜି ଗୋଟାଏ ଅର୍ଥହୀନ ଭୀରୁତା ଓ ତୁଚ୍ଛ କାପୁରୁଷତାର ପରିଚୟ ଦେଇଅଛି । ପିତା, ଅଭିଭାବକ, ଶିକ୍ଷକ, ଅଧ୍ୟାପକ କିମ୍ବା ଉପରିସ୍ଥ କର୍ମଚାରୀ ସଙ୍ଗେ ତାହାର ଯେଉଁ ସମ୍ପର୍କ ସେ ଯେପରି ଏକ ପୁଲିସ ଏବଂ ଚୋରର ସମ୍ପର୍କ । ରାଷ୍ଟ୍ର କିମ୍ବା ସମାଜର ବିଭିନ୍ନ କ୍ଷେତ୍ରରେ ନାନା ବିଭାଗରେ ଯେଉଁ ଅଳ୍ପ କେତେ ଜଣ ଭାଗ୍ୟବାନଙ୍କର ଦୈବକ୍ରମେ କିଛି କ୍ଷମତା ଓ ଅଧିକାର ହେଇଅଛି, ସେମାନଙ୍କୁ ସେ ଯେପରି ଭୟ କରେ, କୌଣସି ନୂତନ ଚିନ୍ତା ଓ ନୂତନ ପରିବର୍ତ୍ତନକୁ ମଧ୍ୟ ଅଭିନନ୍ଦନ କରିବା ପାଇଁ ସେହିପରି ସେ ଅକ୍ଷମ । ଶୈଶବରୁ ତାହା ଭିତରେ ଯେଉଁ ଭୟ ବା ଭୂତର ପ୍ରବେଶ ହୋଇଥାଏ, ତାହା ହିଁ ପରବର୍ତ୍ତୀ ଜୀବନରେ ନାନା ରୂପରେ ପ୍ରକାଶ ଲାଭକରେ ।

 

ଏହି ସଙ୍କୋଚ ଓ ଭୀରୁତା ତାହାକୁ ଏପରି ନିବିଡ଼ ଭାବରେ ଗ୍ରାସ କରେ ଯେ ତାହାର ସମସ୍ତ ଶିକ୍ଷା ଓ ଦୀକ୍ଷା ସେଠାରେ ପରାଜିତ । ଜୀବନଟା ତାକୁ ମୃତ୍ୟୁ ଅପେକ୍ଷା ଅଧିକ ଭୀଷଣ ଏବଂ ସତ୍ୟଟା ମିଥ୍ୟା ଅପେକ୍ଷା ବେଶି ଭୟଙ୍କର ବୋଧହୁଏ । ଯଥାର୍ଥରେ ସେ ଭୟ କରେ ଏହି ଜୀବନକୁ, ଏହି ଅତି ବାସ୍ତବ ଓ ଅତି ସତ୍ୟ ଜୀବନକୁ ।

 

ସେଥିପାଇଁ ତରୁଣ ବୟସରୁ ସବୁ ଅପାର୍ଥିବ କଳ୍ପନା, ସବୁ ଅବାସ୍ତବ ଦୁଶ୍ଚିନ୍ତାରେ ଆଶ୍ରୟରେ ନିଜକୁ ଘୋଡ଼ଇ ରଖିବାର ଚେଷ୍ଟା । ସେଇଥିପାଇଁ କାବ୍ୟ କବିତାର ଆଲୋଚନା ଏତେ ପ୍ରଚୁର, ସେଇଥିପାଇଁ ଯୁବକ ସମାଜ ଆଜି ଏତେ ବେଶି ଚାକିରି ପ୍ରାଣ । ଜୀବନର ପ୍ରଖର ରଶ୍ମି ତାହା ପକ୍ଷରେ ଏତେ ଦୂର ଅସହ୍ୟ ଯେ ତାହାର ସମ୍ମୁଖୀନ ହେବାକୁ ଭରସା ନ ପାଇ ସେ ଏହି ରୂପେ ଗୋଟିଏ କିଛି ଆଶ୍ରୟ ଲୋଡ଼େ ।

 

ଏହା ହିଁ କଣ ଯୌବନର ଧର୍ମ ? କିଏ ତେବେ ଆଉ ଜୀବନର ସମ୍ମୁଖୀନ ହେବ ନିରାଟ, ଉମଙ୍ଗ, ବାସ୍ତବ ଜୀବନର ? ଏଥିପାଇଁ ଯେଉଁ ଶକ୍ତି ଯେଉଁ ସାହାସ ଓ ଯେଉଁ ଧମନୀର ଆବଶ୍ୟକ ତହା ଯୁବକ ବ୍ୟତୀତ ଆଉ କାହାଠାରୁ ବେଶି ଆଶା କରାଯାଇ ପାରେ ? କର୍ମର ପ୍ରଖରତା, ଚିନ୍ତାର ସୂକ୍ଷ୍ମତା ଓ ଚରିତ୍ରର ଦୃଢ଼ତା ଦେଖାଇବା ଦିଗରେ ଆଉ କିଏ ତେବେ ଅଧିକ କ୍ଷମ ?

 

ଚରିତ୍ର ଏବଂ ଚିନ୍ତାର ଆଧୁନିକ ବ୍ୟାଖ୍ୟା ଓ ଗତିଧାରା :–

 

ଯୁବକର ଚରିତ୍ର କଥା କହିଲା ବେଳେ ଯେଉଁ ଛାତ୍ର ସଚ୍ଚରିତ୍ର ବୋଲି ବିଦ୍ୟାଳୟରୁ ପୁରସ୍କୃତ ହୁଏ, ତାହାର କଥା ମୁଁ ଭାବୁ ନାହିଁ, ଆପଣମାନେ ମଧ୍ୟ ଭାବୁ ନ ଥିବେ । ଦେହ ଓ ମନ ଭିତରେ ରୋଗର ପରିକ୍ରିୟାକୁ ଚରିତ୍ର ବୋଲାଯାଏ ନାହିଁ । ଯାହାର ଦେହ ଓ ମନ ଯେତିକି ପରିମାଣରେ ସୁସ୍ଥ ବା ସବଳ, ଯେ ଯେତେ ବେଶି ବୁଝିପାରେ କିମ୍ବା କରିପାରେ, ଗଢ଼ିପାରେ କିମ୍ବା ଭାଙ୍ଗିପାରେ, ମାନିପାରେ କିମ୍ବା ଅମାନ୍ୟ କରେ, ଅଥବା ନିଜପାଇଁ ଯେ ଯେତେ ବେଶି ବନ୍ଧୁ କିମ୍ବା ଶତ୍ରୁର ସୃଷ୍ଟି କରିପାରେ, ତାହାର ଚରିତ୍ର ଦୃଢ଼ତା ସେତିକି ବେଶି ଅନୁଭୂତ ହୁଏ, ତାହା ହିଁ ଏଠାରେ ମୋର ପ୍ରତିପାଦ୍ୟ । କିନ୍ତୁ ଚିନ୍ତା ବିଷୟରେ କହିବାକୁ ଗଲେ ଆଧୁନିକ ଜଗତର ଭାବଧାରା ସମ୍ବନ୍ଧରେ ଏହା ହିଁ ବୋଧହୁଏ ସ୍ଥିର ମତ ଦିଆଯାଇପାରେ ଯେ, ଏହାର କୌଣସି ବିଭାଗରେ, କୌଣସି ବିଷୟ ବା ତଥ୍ୟ ସମ୍ବନ୍ଧରେ ସ୍ଥିର ମତ ବ୍ୟକ୍ତ କରିବା କଠିନ । ମନେ ହୁଏ ଯେମିତି ଆମ୍ଭମାନଙ୍କର ଏହି ପୃଥିବୀ ସମସ୍ତ ସୌର ଜଗତ ସହିତ ଆଗ ଅପେକ୍ଷା ଶହେ ଗୁଣ ବେଗରେ ଗତି କରୁଚି । ଆଜି ପର୍ଯ୍ୟନ୍ତ ଯେତେ ତଥ୍ୟ ଓ ସଦ୍ଧାନ୍ତ ଶହ ଶହ ବର୍ଷ ଧରି ଶିସା ପରି ଟାଣ ହୋଇ ପଡ଼ିଥିଲା ହଠାତ୍‌ ଯେମିତି ଏହି ଘୃର୍ଣିପ କର ଉତ୍ତାପରେ ପାଣି ପରି ତରଳ ହୋଇ, ଟଗବଗ ଫୁଟୁଛି । ଚିନ୍ତାର ସ୍ୱେତ ଏ ରୁପ ପ୍ରଳୟ ବେଗରେ ଧାଇଁଛି ଯେ, ତାହା ଭିତରୁ ଏକ ସ୍ଥିର ପନ୍ଥା ବାଛି ନେବା ପାଇଁ ଦୁଃସହ ସାହାସର ପ୍ରୟୋଜନ ।

 

ସମଗ୍ର ପୃଥିବୀ ହିଁ ଏକ ପ୍ରକଣ୍ଡ ବିଜ୍ଞାନାଗାରରେ ପରିଣତ ହୋଇଅଛି । ଗରିବର, ସମାଜର, ଧର୍ମ ଓ ରାଷ୍ଟ୍ର ପ୍ରଭୃତି ପ୍ରତି କ୍ଷେତ୍ରରେ ହିଁ ବ୍ୟବସ୍ଥା ଆସୁଚି ଏହିଠାରୁ, ପ୍ରତ୍ୟେକ ଦେଶ ଓ ପ୍ରତ୍ୟେକ ଜାତିର ଚିନ୍ତାଧାରା ସେଥିପାଇଁ ଆଜି ଗୋଟିଏ ଦିଗରେ ଗତି କରିବାକୁ ଯାଉଚି ଏବଂ ଏକ ଭାବରେ ପ୍ରଭାବିତ ହଉଛି । ଆହାର, ବିହାର, ବସନ, ଭୂଷଣ, ରୀତି, ଗତି ମଧ୍ୟ ଏହି ବିଜ୍ଞାନାଗାରେ ପରୀକ୍ଷିତ ଚିନ୍ତାଧାରାର ଅନୁବର୍ତ୍ତୀ ହୋଇ ଏକ ସର୍ବସାଧାରଣ ସଭ୍ୟତାର ସୂଚନା ଦେଇଛି । ଦୁନିଆର ଚିନ୍ତାଧାରା ଯେପରି ଏକ ମୁଖୀ, ଏହା ଯେପରି କୌଣସି ଭୌଗୋଳିକ ସୀମବଦ୍ଧ ଦେଶ ବିଶେଷ ଅଥବା ନିର୍ଦ୍ଧିଷ୍ଟ ଧର୍ମ କିମ୍ବା ଭାଷାବଦ୍ଧ ଜାତି ବିଶେଷ ମଧ୍ୟରେ ଏକଚାଟିଆ ନୁହେଁ, ଜଗତର କାର୍ଯ୍ୟ ପ୍ରଣାଳୀର ଗତି ମଧ୍ୟ ଆଜି ସେହିପରି । ପୃଥିବୀର ସବୁ ଧର୍ମ ଉପରେ ଏହି ଚିନ୍ତାର ଧକ୍କା ଏପରି ପ୍ରବଳ ଭାବରେ ଲାଗିଛି ଯେ ପୃଥିବୀମୟ ଗୋଟାଏ ଏକକ ଧର୍ମ ପ୍ରଚଳନର କିମ୍ବା ଅନ୍ୟ କଥାରେ ସମ୍ପୁର୍ଣ୍ଣ ଧର୍ମହୀନ ହେବାର ସୂତ୍ରପାତ ହୋଇଛି । ଆଉ ଅନେକ ଘଟଣା ପରି ଆବିସିନିଆର ସମ୍ରାଟ ଏବଂ ସମ୍ରାଟ ପତ୍ନୀ ସମଗ୍ର ସାମ୍ରାଜ୍ୟର ଲୋକଙ୍କୁ ଘେନି ଗିର୍ଜା ଗୃହରେ ଯେତେ ଉପାସନା କଲେ, ପୁଣି ସ୍ୱଗୃହରେ ଯେତେ ଉପବାସ କଲେ, ସେଥିରୁ ସାମାନ୍ୟ ଅଂଶରେ ମୁସୋଲିନିଙ୍କ ପାଖରେ କରିଥିଲେ, ସେ ଦେଶରେ ଅବସ୍ଥା ବର୍ତ୍ତମାନ ଅପେକ୍ଷା ବେଶି ସୁବିଧାଜନକ ହୋଇଥାନ୍ତା ବୋଲି ପୃଥିବୀମୟ ସମସ୍ତେ ଜାଣନ୍ତି ।

 

ଭାରତର ସ୍ୱାଦେଶିକତା କାହିଁ ?

 

ପୃଥିବୀମୟ ଧର୍ମ ଉପରେ ଯେଉଁ ବିପତ୍ତି, ଦେଶ ଓ ଜାତି ବିଶେଷର ସ୍ୱାଦେଶିକତା ଉପରେ ମଧ୍ୟ ସେହି ରୂପ ଏକ ତୋଫାନ ବହୁଛି । ପୁରାଣ ଦେଶ ଭାରତବର୍ଷକୁ ମଧ୍ୟ ଏହି ପ୍ରଭାବ ଅଙ୍ଗେ ଅଙ୍ଗେ ଅନୁଭବ କରିବାକୁ ପଡ଼ିଚି । ତାହାର ପରାଧୀନତାର ସକଳ ବାଧା ସତ୍ତ୍ୱେ ଆଜି ତାହାକୁ ସମଗ୍ର ପୃଥିବୀର ଶିକ୍ଷା, ସଭ୍ୟତା, ନୈତିକତା ଓ ସାମାଜିକତାକୁ ନିଜର କରି ନ ପାରିଲେ, ଅର୍ଥାତ ଆଧୁନିକ ବିଜ୍ଞାନ ସଭ୍ୟତାକୁ ଯଥାଶକ୍ତି ଅନୁକରଣ କରି ନପାରିଲେ ଗତ୍ୟନ୍ତର ନାହିଁ । ଆଉ ମଧ୍ୟ ଏହାକୁ ଗ୍ରହଣ କରିବାକୁ ସେ ଯେ ବାଧ୍ୟ, ତାହାର ସୁସ୍ପଷ୍ଟ ସୂଚନା ମିଳି ସାରିଲାଣି ।

 

ଅନନ୍ତ ବା ଅସୀମରେ ଭାସିବାର ଦିନ ତା’ର ଚାଲି ଗଲାଣି । ଏ ଶଦ୍ଦ ଦୁଇଟିକୁ ହିଁ ଉଦାହରଣ ରୂପେ ଧରିଲେ, ଆଜି ଦେଖାଯାଏ, ଏହାକୁ ଘେନି ଭାରତୀୟ ଧର୍ମ, ଦର୍ଶନ ଓ ସାହିତ୍ୟରେ କେତେ ଚିନ୍ତା ଓ କେତେ କଳ୍ପନା ଯେ ଖେଳି ଯାଇଛି, ତାହା ଏକ ଆଶ୍ଚର୍ଯ୍ୟ । ଏହି କଥା ଦୁଇଟା ଭିତରେ କେତେ କାବ୍ୟ କେତେ ରୋମାଞ୍ଚ, କେତେ ପୁଲକର ସୃଷ୍ଟି ହୋଇଛି ! କିନ୍ତୁ ଦିନେ ହଠାତ୍‌ ଅଙ୍କ କଷି, ଚିତ୍ର ଆଙ୍କି ଆଇନ୍‌ଷ୍ଟାଇନ ଦେଖାଇ ଦେଲେ ଯେ ଜଗତର ଅନାଦି ଓ ଅନନ୍ତ ବୋଲି କୌଣସି ବସ୍ତୁ ନାହିଁ । ଆଇନ୍‌ଷ୍ଟାଇନଙ୍କର ଯୁକ୍ତିକୁ ଖଣ୍ଡନ କରିବାର ପ୍ରତିଭା ଯେତେ ଦିନ ପୃଥିବୀ ସୃଷ୍ଟି କରିବାକୁ ସମର୍ଥ ହୋଇନାହିଁ, ସେତେ ଦିନ ଏହା ଉକ୍ତ ତଥ୍ୟ ପାଇଁ ମାନି ନେବାକୁ ନ୍ୟାୟତଃ ବାଧ୍ୟ । ପ୍ୟାଣ୍ଟ କୋଟ୍‌ ଟାଇ ଭାରତର ସବୁ ପ୍ରଦେଶରେ ସଭ୍ୟତାର ପରିଚ୍ଛଦ ନଥିଲା । କିମ୍ବା ଟେବଲ୍‌ ଉପରେ କଣ୍ଟା ଚାମଚରେ ଆହାର କରିବା କାହାରି ଅଭ୍ୟାସ ନ ଥିଲା । ଠିକ୍‌ ଏହି ଧରଣର ଆହାର ପରିଚ୍ଛଦ ମଧ୍ୟ ଜାପାନ, ଚାଏନା, ତୁର୍କୀ, ମିଶର ପ୍ରଭୃତି ପ୍ରାଚ୍ୟ ଦେଶ ଗଡ଼ିକର ସ୍ୱଦେଶୀ ପୋଷାକ ନୁହେଁ, କିମ୍ବା ଆହାର କରିବା ସ୍ୱଦେଶୀ ରୀତି ନୁହେଁ । ଅଥଚ ସବୁ ଦେଶରେ ଆଜି ପ୍ରସାର ଲାଭ କରିଛି କେଉଁଠାରେ ଅବା ଆହାର ସରଞ୍ଜାମରେ ଆଉ କେଉଁଠାରେ ପୋଷାକର କେବଳ ଟୋପିଟିରେ ମାତ୍ର ପାର୍ଥକ୍ୟ ଅଛି ।

 

ଏହାର କାରଣ ଆଉ କିଛି ନୁହେଁ ଉକ୍ତ ରୂପ ପରିଚ୍ଛଦ କିମ୍ବା ଆହାର ପଦ୍ଧତି ଅପେକ୍ଷା ଅଧିକତର ସ୍ୱାସ୍ଥ୍ୟକର, ବିଜ୍ଞାନସମ୍ମତି ଓ ଯୁଗୋପଯୋଗୀ ରୀତି ଗତି ମାନବର ବୁଦ୍ଧି ଉଦ୍ଭାବନ କରି ପାରି ନାହିଁ ।

 

ତାହାହେଲେ ଯେ ଧର୍ମଗଲା, ସ୍ୱାଦେଶିକତା ଗଲା, ଆଚାର ଗଲା, କ୍ରିୟା ପଦ୍ଧତି ଗଲା ଭାରତବର୍ଷରେ ରହିଲା ତେବେ କଣ ସ୍ୱାଧୀନ ଦେଶ ଜାପାନର ଯାହା ଅଛି, ତୁର୍କିର ଯାହା ଅଛି, ୟୁରୋପ ଓ ଆମେରିକା ଦେଶମାନଙ୍କର ଯାହା ଅଛି, ଭାରତବର୍ଷର ଅବଶ୍ୟ ଖାଲି ସ୍ୱାଧୀନତାଟି ଛାଡ଼ି ଆଉ ସମସ୍ତ ରହିବ ।

 

ଏହି ବିଜ୍ଞାନ-ସଭ୍ୟତାକୁ ସେ ଯଦି ବିଚକ୍ଷଣତାର ସହିତ ଗ୍ରହଣ କରିପାରେ, ତେବେ ତାହାର ଯାହା ରହିବାର କଥା ତାହା ତ ଅବଶ୍ୟ ରହିବ । ସେ କେବଳ ତା’ର ସ୍ୱାର୍ଥ ସେ ସ୍ୱାର୍ଥ ଧର୍ମରେ ନାହିଁ, ଦର୍ଶନରେ ନାହିଁ, ସାହିତ୍ୟରେ ନାହିଁ,ଚିନ୍ତତତ୍ତ୍ୱରେ ନାହିଁ, ଅଛି ଏକମାତ୍ର ଅର୍ଥରେ ଯେଉଁ ସ୍ୱାର୍ଥ ଜାପାନର ଅଛି, ତୁର୍କିର ଅଛି, ଇଂଲଣ୍ଡର ଅଛି ଓ ଆଉ ସବୁ ଦେଶର ମଧ୍ୟ ଅଛି । କିନ୍ତୁ ଭାରତର ସଭ୍ୟତା ଓ ସ୍ୱାଦେଶିକତା ଯଦି ଆଜି କାଲି ପରି କେବଳ ଧର୍ମ ଦର୍ଶନରେ ମୁଖ୍ୟତଃ ଆବଦ୍ଧ ରହେ, ତେବେ ତାକୁ ଖାଲି ଖୋଳଟି ଘେନି ସନ୍ତୁଷ୍ଟ ରହିବାକୁ ପଡ଼ିବ, ଭିତରଟି ଯାହାର ଶୂନ୍ୟ ।

 

ନୂଆ ଓଡ଼ିଶା ପ୍ରଦେଶ ଓ ପୃଥିବୀର ରାଜନୀତିରେ ଯୁବକର ସମ୍ଭବନା :–

 

ଏହି ଯେ ପୃଥିବୀ ବ୍ୟାପୀ ଗୋଟିଏ ସର୍ବସାଧାରଣ ସଭ୍ୟତାର ଆରମ୍ଭ ହୋଇଛି, ଏହାକୁ ଅଭିବାଦନ କରିବାର ମଙ୍ଗଳ ଦୁନ୍ଦୁଭି ଯଦି କାହାର ହାତରେ ଥାଏ ତ, ସେ କେବଳ ଯୁବକ-। କାରଣ କ୍ଷୁଦ୍ର ମଧ୍ୟରେ ଆବଦ୍ଧ ରହିବା ତାହାର ସ୍ୱାଭାବ ବିରୁଦ୍ଧ । ପୃଥିବୀମୟ ଯୁବକର ଚିନ୍ତାଧାରା ସହିତ ନିଜ ଚିନ୍ତାକୁ ଯୋଗ କରିବାର ଯେଉଁ ଆନନ୍ଦ, ତାହା ନିକଟରେ ନୂଆ ଓଡ଼ିଶା ପ୍ରଦେଶରେ କୋମଳ ରାଜନୀତି, ତରୁଣ କାନକୁ ପୁରୁଣା ଗ୍ରାମୋଫୋନ୍‌ ରେକଡ଼ ପରି ହିଁ ଶୁଣା ଯିବାର କଥା । ସୁତରାଂ ସେ ସମସ୍ୟାକୁ ଯଦି ସେ ଏ ଦେଶରେ ପକ୍ୱକେଶମାନଙ୍କ ହାତରେ ଛାଡ଼ିଦିଏ, ଯେଉଁ ମାନଙ୍କର ବର୍ତ୍ତମାନ ଟିକିଏ ଆରାମ କରିବାର ସମୟ କିମ୍ବା ଅର୍ଥ ଉପାର୍ଜନରେ ଅତିଶୟ କ୍ଷମତା ତେବେ ତାହାର ଧର୍ମହାନି ଘଟିବ ନାହିଁ ।

 

ଏହା ଦ୍ୱାରା ଓଡ଼ିଶା ପ୍ରଦେଶ ପ୍ରତି ଯୁବକର କୌଣସି କର୍ତ୍ତବ୍ୟ ନାହିଁ ବୋଲି କହିବା ମୋର ଉଦ୍ଦେଶ୍ୟ ନୁହେଁ । ଅନେକ ଓଡ଼ିଆ ଯୁବକ ବାକ୍ୟଦ୍ୱାରା, ମନଦ୍ୱାରା, ସଭା ସମିତିରେ ସ୍ୱେଚ୍ଛାସେବକ ହେବାଦ୍ୱାରା କିମ୍ବା ଅତ୍ୟଧିକ ଦେଶ ଭକ୍ତ ଯାହାଙ୍କର ସେମାନେ ଚାକିରି ଦ୍ୱାରା ମଧ୍ୟ ଏ ପ୍ରଦେଶର ସେବା କରିବେ । ସୁତରାଂ ପୃଥିବୀର ଆଉ ସବୁ ଦେଶର ଶାସନତନ୍ତ୍ର ପରି କ୍ଷୁଦ୍ର ଓଡ଼ିଶା ପ୍ରଦେଶରେ ଶାସନତନ୍ତ୍ର ମଧ୍ୟ ସୁଦୃଢ଼ ଓ ସବଳ ହେବାରେ ବାଧା ନାହିଁ; ପୁଣି ପୃଥିବୀର ଆଉ ସବୁ ଦେଶରେ ରାଜନୀତି ପରି ଏ ପ୍ରଦେଶର ରାଜନୀତି ମଧ୍ୟ ଦୁର୍ବଳ ଓ ହାସ୍ୟାସ୍ପଦ ହୋଇ ରହିବ । କାରଣ ଶାସନତନ୍ତ୍ର ଗୁଡ଼ିକର ମୌଳିକ ପରିଚାଳନା ରହିଛି । ଯୁବକର ହାତରେ ପୁଣି ରାଜନୀତି କ୍ଷେତ୍ରରେ ପ୍ରାୟ ଦେଖିବାକୁ ମିଳନ୍ତି ଯାବତୀୟ ଶ୍ଲିଥଚର୍ମା; ଯେଉଁମାନେ କେବଳ ଉପଦେଶ ଦେବା ବ୍ୟତୀତ ଆଉ କିଛି କରି ପାରିବେ ନାହିଁ । ଏହି ପରିସ୍ଥିତିଟାକୁ ଯଦି ତଳ ଉପର ଓ ଉପର ତଳ କରି ଦିଆଯାନ୍ତା ଅର୍ଥାତ ସରକାରୀ ଚାକିରିରେ ପ୍ରବେଶ କରିବାର ବୟସ ଯଦି ୨୫ ପର୍ଯ୍ୟନ୍ତ ନ ରଖି ୪୫ ପରେ ରଖାଯାନ୍ତା ତାହାହେଲେ ମନେ ହୁଏ, ସମଗ୍ର ପୃଥିବୀର ରାଜନୀତି କ୍ଷେତ୍ରରେ ଆଜି ଅନେକ ବେଶି ସୁବିଚାର, ଅନେକ ବେଶି କର୍ମଠତା ଏବଂ ବିଚକ୍ଷଣତା ଦେଖାଯାନ୍ତା । ଦେଶ ଭିତରେ ଆଜି ଯେତେ ମନୋମାଲିନ୍ୟ, ବାଣିଜ୍ୟରେ ଯେତେ ଅସାମଞ୍ଜସ୍ୟ, କିମ୍ବା ବିନିମୟ ହାରରେ ଯେତେ ଅସନ୍ତୋଷ ଦେଖାଯାଏ, ସେଥି ମଧ୍ୟରୁ ଅଧେ ସମସ୍ୟା ହୁଏ ତ ସହଜରେ ସମାଧାନ ହୋଇ ପଡ଼ନ୍ତା । ଜେନେଭାର ଆନ୍ତର୍ଜାତିକ ସଭା ଲୋକ ଚକ୍ଷୁରେ ଆଜି ହୁଏ ତ ପ୍ରତି ପଦରେ ଅପଦସ୍ଥ ହୁଅନ୍ତା ନାହିଁ । ଚାଳିଶ ପଞ୍ଚଚାଳିଶ ବର୍ଷ ବୟସ୍କ ପୁରୁଷମାନେ ମଧ୍ୟ ସହଜରେ ଶାସନତନ୍ତ୍ର ଚଳାଇ ପାରନ୍ତେ । କାରଣ ଶାସନତନ୍ତ୍ର ଗୁଡ଼ିକର ନିୟମ କାନୁନ୍‌ ଯେ ରୂପ ବିଧିବଦ୍ଧ ଓ ସୁଶୃଙ୍ଖଳ ବୋଲି ଶୁଣାଯାଏ, ସେଥିରେ ସମ୍ପୂର୍ଣ୍ଣ ବୟସହୀନ ଲୋକ ମଧ୍ୟ ସେ ଗୁଡ଼ିକୁ ତ ଚଳାଇ ନେବାର କଥା । ଆଉ ମଧ୍ୟ ଚାକିରି କ୍ଷେତ୍ରରେ ଏ ରୂପ ପରିବର୍ତ୍ତନ ଦ୍ୱାରା ସମାଜରେ ଏକ ପରିବର୍ତ୍ତନର ଆଶା କରାଯାଇ ପାରେ ଅର୍ଥାତ୍‌ ବିବାହ କ୍ଷେତ୍ରରେ ପୁରୁଷର ବୟସ ପଚିଶ ବର୍ଷ ଭିତରେ ଆବଦ୍ଧ ନ ରହି ହୁଏ ତ ନିଜ ଛାଏଁ ଆଉ ଟିକିଏ ଆଗେଇ ଯାନ୍ତା ।

 

ଏଦେଶର ତରୁଣୀ :–

 

ଆଧୁନିକ ତରୁଣ ବିଷୟରେ କଥା କହିବାକୁ ଗଲେ ତରୁଣୀର କଥା ମଧ୍ୟ ତାହା ସାଥିରେ ଆସି ପଡ଼େ । କିନ୍ତୁ ସେ ଧରଣର କୌଣସି ବସ୍ତୁ ଆଦ୍ୟରୁ ଅଛି କି ନାହିଁ, ତାହାର ସନ୍ଧାନ ପାଇବା ତ ଦୂରର କଥା, ନେବା ପାଇଁ ମଧ୍ୟ ସୁବିଧା କାହିଁ ? ସେମାନଙ୍କ ମଧ୍ୟରୁ ଯେଉଁମାନେ ଶିକ୍ଷା ପାନ୍ତି ନାହିଁ ଏବଂ ଯେଉଁ ମାନଙ୍କର ପ୍ରକାଶ ହୁଏ ରୁଗ୍ଣ ଓ ଦୁର୍ବଳ ଶିଶୁ ଉତ୍ପାଦନ କରିବାରେ, ଆଉ ଯେଉଁ ଅଳ୍ପ କେତେଜଣ ଶିକ୍ଷା ପାଉଥିବାରୁ ଅବିବାହିତା ରହନ୍ତି, ତାଙ୍କର ପ୍ରକାଶ ହୁଏ ଅଶାନ୍ତ ତରୁଣକର୍ତ୍ତୃକ ବିକୃତ ପ୍ରେମକବିତା ରଚନାରେ, ଯାହାଲାଗି ସେହିମାନଙ୍କ ଗତିବିଧି ହିଁ ବହୁ ଅଂଶରେ ଦାୟୀ । ପୁଣି ଶିକ୍ଷା ପାଇଥିବା ଏହି ତରୁଣୀମାନଙ୍କ ମଧ୍ୟରୁ ଅଧିକାଂଶ ହିଁ ପ୍ରବେଶିକା ପରୀକ୍ଷା ସଙ୍ଗେ ସଙ୍ଗେ ସ୍ୱାମୀ ଗୃହରେ ପ୍ରବେଶ କରିବାର ଭରସା ରଖିଥାନ୍ତି; କାରଣ ତାହାପରେ ଏହି ଦେଶରେ ପୁଣି ସ୍ୱାମୀ ମିଳିବା ଦୁଷ୍କର । ସୁତରାଂ ତରୁଣୀର ପ୍ରଥମ ଶିକ୍ଷା କାଳରେ ହିଁ ସ୍ୱାମୀ ଅନ୍ୱେଷଣ ବ୍ୟତୀତ ଆଉ ଯେ କିଛି ବୃହତ୍ତର ଆଦର୍ଶ ଅଛି, ତାହାର ଉଲ୍ଲେଖଯୋଗ୍ୟ ପରିଚୟ ଏ ଯାଏଁ ଯେତିକି ମିଳିଛି, ତାହାକୁ କେବଳ ଅତିରିକ୍ତ ମଧ୍ୟରେ ହିଁ ଧରିନେବାକୁ ହେବ । ଆଉ ଯଦି ତାହାର ଶିକ୍ଷାର ହିସାବ ନିଆଯାଏ, ତାହାହେଲେ ବହୁ ତରୁଣଙ୍କ ପରି ବହୁ ତରୁଣୀଙ୍କର ମଧ୍ୟ ନିଜର ପାଠ୍ୟ ପୁସ୍ତକ ଛାଡ଼ି ଅନାମଧେୟ ଲେଖକଙ୍କର କେତେ ଖଣ୍ଡ ଅନ୍ୟ ପ୍ରାଦେଶିକ ଭାଷାର ଉପନ୍ୟାସ ବା ସେହିପରି କିଛି ପୁସ୍ତକ ପାଠ ତାଲିକାକୁ ସମ୍ପୂର୍ଣ୍ଣ କରିଛି । ଭାରତୀୟ ଯେ କୌଣସି ପ୍ରାଦେଶିକ ସାହିତ୍ୟ ଯେ ଅନେକାଂଶରେ ଇଂରାଜୀର ଉଚ୍ଛିଷ୍ଟ ବା ଅନୁକୃତି, ଏହା ଜାଣି ମଧ୍ୟ ଏବଂ ଇଂରାଜୀ ପଢ଼ିବାର ସବୁ ସୁବିଧା ପାଇ ମଧ୍ୟ ଇଂରାଜୀ ତା’ଠାରୁ ଅଧିକ ଆଦର ପାଏ ନାହିଁ । ଅଥଚ ପ୍ରକୃତ ପକ୍ଷରେ ଇଂରାଜୀ ହିଁ ଏ ଦେଶର ରାଷ୍ଟ୍ର ଭାଷା, ଏବଂ ନିଜ ଭାଷା ଛଡ଼ା ଦ୍ୱିତୀୟ ଭାଷା ରୂପେ କେବଳ ଇଂରାଜୀକୁ କହି ଜାଣିଲେ କିମ୍ବା ଲେଖି ଜାଣିଲେ ହିଁ ଖାଲି ଭାରତ ବର୍ଷରେ ନୁହେଁ, ସମଗ୍ର ପୃଥିବୀରେ ମଧ୍ୟ ତାହାର ଆବଶ୍ୟକ । କିନ୍ତୁ ତରୁଣ ତାହା କରିବ ନାହିଁ, କାରଣ ସେଥିପାଇଁ ଅଧିକ ପରିଶ୍ରମରେ ପ୍ରୟୋଜନ ଓ ଟିକିଏ ବେଶି ମସ୍ତିଷ୍କ ଚାଳନା ଆବଶ୍ୟକ ।

 

ଦେଶପାଇଁ ଜେଲ କିମ୍ବା ପ୍ରାଣବଳି ଯୁବକର ଆଦର୍ଶ ନୁହେଁ :–

 

ବନ୍ଧୁଗଣ ! ତରୁଣ ତରୁଣୀକୁ ଲୋକଚକ୍ଷୁରେ ହୀନ କରି ଧରିବା ମୋହର ଉଦ୍ଦେଶ୍ୟ ନୁହେଁ । ପ୍ରତି କ୍ଷେତ୍ରରେ ସେ ଗୋଟିଏ ଭୀରୁ ଓ ପଳାତକ ହୋଇ ରହିଛି, ଏହି ସତ୍ୟଟା ହିଁ ବାରମ୍ବାର ତାକୁ ମୁଁ ଜଣାଇ ଦେବାକୁ ଚାହେଁ । ବାରମ୍ବାର ଜଣାଇ ଦେବାକୁ ଚାହେଁ ଯେ ଦେଶରେ ଯଦି ତାଜା ରକ୍ତ କେଉଁଠାରେ ଥାଏ, ସେ ଅଛି ଖାଲି ତାହାରି ଧମନୀରେ, ପୁଣି କେଉଁଠାରୁ ଯଦି ପ୍ରାଣର ସୂଚନା ମିଳେ ତେବେ ପ୍ରଥମ ତାହାରିଠାରୁ ହିଁ ମିଳିବା ଉଚିତ । ଏଥିଲାଗି ଦ୍ୱିରୁକ୍ତି ଦୋଷକୁ ମଧ୍ୟ ମୋର ଭୟ ନାହିଁ ।

 

ଏହା ଦ୍ୱାରା କେହି ଯେପରି ନ ବୁଝନ୍ତି ଯେ ସମାଜ ସମଷ୍ଟି ପାଇଁ ରକ୍ତ କିମ୍ବା ପ୍ରାଣବଳି ଦେବା ଲାଗି ଏଠାରେ ମୁଁ ଯୁବକକୁ ଆହ୍ୱାନ କରୁଛି; ଅଥବା ଦେଶ ପାଇଁ ଜେଲ ବରଣ କରିବାକୁ ତାହାକୁ ପ୍ରବର୍ତ୍ତାଉଅଛି । ଦେଶ ପାଇଁ ମରିବାକୁ ହେବ ନାହିଁ ବନ୍ଧୁଗଣ ! ବଞ୍ଚିବାକୁ । ଜେଲ୍‌ରେ ପଶିବାକୁ ହେବ ନାହିଁ ସମାଜର ବହୁ ଅପଦାର୍ଥଙ୍କୁ ତାହା ଭିତରେ ପୂରାଇବାକୁ ହେବ । ଜେଲ କିମ୍ବା ମୃତ୍ୟୁ ଜୀବନର ଏକ ମାତ୍ର ଆଦର୍ଶ କିମ୍ବା ଏକ ମାତ୍ର ଲକ୍ଷ୍ୟ ନୁହେଁ । ପୃଥିବୀରେ ବହୁ କର୍କଶ, ବହୁ ବିପତ୍‌ପୂର୍ଣ୍ଣ ମାର୍ଗ ଅଛି, ଯାହା ତୁଳନାରେ ଜେଲ୍‌ରେ ପଶିବା କିମ୍ବା ମୃତ୍ୟୁ ବରଣ କରିବା ଅତି ସାମାନ୍ୟ ମନେ ହୁଏ ଓ ଅତି ବୋକାମୀର ପରିଚୟ ଦିଏ । ଏ ଦୁଇଟା ପନ୍ଥା ତ ସବୁ ଶ୍ରେଣୀର ଲୋକଙ୍କ ପାଇଁ ସବୁ ସମୟରେ ମୁକ୍ତ । ମୁଁ ମଧ୍ୟ ଇଚ୍ଛା କଲେ ଏହିଠାରୁ ହିଁ ଘରକୁ ନ ଯାଇ ଜେଲ୍‌କୁ ଯାଇ ପାରେ ଏବଂ ଆପଣମାନଙ୍କ ଭିତରୁ ଜଣେ ଯେ କାହାକୁ ହତ୍ୟା କରି ଫାସି ଲଟକି ପାରେ । କିନ୍ତୁ ସେ ରୂପ ବୋକା ବନିବାକୁ ମୁଁ ଆସି ନାହିଁ । କାରଣ ମୁଁ ଜାଣେ, ଏଥି ପୂର୍ବରୁ ଆପଣମାନେ ବହୁ ଲୋକଙ୍କୁ ବୋକା ବନେଇ ଜେଲ ମୁହଁକୁ ପେଲି ଦେଇ ବେଶ୍‌ ନିଶ୍ଚିନ୍ତାରେ ଅଛନ୍ତି ।

Image

 

କହି ପୁଛି ଜାଣେ ଯେ

 

ବାକ୍ୟ, ମନ ଓ ହାତ ଗୋଡ଼ ଲାଗାଏତ ଯେତୋଟି ଇନ୍ଦ୍ରିୟକୁ ମିଶାଇ ମଣିଷର ସଂଜ୍ଞା ତିଆରି ହୋଇଅଛି, ପୃଥିବୀରେ ସଭ୍ୟ ଅସଭ୍ୟ ସମସ୍ତଙ୍କୁ ଚାହିଁ ମନେ ହୁଏ, ସେଥି ଭିତରୁ ହାତ ଗୋଡ଼ହିଁ ସବୁଠୁଁ ବେଶି ବଳୁଆ । ଯାହାର ହାତ ଗୋଡ଼ ଯେତିକି ବୋଲ କରିପାରେ, ଦୁନିଆଁରେ ମଣିଷ ପରି ଚାଲି ବୁଲିବାକୁ ପରୁଆ ତାହାର ସେତିକି କମ୍‌ । ହାତ ଗୋଡ଼ ପଛକୁ ଦେଖାଯାଏ ମୁହଁ ଜୋର ଏବଂ ସବା ଶେଷରେ ବିଦ୍ୟା ବୁଦ୍ଧି ନାମଧେୟ ଇନ୍ଦ୍ରିୟଜାତ ଗୁଣମାନ ବୋଧହୁଏ ଥାର୍ଡ଼କ୍ଲାସ୍‌ରେ ସ୍ଥାନ ପାଇବ ।

 

ଏ ରୂପ ଶ୍ରେଣୀ ବିଭାଗର ଯାଥାର୍ଥ୍ୟ ବୁଝିବା ପାଇଁ ବିସ୍ତର ଉଦାହରଣ ସମସ୍ତଙ୍କର ସବୁ ପାଖରେ ପୂରି ରହିଛି । ‘‘ଜୋର ଯାହାର ମୁଲକ ତାହାର’’ କଥାଟା ପଛରେ ଯେ ଅନେକ ଅଭିଜ୍ଞତା ଓ ପର୍ଯ୍ୟବେକ୍ଷଣ ଲୁଚି ଅଛି, ପୁଣି ପୃଥିବୀର ଅଳ୍ପ କେତୁଟା ସତ୍ୟ ଭିତରୁ ଏ ଯେ ଗୋଟେ ବଡ଼ ସତ୍ୟ, ଏବଂ ଏତକ ପ୍ରମାଣ କରିବା ପାଇଁ ଡାର୍‌ଉଇନ୍‌ଙ୍କଠାରୁ ନିଟ୍‌ସେଙ୍କ ପର୍ଯ୍ୟନ୍ତ ବୈଜ୍ଞାନିକ ଓ ଦାର୍ଶନିକଗଣ ଏବଂ ସେମାନଙ୍କର ବହୁ ଚେଲା ଓ ଟୀକାକାର ଯେ ଅସୁମାରି ଶବ୍ଦ ଲେଖି ଯାଇଛନ୍ତି, ସେ କଥା ମନେ ପକାଇଲେ ଅନାମଧେୟ ଏହି ଓଡ଼ିଆ ପ୍ରବଚନକାରଙ୍କୁ ସାବାସ ନ କହି ଚାରା କାହାର ? ଏହି ପ୍ରବଚନକାରଙ୍କ କଥା ସଙ୍ଗେ ଇଂଲଣ୍ଡର ବିଜ୍ଞାନ-ବିଶାରଦ ଡାର୍‌ଉଇନଙ୍କ Survival of the Fittest ଏବଂ ଜର୍ମାନ ଦାର୍ଶନିକ ନିଟ୍‌ସେଙ୍କର Will to Power ପୁଣି ଭାରତର ଶ୍ରେଷ୍ଠ ଋଷିଙ୍କର ‘‘ନାୟମାତ୍ମା ବଳହୀନେନ ଲଭ୍ୟଃ’’ କଥାଗୁଡ଼ିକ ତୁଳିଦେଲେ ବରାବର ସମାନ ଓଜନ ହେବ ନାହିଁ କି ? ସେଇ ଗୋଟେକଥାକୁ ହିଁ ଟିକିଏ ଫରକ ବାଟରେ ଅଲଗା ଭାଷାରେ କହିବାର ଭଙ୍ଗି ଛଡ଼ା ଏଗୁଡ଼ିକରେ ଆଉ କଣ ଅଛି ?

 

ଏବେ ମଧ୍ୟ ଆମେ ଦେଖୁଥାଇଁ, ସାଧାରଣତଃ ଯେଉଁ ଲୋକଙ୍କୁ ଆଦିମ ଓ ଅନାର୍ଯ୍ୟ କହିଥାନ୍ତି, ତାଙ୍କ ଭିତରେ ସବୁଠୁଁ ବଳୁଆ ଲୋକର ଆୟୋଜନ ଅଧିକାର ଯେମିତି ଅଧିକ, ସଭ୍ୟ ଆର୍ଯ୍ୟଙ୍କ ଭିତରେ ବି ଠିକ୍‌ସେୟା । ପଶୁ ମାଙ୍କଡ଼ ଭିତରେ ମଧ୍ୟ ବଳୁଆ ମାଙ୍କଡ଼ ବଳୁଆ କୁକୁର ବା ବଳୁଆ ଷଣ୍ଢ ନିଜ ଆହାର ବିହାର ପାଇଁ ଦୁର୍ବଳଠାରୁ ବେଶି ଆଦାୟ କରିଥାଏ । ଆର୍ଯ୍ୟ ଅନାର୍ଯ୍ୟ ସବୁ ମଣିଷ ଆପଣାର ବଳ ପରଖ ପାଇଁ ସୁବିଧା ପାଇଲେ ସବୁ ପ୍ରକାର ଧର୍ମ ଓ ନୀତି ମୁହଁରେ ଉକ୍ତ ରୂପ ଆଚରଣ କରିବାକୁ ଛାଡ଼େ ନାହିଁ ।

 

ଏ ତଥ୍ୟର ଉଦାହରଣ ପାଇଁ ଖାଲି କୁକୁର କୁକୁରୀ, ଷଣ୍ଢ ଗାଈ କିମ୍ବା ପୁରୁଷ ଓ ସ୍ତ୍ରୀର ସମ୍ବନ୍ଧ ଉଲ୍ଲେଖ କଲେ ଯଥେଷ୍ଟ ହେବ ନାହିଁ । ଟିକିଏ ନିରେଖି ଚାହିଁଲେ ବଳୁଆ ବ୍ୟକ୍ତିଠାରୁ ବଳୁଆ ଜାତିର ସ୍ୱାର୍ଥପରତା ଭୀଷଣତର ଉତ୍କଟ ଓ ମାରାତ୍ମକ । ବିଜିତ ଦେଶର ସ୍ତ୍ରୀ ଉପରେ ବିପକ୍ଷ ସୈନ୍ୟମାନେ ଯେଉଁ ଧର୍ଷଣ କରନ୍ତି, ତାହା ଆଜି ମଧ୍ୟ ଅସାଧାରଣ ଘଟଣା ନୁହେଁ । ଦୁର୍ବଳ ବୋଲି ତାହାର ପୈତୃକ ଚୂଟି କେରାକ ପାଇଁ କେତେ ପରିହାସ, ଅପମାନ ଓ ଝିଙ୍କା ଓଟରା ସହ ଶେଷରେ ସମଗ୍ର ଓଡ଼ିଆ ଜାତିଟା ପିତୃପୁରୁଷଙ୍କ ଶ୍ରାଦ୍ଧ କରି ଲଣ୍ଡା ହେବାକୁ ବାଧ୍ୟ ହୋଇଛି; ଅଥଚ ଶିଖ୍‌ଜାତିଟା ସୁସଭ୍ୟ ଇଂରେଜ ସମ୍ରାଟଙ୍କ ଦରବାରରେ ମଧ୍ୟ ଖାଲି ଚୂଟି ନୁହେଁ, ତହିଁରେ ପାନିଆଁ ଖୋସି ଏବଂ ଲମ୍ବା ଦାଢ଼ିରେ ଲୁହାବଳାଲଗା ହାତ ବୁଲାଇ ନିର୍ବିକାର ଚିତ୍ତରେ ବସୁଛି, ସେଥିରେ କାହାରି ଟିକିଏ ଉଁ ଚୁଁ ହେବାକୁ ସାହସ ନାହିଁ !

 

ହାତ ଗୋଡ଼ ଯାହାର ବେଶି ବୋଲ କରେ ନାହିଁ, ତାକୁ ପ୍ରାୟ କିସ୍ତିମାତ୍‌ କରିବାର ଦେଖାଯାଏ ମୁହଁ ଜୋର୍‌ରେ । କିନ୍ତୁ ହାତ ଗୋଡ଼ ଚାଳକ ପାଖରେ କଥାର ଚାଳକକୁ ଅନେକ ସମୟ ତୁନି ରହିଥିବାର ଦେଖାଯାଏ । ପୃଥିବୀର ନାରୀ ଏବଂ ଶିଶୁ ଜାତିର ଏହି କାରଣରୁ ମୁହଁ ବେଶି ବୋଲକରେ ଏବଂ ଭାରତବର୍ଷର ନାରୀ ଏହି କାରଣରୁ ପୁରୁଷ ଆଗରେ ଚୂପ୍‌ । ଏହି କାରଣରୁ ହିଁ ମିଲିଟାରିଜିମ୍‌ର ଆସନ ଆଜି ପୃଥିବୀର ଶୀର୍ଷସ୍ଥାନରେ ଏବଂ ଆନ୍ତର୍ଜାତିକ ଲିଗ୍‌ର ରାଜନୈତିକ ବାକ୍‌ସ୍ଫୁର୍ତ୍ତି ଇଟାଲି ଜର୍ମାନୀର ସାମରିକ ଧମକ ପାଖରେ ଏକାବେଳେ ତୁଚ୍ଛ ଓ ଅର୍ଥହୀନ । ଏହି କାରଣରୁ ହିଁ ଆମ ଆଖି ଆଗରେ କେତେ କାଳର ଗୋଟେ ପୁରୁଣା ସାମ୍ରାଜ୍ୟ ସ୍ୱାଧୀନତା ହରାଇ ବୈଧବ୍ୟ ଗ୍ରହଣ କଲା, ଆଉ ଗୋଟାକର ଦଶା ତାହାହିଁ ହେବାକୁ ଯାଉଚି ।

 

ଏବିସିନଆରେ କୁହାଳିଆ ଲୋକେ ଥିଲେ, ଗୁଏନାରେ ମଧ୍ୟ ଅଛନ୍ତି । କିନ୍ତୁ ଆଧୁନିକ ରୀତିରେ ଗୋଇଠା ଚାପଡ଼ା ମାରିବାପାଇଁ ସେ ଦେଶ ଲୋକଙ୍କର ହାତ ଗୋଡ଼ ଖୁବ୍‌ସମର୍ଥ ନୁହେଁ; ସେଥିଲାଗି ତାଙ୍କର ଏହି ଦଶା । ଯେତେ କୁହାଳିଆ ହୁଅ, ଭଲ ରୂପେ ଯେ ହାତ ଗୋଡ଼ ଚଳାଇ ଜାଣେ, ତାହା ପାଖେ ସାବଧାନର ମୁହଁ ଫିଟାଇବାକୁ ପଡ଼ିବ । ଯୁଦ୍ଧଭୂଇଁର ନାନା ଅଦ୍ଭୁତ ଗପ ଭିତରେ ଶୁଣାଯାଏ ଦିନେ ଦିନେ ମଲା ଖଣ୍ଡିଆ ସୈନ୍ୟସଂଖ୍ୟା ଏତେ ବେଶି ହୋଇ ପଡ଼େ ଯେ ଡାକ୍ତର ପକ୍ଷରେ ପ୍ରତି ସୈନ୍ୟକୁ ପରୀକ୍ଷା କରି କିଏ ମଲା କିଏ ଜୀଅନ୍ତା ବାରି ପାରିବା ଅସମ୍ଭବ ହୋଇ ଉଠେ । ମଲା ଖଣ୍ଡିଆଙ୍କୁ ନିଆରା ନିଆରା ସୁମରି କରି ସାର୍ଟିଫିକେଟ୍‌ ଦେଲାବେଳେ ଡାକ୍ତରର ଏ କ୍ଷେତ୍ରରେ ଭୁଲ ହେବା ହିଁ ସାଧାରଣ କଥା ଏବଂ ଠିକ୍‌ହେବା ବରଂ ଅସାଧାରଣ । ସେଥିପାଇଁ ଏ ରୂପ ମଲା ସାର୍ଟିଫିକେଟ୍‌ ପାଇ ସାରିବା ପରେ କେହି କେହି ଜୀଅନ୍ତା ସୈନ୍ୟର ହୋସ ଆସି ଗଲେ ଏବଂ ସେ ମଲାଲୋକ ପାଖେ ରଖା ହୋଇଥିବାର ଆପତ୍ତି କଲେ, ଜଗୁଆଳମାନେ ତାହାର ସାକ୍ଷ୍ୟ ଅପେକ୍ଷା ଡାକ୍ତର ସାର୍ଟିଫିକେଟ୍‌ ବେଶି ମୂଲ୍ୟବାନ ଓ ବିଶ୍ୱାସଯୋଗ୍ୟ ବୋଲି ଜବାବ ଦିଅନ୍ତି । ଅଥଚ ସେହି ସୈନ୍ୟର ହାତଗୋଡ଼ ଯେବେ ଟିକିଏ ଚଳୁଥାନ୍ତା ତେବେ ଜଗୁଆଳ କଥା କଣ, ସେ କେହି ଡାକ୍ତରଙ୍କୁ ମଧ୍ୟ ଆଗ ଆପଣାର ଦେହ ମୁଣ୍ଡ ସମ୍ଭାଳି ପରେ ତାହାକୁ ପରୀକ୍ଷା କରିବାକୁ ହୁଅନ୍ତା ।

 

ଅବଶ୍ୟ ନିତାନ୍ତ ବିକାରଗ୍ରସ୍ତ ନ ହେଲେ ୩୬୫ ଦିନ କୌଣସି ଲୋକ ଖାଲି ହାତ ଗୋଡ଼ ପ୍ରୟୋଗ କରିବାକୁ ସୁଖ ପାଇବ ନାହିଁ । ଯେଉଁମାନେ ଯୁଦ୍ଧ କରନ୍ତି ତାଙ୍କୁ ମଧ୍ୟ ବହୁ କାଳ ବିଶ୍ରାମ କରି ଥରେ ଅଧେ ଯୁଦ୍ଧ ଭୂଇଁରେ ଓହ୍ଲାଇବାକୁ ହୋଇଥାଏ । ଇଂଲଣ୍ଡ, ଆମେରିକା ଓ ରୁଷିଆ ପ୍ରଭୃତି କେତୁଟା ଦେଶର ସୈନ୍ୟମାନେ ତ ଗଲା ମହାଯୁଦ୍ଧ ପରଠାରୁ ପ୍ରାୟ କୋଡ଼ିଏ ବର୍ଷ ହେବ ଖାଲି ଲେଫ୍‌ଟ ରାଇଟ୍‌ ଛଡ଼ା ଆଉ କିଛି ଉଲ୍ଲେଖଯୋଗ୍ୟ କାମ କରି ଥିବାର ଶୁଣାନାହିଁ । ସ୍ପେନ୍‌ ଦେଶରେ ଯେଉଁ ରାଜନୈତିକ ଘର କଜିଆ ଲାଗିଚି ତାହାର ସାଲତମାମୀରୁ ଦେଖାଯାଏ, ତହିଁରେ ମରି ଶୋଇଛନ୍ତି ଦଶ ଲକ୍ଷ ଏବଂ ଖଣ୍ଡିଆ ଓ ଅକର୍ମଣ୍ୟ ହୋଇ ପଡ଼ିଛନ୍ତି ଏହି ସଂଖ୍ୟାର ପ୍ରାୟ ଦୁଇ ଗୁଣ । ଆମ୍ଭେମାନେ ସ୍ପେନ୍‌ଦେଶରୁ ଅନେକ ଦୂରରେ ବେଶ୍‌ ନିରାପଦରେ ଅଛୁଁ । ଆମ ନିଜର କିମ୍ବା କେହି ବନ୍ଧୁ ସ୍ୱଜନର କିଛି କ୍ଷତି ଘଟି ନାହିଁ । ତେଣୁ ସ୍ପେନ୍‌ ବା ଶାଙ୍ଘାଇର ଯୁଦ୍ଧ ଖବର ପାଇବା, ମଲା ଓ ଖଣ୍ଡିଆଙ୍କର ସଂଖ୍ୟା ଜାଣିବା, ଆମ ପାଇଁ ଖୁବ୍‌ ସ୍ପନ୍ଦନପୂର୍ଣ୍ଣ ଓ ଉପଭୋଗ୍ୟ ହୋଇପାରେ । ସେମିତି କିଛି ଖବର ନ ଥିଲେ ‘କିଛି ନାହିଁ’ କହି ଖବର କାଗଜକୁ ତାଚ୍ଛିଲ୍ୟ କରିପାରୁଁ । କିନ୍ତୁ ଯେଉଁମାନେ ଅସଲ ଯୁଦ୍ଧ କରନ୍ତି, ଅନ୍ୟକୁ ହାଣନ୍ତି ବା ନିଜେ ହାଣ ଖାନ୍ତି, ତାଙ୍କ ଭିତରୁ ଅତି ଅଳ୍ପ ଖବର କାଗଜ ପଢ଼ନ୍ତି ବା ପଢ଼ି ଜାଣନ୍ତି । ଯେ ବା ପଢ଼ନ୍ତି, ସ୍ପନ୍ଦନ ଅନୁଭବ କରିବାର କ୍ଷେତ୍ର ତାଙ୍କର ଅତି ସଂକୀର୍ଣ୍ଣ ଓ ନିଘଞ୍ଚ ଏବଂ କୌଣସି ସ୍ପନ୍ଦନର ବଶବର୍ତ୍ତୀ ହୋଇ ଅନ୍ୟ ଅପରିଚିତ ଲୋକକୁ, ଯାହା ସଙ୍ଗେ କେବେ ହେଲେ ନିଜର ଶତ୍ରୁତା ନାହିଁ କି ନ ଥିଲା, ଆଖି ବୁଜି ହତ୍ୟା କରନ୍ତି ନାହିଁ । କାରଖାନାର କୁଲି ଯେମିତି କଳପାଖେ ଛିଡ଼ା ହୋଇ କାମ କରେ, ଚାଷୀ ଯେମିତି ବିଲରେ ହଳ ବୁଲାଏ, କିରାନି ଯେମିତି ଅଫିସ୍‌ଘରେ ଫାଇଲ ଘାଣ୍ଟେ ତାଙ୍କର ମଣିଷ ମାରିବା କାମ ସେମିତି । ମାତ୍ର ଦେଶପ୍ରେମର ସ୍ପନ୍ଦନ ଖାଲି ଅଳ୍ପ କେତେ ଜଣ ଖବରକାଗଜ ପଢ଼ୁଆଙ୍କୁ ଗ୍ରାସ କରି ଥାଏ ।

 

ସୈନ୍ୟ ବିଭାଗରେ ମଧ୍ୟ ଯେଉଁମାନେ ‘ନାମ ଲେଖାନ୍ତି,ସେମାନେ ସମସ୍ତେ ହିଁ ଚାକିରି ଓ ଖାତିରି ପାଇବା ପାଇଁ ତାହା କରନ୍ତି । ଦେଶ ପାଇଁ ଆତ୍ମବଳି ଦେବାର କାହାର ଉଦ୍ଦେଶ୍ୟ ଥାଏ, ସେ ସମ୍ବନ୍ଧେ ଏ ଯୁଗରେ ଅତି ଅଳ୍ପ ବିବରଣ ପ୍ରକାଶିତ ହୋଇଅଛି । ବରଂ ଯେଉଁମାନେ ଯୁଦ୍ଧ ଭୂଇଁରେ ଓହ୍ଲାନ୍ତି, ଯେଉଁ ଶ୍ରେଣୀରୁ ସୈନ୍ୟମାନଙ୍କୁ ନିଆଯାଏ ଏବଂ ସମଗ୍ର ପୃଥିବୀର ଏ ମୁଣ୍ଡ ସେ ମୁଣ୍ଡ ଯାଏ ଯାହାଙ୍କ ସଂଖ୍ୟା ପନ୍ଦର ପଣରୁ ବେଶି ପଛେ କମ୍‌ ନୁହେଁ, ସେମାନେ ପ୍ରାୟ ଶାନ୍ତିପ୍ରିୟ ବୋଲି ଅନେକ ବିବରଣୀ ଆଖି ଆଗରେ ପଡ଼େ । ପୃଥିବୀ ଉପରର ଏହି ବହୁ ଏବଂ ଅଧିକାଂଶ ହିଁ ଯୁଦ୍ଧ ନାଁ ଶୁଣି ଭୟ କରନ୍ତି, ହଣାମରାଠାରୁ ଦୂରରେ ରହିବାକୁ ଲୋଡ଼ନ୍ତି । କେଉଁ ଦେଶର ସ୍ତ୍ରୀ ଆପଣା ବାପ ଭାଇ ପିଲା ଛୁଆଙ୍କୁ ଘେନି ଦୁଃଖ ଓ ଅଭାବର ଘରଟିରେ ହସ ଖୁସି କରୁଥିବା ବେଳେ ଆକାଶର ଚଡ଼କ ପଡ଼ି ପରକ୍ଷଣରେ କାହାକୁ ହାତଗୋଡ଼ ହୀନ ଏବଂ କାହାକୁ ପ୍ରାଣହୀନ ଦେଖି ଦେଶ ପାଇଁ ବା ସେମିତି ଗୋଟାଏ କିଛି ବଡ଼ ଆଦର୍ଶ ଯୋଗୁଁ ଏହା ତ୍ୟାଗ କଲା ବୋଲି ତୃପ୍ତି ପାଇବ ? ଦିନଯାକ ପରିଶ୍ରମ ପରେ ଘର ଭିତରେ ଶାନ୍ତିରେ ଶୋଇଥିବା ବେଳେ କେଉଁ ପୁରୁଷ ରାତି ଅଧରେ ଆପଣା ପୁଅ ଭାର୍ଯ୍ୟା ରକ୍ତରେ ଭାସୁଥିବାର ଦୃଶ୍ୟ ସୁଖକର ମଣିବ ?

 

ଭାରତର ଶତକଡ଼ା ନବେ ଲୋକ ଯେ ଗରିବ ଏବଂ ପୃଥିବୀ ଲୋକ ସଂଖ୍ୟାର ଏହିପରି ବା ଏଥିରୁ କିଛି କମ ଅନୁପାତ ଲୋକ ଯେ ଅଭାବ ନଅଣ୍ଟ ଭିତରେ ଯୁଗ ଯୁଗ ଧରି ତୁନି ହୋଇ ପଡ଼ିଛନ୍ତି, ପୁଣି ଯେତେ ସ୍ଲୋଗାନ୍‌ ତାଙ୍କ ଆଗେ ଗାଇଲେ ହେଁ ବଦ୍ଧ ପୋଖରୀକୁ ଟେକା ଫିଙ୍ଗିଲା ପରି ତାହା ସେମାନଙ୍କ ଶାନ୍ତି ପ୍ରକୋଷ୍ଠକୁ ବିଚଳିତ କରିବା ଯେ ସହଜ ନୁହେଁ, ଏଥିରୁ ବଳି ତାଙ୍କ ଶାନ୍ତି ପ୍ରିୟତାର ବଡ଼ ପ୍ରମାଣ କଣ ଥାଇପାରେ ?

 

ସମାଜତତ୍ତ୍ୱ ଗବେଷଣା କରୁଥିବା କେହି କେହି ମତ ଦିଅନ୍ତି, ପୃଥିବୀରେ ଯେତେ କିଛି ଅଶାନ୍ତି ଓ ଗଣ୍ଡଗୋଳ, ତାହା ଅତି ଅଳ୍ପ ସଂଖ୍ୟକ ଲୋକ ହିଁ ଘଟାଇ ଥାନ୍ତି ଏବଂ ସେ ସମସ୍ତେ ପ୍ରାୟ ଆଦର୍ଶବାଦୀ । ଦେଶ ବା ଜାତି ପ୍ରେମର ଦେଇ ଏହି କେତେ ଜଣ ଆଦର୍ଶବାଦୀ ହିଁ ପୃଥିବୀରେ ଯେଉଁ ଭୀଷଣ ପୈଶାଚିକ ଘଟଣା ରାଶିର କାରଣ ହୋଇ ଅଛନ୍ତି, ଗୋଟି ଗୋଟି କରି ତାହାକୁ ବାଢ଼ି ବସିଲେ ଯେ କେହି ଶୁଣି ତାଜିବ ହେବ । ଯେତେ ବିକଳ ବୀଭତ୍ସ ନିର୍ମମ ଓ ନିରାଟ ହେଲେ ମଧ୍ୟ ସତଟାକୁ ସଯତ୍ନରେ ଘୋଡ଼ାଇ ରଖିବା ପାଇଁ ଆଦର୍ଶବାଦର ସୁନ୍ଦର ସୁକୁମାର ଓ ଚିତ୍ତାକର୍ଷକ ଘୋଡ଼ଣିଟିଏ ବୋଧହୁଏ ଆଉ ଦ୍ୱିତୀୟ ନାହିଁ । ଗଲା ମହାଯୁଦ୍ଧଟାକୁ ସବୁ ଦେଶର ସବୁ ଶ୍ରେଣୀ ଲୋକ ନିନ୍ଦା କରିଚନ୍ତି । ଲେଖକ ଓ ସମ୍ପାଦକମାନେ ଏହି ବର୍ବରତାକୁ ସଭ୍ୟ ମନୁଷ୍ୟ ପରିତ୍ୟାଗ କରିବା ପାଇଁ ଶହେ ମୁହଁରେ ଘୋଷିଛନ୍ତି । ସବୁ ଦେଶର ବକ୍ତା ଓ ରାଜନୀତିଜ୍ଞମାନେ ଭବିଷ୍ୟତ ଯୁଦ୍ଧକୁ ଏଡ଼ିବା ପାଇଁ ପ୍ରରୋଚନା ଦେଇଛନ୍ତି । ନିରସ୍ତ୍ରୀକରଣର ସଭା ବସି କେତେ ଆଲୋଚନା ହୋଇ ଯାଇଚି । ତଥାପି ୧୯୧୮ ମସିହା ନଭେମ୍ବର ମାସଠାରୁ ୨୦ ବର୍ଷ ହେଲା ପ୍ରତି ଦେଶର ମୃତ ସୈନିକଙ୍କୁ ସମ୍ମାନ ଦେଖାଇବାକୁ ମହା ସମାରୋହରେ ସବୁ ଦେଶରେ ଉତ୍ସବ କରା ଯାଉଅଛି-। ଏବଂ ପ୍ରକାରାନ୍ତରେ ଆଗାମୀ ଯୁଦ୍ଧ ପାଇଁ ସବୁ ଦେଶର ଲୋକଙ୍କୁ ଉତ୍ସାହ ଦେବାରେ ତ୍ରୁଟି ନାହିଁ । ଧର୍ମ ଓ ନୈତିକତାର ଆଦର୍ଶ ତଳେ ଦୈନିକ ହଜାରଟା ଠକାମୀ ପ୍ରତି ଲୋକଙ୍କୁ ଅଙ୍ଗେ ନିଭାଇବାକୁ ପଡ଼ୁଛି ଏବଂ ତାହାକୁ ପ୍ରାଚୀନ ରୀତି ତଳେ ରଖି ଦେଇ ରକ୍ଷା ପାଇବାକୁ ହୁଏ ତ ଗୋଟାଏ ବାଟ ଅଛି । କିନ୍ତୁ ଏ ରୂପ ଉତ୍ସବ ଯେ ପୃଥିବୀ ଉପରେ ସର୍ବଶ୍ରେଷ୍ଠ ସୁସଭ୍ୟ, ସୁଶିକ୍ଷିତ, ସୁବିଚାରକ ବୋଲାଉଥିବା ଜାତିମାନଙ୍କର ସୁଚିନ୍ତିତ କାମ, ପୁଣି ସରକାରୀ ଢାଳ ଢୋଲ ପିଟି ସବୁ ଦେଶର ପାଳିତ ହେଉଅଛି, ଏ କାମ ପାଇଁ କ୍ଷମା ଖୋଜିବାକୁ ଗଲେ ବିଶ୍ୱବ୍ରହ୍ମାଣ୍ଡର କେଉଁ କୋଣରେ ତାହା ମିଳିବ ?

 

ପୃଥିବୀର ଏହି ଅଳ୍ପ-ସଂଖ୍ୟକ ଆଦର୍ଶବାଦୀଙ୍କୁ କୁହାଳିଆ ଶ୍ରେଣୀରେ ଧରା ପାଇ ପାରେ-। ଏମାନେ ନିଜେ ହାଡ଼ଭଙ୍ଗା କଠିନ କାମ କରିବାକୁ ଯେତେ ପାରଗ ନୁହନ୍ତି, ଅନ୍ୟକୁ ତାହା କରିବାକୁ ଫସୁଲାଇ ପାରିବାରେ ବେଶି ତତ୍ପର । ଅତି ବଡ଼ ଧନୀ ଓ ବ୍ୟବସାୟ ମାଲିକମାନଙ୍କ ପରି ଏମାନେ ତୁଚ୍ଛା ଘୁଙ୍ଗୁଡ଼ି ପକେଇ ବେଶି ଭୋଜନରେ ମରନ୍ତି ନାହିଁ, କିନ୍ତୁ ଯାହାଙ୍କର କିଛି ନାହିଁ ତାଙ୍କୁ ନିରାହାରରେ ମରିବା ପାଇଁ ଉତ୍ସାହ ଉତ୍ତେଜନା ଦିଅନ୍ତି ଢେର । ନିଜର ମାରିବାକୁ ସୁବିଧା ସାହସ ନ ଥିବାରୁ ଅନ୍ୟକୁ ମାରିବାପାଇଁ ତିଆରି କରନ୍ତି । କହି ପୁଛି ଜାଣିବା ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ, ଅବଶ୍ୟ ସବୁବେଳେ ଆପଣାର ଦେହକୁ ଓ ଧନ ସମ୍ପତ୍ତିକୁ ଜଗି ରଖି । ଚତୁରତା ଗୁଣରେ ଯଥାର୍ଥରେ ପୁଇଁ ଚିଙ୍ଗୁଡ଼ି ବିକନ୍ତି ଏହିମାନେ; କାରଣ ଉକ୍ତ ଶ୍ରେଣୀର ସବୁ ଗୁଡ଼ିକ ପ୍ରାୟ ପଚା ଚିଙ୍ଗୁଡ଼ି କାରବାର ବାଲା ।

 

ମଫସଲ ଗାଁରେ ଟାଉଟରଗିରି କରିବାଠାରୁ ଆରମ୍ଭ କରି କୋର୍ଟ କଚେରିରେ ଓକିଲାତି ଏବଂ ବ୍ୟବସ୍ଥା ସଭା କିମ୍ବା ପାର୍ଲିଆମେଣ୍ଟରେ ରାଜନୈତିକ ବାକ୍‌ସ୍ପର୍ତ୍ତି କରିବା ପର୍ଯ୍ୟନ୍ତ ଏହି ପୁଇଁ ଚିଙ୍ଗୁଡ଼ି ବିକିବା ଲୋକେ ଭର୍ତ୍ତି ହୋଇ ଅଛନ୍ତି । କଥାର ଚାତୁରିରେ କଠୋର କର୍କଶ ବାସ୍ତବକୁ ମଧ୍ୟ ଏକ କୋମଳ ମୁଲାଏମ ଘୋଡ଼ଣି ଭିତରେ ସଜାଇ ଦେଖାଇବାକୁ ଏମାନେ ଅଭ୍ୟସ୍ତ । ଲକ୍ଷ ଲକ୍ଷ ଭଙ୍ଗା କୁଡ଼ିଆର ପ୍ରତିନିଧି ହୋଇ ସରକାରୀ ରାଜଧାନୀଗୁଡ଼କର କୋଠା ବାଡ଼ି ଚାକଚିକ୍ୟ ଠିକ୍‌ ଯେମିତି ଏକ ନିର୍ଲଜ ଘୋଡ଼ଣୀର କାମ କରିଥାଏ, ଏ ସବୁ ହାସଲ କରିବାକୁ କଥାର କାଇଦା ତାଙ୍କର ବଡ଼ ଅସ୍ତ୍ର । କୌଣସି ବିଷୟରେ ତାଙ୍କର ନିଜର ପାଣ୍ଡିତ୍ୟ ବା ଅଭିଜ୍ଞତା ଦରକାର ନାହିଁ, କାରଣ ସବୁ ବିଷୟରେ ପଣ୍ଡିତ ଓ ଅଭିଜ୍ଞ ଲୋକର ପରାମର୍ଶ ପାଇବା ସବୁବେଳେ ତାଙ୍କ ହାତପାଉଣାରେ । ଇତିହାସ, ବିଜ୍ଞାନ, ସାହିତ୍ୟ, ଯାହା ଖୋଜନ୍ତୁ ସବୁ ବିଷୟରେ ଶସ୍ତାରେ ତାଙ୍କୁ ପରାମର୍ଶ ମିଳିପାରେ । ଆଉ ତେବେ କଣ ଦରକାର ତାଙ୍କର ? ଚିକିତ୍ସା-ବିଜ୍ଞାନ ? ସେଥିପାଇଁ ବଡ଼ ବଡ଼ ଚିକିତ୍ସା ବ୍ୟବସାୟୀ ବା କର୍ମଚାରୀଙ୍କର ତ ଅଭାବ ନାହିଁ । ଆଇନ କାନୁନ ? ବିଚାରାଳୟରେ ପ୍ରଧାନ ବିଚାରପତି, ଏଡ଼୍‌ଭୋକେଟ୍‌ ଜେନେରାଲ୍‌ ବା ଲର୍ଡ଼ ଚାନ୍‌ସେଲର ସେଥିପାଇଁ ନିଯୁକ୍ତ ଅଛନ୍ତି । ଧର୍ମ, ଦର୍ଶନ, ଏପରିକି ରାଜନୀତି ସମ୍ବନ୍ଧେ, ମଧ୍ୟ ତାଙ୍କର ଗଭୀର ଜ୍ଞାନ ଅର୍ଜନ କରିବାର କି ଗରଜ ଅଛି ? ଆଉ କଣ ଧନ ? ଧନର ପୁଣି କି ଅଭାବ ? ଧନିକମାନଙ୍କର ଧନରସୁରକ୍ଷା ଯେ ତାଙ୍କର ବଡ଼ କାମ ! ଖାଲି ଅଶିକ୍ଷତ ଚୋର ଡକାଏତଙ୍କ ଆକ୍ରମଣରୁ ନୁହେଁ, ଶିକ୍ଷିତ ଭଦ୍ରଲୋକଙ୍କ ଆକ୍ରମଣରୁ ମଧ୍ୟ । ଯଥାର୍ଥରେ ବଡ଼ ବଡ଼ ମିଲ୍‌ମାଲିକ ବ୍ୟବସାୟୀ ଓ ବ୍ୟାଙ୍କର୍‌ମାନଙ୍କର ଏଜେଣ୍ଟ୍‌ ପରି କରନ୍ତି ଏହିମାନେ, ଏବଂ ପୃଥିବୀରେ ପ୍ରାୟ ସବୁ ସ୍ୱାଧୀନ ଦେଶ ହିଁ ପ୍ରଧାନତଃ ସେହି ଧନିକମାନଙ୍କ ଅଧୀନରେ ରହିଥିବାରୁ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଜଗିବା ପାଇଁ ପୁଣି ଆଉ ସବୁ ଦେଶରେ ତାଙ୍କର ଚିଜ ଗୁଡ଼ିର ଭଲ କାଟତି ପାଇଁ ଏହି ସରକାରୀ ଏଜେଣ୍ଟ୍‌ ଅନ୍ୟ ଦେଶ ଏଜେଣ୍ଟ୍‍ଙ୍କ ସଙ୍ଗେ ସଭା କରନ୍ତି, ଆଲୋଚନା କରନ୍ତି, ତର୍କ କରନ୍ତି, ଚୁକ୍ତିପତ୍ର ଲେଖି ତହିଁରେ ଦସ୍ତଖତ କରନ୍ତି, ଏବଂ ପର ମୂହୁର୍ତ୍ତରେ ଦରକାର ପଡ଼ିଲେ ଗୋଟାଏ ଚୁକ୍ତିକୁ ଚିରି ଅନ୍ୟ ଏକ ଦେଶ ସଙ୍ଗେ ଆଉ ଗୋଟିଏ ଚୁକ୍ତିରେ ନାଁ ଲେଖନ୍ତି । କିମ୍ବା କୌଣସି ଚୁକ୍ତି ଦ୍ୱାରା ସିଦ୍ଧାନ୍ତ ସମ୍ଭବ ନ ହେଲେ, ସବୁ ଚୁକ୍ତିକୁ ଦଳି ତା’ ସଙ୍ଗେ ମଣିଷର ମସ୍ତିଷ୍କ ଓ ବିଚାର ବୁଦ୍ଧିକୁ ମଧ୍ୟ ଉତ୍ସର୍ଗ କରନ୍ତି, ଆଦିମ କାଳରୁ ପ୍ରଚଳିତ ଏକମାତ୍ର ଦେହ ଓ ଧନ ବଳ ଉପରେ । କାରଣ ସେଥିରେ ତାଙ୍କ ନିଜର କିଛି କ୍ଷତି ନାହିଁ । ଧନିକର ଧନ ହାନି ଓ ନିର୍ଦ୍ଧନର ପ୍ରାଣହାନି ହିଁ ସବୁ ଲଢ଼େଇର ଶେଷ ଫଳ ହୋଇଥାଏ । ଯେଉଁମାନେ ଧନ କମାନ୍ତି, ଆଉ ଯେ ଧନ ଜମାନ୍ତି ସେହିମାନେ ହିଁ ଯୁଦ୍ଧ ଭୂଇଁରେ ସୈନିକ ହୋଇ ମରନ୍ତି କିମ୍ବା ଯୁଦ୍ଧର ସବୁ ଖର୍ଚ୍ଚ ତୁଲାନ୍ତି । ଅଥଚ ଯୁଦ୍ଧ ହେବା ନ ହେବାର ବିଚିତ୍ର ବ୍ୟବସ୍ଥା ଏହି ସରକାରୀ ଏଜେଣ୍ଟମାନଙ୍କ ମର୍ଜି ଉପରେ ହିଁ ନିର୍ଭର କରେ ।

 

ଇଂଲଣ୍ଡ, ଆମେରିକ, ଜାପାନ, ଜର୍ମାନୀ ଆଦି ନାମଜାଦା ବ୍ୟବସାୟୀ ଦେଶମାନଙ୍କର ସରକାର ଗୁଡ଼ିକ କହି ପୁଚ୍ଛି ଜାଣିଲା ଏଜେଣ୍ଟମାନଙ୍କ ଦ୍ୱାରା ହିଁ ଚଳୁଥିବାର ଦେଖାଯାଏ ଅବଶ୍ୟ ଜାପାନ, ଜର୍ମାନୀ, ଇଟାଲି, ତୁର୍କି ବା ଚାଏନା ସରକାରତ ଚାଳକମାନେ ଖାଲି କହି-ପୁଚ୍ଛି-ଜାଣିଲା ଲୋକ ନୁହଁନ୍ତି । ଭଲ ରୂପେ ହାତଗୋଡ଼ ଚଳାଇବା ବିଷୟରେ ମଧ୍ୟ ସେମାନେ ଧୁରନ୍ଧର । ସେଥିପାଇଁ ତାଙ୍କ ଦ୍ୱାରା ପରର ହାତଗୋଡ଼ ଛିଡ଼ିବାର ଭୟ ଯେମିତି ଅଛି, ଆପଣାର ହାତଗୋଡ଼ ଭାଙ୍ଗିବାର ଆପଦ ମଧ୍ୟ ସେଥିରୁ କମ୍ ନୁହେଁ । ନିଜର ପୁଇଁ-ଚିଙ୍ଗୁଡ଼ି ବିକିବା ପାଇଁ ସେମାନେ ଖାଲି ମୁହଁ ନୁହେଁ, ଦେହକୁ ମଧ୍ୟ ବିସର୍ଜନ ଦେଇ ପାରନ୍ତି । ଅବଶ୍ୟ ସଦ୍ୟ ସାହସ ପାଇଁ ସେମାନେ ସାବାସର ଯୋଗ୍ୟ ହେଲେହେଁ, ପକ୍‌କା ବ୍ୟବସାୟୀ ହିସାବରେ ତାଙ୍କ ସ୍ଥାନ ଇଂଲଣ୍ଡ ଓ ଆମେରିକାର ଅନେକ ତଳେ । କାରଣ ଇଂଲଣ୍ଡ ଆମେରିକା ପରି କହି ପୁଚ୍ଛି ଜାଣିବାର କାଏଦାକୁ ପୂରା ହାସଲ କରି ପାରିବାର ଯୋଗ୍ୟତା ସେମାନେ ଅର୍ଜି ନାହାନ୍ତି । କହୁ କହୁ ପଦ ପଦକେ ହାଣମାର ଓ ଲଢ଼େଇ କଥା ତାଙ୍କ ମୁହଁରୁ ବାହାରି ପଡ଼େ, ଚିଙ୍ଗୁଡ଼ି ବିକିବା କଥା ଏକାବେଳେ ପାଶୋରି ଯାଏ । ମଝିରେ ମଝିରେ ଭାରତବର୍ଷର ନାମ ବିଦେଶୀ ପତ୍ର ପତ୍ରିକାରେ ଆଜି କାଲି ଦେଖିବାକୁ ମିଳୁଥିଲେ ହେଁ ଏ ସବୁ ଦେଶ ସଙ୍ଗେ ତାହାର ତୁଳନା ହୋଇ ନ ପାରେ । କାରଣ ତାହାର ପ୍ରସ୍ତାବ ସ୍ୱରୂପ ଯାହା ଅଛି, ସେ ଖାଲି ଗୋଟାଏ ଛାୟା ମାତ୍ର । ଏହି ଛାୟା ବା ମରୀଚିକା ଭିତରେ ଯେତିକି ସତ୍ୟ ପରିଚୟ ସେ ଆଜିଯାକେ ପାଇଛି, ତହିଁରେ ଗାଁ ପ୍ରଧାନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ କହି ପୁଛି ଜାଣିବାକୁ ଚେଷ୍ଟା କରୁଥିବାର ଏଥି ଭିତରେ କେତେକ ପ୍ରମାଣ ମିଳିଚି ।

 

କିନ୍ତୁ ସେ ପ୍ରମାଣ ଭାରତର କବିତା ଦର୍ଶନ ଆଦି ବିଦ୍ୟା ଚର୍ଚ୍ଚାଠାରୁ ବଡ଼ ପ୍ରମାଣ ନୁହେଁ-। ଭାରତର ପୁରୁଣା ତୀର୍ଥ ଓ ମନ୍ଦିର ପରି ତାହାର ଅତୀତ ବିଦ୍ୟାଚର୍ଚ୍ଚାରେ ମଧ୍ୟ କିଛି ବାସ୍ତବତା ଥିଲା । ଏ କ୍ଷଣି ପୃଥିବୀ ମାନଚିତ୍ରରେ ଭାରତର ବର୍ତ୍ତମାନ ଛାୟାରେ ଆବୃତ ଥିଲେହେଁ ତାହାର କିଞ୍ଚିତ୍‌ ପରିଚୟ ଯେ କବିତା ଓ ନୀତି ଚର୍ଚ୍ଚାରେ ପ୍ରକାଶିତ ହୋଇଅଛି, ଏ କଥା ଅସ୍ୱୀକାର୍ଯ୍ୟ ନୁହେଁ । ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଏ ଯୁଗରେ କେତେ ଜଣ କୃତୀ ବ୍ୟକ୍ତିଙ୍କର ନାମ ଦେଶର ସୀମା ପାର ହୋଇଅଛି । ଅର୍ଥାତ୍‌ଆଖିରେ ପଡ଼ିବା ଭଳି ବସ୍ତୁ ଭାରତବର୍ଷରେ ଯଦି କିଛି ଥାଏ, ତା’ ହେଲେ ପହିଲେ ଏହି ବିଦ୍ୟା ଚର୍ଚ୍ଚାକୁ ହିଁ ଧରିବାକୁ ହେବ । ହାତ ଗୋଡ଼ ଚଳାଇବା ସମ୍ବନ୍ଧେ ଶିଶୁଠାରୁ ମଧ୍ୟ ସେ ହୀନ, କହି ପୁଛି ଜାଣିବାକୁ ବାକି ଅଛି ତାର ଢେର୍‌ । ପ୍ରବନ୍ଧର ଆଦ୍ୟରେ ଯେଉଁ ଶ୍ରେଣୀ ବିଭାଗ କରାଯାଇଥିଲା, ସେ ଅନୁସାରେ ଭାରତବର୍ଷର ସ୍ଥାନ ତୃତୀୟ ଶ୍ରେଣୀରେ । ତାହାର ମୁହଁ ବା ହାତ ଗୋଡ଼ର ବ୍ୟବହାର ସବୁଠୁଁ କମ୍‌ ।

 

ଭାରତର ସବୁ କିସମର ଦେବତା-ଗୋଠରେ ବିଦ୍ୟାର ଦେବତାଙ୍କୁ ଯେମିତି କଳ୍ପନା କରାଯାଇଚି, ସେହି ଆଦର୍ଶ ଓ ଆଭିଜାତ୍ୟକୁ ଏ ଦେଶବାସୀ ଧର୍ମତଃ ମାନି ଚଳି ଆସିଚି । ତେଣୁ ହୁଏ ତ ସେ କିମାକାର ଗଜାନନ ଅବା ଲମ୍ବୋଦର ସାଜି ମୂଷିକ ବାହନ ଉପରେ ତିନି ବ୍ରହ୍ମାଣ୍ଡ ବୁଲୁଥିବାର କଳ୍ପନା କରୁଚି, ନଇଲେ ବୀଣାବାଦିନୀ ବାଣୀଙ୍କର ନାରୀତ୍ୱ ପାଖେ ମୁଣ୍ଡ ନୁଆଁଇ ରହୁଚି-। ଯେତେ ବିଦ୍ୟାବାଗୀଶ ହେଲେହେଁ ତାହାର ଆଦର୍ଶ ଏହିପରି ସ୍ଥାଣୁ ବା ଅଚଳ କିମ୍ବା ଏ ଦେଶର ନାରୀ ପରି ତାହାର ଲକ୍ଷ୍ୟ ଜଣେ ସରଳ ସବଳ ଆଶ୍ରୟଦାତା ସ୍ୱାମୀ । ବିଦ୍ୟା ଚର୍ଚ୍ଚା ଅବସ୍ଥାରେ ରହି ତାହାକୁ ଏହି ରୂପ ଆଦର୍ଶ ଓ ଲକ୍ଷ୍ୟ ଘେନି ଗତି କରିବାକୁ ହେଉଅଛି । କାରଣ ତୁଚ୍ଛା ବିଦ୍ୟାଚର୍ଚ୍ଚାର ଫଳ ସାଧାରଣତଃ ଏହା ହିଁ ହୋଇଥିବାର ଦେଖାଯାଏ । ଏହି ଗୋଟିଏ ଦିଗରୁ ବିଚାର କଲେ ଭାରତବର୍ଷ ପୃଥିବୀର ଆଉ ସବୁ ଦେଖି ତୁଳନାରେ ନିହାତି ପଛରେ ନୁହେଁ । ମେଧାବୀ ହିସାବରେ ଏ ଦେଶର ଛାତ୍ର ଅନ୍ୟ କୌଣସି ଦେଶ ଛାତ୍ରଠାରୁ ଅଳ୍ପ ପାଠ ମନେ ରଖିପାରେ ନାହିଁ, ଆପଣା ଦେଶର ମହତ୍ୱ ଓ ମର୍ଯ୍ୟାଦା ଅଳ୍ପ ବୁଝେ ନାହିଁ, ମୂର୍ଖାମୀ ହିସାବରେ ମଧ୍ୟ ଏ ଦେଶର ସରକାରୀ ବା ବେସରକାରୀ ଚାକିରିଆ ଅନ୍ୟ କୌଣସି ଦେଶର ଚାକିରିଆଠାରୁ କମ୍‌ପାଠ ପାସୋରି ପାରେ ନାହିଁ; ବେହିୟା ବେଇଜ୍ଜତ୍‌ ହେବା ପାଇଁ ବି କାହାରିଠାରୁ ସେ କମ୍‌ ପ୍ରସ୍ତୁତ ନୁହେଁ; ଚାଲାଖ ହିସାବରେ ଏ ଦେଶର ଓକିଲ, ଡାକ୍ତର, ବ୍ୟବସ୍ଥା ସଭାର ସଭ୍ୟ ବା ଚୋର ଡକାଏତ ଯେମିତି, ବୋକାମୀରେ ମଧ୍ୟ କୌଣସି ଦେଶର ପଣ୍ଡିତ ବା ଧନିକଠାରୁ ଏ ଦେଶର ଧନିକ ବା ପଣ୍ଡିତର ଦକ୍ଷତା ଊଣା ନୁହେଁ ।

 

ତଥାପି ପୃଥିବୀର ଆଉ ସବୁ ଦେଶ ସଙ୍ଗେ ଏ ଦେଶ ଯେ ସମାନ କିଛି ପକାଇ ପାରୁ ନାହିଁ, ତାହାର କାରଣ ଅନ୍ୟ ବାଟ ନ ଥିବାରୁ ଏଠ ‘ମୁଖିଆ’ ଲୋକଙ୍କର ମୁଖର ଅଭାବ ବୁଝିବାକୁ ହେବ । କବି, ପଣ୍ଡିତ, ବୈଜ୍ଞାନିକ, ଦାର୍ଶନିକ, ଶିକ୍ଷିତ, କଳକାରଖାନା ବା ଜାହାଜ ଏରୋପ୍ଲେନ୍‌ର ଚାଳକ ଏ ଦେଶରେ ଅଭାବ ହେବେ ନାହିଁ । ଏ ଦେଶ ଲୋକେ ପୃଥିବୀର ଆଉ କେଉଁ ଦେଶଠାରୁ ଶିଳ୍ପ ବାଣିଜ୍ୟ ଉଦ୍ଭାବନ ଆବିଷ୍କାର ଦିଗରେ ନିହାତି ପଛରେ ପଡ଼ିବେ ନାହିଁ । ଯେଉଁ ଦିଗରେ ଯାହା ଅଭାବ ଥିବ, ତାହାକୁ ପୂରଣ କରିବାକୁ ମଧ୍ୟ ତାଙ୍କୁ ବେଶି ସମୟ ଲାଗିବ ନାହିଁ । ସେ ସବୁ ବିଭାଗରେ ଲୋକଙ୍କୁ ଶିକ୍ଷା ଦେବା କଠିନ ନୁହେଁ, କିମ୍ବା ବାହାରରୁ ଭଡ଼ାଟିଆ ଲୋକ ଆଣି କାମ ଚଳାଇବାକୁ ମଧ୍ୟ ଅସୁବିଧା ନାହିଁ । କିନ୍ତୁ ଏ ଦେଶପାଇଁ ମୁହଁ ଫିଟାଇ କହି ପୁଚ୍ଛି ଜାଣିବାକୁ, ଗାଲୁଆ, ବେହିଆ, ମୂର୍ଖ ବା ମିଛୁଆ ହେବାକୁ ବିଦେଶୀ ଲୋକ ମିଳିବେ ନାହିଁ । ତାହା ଏହି ଦେଶର ଲୋକଙ୍କୁ ହିଁ ଅଭ୍ୟାସ କରିବାକୁ ପଡ଼ିବ ।

 

ଏ କଥାଟା ଜାତି ବିଷୟରେ ଯେମିତି, ବ୍ୟକ୍ତି ସମ୍ବନ୍ଧେ ମଧ୍ୟ ସେୟା । ପୃଥିବୀର ଆଉ ସବୁ ଦେଶ ସଙ୍ଗେ ଭାରତବର୍ଷର ତୁଳନା କଲେ ଯାହା ଦେଖୁଁ, ଭାରତର ଆଉ ସବୁ ପ୍ରଦେଶ ସଙ୍ଗେ ଓଡ଼ିଶାର ତୁଳନା କଲେ ମଧ୍ୟ ସେଇତା । ଓଡ଼ିଶାର ଅନ୍ୟ ଅଭାବ ଯାକ ବୋଧହୁଏ ଗୌଣ ହୋଇ ପଡ଼ନ୍ତା; ସେ ଯେବେ ମାନ୍ଦ୍ରାଜ, ବଙ୍ଗ, ବିହାର ପ୍ରଭୃତି ପ୍ରଦେଶମାନଙ୍କ ସଙ୍ଗେ ଖାଲି ଟିକିଏ ଚତୁରତାର ସହିତ କହି ପୁଛି ଜଣନ୍ତା ।

Image

 

ନେତୃତ୍ୱ ଓ ନେତୃତ୍ୱ

ଦୁଃଖ କହିବି କି ସୁଖ କହିବି

 

ଦାୟୀ କିଏ ?

 

ଏ କ୍ଷଣି ପୃଥିବୀର ନାନା ଧର୍ମ ଭିତରେ ହିନ୍ଦୁ ବୋଲି ଯେଉଁମାନେ ପରିଚିତ, ସେମାନଙ୍କ ପୌରାଣିକ କାବ୍ୟ ରାମାୟଣରେ ଅଛି ରାମ ରାଜତ୍ୱ ସମୟରେ ଜଣେ ବ୍ରାହ୍ମଣର ପୁଅଟିଏ ଅକାଳରେ ମରିଗଲା । ଏମିତି ଅସ୍ୱାଭାବିକ ଘଟଣା ପାଇଁ ବୁଦ୍ଧିମାନ୍‌ବ୍ରାହ୍ମଣ ରାଜାଙ୍କୁ ହିଁ ଦାୟୀ ସ୍ଥିର କଲେ । ହିନ୍ଦୁର ଆଦର୍ଶ ରାଜା ରାମଚନ୍ଦ୍ର ଏ ଅପ୍ରାକୃତିକ ଘଟଣାର କାରଣ ସ୍ୱରୂପ ତାଙ୍କ ରାଜ୍ୟରେ ଜଣେ ଶୂଦ୍ର ତପସ୍ୟା କରୁଥିବାର ଜାଣି ପାରି ବ୍ରାହ୍ମଣଙ୍କ ଦୁର୍ଭାଗ୍ୟର ପ୍ରତିକାର ଲୋଡ଼ି ପହିଲେ ଅନଧିକାର ଚର୍ଚ୍ଚା କରୁଥିବା ଉକ୍ତ ଶୂଦ୍ର ମୁନିଙ୍କ ବେକ କାଟି ଥିଲେ । ହିନ୍ଦୁ ତୁଣ୍ଡରେ ‘‘ରାମରାଜ୍ୟ’’ ବୋଲି ଯେଉଁ କଥା ଶୁଣାଯାଏ, ସେ ରାଜୁତିରେ ଶୂଦ୍ରଙ୍କର ଏମିତି କାମ ପାଇଁ ଉକ୍ତ ଦଣ୍ଡ ବିହିତ ଥିଲା ।

 

ବୈଶ୍ୟଙ୍କର ଏମିତି ଅପରାଧ ଯୋଗୁଁ ବେକ କାଟ ବା ଆଉ କିଛି ଶାସ୍ତି ଥିଲା କି ନାହିଁ, ଜଣା ନାହିଁ । ତାହା ହୋଇଥିଲେ ଏବଂ ବର୍ତ୍ତମାନ ୧୯୩୭ ମସିହା ଶେଷରେ ଭାରତରେ ରାମରାଜ୍ୟ ବିରାଜିତ ଥିଲେ, ବୋଧହୁଏ ସବା ଆଗ ବୈଶ୍ୟକୁଳଜାତି ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ଏକ ଶକ୍ତଦଣ୍ଡ ଭୋଗିବାକୁ ପଡ଼ନ୍ତା । କାରଣ ବହୁ ମତରେ ସେ ଜଣେ ତପସ୍ୱୀସ୍ଥାନୀୟ ମହାପୁରୁଷ । ଅବଶ୍ୟ ଜାତିରେ ବୈଶ୍ୟ ହୋଇ ଜନ୍ମିଥିବା ଅପରାଧରେ ନ ହେଲେ ହେଁ ଏବେ ଇଂରେଜ ରାଜୁତିରେ ସେ ଦଣ୍ଡ ବା ଶାସ୍ତିରୁ ତ୍ରାହି ପାଇ ନାହାନ୍ତି; ଏବଂ ଉପର ଉଦାହରଣ ନ୍ୟାୟରେ ଯେଉଁମାନେ ଇଂରେଜ ରାଜୁତିକୁ ରାମରାଜ୍ୟ ବୋଲି ପ୍ରଶସ୍ତି କରିଥାନ୍ତି, ତାଙ୍କ ପକ୍ଷରେ ଗାନ୍ଧୀଜୀଙ୍କ ଦଣ୍ଡ ଭୋଗକୁ ସମର୍ଥନ କରିବା ସହଜ ।

 

ତାହହେଲେ କିନ୍ତୁ ସେହି ନ୍ୟାୟରେ ହିଁ ସେମାନଙ୍କୁ ମାନିବାକୁ ହେବ ଯେ ରାଜ୍ୟରେ ଯାହା କିଛି ଦୁର୍ଘଟଣା ଘଟୁ, ଶିଶୁମୃତ୍ୟୁ, ଯୁବକମୃତ୍ୟୁ ବା ପ୍ରସୁତିମୃତ୍ୟୁଠାରୁ ଆରମ୍ଭ କରି ନିଜର ବା ଆଉ ପାଁଜଣଙ୍କର ସବୁ ଭଲ ମନ୍ଦ ପାଇଁ ରାଜା ଦାୟୀ । ବାସ୍ତବିକ ଉପର ଉପାଖ୍ୟାନଟିରେ ଶୂଦ୍ର ମୁନିଙ୍କୁ ହତ୍ୟାକରିବା ଯେମିତି ଆଦିମ ଭାବ, ଅଜ୍ଞତା ଅବିଚାର ଓ ଦୁର୍ବୁଦ୍ଧି ପ୍ରକାଶ କରେ, ମଣିଷର ସବୁ ଅଭାବ ଅଭିଯୋଗ ପାଇଁ ରାଜାଙ୍କୁ ଦାୟୀ କରିବା ଠିକ୍‌ସେମିତି ଆଧୁନିକ ଭାବ, ବିଜ୍ଞତା, ସୁବିଚାର ଓ ସୁବୁଦ୍ଧିର ପରିଚୟ ଦିଏ ।

 

ମଣିଷର ସବୁ ରକମ ଦୁଃଖ ଦୁର୍ଦ୍ଦଶା ପାଇଁ ରାଜାଙ୍କୁ ବା ରାଜସରକାରକୁ ଦାୟୀ କରାଯିବାର ପ୍ରମାଣ ଓ ଉଦାହରଣ ଦୈନିକ ଖବର କାଗଜ ଓ ସଭା ସମିତିର ବକ୍ତୃତାରେ ଏତେ ବେଶି ଆଖିରେ ପଡ଼େ ବା ଶୁଣାଯାଏ ଯେ ଏଠାରେ ତାହାର ତପସିଲ କରିବା ଦରକାର ନାହିଁ । ରାଜା ବା ରାଜ୍ୟ ବୋଲି ଜିନିଷ କାହୁଁ ଆସିଲା, ରାଜାପ୍ରଜାର ସମ୍ବନ୍ଧ ପହିଲେ କଅଣ ଥିଲା, ଏକ୍ଷଣି କିମିତି, କେବଠାରୁ ରାଜା ପ୍ରଜା ବୋଲି ଦି’ଟା ପକ୍ଷ ହେଲେ, ପୁଣି ରାଜା ତଳକୁ ଲର୍ଡ଼, ଜମିଦାର, ସୁବାଦାର, ସର୍ବରାକାର ବା ଧନୀ ବ୍ୟବସାୟୀ ଆଦି କିପରି ଗୋଟିଏ ଲେଖାଁ ସ୍ଥାନ ମାଡ଼ି ବସିଲେ; ଚାଷୀ, ତନ୍ତୀ ବା ମୋଚି, ବଢ଼େଇଙ୍କ ସ୍ଥାନ କିପରି କେଉଁଠି ହେଲା ଏବଂ ରାଜ୍ୟ ବା ରାଜା ସଙ୍ଗେ ଏମାନଙ୍କର ଦାୟିତ୍ୱ ଓ ଅଧିକାର କଅଣ, ପୁଣି ରାଜ୍ୟ ଉପରେ ସାମ୍ରାଜ୍ୟ ଆସିଲା କିପରି, କି ଭାବରେ ଧନ-ଭକ୍ତି ସଙ୍ଗେ ଦେବ-ଭକ୍ତି, ରାଜ-ଭକ୍ତି ସଙ୍ଗେ ଦେଶଭକ୍ତି ଏବଂ ସବୁ ରକମ ଭକ୍ତିର ମାତ୍ରା ବଢ଼ିବା ଅନୁପାତରେ କଳି, ବିବାଦ, ହିଂସା, ହତ୍ୟା, ମାରପିଟ ଓ ଲଢ଼େଇର ମାତ୍ରା ବଡ଼ ଚାଲିଲା ସବୁ ବିଷୟରେ ଉଚିତ ଆଲୋଚନା ପାଇଁ ଗୋଟିଏ ଛୋଟ ପ୍ରବନ୍ଧ ଯଥେଷ୍ଟ ନୁହେଁ ।

 

ତଥାପି ଏ ସବୁର ଗୋଟାଏ ମୋଟାମୋଟି ଧାରଣା ନ କଲେ କାହାରି ପକ୍ଷେ ନିଜର ପାଖ ପଡ଼ିଶା ଗାଁ ଜଣଙ୍କର କିମ୍ବା ଦେଶର ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ଠିକ୍‌ ରୂପେ ସମର୍ଥ ହେବାର ସମ୍ଭାବନା ନାହିଁ । ଜ୍ୟୋତିଷୀମାନଙ୍କ ମତରେ, ଆମର ଏହି ପୃଥିବୀ ଗ୍ରହ ପାଖରେ ଯେଉଁ ଗ୍ରହ ଉପଗ୍ରହ ଗୁଡ଼ିକର ଗତିବିଧି ଅଛି, ସେମାନେ ମଧ୍ୟ ଅଦୃଶ୍ୟ ଭାବେ ମଣିଷର ଭାଗ୍ୟ ନିର୍ଣ୍ଣୟ କରିଥାନ୍ତି । ଅଥଚ ଏହି ଗ୍ରହଟି ଭିତରେ ଯେଉଁ ସବୁ ଦୃଶ୍ୟ କାରଣ ଦ୍ୱାରା ସାଧାରଣର ସୁଖ ଦୁଃଖ ତିଆରି ହେଉଚି, ସେ ଗୁଡ଼ିକୁ ଟିକିଏ ଆଖି ମେଲା କରି ଦେଖିବା ଦରକାର ନୁହେଁ କି ? ଏହି ଗ୍ରହଟି ଭିତରେ ରହି ଆମେ ଯେତେ ବର୍ଣ୍ଣ, ଯେତେ ଜାତି ବା ଯେତେ ଭାଷୀ ମଣିଷ ଚଳ ପ୍ରଚଳ ହେଉ ଥାଇଁ ଏବଂ ତାହାରି ଭିତରେ ମଧ୍ୟ ଶନି, ବୁଧ ତା ମଙ୍ଗଳ ଗ୍ରହ ପରି କେଉଁଠି ରାମରାଜ୍ୟ ବା କେଉଁଠି ରାବଣରାଜ୍ୟ ତଳେ କୋଟି କୋଟି ଲୋକଙ୍କର ଭାଗ୍ୟ ଗଢ଼ା ହେଉଚି, ସେ କଥାକୁ ଟିକିଏ କାନ ପତେଇ ଶୁଣିବା ଦରକାର ନୁହେଁ କି ? ପୁଣି ପୃଥିବୀ ଭିତରେ ଆମର ଯେଉଁ ମାଟି ସଙ୍ଗେ ସବୁଠୁଁ ନିକଟତମ ସମ୍ବନ୍ଧ ଏବଂ ଯେଉଁ ଦେଶର ଭାଗ୍ୟ ସଙ୍ଗେ ଆମ ବ୍ୟକ୍ତିଗତ ଭାଗ୍ୟର ମଧ୍ୟ ସଧା ସଂଯୋଗ ବିଦ୍ୟମାନ, ସେହି ଭାରତବର୍ଷର ଅବସ୍ଥା ଟିକିଏ ବିଚରିବା ଦରକାର ନୁହେଁ କି ?

 

ଦୁଃଖ ସୁଖ ବା ରାଜନୀତି :–

 

ମଣିଷର ଭାଗ୍ୟ ସ୍ଥିର କରିବା ପାଇଁ ଗ୍ରହ ଉପଗ୍ରହଙ୍କ ଗତି ବିଧି ବୁଝିବାକୁ ଯେମିତି ଦରକାର ପଡ଼େ, ନିଜର ଦୈନିକ ଦରକାରୀ ଶହେଟା ଜିନିଷର ଅଭାବଠାରୁ ଆରମ୍ଭ କରି ପୁତ୍ରଶୋକ ପର୍ଯ୍ୟନ୍ତ ଦୁଃଖ ଅଭିଯୋଗ ଗୁଡ଼ିକୁ ବୁଝିବା ଲାଗି ସେମିତି ନିଜ ଦେଶ ସଙ୍ଗେ ପୃଥିବୀର ଆଉ ସବୁ ଦେଶ ଗୁଡ଼ିକର ସମ୍ବନ୍ଧ ଓ ସଂସ୍ଥିତି ବୁଝିବା ଆବଶ୍ୟକ ଅନ୍ୟ କଥାରେ ଗୋଟାଏ ସାଙ୍ଘାତିକ ବିଷୟରେ ଆଲୋଚନା ଆସି ପହଞ୍ଚିଯାଏ ରୀତିମତ ରାଜନୀତି । ଅବଶ୍ୟ ରାଜନୀତି ଚର୍ଚ୍ଚା କରିବାକୁ ଅର୍ଥାତ୍‌ ନିଜର ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ପୃଥିବୀର ନାନା ଦେଶରେ ମାତ୍ର ଅଳ୍ପ କେତେ ଜଣଙ୍କର ସୁବିଧା ଥିବାର ଦେଖାଯାଏ ଏବଂ ତାହାଦ୍ୱାରା ବିଷୟଟା ସାଙ୍ଘାତିକ ହେବାର ଆଶଙ୍କା ଥାଏ ନାହିଁ । କାରଣ ଉକ୍ତ ଅଳ୍ପ କେତେ ଜଣଙ୍କର ନିଜର ଦୁଃଖ ଦୁର୍ଦ୍ଦଶା ବୋଲି କିଛି ନାହିଁ-। ଭାରତର ନେହୁରୁ, ପଟେଲ୍‌, ସାପ୍ରୁ, ଶାସ୍ତ୍ରୀ, ଜିନ୍ନା, ଜୟକାରଠାରୁ ଆରମ୍ଭ କରି ବିଲାତର ଚର୍ଚ୍ଚିଲ ଚେମ୍ବରଲେନ୍‌ କିମ୍ବା ଅନ୍ୟ ଦେଶର ହିଟ୍‌ଲର, ରୁଜଭେଲଟ୍‌ ପ୍ରଭୃତି ଯେଉଁ ଅଳ୍ପ କେତେଜଣଙ୍କର ନାୟକତ୍ୱ ରାଜନୀତି କ୍ଷେତ୍ରରେ ଶୁଣାଯାଏ, ସେମାନଙ୍କର ଆପଣା ଦୁଃଖ ଅଭାବ ମଧ୍ୟ ଏତେ କମ୍‌ ଯେ ରାଜନୀତି ଚର୍ଚ୍ଚାକୁ ବିଳାସ-ଚର୍ଚ୍ଚା ରୂପେ ଗ୍ରହଣ କଲେ ବି ତାଙ୍କର କ୍ଷତି ନାହିଁ ଏବଂ କ୍ଷତି ହେଲେ ତାହାକୁ ପୂରଣ କରି ଦେବାକୁ ମଧ୍ୟ ଭାବନା ନାହିଁ । ଆପଣାର ଦୁଃଖ ଅଭାବ ନ ଥିବାରୁ ଏହି ଅଳ୍ପ କେତେ ଜଣ ଭାଗ୍ୟଶାଳୀ ରାଜନୀତି-ଚର୍ଚ୍ଚା ତାଙ୍କର ପରଦୁଃଖକାତର, ତ୍ୟାଗୀ, ନିଃସ୍ୱାର୍ଥପର, ଦେଶପ୍ରେମୀ, ଦେଶସେବକ ଆଦି ସୁନାମ ଅର୍ଜିବାକୁ ମଧ୍ୟ ସୁବିଧା ଥାଏ ।

 

କିନ୍ତୁ ଯେଉଁମାନେ ଦୁଃଖ ଶୋକ ଛଡ଼ା ଦୁନିଆରେ ଆଉ ଦ୍ୱିତୀୟ ସତ୍ୟ ଥିବାର ଜାଣନ୍ତି ନାହିଁ ଏବଂ ସ୍ୱାସ୍ଥ୍ୟ-ସମ୍ପଦ ପାଇବାକୁ ହେଲେ ଯାହାଙ୍କର ଖାଲି ସ୍ୱର୍ଗକୁ ନ ଯାଇ ଉପାୟ ନାହିଁ, ପୃଥିବୀରେ ସେହି ଅଧିକ ସଂଖ୍ୟକ ଲୋକ ଯଦି ଏକ ସଙ୍ଗରେ ନିଜ ଦୁଃଖ ଦୁର୍ଦ୍ଦଶା ଚର୍ଚ୍ଚା କରନ୍ତି, ତାହାହେଲେ ରାଜନୀତି ରାଜଦ୍ରୋହରେ ପରିଣତ ହୋଇ ପଡ଼ିବାର ଭୟ ଅଛି । ମଣିଷ ସମାଜର ପରିସ୍ଥିତି ଏମିତି ବିଚିତ୍ର ଯେ, ବେଶି ଲୋକଙ୍କର ହିଁ ଦୁଃଖଦୁର୍ଦ୍ଦଶା ସବୁଠିଁ ବେଶି ଏବଂ ତାଙ୍କର ନିଜ ଦୁର୍ଦ୍ଦଶା ବିଚାର କରିବାର ଅର୍ଥ ସହଜେ ଅଳ୍ପ ଲୋକଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଉପରେ ଅବିଚାର କରିବା ହୋଇ ପଡ଼େ । ଏହି କାରଣରୁ ହିଁ ପ୍ରାୟ ସବୁ ଦେଶର ସରକାର ଜନସାଧାରଣଙ୍କୁ ଆପଣାର ଦୁଃଖ ଦୁର୍ଦ୍ଦଶା ଆଲୋଚନା କରିବା ପାଇଁ ନାନା ରକମ ଆଇନ କଟକଣା ଭିତରେ ରଖିଥାଏ । କାରଣ ସରକାର ବୋଇଲେ ଏହି ଅଳ୍ପ ଳୋକଙ୍କର ସମ୍ପତ୍ତିକୁ ବା ସୁଖ-ସ୍ୱାଚ୍ଛନ୍ଦ୍ୟକୁ ବିଶେଷ ରୂପେ ବୁଝାଏ । ଯାହାହେଉ, ବର୍ତ୍ତମାନର ସୁଖଦୁଃଖପୂର୍ଣ୍ଣ ଘଟଣାରାଶିର ଅର୍ଥ ଯେ ରାଜନୀତି ଏବଂ ଅତୀତ ହେଲେ ତାହାରି ନାମ ଯେ ଇତିହାସ ହୋଇ ପଡ଼େ, ଏ କଥାରେ ପ୍ରମାଣ ଇତିହାସ ବା ରାଜନୀତିର ଛାତ୍ରକୁ ଅଜଣା ନୁହେଁ । ଅବଶ୍ୟ ଇତିହାସ ଚର୍ଚ୍ଚା ପାଇଁ ଯେଉଁ ସ୍ୱାଧିନତା ଥାଏ, ରାଜନୀତି ପାଇଁ ତାହା ନାହିଁ-। କାରଣ ବର୍ତ୍ତମାନଠାରୁ ଅତୀତଟା କେବେ ହେଲେ ବଡ଼ ସଂକଟ ନୁହେଁ । ଅତୀତର ଯେ କେହି ରାଜା ବା ରାଜତ୍ୱକୁ ତୀବ୍ରତମ ସମାଲୋଚନା କରି ମଧ୍ୟ ଇଉନିଭରସିଟିର ସବୁଠାରୁ ଭୀରୁ ଛାତ୍ର ବେଶି ନମ୍ବର ରଖି ସରକାରୀ କଚେରୀ-ଘରେ ଗୋଟିଏ ଭଲ କଲମ-ପେଲା [pen-pusher] କାମ ପାଇପାରେ, କିନ୍ତୁ ବର୍ତ୍ତମାନ ରାଜା ବା ତାଙ୍କ ରାଜତ୍ୱକୁ ସେମିତି ସମାଲୋଚନା କଲେ କଏଦୀ ଘରେ ଘଣା ପେଲାଠାରୁ ଅଧିକ ଭଲ କାମ କେତେ ଜଣଙ୍କୁ ମିଳିବ ? ରାଜନୀତି ସଙ୍ଗେ ଧର୍ମନୀତି ବା ଅର୍ଥନୀତି ପ୍ରଭୃତିର ସମ୍ପର୍କ ଏମିତି ଘନିଷ୍ଠ ଯେ ଯେଉଁମାନେ ଟିକିଏ ଶାନ୍ତି ସ୍ୱାଚ୍ଛନ୍ଦ୍ୟ ଲୋଡ଼ନ୍ତି, ତାଙ୍କୁ ସବୁ ଅତୀତ ବା ଇତିହାସକୁ ହିଁ ପଳାଇବାକୁ ହୋଇଥାଏ । ବର୍ତ୍ତମାନର ପ୍ରଖର-ତାପ ସେମାନଙ୍କର ଅସହ୍ୟ ହୁଏ ବୋଲି ଅନେକଙ୍କୁ ପୁରୁଣା ସାହିତ୍ୟ, ପୁରୁଣା ପଦ୍ଧତି ବା ପୁରୁଣା ଭାବଗୁଡ଼ିକ ନିର୍ବିଚାରରେ କୁଣ୍ଢାଇ ପଡ଼ିଥିବାର ଦେଖାଯାଏ ।

 

ଫ୍ରାନ୍‌ସର କୌଳିନ୍ୟ :–

 

ତଥାପି ବର୍ତ୍ତମାନର ସୁଖଦୁଃଖ ଓ ପ୍ରଖର ବାସ୍ତବର ଆଘାତକୁ ପୃଷ୍ଠ ପ୍ରଦର୍ଶନ ନ କରି ଥୋକେ ଲୋକ ନିର୍ଭୟରେ ତାହାର ସମ୍ମୁଖୀନ ହୁଅନ୍ତି । ଖୋଜି ବସିଲେ ଏ କଥାର ଛୋଟ ଛୋଟ ଉଦାହରଣ ପୁଳାଏ ମିଳିପାରେ, କିନ୍ତୁ ଐତିହାସିକ ଉଦାହରଣ ସଂଖ୍ୟା ଅତି କମ୍ । ଯଥାର୍ଥ ଐତିହାସିକ ଘଟଣା ରୂପେ ଧରିବାକୁ ଗଲେ, ପୃଥିବୀ ଇତିହାସରେ ସଙ୍ଗବଦ୍ଧ ଭାବରେ ବହୁ ଲୋକ ଆପଣାର ଦୁଃଖ ସୁଖ ବିଚାର କରିବାର ଘଟଣା ୧୫୦ ବର୍ଷରୁ ଖୁବ୍‌ବେଶି ନୁହେଁ ଏବଂ ଫରାସୀ ଦେଶ ହିଁ କ୍ଷେତ୍ରରେ ପହିଲେ ମସାଲ ଜାଳିଥିଲା । ୧୭୮୯ ଖ୍ରୀଷ୍ଟାବ୍ଦରେ ସେ ଦେଶରେ ଯେଉଁ ବିପ୍ଳବ-ନିଆଁ ଜଳି ଉଠିଲା, ତାହାର ଉତ୍ତାପ ପୃଥିବୀଯାକରେ ହିଁ ବାଜିଛି ବୋଲି ମାନିବାକୁ ହେବ ଦେଢ଼ଶ’ ବର୍ଷ ଆଗେ ସାମ୍ୟ ମୈତ୍ରୀ ଓ ସ୍ୱାତନ୍ତ୍ର୍ୟ’’ (Liberty, Equality and Fraternity) ‘‘ସର୍ବ ଗରିଷ୍ଠ ଲୋକ ସଂଖ୍ୟାର ସର୍ବ ଗରିଷ୍ଠ କଲ୍ୟାଣ’’ Greatest good of the number ପ୍ରଭୃତି ଯେଉଁ ସବୁ ସ୍ଳୋଗାନ୍ ସେ ଦେଶର ରାଜନୈତିକ ଆକାଶକୁ ପ୍ରତିଧ୍ୱନିତ କରିଥିଲା, ଆଜି ମଧ୍ୟ ତାହା ପୃଥିବୀରେ ପୁରୁଣା ହୋଇ ନାହିଁ । ଖାଲି ଯେ ଚିରାଚରିତ ରାଜତନ୍ତ୍ର ଶାସନ ବଦଳରେ ସାଧାରଣ ତନ୍ତ୍ରର ପ୍ରତିଷ୍ଠା କରି ପୃଥିବୀର ଶାସନ ପଦ୍ଧତିର ପ୍ରାପ୍ତି ନୂଆବାଟ ଦେଖାଥିଲା, ସେତିକି ନୁହେଁ, ସାହିତ୍ୟରେ ସଭ୍ୟତାରେ, ଚିନ୍ତାରେ, କର୍ମରେ, ତାହା ସମଗ୍ର ଇଉରୋପ ଖଣ୍ଡର ମଧ୍ୟ ଆଦର୍ଶସ୍ଥାନୀୟ ହୋଇ ଉଠିଥିଲା । ଏବେ ସୁଦ୍ଧା ସେ ଆଦର୍ଶ ସମ୍ପୁର୍ଣ୍ଣ ପୋଛି ହୋଇ ଯାଇ ନାହିଁ । ଏବେ ସୁଦ୍ଧା ଇଉରୋପରେ ପ୍ରତି ଦେଶରେ ବ୍ୟବସାୟ କ୍ଷେତ୍ରରେ ଫରାସୀ ଭାଷାର ଯେମିତି ଚାଲୁଅଛି, ସମ୍ଭ୍ରାନ୍ତ ଲୋକେ ମଧ୍ୟ ସସମ୍ମାନରେ ସେ ଭାଷାରୁ ପଦେ ଅଧେ ବ୍ୟବହାର କରିଥାନ୍ତି । ଏବେ ସୁଦ୍ଧା ଫରାସୀ ଚାଲିଚଳନ, ଆଚାର ବ୍ୟବହାର, କଥା ବାର୍ତ୍ତା ବା ପୋଷାକ ପରିଚ୍ଛେଦର କୌତୀନ୍ୟ ଲୋପ ପାଇ ନାହିଁ । ଏବେ ସୁଦ୍ଧା ଫ୍ରାନ୍‌ସର ଇଞ୍ଜିନିୟରୀ କୌଶଳର ବିଶାଳତର ପ୍ରତୀକରୂପେ ସୁଏଜ ପ୍ରଣାଳୀ ବିଦ୍ୟମାନ ।

 

ଏ କ୍ଷଣି କିନ୍ତୁ ମାନିବାକୁ ହେବ ଯେ, ପୃଥିବୀର ସାତୁଟା ହେଲା ନମ୍ବର ଶକ୍ତି ଭିତରେ ଫରାସୀ ସରକାର ପରି ଦୁର୍ବଳ ସରକାର ଦ୍ୱିତୀୟ ନାହିଁ । ୧୯୧୮ ମସିହାରୁ ଅର୍ଥାତ୍‌ ମହାଯୁଦ୍ଧର ଅବସାନ ପରେ ଗ୍ରେଟ୍ ବ୍ରିଟେନ୍‌ରେ ଯେତୋଟି ସରକାରର ପରିବର୍ତ୍ତନ ଘଟିଛି,ସେଗୁଡ଼ିକର ସଂଖ୍ୟା ସାତ; ଜର୍ମାନୀରେ ହିଟଲର ଏକଛତ୍ର ଚାନ୍‌ସେଲର ହେବା ପର୍ଯ୍ୟନ୍ତ ସୁମାରି କଲେ ପନ୍ଦରଟି ସରକାର ଶାସନ ଚଳାଇ ଗଲେଣି; ଅଥଚ ଫ୍ରାନ୍‌ସରେ ଡାଲେଡିୟରଙ୍କ ମୌଳିକବାଦିମନ୍ତ୍ରୀତ୍ୱ(Radical Ministry)କୁ ମିଶାଇ ହୁଅନ୍ତା, କମ୍ ସେ କମ୍ ତେଇଶିଟି ସରକାର ବର୍ଷ ଭିତରେ ! ପୁଣି ତାହା ମଧ୍ୟରୁ ଅନେକ ସଂଖ୍ୟକ ସରକାରର ପରମାୟୁ ଅଳ୍ପ କେତୋଟି ଦିନରେ ସରି ଯାଇଅଛି । ଗୋଟିଏ ହେଲେ ସରକାର ଇଂଲଣ୍ଡରେ ୧୯୨୪ ମସିହାରେ ସାଧାରଣ ନିର୍ବାଚନ ପରେ ବଲ୍‌ଡ଼ଉଇନ୍‌ଙ୍କ ମନ୍ତ୍ରୀତ୍ୱ କାଳର ସମାନ ପରମାୟୁ ପାଇପାରି ନାହିଁ । କ୍ଲିମେଣ୍ଟ, ପଏଁକର ବା ବ୍ରିଏଣ୍ଡ୍‍ଙ୍କ ମନ୍ତ୍ରୀତ୍ୱକାଳ; ଅଥଚ ତାହା ଦୁଇ ତିନି ବର୍ଷରୁ ବେଶି ନୁହେଁ ।

 

କିନ୍ତୁ ସରକାର ଦୁର୍ବଳ ବୋଲି ଫରାସୀ ଜାତି ଯେ ବଳହୀନ ହୋଇ ପଡ଼ିଚି, ତାହା ନୁହେଁ । ପୃଥିବୀ ଭିତରେ ଆଧୁନିକ ସମରର ଶ୍ରେଷ୍ଠ ସରଞ୍ଜାମ ଯୁଦ୍ଧ-ଏରୋପ୍ଳେନ୍‌ର ସଂଖ୍ୟା ଆଉ କେଉଁ ଜାତିର ଅଧିକ ? କେଉଁ ଦେଶର ସୈନ୍ୟ ବାହିନୀ ଅଧିକ ବିଚକ୍ଷଣତାର ଓ ରଣ-କୌଶଳ ଦାବୀ କରିପାରେ ? ତଥାପି ସେ ଦେଶର ସରକାର ଅନ୍ୟ ଦେଶ ତୁଳନାରେ ଦୁର୍ବଳ ବା ଅଳ୍ପାୟୁଷ ହେବାର ପ୍ରମାଣ ସ୍ୱରୂପ ଫରାସୀ ଜନସାଧାରଣର ରାଜନୈତିକ ଚେତନା ବୋଲି କେହି କେହି ଅର୍ଥ କରନ୍ତି । ଫରାସୀ ଲୋକେ କୌଣସି ନୂଆ ଶାସନ-ନୀତିର ବୀର୍ତ୍ତମାନ ପକ୍ଷପାତୀ ନ ଥିବାରୁ ଗୋଟିଏ ସରକାରକୁ ବେଶିଦିନ ତିଷ୍ଠିବା ପାଇଁ ଦେବାକୁ ନାରାଜ । ପୁଣି, ନୂଆ ରକମ ସରକାରର ଅର୍ଥ ଅନେକ କ୍ଷେତ୍ରରେ ନୂଆ ରକମ୍‌ ଟାକ୍‌ସ ହୋଇ ପଡ଼ୁଥିବାରୁ କୌଣସି ସରକାରକୁ ସେ ଉପାୟ ଉଦ୍ଭାବନ କରିବା ପାଇଁ ସମୟ ନ ଦେବାକୁ ସେମାନେ ତତ୍ପର । ଆଉରି ମଧ୍ୟ ରାଜନୈତିକ ଚେତନାରେ ସମ୍ୟକ୍‌ ଉଦ୍‌ବୁଦ୍ଧ ହେଲେ ଲୋକେ ଯେ କୌଣସି ରକମ ସରକାର ପ୍ରତି ଯେ ସନ୍ତୁଷ୍ଟ ହେବେ ନାହିଁ ଏବଂ ସବୁବେଳେ ପରିବର୍ତ୍ତନ ଓ ନୂତନର ପକ୍ଷପାତୀ ହେବେ, ଉକ୍ତ ପ୍ରମାଣ ମଧ୍ୟ ସେଠାରୁ ମିଳିଥାଏ । କିନ୍ତୁ ସରକାରର ଘନ ଘନ ପରିବର୍ତ୍ତନ ଦ୍ୱାରା ଫ୍ରାନ୍‌ସର କୌଣସି ମୌଳିକ କ୍ଷତି ଘଟି ନାହିଁ । କାରଣ ସେଠାରେ ଅମଲା ତନ୍ତ୍ର ଏ ରୂପ ଭାବରେ ପ୍ରତିଷ୍ଠିତ ଯେ ମନ୍ତ୍ରୀଙ୍କ ବଦଳିରେ ଭିତରଟା ଆଲୋଡ଼ିତ ହେବାର ଆଶଙ୍କା ନାହିଁ । ତେଣୁ ସରକାର ଦୁର୍ବଳ ହେବା ସଙ୍ଗେ ସଭ୍ୟତା ଓ କୃଷ୍ଟରୁ ଦୃଢ଼ ପ୍ରତିଷ୍ଠା ହେବାର କିଛି ସମ୍ପର୍କ ଅଛି କି ନାହିଁ, ଏବଂ ବାଇଜାନ୍ତିନ୍‌, ବେବିଲୋନୀୟ, ରୋମନ, ଚୈନ ବା ଭାରତୀୟ ପ୍ରାଚୀନ ସଭ୍ୟତାଗୁଡ଼ିକର ପ୍ରତିଷ୍ଠା ସଙ୍ଗେ ସେ ଦେଶମାନଙ୍କର ସରକାରଗୁଡ଼ି ଦୁର୍ବଳ ଓ କୋପ ହେବାରେ କିଛି ଐତିହାସିକ ତଥ୍ୟ ଅଛି କି ନା, ତାହା ପ୍ରମାଣ କରିବା ପାଇଁ ଫ୍ରାନ୍‌ସ ଦେଶକୁ ଏ କ୍ଷଣି ଉଦାହରଣ ରୂପେ ଧରାଯାଇ ନ ପାରେ ।

 

ମହାଯୁଦ୍ଧ ପରେ :–

 

ମହାଯୁଦ୍ଧ ପରେ ଫରାସୀ ସରକାର ଯେପରି ଚଳଚ୍ଚିତ୍ର-ପରିବର୍ତ୍ତନ ଘଟିଲା, ଆଉ କେତେ ଦେଶର ସରକାରରେ ମଧ୍ୟ ତାହାଠାରୁ ବେଶି ଚମକପ୍ରଦ ପରିବର୍ତ୍ତନ ଘଟି ଯାଇଅଛି । ଯୁଦ୍ଧ ସମୟରେ ପ୍ରତି ନଜର ଅନ୍ୟ ଦେଶ ଉପରେ ପଡ଼ିଥିଲା, କିନ୍ତୁ ସନ୍ଧି ପରେ ସେ ନଜର ଫେରି ଆସି ନିଜ ଉପରେ ପଡ଼ିଲା । ଜେକୋସ୍ଲୋଭାକିଆ ପ୍ରଭୃତି ଛୋଟ ଛୋଟ ଦେଶର ନଜର କାହାରି ଉପରେ ନ ପଡ଼ି ମଧ୍ୟ କାକତାଳୀୟ ନ୍ୟାୟରେ ସେଗୁଡ଼ିକୁ ସ୍ୱାଧୀନତା ମିଳି ଗଲା । ଇଟାଲୀ, ଜର୍ମାନୀ ଓ ରୁଷିଆ-ତିନିଟା ଏକ ନମ୍ବର ଶକ୍ତିର ରାଜତନ୍ତ୍ର ଶାସନ ମଉଳି ପଡ଼ିଲା, ଏବଂ ତାହା ସ୍ଥାନରେ ଉଇଁ ଉଠିଲା, ଫ୍ୟାସିଜିମ୍‌ ଓ ନାତ୍‌ସିଜମ୍‌ ନାମକ ନୂଆ ପ୍ରକାର ଏକ-ତନ୍ତ୍ର (Dictatorship) ଶାସନ ଏବଂ ଗଣତନ୍ତ୍ରର ଚରମପ୍ରକାଶ ସାମ୍ୟବାଦ । ଇଉରୋପୀୟ ସଭ୍ୟତାର ଅତି ନିକଟରେ ରହି ତୁର୍କି ଦେଶ ମଧ୍ୟ ଏକତନ୍ତ୍ର ଶାସନକୁ ମାନି ନେଇଅଛି । ଏହିସବୁ ବିଭିନ୍ନ ଦେଶର ଶାସନ ପଦ୍ଧତିରେ ନୀତିଗତ ଫରକ ଅନେକ ଥିଲେହେଁ ଏବଂ ମହାଯୁଦ୍ଧର ଧକ୍କା ବହୁ ପରିମାଣରେ ଏଥିପାଇଁ ଦାୟୀ ହୋଇଥିଲେହେଁ, ଆଉ ମଧ୍ୟ ଇଟାଲୀ ଦେଶର ଭାଗ୍ୟନିୟନ୍ତା ହୋଇସାରି ୧୯୨୨ ମସିହା ସେପ୍ଟେମ୍ବର ମାସରେ ମୁସୋଲିନି ପୁଣି ରାଜତନ୍ତ୍ରକୁ ଜାତୀୟ ଏକତାର ଚିହ୍ନରୂପେ ଘୋଷଣା କରିଥିଲେହେଁ, ଏ ସବୁ ଶାସନ ପଦ୍ଧତିର ବିରାଟ ପରିବର୍ତ୍ତନ ମୂଳରେ ଫରାସୀ ବିପ୍ଳବ ଓ ଫରାସୀ ସରକାରର ନୂଆ ରୁପ (Republic) ଯେ ପ୍ରଭାବିତ କରିଥିଲା, ତାହା ସହଜେ ଅନୁମାନ କରାଯାଇ ପାରେ ।

 

ବର୍ତ୍ତମାନ ଇଉରୋପରେ ମାନଚିତ୍ରକୁ ଚାହିଁଲେ ଇଟାଲୀ ଓ ବ୍ରିଟେନ୍‌ ଦୁଇଟି ପ୍ରଧାନ ଶକ୍ତିକୁ ଛାଡ଼ି ବାକୀ ଚଉଦଟି ଛୋଟ ଛୋଟ ରାଜ୍ୟକୁ ରାଜତନ୍ତ୍ର ଶାସନ ତଳେ ଧରା ଯାଇ ପାରେ; ବାକୀ ଫ୍ରାନ୍‌ସ ଜର୍ମାନୀ, ରଷିଆ ପୋଲାଣ୍ଡ, ତୁର୍କୀ, ସ୍ପେନ୍‌ ପ୍ରଭୃତି ବଡ଼ ବଡ଼ ରାଜ୍ୟକୁ ମିଶାଇ ଅଠର ଗୋଟି ଦେଶରେ ସାଧାରଣତନ୍ତ୍ର ଶାସନ ଚଳୁଅଛି । ଅଥଚ ମହାଯୁଦ୍ଧ ପୂର୍ବେ ଖାଲି ସୁଇଟସ‍ର୍‍ଲ୍ୟାଣ୍ଡ ପର୍ତ୍ତୁଗାଲ୍‌ ଓ ଫ୍ରାନ୍‌ସ ଛଡ଼ା ଇଉରୋପରେ ସାଧାରଣତନ୍ତ୍ରର ଗନ୍ଧ ସୁଦ୍ଧା ନ ଥିଲା-। ରାଜତନ୍ତ୍ର ଓ ସାଧାରଣତନ୍ତ୍ର ନାମ ଦେଇ ସବୁ ଦେଶଗୁଡ଼ିକୁ ମୋଟା ମୋଟି ଦୁଇଟି ଭାଗରେ ଅଲଗା କରି ଦେଲା ବେଳେ ମନେ ରଖିବାକୁ ହେବା ଯେ ସାଧାରଣତନ୍ତ୍ର ଭିତରେ ରୁଷିଆ ସାମ୍ୟବାଦ ଜର୍ମାନୀର ନାଜିବାଦ କିମ୍ବା ଫ୍ରାନ୍‌ସ ପାର୍ଲିଆମେଣ୍ଟ ପ୍ରଭାବ ପ୍ରଭୃତି ନାନା ବୈଚିତ୍ର୍ୟ ଯେମିତି ବିଦ୍ୟମାନ, ରାଜତନ୍ତ୍ର ଭିତରେ ମଧ୍ୟ ସେମିତି ଇଂଲଣ୍ଡର ପାର୍ଲାମେଣ୍ଟ ଶାସନ, ଇଟଲିର ଫାସିଜମ୍‌ ଏବଂ ରୁମାନିଆର ସ୍ୱୟଂ ରାଜାଙ୍କର ମଧ୍ୟ ଏକତନ୍ତ୍ର ଶାସନ (Dictatorship) ଦେଖାଯାଏ ।

 

ଏ ସବୁ ବିଚିତ୍ର ରକମ ଶାସନକଳ ଚଳାଇବାରେ ଦେଶ ଲୋକଙ୍କର ହାତ କେଉଁଠି କେତେ ରହିଚି, ଅବା ସର୍ବସାଧାରଣର ଦୁଃଖ ଗୁହାରି ଜଣାଇ ତାହାର ପ୍ରତିକାର ଲୋଡ଼ିବା ସକାଶେ କେଉଁ ଦେଶରେ କେତେ ସୁବିଧା ରଖା ଯାଇଚି, ଅନ୍ୟ କଥାରେ କେଉଁ ଦେଶରେ କେତେ ପରିମାଣ ଲୋକଙ୍କୁ ‘ମଣିଷ’ ତଳେ ଗଣା ହୋଇ ଭୋଟ ଅଧିକାର ମିଳିଚି ଏବଂ ବହୁ ସଂଖ୍ୟକ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଘୁଞ୍ଚାଇବା ଦିଗରେ ସେ ଭୋଟର କରାମତି କେତେ ଇତ୍ୟାଦି କଥା ମନେ କଲା ବେଳେ ସେ ସବୁ ଦେଶ ଛାଡ଼ି ସଙ୍ଗେ ଭାରତବର୍ଷର ତୁଳନା ଆପେ ଆସି ତୁଳନା ହାଜର ହୁଏ ।

 

ମହାଯୁଦ୍ଧ ପରେ ୟୂରୋପରେ ଇଟାଲୀ, ଜର୍ମାନୀ, ରୁଷିଆ, ତୁର୍କୀ ପ୍ରଭୃତି ବଡ଼-ଛୋଟ ଦେଶ ଗୁଡ଼ିକରେ ଆଗ କାଳର ଶାସନତନ୍ତ୍ରକୁ ଲୋକେ ଯେମିତି ସନ୍ଦେହ-ଆଖିରେ ଦେଖି ନୂଆ ରକମ ଶାସନ ପାଇଁ ଆନ୍ଦୋଳନ ଆରମ୍ଭକରି ଦେଲେ, ଯୁଦ୍ଧ ସହିତ ପ୍ରତ୍ୟକ୍ଷ ଯୋଗ ନ ଥିଲେ ହେଁ ଏସିଆ ମହାଦେଶରେ ଭାରତ, ଚୀନ ଓ ମିଶର ପ୍ରଭୃତି ଦେଶମାନଙ୍କରେ ମଧ୍ୟ ସେହି ପରି ଆନ୍ଦୋଳନର ଢେଉ ଖେଳି ଉଠିଲା । ଲନୀନ୍‌, ମୁସେଲିନ୍‌, ହିଟ୍‌ଲାର, କେମାଲଙ୍କ ପରି ଜଗ୍‌ଲାଲ୍‌, ଗାନ୍ଧୀ ଓ ସନ୍‌ୟାତ୍‌ ସେନ୍‌ଙ୍କର ଅଭ୍ୟୁଦୟରେ ମିଶର୍‌, ଭାରତ ଏବଂ ଚୀନ ଦେଶରେ ମାଟି ଚଞ୍ଚଳ ହୋଇ ଉଠିଲା ।

 

୧୯୧୭ ମସିହେରେ କଲିକତା କଂଗ୍ରେସରେ ଅସହଯୋଗ ସୁତ୍ରପାତ; ୧୯୨୨ ଅକ୍ଟୋବର ମାସରେ ମୁସୋଲିନିଙ୍କ ନେତୃତ୍ୱରେ ଫାସିଷ୍ଟ ସୈନ୍ୟମାନଙ୍କରେ ରୋମ ଅଭିଯାନ, ୧୯୩୩ ମସିହାରେ ଜର୍ମାନୀର ନାଜି ସରକାରର ପୂର୍ଣ୍ଣ ପ୍ରତିଷ୍ଠା ଏବଂ ସେହି ବର୍ଷ ଅଷ୍ଟ୍ରିଆରେ ଡକ୍ଟର ଡୋଲାଫ୍‌ସ୍‌ଙ୍କର ଏକଛତ୍ର ଡିକେଟରୀ ଶାସନ ପ୍ରଭୃତି ଦେଖା ଦେଇଥିଲା ।

 

ଏକତନ୍ତ୍ର ଓ ସାମ୍ୟବାଦ :–

 

ୟୁରୋପରେ ଏହିସବୁ ନୂଆ ସାଧାରଣତନ୍ତ୍ର (Republic) ଶାସନଗୁଡ଼ିକୁ ମୋଟା ମୋଟି ଦୁଇଟି ଦାର୍ଶନିକ ମତ ଉପରେ ରଖାଯାଇଥାଏ; ଫାସିଜିମ୍‌ (ବା ଏକତନ୍ତ୍ର-ବାଦ) ଏବଂ ସୋସାଲିଜମ୍‌ ବା ସାମ୍ୟବାଦ । କିନ୍ତୁ ଦୁଇଟି ଦର୍ଶନ ଭିତରେ ଫରକ ଏତିକି ଯେ ମୁସୋଲିନିଙ୍କ ଦ୍ୱାରା ଫାସାଜିମ୍‌ରେ ପ୍ରତଷ୍ଠା ହେବା ଆଗରୁ ଏ ନୀତିର ଦର୍ଶନ ବୋଲି କିଛି ନ ଥିଲା । ଇତାଲୀର ସୁବିଖ୍ୟାତ ଔପନ୍ୟାସିକ ଓ ଯୋଦ୍ଧା ଡ୍ୟାନେନଜିଓ (Gabriele'd Annunjio) ୧୯୧୯ ମସିହାରେ ସ୍ୱଦେଶ ପ୍ରେମରେ ବିଗଳିତ ହୋଇ ଇଟାଲୀ ପାଇଁ ଫ୍ୟୁମ୍‌ (Free State of Fiume) ଦଖଲ କଲା ପରେ ତାଙ୍କର କଳ୍ପନାପ୍ରଚଣ୍ଡ ଜାତୀୟତାବାଦ ଉପରେ ଜେଣ୍ଟିଲ୍‌ ପ୍ରଭୃତି ଦାର୍ଶନିକଗଣ ହେଗେଲ୍‌ଙ୍କର ଜାତୀୟତା ଯୁକ୍ତିକୁ ସହାୟ କରି ଫ୍ୟାସିଜିମ୍‌କୁ ଘେନି ଗୋଟିଏ ନୂଆ ଦର୍ଶନ ଠିଆ କରାଇଅଛନ୍ତି । ଅଥଚ ସାମ୍ୟବାଦର ଦର୍ଶନ ପୃଥିବୀର କୌଣସି ସ୍ଥାନରେ ସାମ୍ୟବାଦ ଶାସନର ସୂଚନା ଦେବା କେଣ୍ଟ, ହେଗେଲ୍‌ଙ୍କଠାରୁ ମର୍କସ ଏଞ୍ଜେଲ୍‌ସ ଓ ଲେନିନ୍‌ଙ୍କ ଦ୍ୱାରା ପର୍ଯ୍ୟନ୍ତ ଶହ ଶହ ଦାର୍ଶନିକ ଦ୍ୱାରା ଗଢ଼ା ହୋଇ ଆସଚି ଏବଂ ଏହାର ଜନ୍ମ କେବଳ ପହିଲେ ଗୋଟିଏ ଦାର୍ଶନିକ ତଥ୍ୟ ଭିତରେ, କିନ୍ତୁ ପରେ ନାନା ଚିନ୍ତା ଓ ପରୀକ୍ଷା ମଧ୍ୟରେ ପକାଇ ଏହି ତଥ୍ୟ ବା ଚିନ୍ତାକୁ କାମ ସଙ୍ଗରେ ମିଶାଇ ଦିଆଯାଇଅଛି ।

 

ଦୁହିଁଙ୍କ ମଝିରେ ଆଉ ଗୋଟାକ ବଡ଼ ଫରକ ଏହି ଯେ ଫାସିଜିମ୍‌ ତାହାର ଶକ୍ତି ସଞ୍ଚୟ କରିଚି ମଧ୍ୟବିତ୍ତ ଅବସ୍ଥାପନ୍ନ ଲୋକଙ୍କ ଭିତରୁ । ଏହିମାନଙ୍କୁ ତୋୟାର୍‌ କରି ଏବଂ ହତାଶ ଓ ଅସନ୍ତୁଷ୍ଟ ସୈନ୍ୟସାମନ୍ତଙ୍କ ସାହାଯ୍ୟରେ ମୁସୋଲିନିଙ୍କ କଳା କୁର୍ତ୍ତାଦଳ ରୋମ ଦଖଲ କରିଥିଲେ, ହିଟ୍‌ଲରଙ୍କ ଖଇରା କୁର୍ତ୍ତାଦଳ(Brown shirts)ମଧ୍ୟ ଏହିମାନଙ୍କୁ ନେଇ ଗଢ଼ା ଯାଇଥିଲା । କିନ୍ତୁ ସାମ୍ୟବାଦ ଶକ୍ତି ସଞ୍ଚୟ କଲା ଗରିବ କୃଷକ ଓ ସର୍ବହରା (Proletariat) ମାନଙ୍କୁ ଘେନି-ସେହିମାନଙ୍କ ବିପ୍ଳବ ହିଁ ରୁଷିଆ ସାମ୍ୟବାଦର ଦର୍ଶନୀୟ କାରଣ । ଧନୀ ଗରିବ ଭିତରେ ଯେ ସାଲିସ ହେବା ଅସମ୍ଭବ ଏବଂ ଉଭୟଙ୍କ ସ୍ୱାର୍ଥ ଦେଖିବା ଅର୍ଥ ଯେ କାହାର ସ୍ୱାର୍ଥ ଦେଖିବା ହୁଏ ନାହିଁ, ସାମ୍ୟବାଦୀର ଏହା ବିଶ୍ୱାସ, ଅଥଚ ଫ୍ୟାସିଷ୍ଟ୍‍ର ବିଶ୍ୱାସ କାର୍ଯ୍ୟ ପନ୍ଥା ଠିକ୍‌ ଏହାର ଓଲଟା ।

 

ଦୁଇଟି ଶାସନ ସଂସ୍କାର ଉତ୍ପତ୍ତି ଯେମିତି ଦୁଇଟି ନିଆରା ସ୍ଥାନରୁ ହୋଇଅଛି, ଦୁହିଁଙ୍କର ଆଦର୍ଶ ଓ ଲକ୍ଷ୍ୟ ମଧ୍ୟ ସେମିତି ଫରକ । ଏକତନ୍ତ୍ରବାଦ ତାହାର କାମ ଅନୁଯାୟୀ ପାର୍ଲିମେଣ୍ଟାରୀ ଶାସନକୁ ଗୌଣ କରି ଏକ କରି ଏକ ଶକ୍ତିଶାଳୀ ଅଧିନାୟକତ୍ୱକୁ ସ୍ୱୀକାର କରିଅଛି । ଏକ ଶତାବ୍ଦୀ ପୂର୍ବେ ହେଗେଲ୍‌ଯେମିତି ଜାତୀୟତାବାଦକୁ ଯେ କୌଣସି ରାଜ୍ୟର ଚରମ ପରିଣତି ବୋଲି ବିଶ୍ୱାସ କରିଥିଲେ ଏବଂ ତାହା ଅପେକ୍ଷା ଅଧିକତର ବିସ୍ତୃତ କୌଣସି ରାଜ୍ୟ ବା ସରକାରର ସମ୍ଭାବନାକୁ ଅସ୍ୱୀକାର କରିଥିଲେ, ଫ୍ୟାସିଷ୍ଟମାନଙ୍କ ଦର୍ଶନର ଲକ୍ଷ୍ୟ ତାହାହିଁ । କିନ୍ତୁ ସାମ୍ୟବାଦର ଲକ୍ଷ୍ୟ ଆନ୍ତର୍ଜାତିକତା (World State)-କାର୍ଲ ମାର୍କସଙ୍କ ବାଣୀ, ‘‘ଦୁନିଆର ମଜୁର, ଏକଜୁଟ ହୁଅ ।’’ କେବଳ ବାଣୀ ବୋଲି ନୁହେଁ, ଏତିକି ସମ୍ଭବ ନ ହେଲେ ସମ୍ୟବାଦର ନୀତି ନିୟମ ଅନୁସାରେ ଖାଲି ଗୋଟିଏ ମାତ୍ର ଦେଶରେ ପ୍ରତିଷ୍ଠିତ ହୋଇ ତାହା ସବୁଯାକ ସର୍ତ୍ତ ରକ୍ଷା କରି ନ ପାରେ । ଖାଲି ଗୋଟିଏ ଦେଶରେ ଆବଦ୍ଧ ରହିଲେ ତାକୁ ଫ୍ୟାସିଜମ୍‌ ଆଡ଼କୁ ଓହ୍ଲାଇବାକୁ ପଡ଼ିବ କିମ୍ବା ସାମ୍ରାଜ୍ୟ-ବାଦର ଆଶ୍ରୟ ନେବାକୁ ହେବ । କାରଣ ଦେଶ ଭିତରର ରାଷ୍ଟ୍ର ନିତୀକୁ ସାମ୍ୟବାଦ ନୀତି ସଙ୍ଗେ ଅନେକ ପରିମାଣରେ ଯୋଗ ରଖିଲେ ହେଁ ଦେଶର ବାହାରେ ଏକାବେଳେ ଓଲଟା ନୀତି ନ ଧରି ତାହାର ଉପାୟ ନାହିଁ । ଉଦାହରଣ ରୂପେ-ପୁଣି ଯଦି ଗୋଟାଏ ୟୁରୋପୀୟ ମହାଯୁଦ୍ଧ ହୁଏ, ସାମ୍ୟବାଦୀ ରୁଷିଆକୁ ଆତ୍ମରକ୍ଷା କରିବା ପାଇଁ ବ୍ରିଟେନ୍‌ ବା ଆମେରିକା ପରି ସମ୍ରାଜ୍ୟବାଦୀ ବା ଫ୍ୟାସିଷ୍ଟ ଶକ୍ତି ସଙ୍ଗେ ସହଯୋଗ କରିବାକୁ ହିଁ ପଡ଼ିବ, ଅଥଚ ଏହା ସାମ୍ୟବାଦର ସମ୍ପୂର୍ଣ୍ଣ ନୀତିବିରୁଦ୍ଧ । ଶାନ୍ତି ସମୟରେ ମଧ୍ୟ ପୃଥିବୀର ପଞ୍ଚାୟତରେ ବସି ଧନିକ ଓ ବ୍ୟବସାୟୀଙ୍କର ସ୍ୱାର୍ଥରକ୍ଷୀ ସରକାରମାନଙ୍କ ସଙ୍ଗେ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ନୀତିରେ ସହଯୋଗ କରିବାକୁ ହେବ, ବର୍ତ୍ତମାନ ମଧ୍ୟ ହେଉଛି; ଏବଂ ଏହି ବୈଦେଶିକ ନୀତିର ପ୍ରଭାବରୁ ଘରୋଇ ନିତୀ ସମ୍ପୂର୍ଣ୍ଣ ମୁକ୍ତ ହୋଇ ନ ପାରେ ।

 

ସାମ୍ୟବାଦର ତ୍ରୁଟି :–

 

ତେଣୁ ବିଂଶ ଶତାବ୍ଦୀର ରୁଷ ବିପ୍ଳବ ପୃଥିବୀ ଇତିହାସରେ ଆକାର ପ୍ରକାର ଓ ବିଚାର ବିଜ୍ଞାନରେ ଫରାସୀ ବିପ୍ଳବଠାରୁ ବହୁ ଗୁଣରେ ଅଦ୍ଭୁତ ଓ ଅଲୌକିକ ହେଲେ ମଧ୍ୟ ଏବଂ ମାନବିକ ଚିନ୍ତାର ଚୂଡ଼ାନ୍ତ ଯୁକ୍ତି ଓ ବିବେକକୁ ରୂପ ଦାନ କରି କାର୍ଯ୍ୟ କ୍ଷେତ୍ରରେ ଚୂଡ଼ାନ୍ତ ଯୁକ୍ତି ଓ ବିବେକକୁ ରୂପ ଦାନ କରି କାର୍ଯ୍ୟ କ୍ଷେତ୍ରରେ ପରିକ୍ଷା କଲେ ମଧ୍ୟ ସଂଖ୍ୟାଗରିଷ୍ଠ ଶାସନ-ନିତିକୁ ଦେଶରେ ଦୋରବସ୍ତ ଚଳାଇଥିଲେ ମଧ୍ୟ, ପୁଣି ସାମ୍ୟବାଦର ପ୍ରତିଷ୍ଠାତାମାନଙ୍କ ଗଣନା ଅନୁସାରେ ସୁନିୟନ୍ତ୍ରିତ, ମାର୍ଜିତ, ସୁସଭ୍ୟ ଓ ସୁଯୋଗ୍ୟ ଗଣତନ୍ତ୍ରବାଦୀ ଦେଶମାନଙ୍କରେ ପ୍ରଥମେ ନ ଚଳି ପୁରୁଣାପନ୍ଥୀ, ଧର୍ମଭୀରୁ, ଦରିଦ୍ର ରୁଷିଆ ଦେଶରେ ଏହା ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ, ଆଉ ମଧ୍ୟ ହିଟ୍‌ଲର, ମୁସୋଲିନି ପ୍ରଥମେ ସାମ୍ୟବାଦୀ ରୂପେ ନିଜର କର୍ମପନ୍ଥା ଆରମ୍ଭ କରିଥିଲେ ହେଁ ଏବଂ କେମାଲଙ୍କର ମୂଳନୀତି ଏବେ ମଧ୍ୟ ସାମ୍ୟବାଦ ଉପରେ ପ୍ରତିଷ୍ଠିତ ବୋଲି ତାଙ୍କ କାର୍ଯ୍ୟକଳାପରୁ ସଫା ଜଣା ଗଲେ ହେଁ ଏବଂ ୟୁରୋପର ଚିନ୍ତାନାୟକମାନେ ଯଥା, ନାମଯାଦା ଲେଖକ ଓ ସାହିତ୍ୟିକ ଓୟେଲସ୍‌, ବର୍ଣ୍ଣାଡ଼୍‌ଶ, ଚେଷ୍ଟାରୁଟନ୍‌, ରୋମ୍ୟାଁ ରୋଲାଁ, ବଟ୍‌ରାଣ୍ଡ ରାସେଲ୍‌, କୋଳ୍‌, ଲାସ୍କି ଓ ବିଖ୍ୟାତ ବୈଜ୍ଞାନିକ ଆଇନ୍‌ଷ୍ଟିନ୍‌ଙ୍କ ପର୍ଯ୍ୟନ୍ତ ଏହି ମତବାଦକୁ ଧରିଥିଲେ ହେଁ, ଫାସିଜିମ୍‌ସରି ସୋସାଲିଜିମ୍‌ କୃତକାର୍ଯ୍ୟ ହୋଇ ପାରି ନାହିଁ । କେବଳ ଗୋଟିଏ ଦେଶ ରୁଷିଆରେ ଆବଦ୍ଧ ରହି ସାମ୍ୟବାଦ ତାହାର ନାମ ସାର୍ଥକ କରି ନପାରେ, କାରଣ ତାହାହେଲେ ଦେଶର ସବୁ ବାହିକ୍ୟ ନୀତିରେ (Foreign policy) ଅନ୍ୟ ସମସ୍ତ ପୁଞ୍ଜିବାଦୀ (Capitalist) ସରକାର-ନୀତି ସଙ୍ଗେ ତାକୁ ସାଲିସ୍‌କରିବାକୁ ହିଁ ହେବ ଏବଂ ଅନ୍ୟ କଥାରେ ବିରୁଦ୍ଧ ପକ୍ଷ ପୁଞ୍ଜିବାଦକୁ ସମର୍ଥନ କରିବାକୁ ପଡ଼ିବ ।

 

ସେଥିପାଇଁ ରୁଷିଆର ସାମ୍ୟବାଦକୁ ପଣ୍ଡିତମାନେ ଆଭ୍ୟନ୍ତରିଣ ସାମ୍ୟବାଦ (State Socialism) ନାମ ଦେଇଥାନ୍ତି । ଅର୍ଥାତ୍ ତାହାର ସାମ୍ୟବାଦ ରାଜ୍ୟ ଭିତରେ ହିଁ ଆବଦ୍ଧ । ସାମ୍ୟବାଦର ବିଶିଷ୍ଟ ନୀତି ଆନ୍ତର୍ଜାତିକତା ବା ବିଶ୍ୱ-ବିପ୍ଳବ (World Revolution)କୁ ଏ କ୍ଷେତ୍ରରେ ତହିଁରୁ ଅଲଗା କରିବାକୁ ପଡ଼ିବ । ଏହି କାରଣକୁ ଦର୍ଶାଇ ରୁଷିଆରୁ ନିର୍ବାସିତ ଷ୍ଟାଲିନ୍-ବିରୋଧୀ ଟ୍ରଟ୍‍ସ୍କି ୟୁରୋପର ସ୍ଥାନେ ସ୍ଥାନେ ରୁଷିଆରେ ଯଥାର୍ଥ ସାମ୍ୟବାଦର ପ୍ରତିଷ୍ଠା ହୋଇ ନାହିଁ ବୋଲି ପ୍ରଚାର କରୁଅଛନ୍ତି ଏବଂ ଷ୍ଟାଲିନ୍‌ ପକ୍ଷ ତାହାଙ୍କୁ ବ୍ୟକ୍ତିଗତ ସ୍ୱାର୍ଥନ୍ୱେଷୀ କହି ଯଥାର୍ଥ ସାମ୍ୟବାଦର ପ୍ରତିଷ୍ଠା ପାଇଁ ପହିଲେ ରୁଷିଆକୁ ପୃଥିବୀ ଭିତରେ ଶକ୍ତିଶାଳୀ ଓ ଅଜେୟ କରିବା ଦରକାର ଏବଂ ଉକ୍ତ ଦୃଷ୍ଟିରେ ହିଁ ଷ୍ଟାଲିନ୍‌ ବର୍ତ୍ତମାନ ସବୁ ଦିଗରେ ରୁଷିଆର ଅସମ୍ଭବ ଉନ୍ନତି ଘଟାଇଥିବାର ନଜିର ବାଢ଼ୁ ଅଛନ୍ତି ।

 

ଉଭୟ ଦିଗର ଯୁକ୍ତିକୁ ତଉଲ କଲେ ଦେଖାଯାଏ, ସାମ୍ୟବାଦ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇଚି ମାତ୍ର, ପୂର୍ଣ୍ଣରୂପେ ପ୍ରତିଷ୍ଠିତ ହେବାପାଇଁ ବାକୀ ଅଛି ତାହାର ଅନେକ । କିନ୍ତୁ ଶିଶୁ ହେଲେ ମଧ୍ୟ ଏ କଥା ମାନିବାକୁ ହେବ ଯେ, ଏହା ଆଗାମୀ କାଳର ଶିଶୁ, ଭବିଷ୍ୟତର ଉତ୍ତରଧିକାରୀ, ମାନବ ସଭ୍ୟତାର ଭାବୀ ପ୍ରକାଶ । ରାଜନୀତି, ଅର୍ଥନୀତି, ସଭା ବା ସଂଗଠନ ଦିଗରେ ମାନବଚିନ୍ତା ଆଜିସୁଦ୍ଧା ଏହାର ଉପରକୁ ଉଠି ନାହିଁ । ଅବଶ୍ୟ ମହାଯୁଦ୍ଧ ପରେ ଫିନ୍‌ଲାଣ୍ଡ, ବ୍ୟାଭେରିଆ ଓ ହଙ୍ଗେରି ଦେଶମାନଙ୍କରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇ ଅଳ୍ପ ଦିନ ପରେ ଭାଙ୍ଗି ଯାଇଥିଲା । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍‌ସେ ମ୍ୟାକ୍‌ଡୋନାଲଡଙ୍କ ନେତୃତ୍ୱରେ ମଧ୍ୟ ତାହା ଭଲ ରୂପେ ଉଧେଇ ପାରିଲା ନାହିଁ । ଫ୍ରାନ୍‌ସରେ ସାମ୍ୟବାଦ ସରକାର ପ୍ରତିଷ୍ଠିତ ହୋଇଥିବାର ଯାହା ଶୁଣିବାକୁ ମିଳେ, ଫରାସୀ ପାର୍ଲିମେଣ୍ଟ୍‍ରେ ସାମ୍ୟବାଦୀ ବା ମୌଳିକ ସାମ୍ୟବାଦୀଙ୍କ (Radical Socialist) ସଂଖ୍ୟା ଆଉସବୁ ଛୋଟ ଛୋଟ ଦଳଙ୍କ ଭିତରେ ବେଶି ହେଲେ ହେଁ ସେଥିରେ ଏହି ଛୋଟ ଛୋଟ ଦଳ ଏତେ ଗୁଡ଼ିଏ ରହିଚି ଯେ, ସେମାନଙ୍କର ସର୍ବ ମୋଟ ସଂଖ୍ୟା ଅନୁପାତରେ ସାମ୍ୟବାଦୀ ମାତ୍ର ଚାରିଭାଗରୁ ଭାଗେ । ଫ୍ରାନ୍‌ସକୁ ଛାଡ଼ିଦେଲେ ୟୁରୋପ ବା ଆମେରିକାର ସବୁ ରକମ ସରକାରୀ ଦଳ ଭିତରେ ସାମ୍ୟବାଦୀ ଦଳ ରହିଥିଲେ ହେଁ ନିଜ ଦଳର ସଂଖ୍ୟା ଅଧିକ ନ ଥିବାରୁ ଆଉ କେଉଁ ସରକାରକୁ ଅଧିକାର କରିବାକୁ ସେମାନେ ସମର୍ଥ ହୋଇ ନାହାନ୍ତି ।

 

ଏକତନ୍ତ୍ରବାଦର ବିଜୟ :–

 

ତେବେ ଦେଖିବାକୁ ଗଲେ ପ୍ରାୟ ସବୁ ଦେଶରେ ଆଜି ଫ୍ୟାସିଷ୍ଟ ଦୁନ୍ଦୁଭି ବାଜି ଉଠିଚି । ସବୁ ଦେଶରେ ହିଁ ଆନ୍ତର୍ଜାତିକତାକୁ ଫୁତ୍କାରରେ ଉଡ଼ାଇ ଦେଇ ଜାତୀୟ ସରକାର ପ୍ରତିଷ୍ଠା ପାଇଁ ପ୍ରବଳ ଉଦ୍ୟମ ଚାଲିଚି । ଜାତୀୟ ସରକାର ହିଁ ଚରମ ସତ୍ୟ, ଯେଉଁ ମାନଙ୍କୁ ଘେନି ଏହି ସରକାର ତିଆରି, ସେହି ବ୍ୟକ୍ତି ବା ସମାଜଠାରୁ ମଧ୍ୟ ଏହା ଅଧିକ ଜୀବନ୍ତ ଓ ବାସ୍ତବ । ଅର୍ଥାତ୍‌ ସାମ୍ରାଜ୍ୟବାଦର ଏହା ସାନ ଭାଇ । ଫରକ ଭିତରେ ଫାସିଜିମ୍ ଖାଲି କୃଷକ ଓ ଶ୍ରମିକମାନଙ୍କ ସଙ୍ଗେ ଧନିକମାନଙ୍କର ଗୋଟେ ସାଲିସ୍‌ପ୍ରସ୍ତାବ କରେ । ପୁଣି, ଫାସିଜିମର ବିଜୟ ଅବଶ୍ୟମ୍ଭାବୀ, କାରଣ ପରାଜୟ ବୋଲି ଏହାର କୌଣସି ଅବସ୍ଥା ନାହିଁ । ସାମ୍ୟବାଦ ପରି ଏହାର ପୂର୍ବରୁ କିଛି ଧାରାବାହିକ ଆଦର୍ଶ, ନୀତି ବା ଦର୍ଶନ ନ ଥିଲା, ଯେଉଁ ନିକ୍ତିରେ ଜୟ ପରାଜୟ ଓଜନ କରାଯାଇ ପାରେ । ଆଦର୍ଶ, ନୀତି ବା ଦର୍ଶନ ବରଂ ଏହାକୁ ଅନୁସରଣ କରିଅଛି । ଏହି ଦିଗରୁ ହିଁ ଫାସିଷ୍ଟ ଦାର୍ଶନିକମାନେ ଏକତନ୍ତ୍ର-ବାଦକୁ (Fascism) ସାମ୍ୟବାଦ ତୁଳନାରେ ଅଧିକ ପ୍ରାକୃତିକ ବୋଲି ଦର୍ଶାଇଥାନ୍ତି । କାରଣ ସେମାନଙ୍କ ମତରେ ମଣିଷର କାର୍ଯ୍ୟ କଳାପ ପଛରେ ସାଧାରଣତଃ ତାହାର ନୀତି, ଆଦର୍ଶ ବା ଦର୍ଶନ ଗୋଡ଼ାଇବାର ଦେଖାଯାଏ । ପ୍ରାକୃତିକ ନିୟମରେ ସୃଷ୍ଟି ହିଁ ପ୍ରଥମ, ପରେ ତାହାର ବ୍ୟାଖ୍ୟା ବର୍ଣ୍ଣନା ଆସି ପହଞ୍ଚେ-ପ୍ରକୃତିର ନକଲ ସାହିତ୍ୟ ମଧ୍ୟ ଆଗ ସୃଷ୍ଟି କରାହୁଏ, ପରେ ତାହାର ଟୀକା, ଆଲୋଚନା ବା ବ୍ୟାକରଣ ।

 

କିନ୍ତୁ ସାମ୍ୟବାଦୀର ଲକ୍ଷ୍ୟ ସୃଷ୍ଟି ନୁହେଁ, ସାଧନା । ତାହାର ସୃଷ୍ଟି ନିରୁଦ୍ଦେଶ୍ୟ ବା ନିଃସହାୟ ନୁହେଁ- ସବୁ ସୃଷ୍ଟିର ଉଦ୍ଦେଶ୍ୟ ଅଛି, ଆଦର୍ଶ ଅଛି, ନିୟମ ଅଛି, ଦର୍ଶନ ଅଛି, ବାଟ ଅଛି, ବିଚାର ଅଛି । ସବୁ ଉଦ୍ଦେଶ୍ୟରେ ପରିଣତ, ସବୁ ଆଦର୍ଶର ଚୂଡ଼ାନ୍ତ, ସବୁ ନିୟମର ସୀମା ଏବଂ ସବୁ ଦର୍ଶନର ଦିଗ୍‌ବଳୟ ହିଁ ସାମ୍ୟବାଦ । ସବୁ ବାଟ ହିଁ ସାମ୍ୟବାଦଠାରେ ପହଞ୍ଚାଇ ଦିଏ, ସବୁ ବିଚାରର ଶେଷ ବିକାଶ ହିଁ ସେହିଠାରେ ! ମଣିଷ ସଭ୍ୟତାରେ ଆରମ୍ଭରୁ ଆଜିଯାଏ କୌଣସି ବୈଜ୍ଞାନିକ ବଡ଼ ଅଙ୍କ କଷି ନାହିଁ, କୌଣସି ଜ୍ୟୋତିଷ କୌଣସି ଭାବୁକ ଏହାଠାରୁ ବଡ଼ ଭାବନା ବାଢ଼ି ନାହିଁ, ବଡ଼ ଗଣନା ଗଣି ନାହିଁ, କୌଣସି ଯୋଦ୍ଧା ବଡ଼ ବିଜୟ କରି ନାହିଁ । ପ୍ଲେଟୋ, ସକ୍ରେଟିସ୍‌, କ୍ୟାଣ୍ଟ୍‌, ବୁଦ୍ଧ, ମହମ୍ମଦ, ଯିଶୁ, ଚାବ୍ୟୁକ୍‌, ସାଂଖ୍ୟ ବା ବେଦାନ୍ତଠାରୁ ଆରମ୍ଭ କରି ମାର୍କସ୍‌ ମୁସୋଲିନି, ହିଟ୍‌ଲର, ଗାନ୍ଧୀ, ରୁଜୁଭେଲ୍‌ଟ୍‌ ଓ ଲେନିନ୍‌ଙ୍କ ପର୍ଯ୍ୟନ୍ତ ମାନବଜାତିର ବିପୁଳ ଚିନ୍ତା ଓ ଅଭିଜ୍ଞତାକୁ ନିଗାଡ଼ି ପୁଣି ଠିକ୍‌ ଭୁଲ୍‌ର ବିଚାର କରି ଏ ବସ୍ତୁର ନିର୍ମାଣ ହୋଇଅଛି ।

 

ଏକତନ୍ତ୍ରବାଦର ମୂଳରେ :–

 

ଫ୍ୟାସିଜିମ୍‌ପରି କାହାରି ପ୍ରତି ଭୟ, କାହାରି ହାତରୁ ପରାଜୟ, ବା ନିଜଠାରୁ ନୈରାଶ୍ୟ ଓ ନିଃସହାୟତା ଉପରେ ଏହା ଗଢ଼ା ନୁହେଁ; ଗଢ଼ା ମଣିଷ ଜାତିର ନ୍ୟାର୍ଯ୍ୟ ଅଧିକାର, ନ୍ୟାର୍ଯ୍ୟ ଚିତ୍ର ବିଚାର ଉପରେ । ଅବଶ୍ୟ ଫାସିଜିମର ପିତା ମୁସୋଲିନି ଗତ ମହାଯୁଦ୍ଧ ପରେ ବିଜୟୀମାନଙ୍କ ପକ୍ଷରେ ରହିଥିଲେ; କିନ୍ତୁ ୧୯୧୮ ମସିହା ମାର୍ଶାଇ ସନ୍ଧି ସର୍ତ୍ତରେ ସେ ଯେଉଁ ସବୁ କ୍ଷତିପୂରଣ ବା ଲାଭ ପାଇବାର ଆଶା ରଖିଥିଲେ, ସେ ସବୁ ଧୂଳିସାତ୍‌ଦେଖି ପରାଜିତ ଶକ୍ତି ପରି ହତାଶରେ ଫେରିଥିଲେ ଏବଂ ଇଟାଲିର ସେ ଭାବ ସଙ୍ଗେ ସଙ୍ଗେ ପ୍ରକାଶିତ ହେଲା, ଡ୍ୟାନେଜ୍‌ଜିଓଙ୍କର ୧୯୧୯ରେ ଫ୍ୟୁମ୍‌ ଅଧିକାର ଦ୍ୱାରା । ମାତ୍ର ଜର୍ମାନୀର ଫ୍ୟାସିଜିମ୍‌ ପାଇଁ କୌଣସି ଘଟଣାର ଉଦାହରଣ ଦରକାର ନାହିଁ । ଯୁଦ୍ଧର କ୍ଷତିପୂରଣ ଦେବାକୁ ଜର୍ମାନୀ ରାଜ୍ୟ ଯେଉଁ ବାରଭାଇ ବଣ୍ଟରା ଭିତରେ ପଡ଼ିଲା, ଯେତେ ୠଣ ପାଇଁ ତା’ଠାରୁ ତମସୁକ୍‌ ଲେଖାଗଲା ଏବଂ ସେ ଗୁଡ଼ିକ ଫେରି ପାଇବାକୁ ତାହାର ଆଜି ସୁଦ୍ଧା ଯେତେ ଯେତେ ଗାଲୁ ଓ ଗର୍ଜନ ଶୁଣାଯାଏ, ଖବର କାଗଜ ସେଥିପାଇଁ ଦୈନିକ ସାକ୍ଷ୍ୟ ଦେଉଅଛି ।

 

ଫ୍ୟାସିଜିମ୍‌ର ଜନ୍ମ ମୂଳରେ ଏହି ପରାଜୟର କ୍ଷୋଭ ଓ ଓ ଆତ୍ମଗ୍ଲାନି ଯେମିତି ଥିଲା, ଭୟ ବା ଆତଙ୍କର ମାତ୍ରା ମଧ୍ୟ ସେଥିରୁ କମ୍‌ ନୁହେଁ । ଫ୍ୟାସିଜିମ୍‌ର ଜନ୍ମଭୂମି ମଧ୍ୟଭିତ୍ତ ଶ୍ରେଣୀ ଆଗରୁ ଯେମିତି ବଡ଼ ବଡ଼ ପୁଂଜିପତି ଓ ମିଲ ମାଲିକଙ୍କ ଡରରେ ଅସ୍ଥିର ହେଉଥିଲା, ୧୯୧୭ ମସିହାରେ ପଡ଼ିଶା ରୁଷିଆ ଦେଶର ବିପ୍ଲବ ଦେଖି ସାମ୍ୟବାଦ ଭୟରେ ନିଜର ଉଚ୍ଛନ୍ନ ଆଶଙ୍କା କରି ସେମିତି ଥର ହର ହେଲା ଏବଂ ଫାସିଜିମ୍‌କୁ ହିଁ ଏ ଅବସ୍ଥାର ଏକମାତ୍ର ଆଶୁ ସମାଧାନ ରୂପେ ବିଚାରିଲା । ସାମ୍ୟବାଦ ଆକ୍ରମଣରୁ ଆତ୍ମରକ୍ଷା କରିବା ପାଇଁ ବଡ଼ ବଡ଼ ପୁଞ୍ଜିପତିମାନେ ମଧ୍ୟବିତ୍ତ ଶ୍ରେଣୀକୁ ପୂର୍ଣ୍ଣ ସହଯୋଗ କରିବାର ଦେଖାଗଲା, କାରଣ କେବଳ ସ୍ୱାର୍ଥ ହିସାବରେ ବଡ଼ ସାନ ଓ ଲାଭ ଦିଗରେ କମ ବେଶିର ଫରକ ଥିଲେ ହେଁ ଦୁହିଁଙ୍କ ନୀତିଗତିର ପୂରାପୂରି ସାମଞ୍ଜସ୍ୟ ଅଛି । ଦେଶରେ ସାମ୍ୟବାଦୀମାନଙ୍କ ବିରୁଦ୍ଧରେ ପ୍ରବଳ ସମର ଚଳାଇ ମୁସୋଲିନୀ ବଡ଼ ବଡ଼ ପୁଞ୍ଜିପତି ଓ ମିଲମାଲିକମାନଙ୍କଠାରୁ ପୁରସ୍କାର ସ୍ୱରୂପ ଅପର୍ଯ୍ୟାପ୍ତ ଅର୍ଥଲାଭ କରି ଆପଣା ଦଳକୁ ମୋଟା କରିବାକୁ ଲାଗିଲେ । ଫ୍ୟାସିଜିମ୍‌ର ଜନ୍ମ ସ୍ଥାନ ଇଟାଲି ଦେଶରେ ଯେଉଁ ସବୁ ଘଟଣା ଓ କାରଣମାନଙ୍କୁ ଘେନି ଏକତନ୍ତ୍ରବାଦ ଶକ୍ତିଶାଳୀ ହେଲା, ଜର୍ମାନୀ, ତୁର୍କୀ, ଅଷ୍ଟ୍ରିଆ, ସ୍ପେନ୍‌ ଓ ୟୁରୋପର ଅନ୍ୟ ଛୋଟ ଛୋଟ ଦେଶରେ, ଏପରିକି ଗଣତନ୍ତ୍ରର ଡିଣ୍ଡିମ ବଜାଉଥିବା ଆମେରିକାରେ ଏବଂ ଧର୍ମ ଓ ନୀତିର ଧଜା ଧରିଥିବା ପରାଧୀନ ଭାରତବର୍ଷରେ ମଧ୍ୟ ସାମାନ୍ୟ ଅଦଳ ବଦଳ ହୋଇ ଏହିପରି ଘଟଣା ଓ କାରଣମାନ ଦେଖାଯାଏ ।

 

ଭାରତରେ ଫ୍ୟାସିଜିମ୍‌ :–

 

ଭାରତବର୍ଷ ବ୍ରିଟିଶ ସାମ୍ରାଜ୍ୟର ଅଧୀନରେ ରହି ମଧ୍ୟ ଏ ଦେଶର ଜନନାୟକ ଗାନ୍ଧୀ ଯୁଦ୍ଧ ପୂର୍ବରୁ ମୁସୋଲିନିଙ୍କ ପରି ଯାହା ପାଇବାକୁ ଆଶା ରଖି ଶାସକମାନଙ୍କ ପକ୍ଷ ନେଇ ମହାଯୁଦ୍ଧରେ ଭାରତର ସହାୟତା ସମର୍ଥନ କରିଥିଲେ, ଯୁଦ୍ଧ ପରେ ହତାଶ ହୋଇ ଫାସିଜିମ୍‌ ପରି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ । ମୁସୋଲିନିଙ୍କ ପରି ତାଙ୍କର ମଧ୍ୟ ଭାରତୀୟ ରାଜନୀତିରେ ଅଖଣ୍ଡ ପ୍ରଭାବ ପ୍ରତିଷ୍ଠିତ ହେଲା ଓ ହୋଇଅଛି । ଇଟାଲି ପରି ପ୍ରବଳ ଓ ଶକ୍ତିଶାଳୀ ନ ହେଲେ ମଧ୍ୟ ସାମ୍ୟବାଦ ଭୟରେ ଭାରତର ମଧ୍ୟବିତ୍ତ ଶ୍ରେଣୀ ଓ ବଡ଼ ବଡ଼ ଧନୀ ମହାଜନ ତାଙ୍କ ପାଖକୁ ଆଉଜିଲେ ଏବଂ ସେମାନଙ୍କ ଚାନ୍ଦା ଦ୍ୱାରା ଗାନ୍ଧୀଚାଳିତ କଂଗ୍ରେସ ଦଳ ସୁପୁଷ୍ଟ ହେଲା । ଲିବରାଲ୍‌ ପ୍ରଭୃତି ମାନ୍ଦାଦଳ ରାଜନୀତି କ୍ଷେତ୍ରରେ ଲୋପ ହେବାକୁ ବସିଲା ଏବଂ କଂଗ୍ରେସ ବୋଇଲେ ଗାନ୍ଧୀବାଦକୁ ହିଁ ବୁଝାଇଲା । କିନ୍ତୁ ଗୋଟାଏ ଦିଗରେ ଏକତନ୍ତ୍ରବାଦ (Fascism) ସଙ୍ଗେ ଗାନ୍ଧୀବାଦର ଅମେଳ ଦେଖାଯାଏ-ଏକତନ୍ତ୍ରବାଦ ପାର୍ଲିଆମେଣ୍ଟାରି ପ୍ରଭାବକୁ ଗୌଣ କରି ଦେଇ ଏକତ୍ୱ ଶାସନକୁ ସବା ଉପରେ ଟେକିଛି; କିନ୍ତୁ ଗାନ୍ଧୀବାଦ ଭିତରେ ଏକତ୍ୱର ପ୍ରଭାବ ସୁସ୍ପଷ୍ଟ ଥିଲେ ହେଁ ସେଥି ସଙ୍ଗେ ପାର୍ଲିଆମେଣ୍ଟାରି ନୀତିର ସଂମିଶ୍ରଣ ମଧ୍ୟ ଦର୍ଶନୀୟ । ଭାରତୀୟ କଂଗ୍ରେସ କେବଳ ନୂଆ ଶାସନ ଖସଡ଼ା ସହିତ ସହଯୋଗ ଦ୍ୱାରା ପାର୍ଲିମେଣ୍ଟାରି ନୀତିର ସମର୍ଥନ କରି ନାହିଁ । ଗ୍ରାମ୍ୟ କମିଟିଠାରୁ ଆରମ୍ଭ କରି ଜିଲ୍ଲା, ପ୍ରାଦେଶିକ ବା କେନ୍ଦ୍ର କମିଟିଯାଏ କଂଗ୍ରେସ ସଂଗଠନମାନ ପାର୍ଲିଆମେଣ୍ଟର ପ୍ରଭାବକୁ ହିଁ ପୋଷଣ କରିଅଛି ।

 

ଇଟାଲିରେ ରାଜତନ୍ତ୍ର ଓ ଏକତନ୍ତ୍ର ପରି, ବ୍ରିଟେନ୍‌ରେ ରାଜତନ୍ତ୍ର ଓ ପାର୍ଲିଆମେଣ୍ଟ ପରି, ଭାରତରେ ମଧ୍ୟ ଏକତନ୍ତ୍ର ଓ ପାର୍ଲମେଣ୍ଟକୁ ମିଶାଇ ଏକ ଖେଚଡ଼ି ରାଜନୀତି ତିଆରି ହୋଇଅଛି । ଇଟାଲି ଇଂଲଣ୍ଡ ପରି ସମ୍ରାଜ୍ୟ ଭିତରେ ଡେମିନିୟନ ଷ୍ଟାଟସ ପାଇଁ ରହିବାକୁ ତାହାର ଭବିଷ୍ୟତ ପନ୍ଥା ନିର୍ଦ୍ଦିଷ୍ଟ ଅଛି । ଗାନ୍ଧୀବାଦ ହିଁ ବର୍ତ୍ତମାନ ଭାରତୀୟ ରାଜନୀତିର ସର୍ବଶ୍ରେଷ୍ଠ ମନ୍ତ୍ର ହେଲେହେଁ ଏବଂ ଗାନ୍ଧୀଙ୍କଠାରେ ମୁସୋଲିନଙ୍କର ରାଜନୀତି କୁଶଳତା ଓ ହିଟ୍‌ଲରଙ୍କର ପ୍ରଖର ନୈତିକତାର ଏକତ୍ର ସମାବେଶ ଦେଖାଗଲେ ହେଁ, ହିଟଲରଙ୍କ ପରି ମଦ୍ୟ, ମାଂସ, ଧୂଆପତ୍ର ଛାଡ଼ି ନିଜର ଆହାର ବିହାର ଓ ବ୍ୟୟ ସଙ୍କୋଚ ଦିଗରେ ଭାରତରେ ସେ ଅଦ୍ୱିତୀୟ ଆଦର୍ଶ ଦେଖାଇ ଜନସମାଜରେ ଦେବ ତୁଲ୍ୟ ପୂଜା ପାଉଥିଲେ ହେଁ, ପୁଣି ହିଟଲର ବା ମୁସୋଲିନ୍‌ ସାମ୍ୟବାଦ ବିରୁଦ୍ଧରେ ଲଢ଼ାଇ କରିବା ଭଳି ଗାନ୍ଧୀଜୀ କୌଣସି ଦିନ ସେମିତି ଲଢ଼ାଇ, ଘୋଷଣା କରି ନ ଥିଲେ ହେଁ, ଇଂରେଜୀ ଶାସନ ପଦ୍ଧତିକୁ ନାନାଦିଗରୁ ସମାଲୋଚନା କରି ପାର୍ଲିଆମେଣ୍ଟ ଜନନୀ (Mother of Parliaments) ବ୍ରିଟିଶ ପାର୍ଲିଆମେଣ୍ଟକୁ ନିନ୍ଦା କରି ସୁଦ୍ଧା ତାହାର ନୀତି ସଙ୍ଗେ ବର୍ତ୍ତମାନ ତାହାଙ୍କୁ ସହଯୋଗ କରିବାକୁ ହୋଇଅଛି ।

 

ଏ କଥା କହିବା ବେଳେ ଅବଶ୍ୟ ମାନିବାକୁ ହେବ ଯେ, ବ୍ରିଟିଶପାର୍ଲିଆମେଣ୍ଟର ସବୁ ତ୍ରୁଟି ସତ୍ୱେ ତାହାର ଗୁଣର ପରିମାଣ ଅଳ୍ପ ନୁହେଁ । ଭାରତୀୟ ପରି ଇଂରେଜୀ ଜାତିର ଧୈର୍ଯ୍ୟ ଓ ସହିଷ୍ଣୁତା ଏବଂ ପୁରୁଣା ପଦ୍ଧତିକୁ ମାନି ଚଳିବା ପୃଥିବୀରେ ଏକ ଉପମା ଦେବାର ବସ୍ତୁ ପାର୍ଲିଆମେଣ୍ଟ ଶାସନର ବଶବର୍ତ୍ତୀ ହେବାର ଅଭ୍ୟାସ ଇଂରେଜୀ ଜାତିର ଦ୍ୱିତୀୟ ପ୍ରକୃତି ହୋଇ ପଡ଼ିଅଛି । ଇଂଲଣ୍ଡର ରାଜା ଯେମିତି ସେ ଦେଶର ଦେବତା, ପାର୍ଲିଆମେଣ୍ଟ ସେମିତି ରାଜଛତ୍ର । ଏ ଛତ୍ର ତଳେ ସବୁ ରକମ ରାଜନୀତିର ଚର୍ଚ୍ଚା ଓ ପରୀକ୍ଷା କରା ହୋଇଅଛି । କାର୍ଲାମାର୍କସ ତାଙ୍କର ପ୍ରଥମ ସାମ୍ୟ-ମନ୍ତ୍ର ଉଚ୍ଚାରଣ କରି ଅଛନ୍ତି, ଲେନିନ୍ ରୁଷିଆରୁ ବିତାଡ଼ିତ ହୋଇ ଏଠାରେ ଆଶ୍ରୟ ନେଇଅଛନ୍ତି, ରର୍ବାଟ ଓୟେନ ଶ୍ରମିକ ସଂଗଠନ କରିଅଛନ୍ତି, ମ୍ୟାକ୍ ଡୋନାଲଡ ଫେବିଆନ ସମିତି ଗଢ଼ିବାରେ ସହାୟ ହୋଇ ଅଛନ୍ତି, ସର ଅସ୍‌ବାଲାଡ଼ ମସଲି କଳା କୁର୍ତ୍ତା ଦଳ ଗଢ଼ି ଫ୍ୟାସିଜିମ୍‌ ପ୍ରଚାର କରିଛନ୍ତି, ପୁଣି ଏବେ ହ୍ୟାରିପଲିଟ୍‌ ପ୍ରମୁଖ କମ୍ୟୁନିଷ୍ଟ ନେତା ବିପ୍ଳବ ପରିକଳ୍ପନା କରିଛନ୍ତି, ଏହି ଛତ୍ର ତଳେ ରହି ।

 

ଇଂରେଜୀ ଜାତି ରାଜାଙ୍କୁ ଦେବତା ରୂପେ ପୂଜା କଲେ ହେଁ ସେ ଦେବତାଙ୍କୁ ମଣିଷଠାରୁ ଉଚ୍ଚ ଆସନ ଦେଇ ନାହିଁ, ଏହି ଛତ୍ର-ତଳେ ରହି ଇଂଲଣ୍ଡର ରାଣୀ ଭିକ୍‌ଟୋରିଆଙ୍କ ଆଗରେ ପ୍ରଧାନ ମନ୍ତ୍ରୀ ଲୋକପ୍ରତିନିଧି ରୂପେ ନିଜ ସ୍ଥାନକୁ ସମାନ ଉଚ୍ଚ ବୋଲି ସଗର୍ବରେ ପ୍ରଚାର କରିଅଛନ୍ତି, ପୁଣି ସେ ଦିନ ଏହି ଛତ୍ର ତଳେ ଇଂଲଣ୍ଡର ଜନପ୍ରିୟ-ରାଜା ଷଷ୍ଠ ଏଡ୍ଉଆର୍ଡ଼ଙ୍କୁ ଗାଦିଚ୍ୟୁତ କରାଇ ବଲ୍‍ଡଉଇନ୍ ସାହେବ ତାହା ବଦଳରେ ଗୋଟିଏ ମାତ୍ର ବକ୍ତୃତା ବାଢ଼ି ସମଗ୍ର ଜାତିକୁ ସନ୍ତୁଷ୍ଟ କରି ପାରି ଅଛନ୍ତି ଓ ପୁରସ୍କାର ସ୍ୱରୂପ ନିଜେ ଲର୍ଡ଼ ସଭାରେ ଆସନ ଲାଭ କରି ସନ୍ତୁଷ୍ଟ ରହିଅଛନ୍ତି ।

 

ସାମ୍ୟବାଦ ନାମ ମାତ୍ର :–

 

ୟୁରୋପର ଏକତନ୍ତ୍ରୀବାଦୀ ରାଜ୍ୟମାନଙ୍କୁ ଛାଡ଼ି ବାକୀ ସମସ୍ତେ ଯେମିତି ବ୍ରିଟିଶ ପାର୍ଲିଆମେଣ୍ଟକୁ ଅନୁକରଣ କରି ଅଛନ୍ତି, ଭାରତରେ ଫ୍ୟାସିଜିମ୍‌କୁ ମିଶାଇ ସେମିତି ଏହି ପାର୍ଲମେଣ୍ଟ ଶାସନ ନୀତି ପଶିଚି । ସାମ୍ୟବାଦର ଯେତିକି ନାମ ଶୁଣାଯାଏ, ତାହା ଏ ପର୍ଯ୍ୟନ୍ତ ନାମ ମାତ୍ରରେ ପର୍ଯ୍ୟବେସିତ ବୋଲି କୁହାଯାଇପାରେ । ସେଥିପାଇଁ ଯେଉଁ ଚରମ ତ୍ୟାଗ, ଯେଉଁ ନିଷ୍ଠା ଓ ସାଧନା ଆବଶ୍ୟକ, ସମାଜର ଯଥାର୍ଥ ସ୍ୱାତନ୍ତ୍ର୍ୟ ପାଇଁ ଯେଉଁ ଚିନ୍ତା ଓ ଆୟୋଜନ ଲୋଡ଼ା ତାହାର ଆୟ ଆରମ୍ଭ ଏ ଦେଶରେ ହୋଇ ନାହିଁ । କେବଳ ଦୁଇ ଚାରିଟା ବକ୍ତୃତା, ଦୁଇ ଚାରିଟା ବାଣୀ (Statement) ବ୍ୟତୀତ କାମ ଉପରେ ସାମ୍ୟବାଦର କି ନିଜତ୍ୱ ଫୁଟି ଉଠିଛି, ତାହା ଖୋଜି ବାହାର କରିବା କଠିନ । ଅବଶ୍ୟ ସାମ୍ୟବାଦୀମାନେ କୃଷକ ଆନ୍ଦୋଳନକୁ ଗତ ନିର୍ବାଚନ ଲଢ଼େଇରେ କଂଗ୍ରେସର ସଫଳତା ପାଇଁ ଗୋଟାଏ ବଡ଼ କାରଣ ବୋଲି ଦର୍ଶାଇଥାନ୍ତି, କିନ୍ତୁ କଂଗ୍ରେସ ପ୍ରାଦେଶିକ ସରକାରମାନଙ୍କରେ ସାମ୍ୟବାଦୀଙ୍କର ସଂଖ୍ୟା ଏତେ ଅଳ୍ପ ଯେ, ସେଥିରେ ତାଙ୍କୁ କୌଣସି ବିଶିଷ୍ଟତା ଦିଆଯାଇ ନ ପାରେ । ଆଉ ମଧ୍ୟ ଭାରତୀୟ ରାଜନୀତିରେ ଗାନ୍ଧୀଙ୍କର ଅଭ୍ୟୁଦୟ ଆଗରୁ ସାମ୍ୟବାଦୀମାନଙ୍କର କୌଣସି ଉଲ୍ଲେଖଯୋଗ୍ୟ ପରିଚୟ ମିଳେ ନାହିଁ ଏବଂ ବର୍ତ୍ତମାନ ଗାନ୍ଧୀବାଦର ସମାଲୋଚନା ହିଁ ସେମାନଙ୍କ କାର୍ଯ୍ୟ ନିର୍ଘଣ୍ଟରେ ଏକ ବିଶେଷ ସ୍ଥାନ ଅଧିକାର କରିଅଛି ।

 

ଅବଶ୍ୟ ସାମ୍ୟବାଦର ଛାତ୍ରରୂପେ ଭାରତୀୟ ରାଜନୀତି କ୍ଷେତ୍ରରେ କେତେ ଜଣଙ୍କ ନାମ ଉଲ୍ଲେଖ କରାଯାଇ ପାରେ । କିନ୍ତୁ ତାଙ୍କ ଭିତରୁ ଜଣେ କାହାରି ପରିଚୟ ମିଳେ ନାହିଁ, ଯାହାଙ୍କୁ ବାକୀ ସମସ୍ତେ ମାନି ଚଳିବେ କିମ୍ବା ଅନ୍ୟ କଥାରେ ବାକୀ ସମସ୍ତଙ୍କର ପରିଚୟ ମିଳେ ନାହଁ ଯାହାଙ୍କର ଜଣକ ନେତୃତ୍ୱ ମାନିବାର ଶିକ୍ଷା ହୋଇଅଛି ପୁଣି ଭାରତର ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ସାମ୍ୟବାଦର କି କି ସର୍ତ୍ତ ଅନୁସରଣ କରିବାକୁ, କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟ-ପନ୍ଥା ବା ପ୍ରଣାଳୀରେ ଦଳ-ପୁଷ୍ଟି କରବାକୁ ହେବ, ଫ୍ରାନ୍‌ସ ବା ରୁଷିଆରେ ଯାହା ହୋଇଅଛି ଭାରତରେ ତହିଁରୁ କି ପରିମାଣରେ ଫରକ ପଡ଼ିବ, ଇତ୍ୟାଦି ବିଷୟରେ କୌଣସି ପରିଷ୍କାର ଧାରଣା ଦେଖିବାକୁ ମିଳିବା ମୁଷ୍କିଲ । ଅର୍ଥାତ୍‌, ବର୍ତ୍ତମାନ ଭାରତର ସାମ୍ୟବାଦ ସମ୍ବନ୍ଧେ କଥା କହିବାକୁ ହେଲେ ନାହିଁ ଦିଗଟା ହିଁ ବେଶି ଆଖି ଆଗରେ ପଡ଼େ, ଅଛି-ଦିଗଟା ଅତି ଅଳ୍ପ । ଭାରତୀୟ ରାଜନୈତିକ ଚେତନା ୟୁରୋପୀୟ ଦେଶମାନଙ୍କ ତୁଳନାରେ ଯେପରି ପ୍ରାଚୀନ ପନ୍ଥାର ଅନୁବର୍ତ୍ତୀ ଏବଂ ନିମ୍ନ ସ୍ତରର ହୋଇ ରହିଚି, ସେ ଦୃଷ୍ଟିରେ ସାମ୍ୟବାଦର ଅବସ୍ଥା ଏହାଠାରୁ ଉନ୍ନତତର ହେବାର ଆଶା କରାଯାଇ ନ ପାରେ ।

Image

 

ମେଧା ଶକ୍ତି ମାପିବା ପାଇଁ

 

ନୂଆ ଥିଓରି :–

 

ପଲ ପଲ ଛାତ୍ର ସ୍କୁଲ୍‌କଲେଜକୁ କିମ୍ବା କିରାନି କର୍ମଚାରୀମାନେ କଚେରୀ କାରଖାନାକୁ ସବୁଦିନେ ଚାଲିବା ପରି ରାଜନୀତି ବା କ୍ରୀଡ଼ାକ୍ଷେତ୍ରରେ ସିନେମାହଲ ବା ଦରଜି ଦୋକାନରେ ଗୋଟେ ଗୋଟେ ସମୟର ହପ୍‌ପାରେ ମାତି ଗୋଟେ ଗୋଟେ ଦୃଶ୍ୟ ଦେଖିବାକୁ, କଥା ଶୁଣିବାକୁ ବା ଫେସନ ବନେଇବାକୁ ଶହ ଶହ ଲୋକଙ୍କୁ ଧାଇଁବାର ଦେଖାଯାଏ । ବିଜ୍ଞାନ କ୍ଷେତ୍ରରେ ବୁଦ୍ଧି ଓ ବିଚାର ସ୍ଥାନରେ ମଧ୍ୟ ତହିଁରୁ ଅଲଗା କିଛି ଦେଖାଯିବାର ଉଦାହରଣ ବେଶି ନୁହେଁ । ସବୁଠାରେ ସବୁକଥା ବୁଝି ସୁଝି ଲୋକେ ଯେ ବେଶି ସଂଖ୍ୟାରେ ଆଗ୍ରହ ପ୍ରକାଶ କରନ୍ତି, ତାହା ନୁହେଁ, ନ ବୁଝି ପାରିବାରୁ ହିଁ ଅନେକେ ଏରୂପ ଆଚରଣ କରିଥାନ୍ତି ।

 

ମନସ୍ତତ୍ତ୍ୱ ବିଶ୍ଲେଷଣର ଚିକିତ୍ସା ବିଧି ବାହାରିବା ସଙ୍ଗେ ସଙ୍ଗେ ହଜାର ହଜାର ନିଜ ମନର ରୁଗ୍‌ଣତା ବୁଝିପାରି ଚିକିତ୍ସା ପାଇଁ ସାଇକୋ-ଆନାଲିଷ୍ଟ ଡାକ୍ତରଙ୍କ ପାଖକୁ ଯେମିତି ଧାଇଁଲେ, ଖାଇବା ଜିନିଷରେ ଭିଟାମିନ୍‌ଅଭାବରୁ ରୋଗ ଜନ୍ମିବା ବୁଝିସାରି ଖାଇବାଥାଳୀକୁ ତନ୍ନ ତନ୍ନ କରି ଯେମିତି ଚାହିଁଲେ, କାର୍ଲମାର୍କସଙ୍କ ଡାସ୍‌ କ୍ୟାପିଟାରୁ ଅନେକ ନ ବୁଝିପାରି ଅନେକେ ସେମିତି ସାମ୍ୟବାଦୀ ହେଲେ ଏବଂ ଥିଓରି ଅଫ୍ ରିଲେଟିଭିଟିରୁ ମାତ୍ରାଟାଏ ବୁଝି ନ ପାରିବାରୁ ହିଁ ଆଇନ୍‌ଷ୍ଟିନ୍‌ଙ୍କୁ ସାବାସ୍‌କଲେ ।

 

ଏବେ ପୁଣି ଚିକିତ୍ସା ବ୍ୟାପାରରେ ଏକ ମୁଣ୍ଡକଟା ଚିକିତ୍ସାର ଉଦୟ ହୋଇଅଛି । ସେଥିରେ ଅବଶ୍ୟ ଯୁଦ୍ଧ-ଭୂଇଁରେ ପୃଥିବୀର ବହୁସଂଖ୍ୟକ ମୁଣ୍ଡଖରାପ ଲୋକଙ୍କର ସମୂଳେ ମୁଣ୍ଡ କାଟିବା ପରି ଚିକିତ୍ସା ହୁଏ ନାହିଁ । ଖାଲି ଏକ ଅସ୍ତ୍ର-ଚିକିତ୍ସା କରାଯାଇ ମୁଣ୍ଡ ଭିତରର ଟ୍ୟୁମର ବା ମାଂସ ବୃଦ୍ଧିକୁ କାଟି ସାଫ୍‌କରାହୁଏ । ଏ ଉପାୟ ଦ୍ୱାରା ଅତି ଆଶ୍ଚର୍ଯ୍ୟ ଆଶୁଫଳ ଫଳୁଥିବାର କୁଆଡ଼େ ଦେଖା ଯାଇଅଛି ।

 

ଏହିପରି ଜଣେ ଆମେରିକାବାସୀ ଦଲାଲ ବେଉସା କରି ଯହିଁରେ ହାତ ଦେଲେ କାହିଁରେ କିଛି ହେଲା ନାହିଁ ବୋଲି ଏକ ବିବରଣୀରୁ ଜଣାଯାଏ । ଶେଷରେ ଆଉ କାହାକୁ ଦୋଷୀ ନ କରି ଆପଣା ମୁଣ୍ଡକୁ ହିଁ ସନ୍ଦେହ କରିବାର ସୁବୁଦ୍ଧି ତାଙ୍କର ଆସିଲା । ତେଣୁ ମସ୍ତିଷ୍କ ଉପରେ ଅସ୍ତ୍ର ଚିକିତ୍ସା କରାଇ ସାରି ଖଣ୍ଡେ କାରବାରରେ ବିକ୍ରୀ-ଏଜେଣ୍ଟ କାମ କଲେ । ହପ୍ତାକ ଭିତରେ ଏହି କାରବାର ଲାଗି ସେ ହାସଲ କଲେ ଛ ଲକ୍ଷ ଟଙ୍କାର ଅର୍ଡର । କମ୍ପାନୀକୁ ଏଥିପାଇଁ ତୁରନ୍ତ ନିଜ ବ୍ୟବସାୟ ବଢ଼ାଇବାକୁ ପଡ଼ିଲା ଏବଂ ଏକ୍ଷଣି ସେ ଉକ୍ତ କାରବାରରେ ଖୋଦ ମାଲିକ ହୋଇ କୋଟିପତି । ଖାଲି ଅର୍ଥର ଉନ୍ନତି ନୁହେଁ, ପ୍ରକୃତରେ ମଧ୍ୟ ସେ ଶହ ଗୁଶେ ଶାନ୍ତ ଶିଷ୍ଟ ହୋଇ ପଡ଼ିଥିବାର ତାଙ୍କ ସ୍ତ୍ରୀ ପର୍ଯ୍ୟନ୍ତ କୁଆଡ଼େ ସାର୍ଟିଫିକେଟ୍‌ଦେଇ ସାରିଲେଣି । ଭାରତବର୍ଷର ଅକର୍ମ ସମସ୍ୟା ସମଧାନ ପାଇଁ ଏ ଧରଣ ଚିକିତ୍ସାର ଯେ ଢେର ଆବଶ୍ୟକ ଏବଂ ସେଥି ସଙ୍ଗେ ସଙ୍ଗେ ଏ ଦେଶ ଡାକ୍ତରମାନଙ୍କ ଆୟ ମଧ୍ୟ ଯେ ବହୁତ ବଢ଼ି ଯାନ୍ତା, ସହଜେ ତାହା ଅନୁମାନ କରା ଯାଇପାରେ ।

 

କିନ୍ତୁ ଏହି ଅସ୍ତ୍ରୀଚିକିତ୍ସା ଦ୍ୱାରା ମୁଣ୍ଡ ଭିତର ଟ୍ୟମୁର ଓ ପଇସା ଅର୍ଜନର ନିଶ୍ଚିନ୍ତ ଉପାୟମାନ ବାହାରିବା ସଙ୍ଗେ ସଙ୍ଗେ ଏକ ବିଚିତ୍ର ଥିଓରି ମଧ୍ୟ ଆବିଷ୍କୃତ ହେଲାଣି । ସେହି ଚିକିତ୍ସା ଦ୍ୱାରା ଧନ ଆୟ ଯେମିତି ହୁ ହୁ ବଢ଼ି ଯାଉଚି ଏଣେ କୁଆଡ଼େ ମେଧାଶକ୍ତି(Intellect) ସେହି ଅନୁପାତରେ ତଳ ଆଡ଼କୁ ଖସୁଚି । ସେମିତି ଚିକିତ୍ସା ନ କରାଇ ପୃଥିବୀରେ ଯେଉଁମାନେ ଦଖଲ-ସୁତ୍ରେ ଅବା ସ୍ୱଉପାର୍ଜିତ ବହୁଧନର ମାଲିକ ହେଇଚନ୍ତି, ସେମାନଙ୍କ ଭିତରୁ ପନ୍ଦରପଣଙ୍କ ମେଧାଶକ୍ତି ଆଡ଼କୁ ଚାହିଁଲେ ଉକ୍ତ ଥିଓରିଟା ନିପଟ ସନ୍ଦେହଜନକ ବା ଅସମ୍ଭବ ବୋଲି ଉଡ଼ାଇ ଦେଇ ହୁଏ ନାହିଁ ।

 

ପାଣି ଏବଂ ପଦ୍ମ ଉଦାହରଣ ପରି ଅର୍ଥପ୍ରଚୁର୍ଯ୍ୟ ଦ୍ୱାରା ମେଧାଶକ୍ତି ବିଲୋପ ହେବାର ଯେତେ ଆଶଙ୍କା ଥିଲେ ହେଁ ଏକାବେଳେ ଅର୍ଥ ଶୂନ୍ୟ ହୋଇ ଜ୍ଞାନ-ସାଧନା କରିବା ଆଉ କେଉଁ ଯୁଗରେ ଅବା ସମ୍ଭବ ଥିଲା, ଏ ଯୁଗରେ କିନ୍ତୁ ନୁହେଁ । ଆଉ କେଉଁ ଯୁଗରେ ଅବା ଜନ-ପଦରୁ ଦୂରରେ ରହି ଲୋକେ ରାଜାଙ୍କ କାନରେ ରାଜନୀତି ମନ୍ତ୍ର ଫୁଙ୍କି ରାଜ୍ୟଚାଳନାର ବ୍ୟବସ୍ଥାପକ ହେଉଥିଲେ, ଆଜିର ଅବସ୍ଥା ସେତେବେଳଠାରୁ ଅନେକ ଫରକ ପଡ଼ିଚି । ତଥାପି ଆଜି କେତେ ପରିମାଣ ଅର୍ଥ ପାଇବାଯାକେ ମଣିଷର ଜ୍ଞାନର ରେଖା ଉପରକୁ ଉଠିବ ଏବଂ କେଉଁ ସୀମାକୁ ଟପିଲେ ତଳକୁ ଖସିବାର ଆଶଙ୍କା, ସେ ସମ୍ବନ୍ଧେ ମତେ ଭେଦ ଅଛି । ଦେଶ କାଳ ଓ ଅବସ୍ଥା ଦୃଷ୍ଟିରୁ ମଧ୍ୟ ଏହି ସୀମା ଊଣା ଅଧିକ ହୋଇପାରେ ।

 

ପାଞ୍ଚଶହ :–

 

ଭାରତ ଜାତୀୟ କଂଗ୍ରେସ ଏହି ସୀମାକୁ ମାସିକ ୫୦୦ଟଙ୍କା ଭିତରେ ଥୋଇଚନ୍ତି । ଅର୍ଥାତ୍‌ ଭାରତବର୍ଷର କର୍ମଚାରୀ ଦରମା ସ୍ଥିର କରିବା ଭାର କଂଗ୍ରେସ ହାତକୁ ଆସିଲେ ଉପରୁ ତଳଯାଏ କାହାରିକୁ ୫୦୦ ଟଙ୍କାରୁ ବେଶି ବେତନ ଦିଆଯିବ ନାହିଁ । ଆଶା କରାଯାଏ, ଏ ଦେଶର ସର୍ବବୃହତ ରାଜନୈତିକ ଅନୁଷ୍ଠାନ ଦେଶକାଳ ଅବସ୍ଥା ଆଡ଼ୁ ସବୁପାଖ ବିଚାରି ଉକ୍ତ ସୀମାକୁ ସାର ଧରିଥିବେ । ପୃଥିବୀର ଆଉ ସବୁ ଦେଶମାନଙ୍କ ଭିତରେ ଭାରତର ଆର୍ଥିକ ସ୍ଥାନ କେଉଁଠି, ଆଉ ସବୁ ଦେଶମାନଙ୍କରେ ସର୍ବସାଧାରଣଙ୍କ ଆୟ ଅନୁପାତରେ ସରକାର କର୍ମଚାରୀଙ୍କ ପାଉଣା ହାର କେତେ ଏବଂ ସେହି ଦୃଷ୍ଟିରୁ ଏଠାରେ କଣ ହେବା ଉଚିତ, ଆଉ ସବୁ ଦେଶରେ ସରକାରରେ ସବା ଉପରବାଲାଙ୍କ ଖାନା ପିନାର ଖର୍ଚ୍ଚ କେତେ ଏବଂ ଏଠାରେ କେତେ ନ ହେଲେ ନ ଚଳେ, ଆଉ ସବୁ ଦେଶ ତୁଳନାରେ ଏ ଦେଶର ଓକୀଲ ଡାକ୍ତର, ଧୋବା, ଭଣ୍ଡାରୀ, ଦରଜି ବ୍ୟବସାୟୀଙ୍କ ପାଉଣା କ’ଣ ଏବଂ କେତେରୁ ଅଧିକ ପରିମାଣ ବେତନ ହେଲେ ମନ୍ତ୍ରୀମାନଙ୍କ ମେଧାଶକ୍ତି ମାନ୍ଦା ପଡ଼ିବାର ପଦେ ପଦେ ଭୟ ରହିଛି, ଇତ୍ୟାଦି ବିଷୟ ନିଶ୍ଚୟ ତନ୍ନ ତନ୍ନ ତୁଳନା କରି ବିଚାରିଥିବାର ଆଶା କରାଯାଏ ।

 

* ଏହି ପ୍ରବନ୍ଧ ଦଶବର୍ଷ ପୂର୍ବେ ୧୯୪୪ ସାଲରେ ଲିଖିତ ହୋଇଥିଲା । ସେତେବେଳେ କଂଗ୍ରେସ ମନ୍ତ୍ରୀମାନଙ୍କ ବେତନ ମାସିକ ପାଞ୍ଚଶତ ଟଙ୍କା ଧାର୍ଯ୍ୟ କରିଥିଲେ ।

 

ଅବଶ୍ୟ ଏତକ ବେତନ ବାଦ୍‌ ମନ୍ତ୍ରୀମାନେ ଅଢ଼େଇଶ ଟଙ୍କା ପର୍ଯ୍ୟନ୍ତ ଘରଭଡ଼ା ଓ ମଟର ଖର୍ଚ୍ଚା ରୂପେ ଭତ୍ତା ନେଇ ପାରନ୍ତି ବୋଲି ଅନୁମତି ପାଇଛନ୍ତି । କିପରି ପ୍ରାସାଦରେ ରହିବେ ଅବେ ସେ ବାବତକୁ କେତେ ଭଡ଼ା ପାଇବେ, ବେତନରୁ ହିଁ ନିଜ ପାଇଁ ଯାନ ବାହାନ କିଣିବେ କି ସରକାର ଖର୍ଚ୍ଚରେ ଖଣ୍ଡେ ଲେଖାଏଁ ମଟର ଗାଡ଼ି ପାଇବେ ଏଂବ ଏ ସମସ୍ତ ଆୟୋଜନ ଗାଏ ମୋଟ ୫୦୦ର କେତେ ଗୁଣ ଯାଏ ଯାଇ ପାରିବ କିମ୍ବା ଧନୀ ଗରିବ ପ୍ରଦେଶ ପାଇଁ ଏ ଆୟୋଜନରେ କିଛି ଫରକ ରହିବ କି ନା, ଆଉରି ମଧ୍ୟ ବାଚସ୍ପତି (Speaker) ମାନଙ୍କ ପାଇଁ କେତେ ମୁଦ୍ରାରେ ବ୍ୟୟରେ ପରିଷଦର ଆସନ ତିଆରି ହେବ(ଗୋଟିଏ କଂଗ୍ରେସୀ ପ୍ରଦେଶରେ ଖବର ମିଳେ, ଏ ବାବଦରେ ଏକହଜାର ଖର୍ଚ୍ଚ କରା ଯାଇଅଛି) ଏବଂ ଦରମା ଛାଡ଼ି ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ହେବ କି ନା, ପୁଣି ପରିଷଦର ପ୍ରତି ସଭ୍ୟ କେତେ ଲେଖାଁ ପାଇବେ, ଏ ସବୁ ବିଷୟରେ କଂଗ୍ରେସ ପଦ ପଦ କରି ହିସାବ ତାଲିକା ତିଆରି କରିବା ଦିଗରେ ମୁଣ୍ଡ ଖଟାଇଛନ୍ତି । ତାହା ବୋଲି ଛ’ଟି ଯାକ ପ୍ରଦେଶର ପ୍ରତ୍ୟେକ ମନ୍ତ୍ରୀ ୫୦୦ରୁ କମ ନେଇଥିଲେ କଂଗ୍ରେସର ନିଷ୍ପତ୍ତିକୁ ଅମାନ୍ୟ କରନ୍ତେ ବା ତଦ୍ୱାରା କଂଗ୍ରେସ ନୀତିର ମାନହାନି ହୁଅନ୍ତା ବୋଲି ତାହା କରି ନାହାନ୍ତି; କିମ୍ବା କଂଗ୍ରେସ ଯଦି ବେତନର ସୀମା ୫୦୦ ସ୍ଥାନରେ ୧୦୦୦ ଧରିଥାନ୍ତେ; ଜଣେ ହେଲେ ମନ୍ତ୍ରୀ ତହିଁରୁ ଏକ ଛ’ଦାମ କମ ନିଅନ୍ତେ ନାହିଁ; ଅଥବା କଂଗ୍ରେସ ଆନ୍ଦୋଳନରେ ଘରଦ୍ୱାର ଟଙ୍କା ପଇସା ଜମିବାଡ଼ିର ମମତା ଛାଡ଼ି ଏବଂ କାୟିକ ଆର୍ଥିକ ଓ ମାନସିକ ଦୁଃଖ ଯାତନା ବରଣ କରି ଭାରତବର୍ଷ ଆଗରେ ଦିନେ ଯେଉଁ ତ୍ୟାଗର ଆଦର୍ଶ ସେମାନେ ଧରିଥିଲେ, ଆଜି ଶାସନ କ୍ଷମତା ପାଇ ମଧ୍ୟ ସେହି ଭାବରେ ଅନୁପ୍ରାଣିତ ହୋଇ ଏ ଦେଶର ୩୩ କୋଟି ଲୋକଙ୍କୁ ପ୍ରତ୍ୟେକ ୫୦୦ ପାଇବା ଉଚିତ ବୋଲି ଅନ୍ୟ ଦିଗରୁ ଏକ ଆଦର୍ଶ ଦେଖାଇଅଛନ୍ତି; ଅବା ସରକାରୀ କ୍ଷମତା ପାଇଲେ ଏ ଦେଶରେ କାହାରି ତ୍ୟାଗର ସୀମା ୫୦୦ ତଳକୁ ଆସି ନ ପାରେ ବୋଲି ଜଣାଇ ଦେଇଛନ୍ତି-ଇତ୍ୟାଦି କଳ୍ପନା ଠିକ ନୁହେଁ ।

 

କାରଣ, ଏ ସମ୍ବନ୍ଧେ କଂଗ୍ରେସ ପୂର୍ଣ୍ଣ ନିର୍ବିକଳ୍ପ ଭାବ ନେଇ ନାହିଁ । ସେ କଥା, ବର୍ତ୍ତମାନ ପ୍ରସଙ୍ଗଟି ଲେଖୁ ଲେଖୁ ‘‘ନ୍ୟୁ ଓଡ଼ିଶା ପତ୍ରିକାରେ’’ ‘‘ହରିଜନ’’ରୁ ଉଦ୍ଧୃତ ଏକ ବିବୃତି ଦେଖି ବୁଝାପଡ଼ିଲା । ବିବୃତିଟି ଦେଇଛନ୍ତି ଗାନ୍ଧୀଜୀ ଏବଂ କଂଗ୍ରେସ ଅନୁଷ୍ଠାନରେ ଚାରଣିଆ ସଭ୍ୟ ନ ହୋଇ ମଧ୍ୟ କେତେ ଆଣିଆ ପ୍ରଭାବ ତାଙ୍କର ରହିଛି, କଂଗ୍ରେସ ବେ-କଂଗ୍ରେସ ସମସ୍ତେ ତାହା ଅନୁଭବ କରୁଚନ୍ତି । ଉକ୍ତ ବିବୃତରେ ପ୍ରାଦେଶିକ ମନ୍ତ୍ରିମାନଙ୍କର, ବାଚସ୍ପତି ଓ ବ୍ୟବସ୍ଥା ସଭା ସଭ୍ୟମାନଙ୍କର ବେତନ ବାସଗୃହ ବାହନ ଆଦି ବିଷୟରେ ସେ ଆଲୋଚନା କରଚନ୍ତି ଏବଂ ଭାରତ ପରି ଦରିଦ୍ର, ଦେଶରେ ଲୋକ ପିଛା ହାରାହାରି ଆୟ ଅନୁପାତରେ ଏ ସବୁ ଦିଗରେ ଯେ ଖର୍ଚ୍ଚର ସୂଚନା ଅତ୍ୟଧିକ ହୋଇ ଉଠୁଚି, ଏହି କଥା ଚେତାଇ ଦେଇଚନ୍ତି । ତାହା ଭିତରେ ଓଡ଼ିଶାର ଅଦ୍ୱିତୀୟ ଦାରିଦ୍ର୍ୟକୁ ଉଦାହରଣ ଧରି ଏ ପ୍ରଦେଶର ବାଚସ୍ପତିଙ୍କ ବେତନକୁ ମଧ୍ୟ ସମାଲୋଚନା କରିବାକୁ ଛାଡ଼ି ନାହାନ୍ତି ।

 

ଗାନ୍ଧୀ-ଟୋପି :–

 

ଓଡ଼ିଶା ଯେ ଦାରିଦ୍ର୍ୟର ଅବତାର ଏବଂ କ୍ୱେଟା ତାହାର ଭୂମିକମ୍ପ ପାଇଁ କିମ୍ବା ଆବିସିନିଆ ତାହାର ପରାଜୟ ପାଇଁ ଯେମିତି ସମ୍ବାଦ ଖ୍ୟାତି ଅର୍ଜନ କରିଚି, ଓଡ଼ିଆ ସେମିତି ଏ ଯୁଗରେ ତାର ବନ୍ୟା ଦୁର୍ଭିକ୍ଷ ଛଡ଼ା ଖ୍ୟାତି ପାଇଁ ଯେ ଅନ୍ୟ କିଛି ଘଟଣାଶୂନ୍ୟ ଏ କଥା ଉପରେ ବିବାଦ ହେବାର ଆଶଙ୍କା ନାହିଁ । ଓଡ଼ିଶା ଲୋକଙ୍କ ପାଇଁ ଯୁଦ୍ଧ ବା କଳ କାରଖାନାରେ ପୋଡ଼ି ମରିବା କିମ୍ବା ମଟର ତଳେ ବା ପାହାଡ଼ ଓ ବ୍ୟୋମଯାନ ଉପରୁ ପଡ଼ି ମରିବାର ବାଟ ଏମିତି ବନ୍ଦ ଯେ, ସେମାନେ ନଈବଢ଼ିରେ ବୁଡ଼ି ମରିବେ ନାହିଁ ତ ଆଉ ତେବେ ମରିବେ କାହିଁରେ ! ଯାହାହେଉ, ସେଥିପାଇଁ ହୁଏ ତ ଏ ପ୍ରଦେଶର ଲାଟ ମନ୍ତ୍ରୀ ପ୍ରଭୃତିଙ୍କ ବେତନ ବମ୍ବେ, ମାନ୍ଦ୍ରାଜ, ଯୁକ୍ତ ବା ମଧ୍ୟ ପ୍ରଦେଶର ଉକ୍ତ କର୍ମଚାରୀଙ୍କ ବେତନଠାରୁ କମ ହେବା ଉଚିତ । ମଧ୍ୟପ୍ରଦେଶ ମନ୍ତ୍ରୀମାନେ ମଣ୍ଟଫୋର୍ଡ଼ ସମୟରୁ ଯେଉଁ ପରି ଗୋଟିଏ ଗୋଟିଏ ସରକାରୀ ହର୍ମ୍ୟକୁ ନିତ୍ୟ ବାସ-ଭବନ ରୂପେ ବ୍ୟବହାର କରୁଚନ୍ତି, ଏଠାରେ ମନ୍ତ୍ରୀଙ୍କ ପକ୍ଷେ ତାହା ହୁଏ ତ ନାହିଁ; ମାନ୍ଦ୍ରାଜ ମନ୍ତ୍ରୀ ପରିଷଦ ଯେତେ ପରିମାଣ ଭତ୍ତା ନେଉଚନ୍ତି କିମ୍ବା ଯୁକ୍ତପ୍ରଦେଶ ବ୍ୟବସ୍ଥା ସଭ୍ୟମାନେ ଯେପରି ହୋଟେଲରେ ରହୁଚନ୍ତି, ଏ ପ୍ରଦେଶର ଅବସ୍ଥା ସଙ୍ଗେ ତାହା ହୁଏ ତ ମିଶିବ ନାହିଁ । କିନ୍ତୁ ତାହାର ସର୍ବଶ୍ରେଷ୍ଠ ବିଜ୍ଞାପନ ବନ୍ୟା ଦୁର୍ଭିକ୍ଷଠାରୁ ଘୋରତର ବିପଦ ଏବଂ ସେଥି ସଙ୍ଗେ ତାହାର ଜନ ସଂଖ୍ୟା ବୃଦ୍ଧିଠାରୁ ବିପୁଳତର ଲଜ୍ଜା ଏହି ଯେ ଓଡ଼ିଶା ଖାଲି ଧନରେ ଦରିଦ୍ର ନୁହେଁ; ମନରେ ମଧ୍ୟ ।

 

ଏ ଦୁଇଟିଯାକ ବସ୍ତୁର ଅଭାବ ଯାହାର, ସାଧାରଣତଃ ସେ ଯେରୂପ ବ୍ୟବହାର ପାଇଥାଏ ଓଡ଼ିଶା ସେଥିରୁ ବେଶି ଆଶା କରିବାର ଯୁକ୍ତି ନାହିଁ । ସେହି କାରଣରୁ ମଧ୍ୟ ଭାରତ ଜାତୀୟ କଂଗ୍ରେସ ଯଦି ଏହା ଉପରେ ସଦା ସତର୍କ ପ୍ରହରୀର ନଜର ରଖେ, ଭାରତ ସରକାର ଏ ପ୍ରଦେଶକୁ ବିହାରରୁ ଅଲଗା ହେବା ଯୋଗ୍ୟ ମଣି ଏହା ପାଇଁ ଏକାବେଳେ ଫରକ ବ୍ୟବସ୍ଥା ଓ ନିଆରା ଲାଟ ନିଯୁକ୍ତ କଲେ ହେଁ କଂଗ୍ରେସ ବିଚାରରେ ଯଦି ଏହା ସେଥିପାଇଁ ଅଯୋଗ୍ୟ ହୁଏ ଏବଂ ବିହାର ସଙ୍ଗେ ଯୋଡ଼ାଯାଇ ଉକ୍ତ ପ୍ରଦେଶର ଜଣେ ଅଧ୍ୟକ୍ଷଙ୍କ ଅଧୀନରେ ରହେ, ଆଉ ମଧ୍ୟ ଅନ୍ୟାନ୍ୟ ପ୍ରଦେଶରେ ଯେତେ ଯାହାହେଉ ପଛେ ଏଠାରେ କେହି ନିଜର ବା ସାଧାରଣର ହିତ ଉଦ୍ଦେଶ୍ୟରେ ବାହାର କିଛି ଭିକ୍ଷାକଲେ, କେହି ବା କଂଗ୍ରେସ ଆନ୍ଦୋଳନରେ ନିଜର ଅତୀତ ଓ ଭବିଷ୍ୟତ ତ୍ୟାଗ କରିଥିବାରୁ ସାଧାରଣ ପାଣ୍ଠିକୁ ଅତି ଅଳ୍ପକ୍ଷଣ ପାଇଁ ଆପଣାର ବୋଲି ବିଚାର ବା ବ୍ୟବହାର କଲେ, ଆଉ ବା କିଏ କଂଗ୍ରେସ ସଭାପତିଙ୍କୁ ନ ପଚାରି ଲାଟଙ୍କ ସଙ୍ଗେ ଦେଖା କଲେ କିମ୍ବା ସରକାରରୁ ବେତନ ବାବତ ୪୦୦ ଅପେକ୍ଷା ବେଶି ନେବା ତାଙ୍କର ଦରକାର ନାହିଁ ବୋଲି ପ୍ରକାଶ କଲେ-ଏ ସବୁର ପ୍ରତ୍ୟେକଟି ବିଷୟ ଯଦି ଗୁରୁତର ଅପରାଧ ରୂପେ ଆପତ୍ତି ଉଠେ, ତାହାହେଲେ ଆଶ୍ଚର୍ଯ୍ୟ ହେବାକୁ ଅଛି କଣ ! ଉକ୍ତ-ରୂପ ବ୍ୟବହାର ପାଇବାଲାଗି ଓଡ଼ିଶା କଣ ସବୁ ଭାବରେ ଏକମାତ୍ର ଦାୟୀ ନୁହେଁ କି ? ଏ ଘଟଣାମାନଙ୍କରେ ଓଡ଼ିଶାର ପେଟ ଭୋକ ସଙ୍ଗେ ସଙ୍ଗେ ମୁଣ୍ଡର ଦୁର୍ଭିକ୍ଷ ମଧ୍ୟ ପ୍ରକଟିତ ହୋଇ ନାହିଁ କି ? ଗଲା ନିର୍ବାଚନରେ ଏ ପ୍ରଦେଶରେ କଂଗ୍ରେସର ଯେଉଁ ଦର୍ଶନୀୟ ବିଜୟ ସମ୍ଭବ ହେଲା କାମ୍ବା ଏହାର ନୂଆ ସରକାରରେ କଂଗ୍ରେସର ଯେଉଁ ପ୍ରତିପତ୍ତି ବଢ଼ିଲା, ତାହା ଏଠା ଲୋକଙ୍କର କାରସାଦି ବୋଲି କେହି ଅବା ନିଜର ଦେଇ ପାରନ୍ତି । କିନ୍ତୁ ଉପର ବର୍ଣ୍ଣିତ ଘଟଣାଗୁଡ଼ିକ ସାହାଯ୍ୟରେ ଏ ପ୍ରଦେଶର ମସ୍ତିଷ୍କ ବିଶ୍ଲେଷଣ କରିବା ସମ୍ଭବ ହେଲେ, ଓଡ଼ିଶା ମୁଣ୍ଡରେ କେବଳ ଗାନ୍ଧୀ-ଟୋପିଟି ଛଡ଼ା ଆଉ କଣ ଅଛି ବୋଲି କୁହା ଯିବ-?

 

ଅବଶ୍ୟ ଅପେକ୍ଷାକୃତ ଅଳ୍ପ ପରିମାଣରେ ହେଲେ ହେଁ, ଶେଷୋକ୍ତ ପ୍ରଶ୍ନ ଆର ପାଞ୍ଚଟି କଂଗ୍ରେସ ପ୍ରଦେଶ ସମ୍ବନ୍ଧେ ମଧ୍ୟ, କରାଯାଇ ପାରେ । ଆର ପାଞ୍ଚଟି କଂଗ୍ରେସ-ପ୍ରଦେଶରେ ମଧ୍ୟ ଗଲା ନିର୍ବାଚନର ବିଜୟ ଓ କଂଗ୍ରେସର ରାଜସଂସ୍କରଣ ହେବା ଦ୍ୱାରା ଏହି ଅଳ୍ପ କେତେଟା ଦିନରେ ଆଖିରେ ପଡ଼ିବା ଭଳି ଦୃଶ୍ୟ ଭିତରେ, ଭବିଷ୍ୟତରେ ଯାହା ଥାଉ ପଛେ ବର୍ତ୍ତମାନ ଖାଲି ଟୋପିଟି ବଦଳ ହୋଇଛି- ଶୋଲଟୋପି ସ୍ଥାନରେ ଗାନ୍ଧୀ-ଟୋପି । ଯେଉଁ ପାଞ୍ଚଟି ପ୍ରଦେଶକୁ କଂଗ୍ରେସ ପୂର୍ଣ୍ଣରୂପେ ଦଖଲ କରିପାରି ନାହିଁ, ସେଠି ଅଧିକାଂଶ କି ଟୋପି, ତାହାର ଦୃଶ୍ୟ ମଧ୍ୟ ଅଗୋଚର ନୁହେଁ । କିନ୍ତୁ ସବୁ ପ୍ରଦେଶରେ ଏହି ଟୋପି-ମାନଙ୍କ ତଳେ ୩,୦୦୦ ବା ୨,୫୦୦ ପ୍ରଭୃତି ସଂଖ୍ୟା ବାଦ ଆଉ କେତେ ଫାଙ୍କା ସ୍ଥାନ ଅଛି ଏବଂ ସେଥିଭିତରେ ମେଧାଶକ୍ତିର ପରିମାଣ କେତେ, ତାହାକୁ ଠିକ୍‌ ରୂପେ ଠଉରେଇବାର ବେଳ ଆସିନାହିଁ ।

 

ସ୍ୱାଧୀନ ଦେଶରେ :–

 

୫୦୦ କିମ୍ବା ତାହାର ପାଞ୍ଚ ଛ’ଗୁଣ ବେତନ ପାଇବା ଯାକେ ଭାରତବର୍ଷର ମନ୍ତ୍ରୀମାନଙ୍କ ମୁଣ୍ଡ ଠକ୍‌ ରହିବ, ଅତବା ତହିଁରୁ କମିଲେ କି ବଢ଼ିଲେ ତାହା ବୈଠକ ହୋଇପାରେ । କଂଗ୍ରେସ ବେ-କଂଗ୍ରେସ ପ୍ରଦେଶଗୁଡ଼ିକର ନୀତି ଓ କାର୍ଯ୍ୟ ପନ୍ଥାକୁ, ପାଖାପାଖି ରଖି ସେ ସବୁର ପରିଚାଳନାର ତୁଳନାମୂଳକ ଆଲୋଚନା କଲେ ତାହା ସହଜେ ବୁଝି ହେବ । ସେରୂପ ତୁଳନା କରିବାକୁ ପ୍ରଦେଶଗୁଡ଼ିକର ଶାସନ ପରିଚାଳନା ସମ୍ବନ୍ଧେ ଯଥେଷ୍ଟ ଉପାଦାନ ଏତେ ଶୀଘ୍ର ମିଳି ନାହିଁ । କିନ୍ତୁ ବିଭିନ୍ନ ପ୍ରଦେଶର ମନ୍ତ୍ରୀଙ୍କ ବେତନର ବିରାଟ ତାରତମ୍ୟ ଦ୍ୱାରା ସେମାନଙ୍କ ମେଧାଶକ୍ତି ସଙ୍ଗେ ବିଭିନ୍ନ ପ୍ରଦେଶ ଭୋଟ ଦାତାଙ୍କ ମୁଣ୍ଡ ଭିତରେ ମଧ୍ୟ ଯେଉଁ ପାର୍ଥକ୍ୟର ପରିଚୟ ମିଳେ, ପୃଥିବୀର ସ୍ୱାଧୀନ ଦେଶର ଭୋଟଦାତାମାନେ ତାଙ୍କ ମନ୍ତ୍ରୀ ବା ରାଷ୍ଟ୍ରପତିମାନଙ୍କୁ କି ପରିମାଣରେ ବେତନ ଯୋଗାନ୍ତି ଏବଂ ସେ ଦେଶମାନଙ୍କରେ ମଧ୍ୟ ଏହି ପାର୍ଥକ୍ୟ କେତେଦୂର, ତାହାର ଉଦାହରଣ ଏଠାରେ କୌତୁକପ୍ରଦ ହେବ ।

 

ଏ ସମ୍ବନ୍ଧେ ଲକ୍ଷ୍ୟ କରିବାର ବିଷୟ ଏହି କି ଯେଉଁମାନେ ସୁତିଷ୍ଠିତ ଗଣତନ୍ତ୍ର ଶାସନରେ ପରିଚାଳକ (Democrats) ସେମାନଙ୍କ ଅପେକ୍ଷା ଡିକ୍ଟେଟରମାନେ ଅନେକ ଶସ୍ତା ଦାମରେ ମିଳନ୍ତି । ଆମେରିକା ଯୁକ୍ତରାଜ୍ୟରେ ପ୍ରେସିଡ଼େଣ୍ଟ୍‌ ରୁଜ୍‌ଭେଲ୍‌ଟ ମାସକୁ ଯାହା ନିଅନ୍ତି ଭାରତୀୟ ମୁଦ୍ରାରେ ତାହାର ମୂଲ୍ୟ ପ୍ରାୟ ୧୮୭୫୦ ଟଙ୍କା ଏବଂ ପୃଥିବୀର କୌଣସି ସ୍ୱାଧୀନ ରାଜ୍ୟର ଚାଳକ ତାଙ୍କଠାରୁ ଅଧିକା ପାଆନ୍ତି ନାହିଁ । ପ୍ରଧାନ ମନ୍ତ୍ରୀ ଚେମ୍ବରଲେନ୍‌ ଠିକ୍‌ ତାଙ୍କର ତିନି ଭାଗରୁ ଭାଗେ- ଅର୍ଥାତ୍‌ମାସକୁ ପ୍ରାୟ ୬,୨୫୦ ଟଙ୍କା ମାତ୍ର । କିନ୍ତୁ ଏମାନଙ୍କ ଭିତରେ ସବୁଠୁଁ କମ୍‌ନିଅନ୍ତି ଫ୍ରାନ୍‌ସର ପ୍ରଧାନ ମନ୍ତ୍ରୀ, ମାସକୁ ମୋଟେ ୧,୫୯୦ ଟଙ୍କା । ତାଙ୍କ ପାଉଣାଟି ହପ୍ତାକୁ ହପ୍ତା ଦିଆଯାଏ, କାରଣ ତାଙ୍କ କାର୍ଯ୍ୟକାଳକୁ ମାସ ବା ବର୍ଷ ଦ୍ୱାରା ସେ ଗଣନ୍ତି ନାହିଁ ।

 

ଡିକ୍ଟେଟରମାନଙ୍କ ମଧ୍ୟରୁ ସବୁଠାରୁ କମ ପାନ୍ତି ରଷିଆର ଷ୍ଟାଲିନ୍‌ ଏବଂ କିଛି ନ ପାନ୍ତି ଜର୍ମାନୀର ହିଟ୍‌ଲର । ଭାରତୀୟ ମୁଦ୍ରାରେ ହିସାବ କଲେ ବିଶାଳ ରଷିଆ ଦେଶ ଷ୍ଟାଲିନ୍‌ଙ୍କୁ ଦିଏ ମାସକୁ ମାତ୍ର ୭୫୦ ଟଙ୍କା ଏବଂ ହିଟଲର ଚଳନ୍ତି ପ୍ରକାଶକ ଓ ଲେଖକ ହୋଇ ନିଜର ସ୍ୱାଧୀନ ଆୟୁରୁ । ‘‘ମେନ୍‌କ୍ୟାମ୍ପ୍‌’’ ବା ‘‘ମୋହର ଆନ୍ଦୋଳନ’’ ନାମକ ତାଙ୍କର ଖଣ୍ଡିଏ ବୋଲି ବହି ନାଜି ଜର୍ମାନୀର ସରକାରୀ ବାଇବେଲ ରୂପେ ବିକ୍ରୀ ହୋଇଛି ୨୫ ଲକ୍ଷ । ଇତାଲି ସମ୍ରାଜ୍ୟ ମୁସୋଲିନଙ୍କୁ ଦିଏ ମାସକୁ ପ୍ରାୟ ୧୩୦୦ ଟଙ୍କା, ଅଷ୍ଟ୍ରିୟା ଦିଏ ମୁଶ୍‌ନିଗଙ୍କ ପ୍ରାୟ ୧,୪୦୦ । କିନ୍ତୁ ଏମାନଙ୍କ ଭିତରେ ସବୁଠୁଁ ବେଶି ନିଅନ୍ତି ପୋଲାଣ୍ଡ ଡ଼ିକ୍ଟେଟର ସ୍ମିଗ୍‌ଲିରିଜ୍‌-ମାସକୁ ୨,୮୫୦ ଟଙ୍କା, ଭାରତର କେତେକ ପ୍ରାଦେଶିକ ପ୍ରଧାନ ମନ୍ତ୍ରୀଙ୍କ ବେତନ ସଙ୍ଗେ ତାଙ୍କର ପ୍ରାୟ ସମାନ । ତୁର୍କୀର କେମାଲ ପାଶା କଣ ପାନ୍ତି ତାହାର ହିସାବ ନାହିଁ । ଯାହା ଖାନ୍ତି ତାହା ଯେ କୌଣସି ଅମୀରର ଗର୍ବ ହୋଇପାରେ ଏବଂ ତାଙ୍କର ଖାନାର ଚାଖୁଣିଆ ପାଏ ମାସକୁ ପ୍ରାୟ ୩,୭୫୦ ଟଙ୍କା, କିନ୍ତୁ ନିଜର କୋଟି କୋଟି ଟଙ୍କାର ସମସ୍ତ ସମ୍ପତ୍ତି ସେ ତୁର୍କୀର ନ୍ୟାସ୍‌ନାଲ ଆସେମ୍ଳିକୁ ଉତ୍ସର୍ଗ କରି ଦେଇ ଅଛନ୍ତି ।

 

ଏ ସବୁ ଅବଶ୍ୟ ପୃଥିବୀର ଶିଳ୍ପ ବାଣିଜ୍ୟର କେନ୍ଦ୍ରସ୍ଥଳୀ ସ୍ୱାଧୀନ ଏବଂ ଉନ୍ନତ ଦେଶ କିମ୍ୱା ଏକ ନମ୍ୱର ଶକ୍ତିମାନଙ୍କର କଥା । ପୁଣି ସେଠା ଶାସନ ଚାଳକମାନଙ୍କ ପାଉଣା ସହିତ ଉକ୍ତ ରାଜ୍ୟମାନଙ୍କର ଲୋକ ପିଛା ହାରାହାରି ଆୟର ଅନୁପାତ ମଧ୍ୟ ବିଚାରିବାର ଅଛି । ଏହି ସବୁ ସୁବୃହତ୍‌ରାଜ୍ୟ ପରିଚାଳକମାନଙ୍କ ସଙ୍ଗେ ଭାରତର ଛୋଟ ଛୋଟ ପ୍ରଦେଶର ଲାଟମାନଙ୍କ ପଛକୁ ମନ୍ତ୍ରୀମାନଙ୍କର କାମ କିମ୍ୱା ଏ ଦାମର ତୁଳନା କରିବାରେ ମଧ୍ୟ ଅନେକ ପାରିପାର୍ଶ୍ୱିକ ଅବସ୍ଥାକୁ ଛାଡ଼ିଦେଲେ ଚଳିବ ନାହିଁ । ପୃଥିବୀର ବିଭିନ୍ନ ଦେଶର ନାନାରୂପ ଶାସନତନ୍ତ୍ରର ତନ୍ତ୍ରିମାନଙ୍କପରି ଭାରତର ବିଭିନ୍ନ ପ୍ରଦେଶ ମନ୍ତ୍ରୀମାନଙ୍କ କାମ ତଥା ଦାମର ବହୁ ବୈଷମ୍ୟ ଥିଲେ ହେଁ ଏଠାରେ ଅନ୍ତତଃ ଏଗାରଟିରୁ ଛଅଟି ପ୍ରଦେଶରେ ଉଭୟ ବିଷୟରେ ସମତା ରଖିବା ପାଇଁ ଚେଷ୍ଟାର ସୂଚନା ମିଳିଛି । ଛଅଟି ପ୍ରଦେଶର ସମସ୍ତ ମନ୍ତ୍ରୀଙ୍କୁ ହିଁ ପ୍ରାୟ ସମାନ କାର୍ଯ୍ୟପନ୍ଥା ଅନେକ ଆଗରୁ ଅନୁସରଣ କରିବାକୁ ହୋଇଅଛି ଏବଂ ବର୍ତ୍ତମାନ ମଧ୍ୟ ସେହି ସମତା ରଖିବା ପାଇଁ ସମସ୍ତେ ତତ୍ପର-

 

ଦୁଧ ଓ ଲହୁଣୀ :–

 

ସେଥିପାଇଁ ଛ’ଟିଯାକ ପ୍ରଦେଶର ମନ୍ତ୍ରୀମାନେ ହିଁ ସରକାର ଦୁଆର ଡେଇଁବା ମାତ୍ରେ ପହିଲେ ଜେଲ ଦ୍ୱାରା ଫିଟାଇଛନ୍ତି ଏବଂ ବନ୍ଦୀଶାଳର ସମୂହ ସଂସ୍କାର ପାଇଁ ମଧ୍ୟ ଧ୍ୟାନ ଦେଇଛନ୍ତି-। ଏକା ଭାରତରେ କାହିଁକି, ଅନେକ ଉନ୍ନତ ଦେଶରେ ମଧ୍ୟ ଜେଲଖାନା ଗୋଟିଏ ଗୁରୁତର ସମସ୍ୟା ଏବଂ ଏଥି ସହିତ ମୂଲ୍ୟ ଓ ମଜୁରୀ, ଖାଦ୍ୟ ଓ ଖଜଣା, ପାଠ ଓ ପ୍ରେମ, ମଦ୍ୟ ଓ ମନ୍ଦିର, ବିଷ ଓ ବ୍ୟବସାୟ ଆଦି ବହୁ ଜଟିଳ ବିଷୟ ଜଡ଼ିତ । ଅତଏବ ତାହାର ସଂସ୍କାର ସୁସଭ୍ୟ ଶାସନର ଯେପରି ଏକ ବଡ଼ ପରିଚୟ ସେହିପରି କଠିନ ଏବଂ ଏହି ସଂସ୍କାର ପାଇଁ ବିଲାତ ଓ ଆମେରିକାରେ ବହୁ ସ୍ତ୍ରୀ ପୁରୁଷଙ୍କୁ ଜେଲଭିତରେ ଚାକିରି କରିବାଠାରୁ ଆରମ୍ଭ କରି ଚାକିରି ନ ମିଳିଲେ ଜେଲ ଯିବାପାଇଁ ମଧ୍ୟ ଆପଣାକୁ ଯୋଗ୍ୟ କରିବାକୁ ହୋଇଅଛି ।

 

ଏ ଦେଶରେ ଅବଶ୍ୟ ଜେଲ ସଂସ୍କାରକୁ ଗୋଟିଏ ସ୍ୱତନ୍ତ୍ର ସମସ୍ୟା ରୂପେ ଧରି ସେ ଦିଗରେ କିଛି ଉଲ୍ଲେଖ ଯୋଗ୍ୟ ଉଦ୍ୟମ ହୋଇଥିବାର ଶୁଣା ନାହିଁ । ତଥାପି ନିର୍ଭୟରେ କୁହାଯାଇ ପାରେ ଯେ, ଉକ୍ତ ବିଷୟରେ ଏହି ଛଟି ପ୍ରଦେଶର କଂଗ୍ରେସ ମନ୍ତ୍ରୀଙ୍କର ଯେଉଁ ଅଭିଜ୍ଞତା ଜନ୍ମିଚି ଭାରତବର୍ଷରେ ଆଉ କୌଣସି ଭଦ୍ରଲୋକର ତାହା ନାହିଁ ।

 

ଏପରି କି ହିନ୍ଦୁସ୍ଥାନର ଅନେକ ନାରୀ ମଧ୍ୟ ପୁରୁଷକୃତ ବା ନିଜ ଅର୍ଜିତ ଜେଲ ଭିତରୁ ବାହାରି ସରକାର ଜେଲରେ ପଶିବା ପାଇଁ ପଛେଇ ନହାନ୍ତି । ଫରକ ଭିତରେ ଏତିକି ଯେ, ଅନ୍ୟାନ୍ୟ ଦେଶର ନାରୀ ଜେଲ ସଂସ୍କାରକୁ ଲକ୍ଷ୍ୟ ଧରି ସେଠାକୁ ଯିବା ଆବଶ୍ୟକ ମଣିଚି । ଏ ଦେଶ ଲଳନା ନିଜର ସ୍ୱାମୀ ଅଥବା ପୁଅ ଝିଅଙ୍କୁ ଏକା ଛାଡ଼ି ନ ଦେବାକୁ କିମ୍ୱା ସେମାନଙ୍କୁ ଛାଡ଼ି ଏକା ନ ରହିବାକୁ ଜେଲ ଯାଇଛି । ବାସ୍ତବିକ ଏ ଦେଶର ରମଣୀର ପାରିବାରିକ ନିଷ୍ଠା ଏତେ ଦୂର ନିବିଡ଼ ଯେ ସ୍ୱାମୀ ବା ପୁତ୍ର ଜଜ କି ମେଜେଷ୍ଟର ହେଲେ ତାଙ୍କ ଚାଲି ଚଳନରେ ଠିକ୍‌ ତାଳ ପକାଇ ଚାଲିବାକୁ ସେ ଯେମିତି ତିଆର, ଜେଲରୁ ଫେରି ଆସି ଆସେମ୍ଳି ଘରଯାଏ ମଧ୍ୟ ସ୍ୱାମୀକୁ ଏକାକୀ ଛାଡ଼ି ନ ରହିବାର ଉଦାହରଣ ଦେଖାଇ ପାରିଛି; ସୁତରାଂ ଏମାନେ ଯେ ମୃତ୍ୟୁ ପର୍ଯ୍ୟନ୍ତ ଦିନେ ସ୍ୱାମୀ-ସହଗାମିନୀ ହେଉଥିଲେ ସେଥିରେ ବେଶି ବୈଚିତ୍ର୍ୟ କଣ ଅଛି ?

 

ଯାହା ହେଉ, ଛଅଟି ପ୍ରଦେଶର ମନ୍ତ୍ରୀମାନଙ୍କର ଜେଲ ସଙ୍ଗେ ଯେଉଁ ଘନିଷ୍ଠ ପରିଚୟ ଜନ୍ମିଛି, ତାହାର ସଂସ୍କାର ବ୍ୟାପାରଟା ଯେତେ ଗୁରୁତ୍ତର ହେଲେ ହେଁ ତାଙ୍କ ମେଧଶକ୍ତି ମାପିବାର ବଡ଼ ମାନଦଣ୍ଡ ହେବ ନାହିଁ । କାରଣ ଜେଲ ଘର ଓ ପ୍ରଧାନ ମନ୍ତ୍ରୀଙ୍କ ଅଫିସ ଘର ମଝିରେ ଥିବା ଦୂରତା ବା ବ୍ୟବଧାନ ତାଙ୍କ ଆଖିକି ଏତେ ଅଳ୍ପ ଓ ସଂକୀର୍ଣ୍ଣ ଯେ ଜେଲ ଭିତରେ ଥିବାବେଳେ ସର୍ବୋଚ୍ଚ ସରକାରୀ ଘରକୁ ସ୍ୱପ୍ନ ଦେଖିବା ଯେମିତି ସହଜ, ସରକାରୀ ଘରକୁ ଆସିଲେ ମଧ୍ୟ ଜେଲ ବିଷୟରେ ହିଁ ତାଙ୍କର ପ୍ରଥମ ଚିନ୍ତା ହେବା ସେହିପରି ସମ୍ଭବ ଓ ସ୍ୱାଭାବିକ । ତେଣୁ ଜେଲଖାନାକୁ କାରଖାନା କରିବାରେ କିମ୍ୱା କଏଦୀମାନଙ୍କ ଆହାର ପାଇଁ ଦୁଧ ମାଖନ ବନ୍ଦୋବସ୍ତ କରିବାରେ ଯେତେ ରକମ ସୁବ୍ୟବସ୍ଥାର ସୂଚନା ମିଳୁଚି ଏବଂ କଏଦୀଙ୍କ ସ୍ୱାଚ୍ଛନ୍ଦ୍ୟ ପାଇଁ ଯେଉଁ ଉତ୍ସାହ ଓ ଅନୁରାଗ ପ୍ରଦର୍ଶିତ ହେଉଅଛି, ଆଉ କାହା କଥା ତେଣିକି ଥାଉ, ନିଜେ ମନ୍ତ୍ରୀ, ବାଚସ୍ପତି ବା ବ୍ୟବସ୍ଥା ସଭା ସଭ୍ୟମାନଙ୍କ ପାଇଁ ମଧ୍ୟ ସେଥିରୁ କମ୍‌ ବରଂ ବେଶି ନାହିଁ ।

 

*ଏହି ପ୍ରବନ୍ଧ ଲିଖିତ ହେବା ସମୟରେ କଟକ ଜେଲ ନିକଟବର୍ତ୍ତୀ ସେକ୍ରେଟରିଏଟ ଗୃହରେ ଓଡ଼ିଶା ମନ୍ତ୍ରୀମାନଙ୍କ ଅଫିସ ଥିଲା ।

 

ବିଶେଷତଃ ଦୁଧ ଓ ଲହୁଣୀ ମେଧାଶକ୍ତି ପାଇଁ ବଡ଼ ଉପାଦେୟ ଆହାର, ଅଥଚ ଏ ଦେଶର ବହୁ ନିରପରାଧ ଭଦ୍ରଲୋକଙ୍କ ପକ୍ଷରେ ମଧ୍ୟ ତାହା ଦୁର୍ମୂଲ୍ୟ ଓ ଦୁଷ୍‌ପ୍ରାପ୍ୟ । ସେଥିପାଇଁ ମନେ ହୁଏ ଜେଲ ଭିତରେ କଏଦିମାନଙ୍କ ଲାଗି ଏ ସମସ୍ତ ସୁବ୍ୟବସ୍ଥା କ୍ରମେ ବେଶି ଦୂର ଆଗେଇଲେ ମନ୍ତ୍ରୀ, ବାଚସ୍ପତି ବା ବ୍ୟବସ୍ଥା ସଭାର ସଭ୍ୟମାନଙ୍କ କଥା ତ ଜାଣି, ଏ ଦେଶରେ କେଉଁ ଓଲୁ ଅବା ଜେଲ ବାହାରେ ରହିବାକୁ ରାଜି ହେବ ?

Image

 

ଇତିହାସ ତିଆରି

 

‘ଧିକ୍‌ତୁମକୁ ! ଏ ଜାତର ଅଭିଶାପ ତୁମ ଉପରେ ପଡ଼ୁ ।’

 

‘କେବେ ହେଲେ ତ ମୁଁ କାହାରିଠାରୁ କୃତଜ୍ଞତା ଲୋଡ଼ି ନାହିଁ । ମୋତେ ତୁମେ ବିରୂପ ବିକଳାଙ୍ଗ କରି ଯେତେ ଇଚ୍ଛା ନିଜ କାମରେ ଖଟାଇ ନେଇଚ । ଗାଁ ଗାଁ ଘର ଘର ବୁଲାଇ ପସଲକୁ ତିନି ଫସଲ କାଟିଚ । ମାଛ ଖାଇବାଠାରୁ ମଡ଼ା ପୋଡ଼ିବା ଯାଏ ଯେତେ ସୁବିଧା ଆଦାୟ କରିପାର କାହିଁରେ ହେଳା କରି ନାହିଁ । ତଥାପି ମୋର ଆଉ ସ୍ୱାତନ୍ତ୍ର୍ୟ ବୋଲି ଟିକିଏ କିଛି ନାହିଁ । ତଥାପି ମୋର ଆଉସ୍ୱାତନ୍ତ୍ର୍ୟ ବୋଲି ଟିକିଏ କିଛି ନାହିଁ ?’

 

‘ତୁମ ସ୍ୱାତନ୍ତ୍ର୍ୟର ଅର୍ଥ ଲକ୍ଷ ଲୋକର ଆତଙ୍କ ହାହାକାର, ଘର ସଂସ୍କାର ଉଚ୍ଛନ୍ନ !’

 

‘ମୁଁ କିନ୍ତୁ ଲକ୍ଷ ଲୋକଙ୍କୁ ଘର ସଂସାର କରିବାକୁ ତ କଦାପି କହି ନ ଥିଲି !’

 

‘ତୁମେ ଏ ଦେଶର କଳଙ୍କ, ଏ ଜାତିର ସଂହାର !’

 

ଗୋପବନ୍ଧୁ ! ଟିକିଏ ଭାବି ଚିନ୍ତି ଶବ୍ଦ ବ୍ୟବହାର କର । କାରଣ ମୋହରି ପରି ତୁମର ମଧ୍ୟ ଓଡ଼ିଶାରେ ନେତୃତ୍ୱ ଅଛି ମୋହରି ପରି ତୁମେ ମଧ୍ୟ ଏ ପ୍ରଦେଶର ଦିନେ ଏକ ବଡ଼ ଖବର ହୋଇ ପାରିଥିଲ । ତୁମ ମୁହଁରୁ ଯେଉଁ ଶବ୍ଦ ବାହାରିବ, ତାହାର ଅର୍ଥ ଠିକ୍‌ ଥିବା ଉଚିତ ।’

 

‘ଅର୍ଥ ? କେଉଁ ଶବ୍ଦର ଅର୍ଥ ବୁଝ, ମହାନଦୀ ? କହ, କେଉଁ ଶବ୍ଦର ଅର୍ଥ ବୁଝ ତୁମେ ? ଦେଶ ? ଜାତି ? ବିବେକ ? ଦୁଃଖ? ଦାରିଦ୍ର୍ୟ ? ସ୍ୱାସ୍ଥ୍ୟ ? ଜୀବନ ? -କେଉଁ ଶବ୍ଦର ? ଯେଉଁ ଶବ୍ଦର ଅର୍ଥ ବୁଝ, ତାହା ହିଁ ମୁଁ ପ୍ରୟୋଗ କରିବି ।’

 

‘ନା ନା ତୁମର ଆକ୍ରମଣ ଏକାବେଳେ ବ୍ୟକ୍ତିଗତ, ତୁମର ଭାଷା ଭଦ୍ର ସମାଜର କିମ୍ୱା ପାର୍ଲିଆମେଣ୍ଟର ସଂଗତ ଭାଷା ନୁହେଁ । ମୁଁ ଏହାର ଘୋର ପ୍ରତିବାଦ କରୁଚି ଏବଂ ଏ ରୂପ ଭାଷାକୁ ଫେରାଇ ନେବାକୁ ଦାବୀ କରୁଚି ।’

 

‘କେତେଟା ପାର୍ଲିଆମେଣ୍ଟର ଖବର ରଖ ତୁମେ ? ଯେଉଁ ସବୁ ପାର୍ଲିଆମେଣ୍ଟର ନାଁ ସବୁଠାରୁ ବେଶି ଜୋରରେ କାନରେ ଆମର ବାଜେ, ସେ ଗୁଡ଼ିକର ଚଟାଣ ଉପରେ ମଧ୍ୟ ବାକ୍ୟ ଦ୍ୱାରା ଯୋଡ଼ା ଯୋଡ଼ା ଚାବୁକ ପ୍ରୟୋଗ କରିବାର ୫୦୦ ଉଦାହରଣ ମିଳିବ ଏବଂ ତାକୁ ପୁଣି କର୍ମ ଦ୍ୱାରା ପ୍ରୟୋଗ କରିବାର ମଧ୍ୟ ଶହେଟା !’

 

‘ତଥାପି ଶୁଣିବା ଲୋକର କାନକୁ ଓ ମନକୁ ଭଲ ଲାଗିଲା ଭଳି ଭାଷା ଶିଷ୍ଟ ହେବା ଉଚିତ ।’

 

‘ବେଶି ବୋଲି ଯେବେ ଧାରଣା କରି ନ ପାର, ଭାରତବର୍ଷ ଶିଷ୍ଟାଚାର ଶିଖିବାର ଅତି କମ୍‌ରେ ଦେଢ଼ଶ ବର୍ଷ ହେଲାଣି, ମହାନଦୀ ! କିନ୍ତୁ ଫଳରେ ତାହା ଦେଢ଼ ଇଞ୍ଚ ହେଲେ ଆଗେଇଥାନ୍ତା ! ଯେଉଁ ଶିଷ୍ଟାଚାରର ଶୁଚି ବାୟୁ ଦ୍ୱାରା ତୁମେ ପୀଡ଼ିତ, ତାହା ଆମର ଏଇ ସମାଜ, ଏଇ ଶିକ୍ଷା, ଏଇ ଶାସନ, ଏଇ ସାହିତ୍ୟ ଓ ସମ୍ୱାଦ ପତ୍ରର ପ୍ରତି ଅଳି କନ୍ଦିରେ ଭଅଁର ପରି ବୋର କରି ପଶିଚି । ଶିଷ୍ଟ ଭାଷା ବା ଶିଷ୍ଟାଚାରର ଗୋଟେ ମନଗଢ଼ା ସଂଜ୍ଞା ତିଆରି କରି ଏହି ସମାଜ, ଶିକ୍ଷା ଓ ଶାସନ ପରି ଏମିତି ସହଜ ଓ ନିଶ୍ଚିନ୍ତରେ ଆମେ ତାକୁ ମାନି ନେଇଅଛୁଁ ଯେ, ସେଥିରେ ଆମର ମୁଣ୍ଡ ଥିବାର ତିଳାର୍ଦ୍ଧ ପ୍ରମାଣ ନାହିଁ । ପରିବାରରେ ବାପ ସଙ୍ଗେ ପୁଅର, ସମାଜରେ ନାରୀ ସଙ୍ଗରେ ପୁରୁଷର, ରାଷ୍ଟ୍ରରେ ରାଜା ସଙ୍ଗେ ପ୍ରଜାର, ମଫସଲରେ ମହାଜନ ସଙ୍ଗେ ଖାତକର ଏବଂ ବଜାରରେ ଗାଡ଼ିବାଲା ସଙ୍ଗେ ଭଦ୍ରଲୋକର ଏମିତି ଗୋଟେ ଧରାବନ୍ଧା ସମ୍ବନ୍ଧର ସ୍ତର ଘେନି ଆମେ ଚଳୁଁ । ସେଥିରୁ ଟିକିଏ ଏ ପାଖ କି ସେ ପାଖ ହେଲେ ଆମ ଚିନ୍ତାର ନିକ୍ତି ଚହଲି ଯାଏ । ମୁଣ୍ଡ ଆମର ସିଧାହୋଇ ବେକ ଉପରେ ରହି ପାରେ ନାହିଁ । କିନ୍ତୁ ଏହି ସୁରୁଚି ଓ ଶିଷ୍ଟାଚାରର ଦାବୀ କରି, ଯେ କେତେ ଜଣ ଆମେ ଭାରତରୁ ଭଦ୍ରଲୋକ ନାମ ପାଇଛୁଁ । ମୁଣ୍ଡ ଆଡ଼ୁ ଅନାଇଲେ ଦେଖିବ, ଆମ ଭିତରୁ ଖାଲି ବୌଦ ପଣ ଦାନ୍ତନିକୁଟା ଗୋଲାମ ଏବଂ ଗଣ୍ଡି ଆଡ଼ ନିରେଖିଲେ ପନ୍ଦର ପଣ ଲାଙ୍ଗୁଡ଼ଯକା କୁତ୍ତା । ଖାଲି ପର ଦୁଆରେ ଚାକିରି କଲେ ତ ଗୋଲାମୀ ହୁଏ ନାହିଁ । ଚାକିରି ନ କରି ମଧ୍ୟ ଯେଉଁ ଗୋଲାମୀ, ତାହା ଆଉରି ଭୀଷଣ । ଆଉ ଯାହାଙ୍କର ସରକାରୀ ଆଇନ ବଳରେ କି ସାମାଜିକ ନିୟମ ଗୁଣରେ ହାକିମୀ ବା କ୍ଷମତା ବୋଲି କିଛି ଅଛି-ଏ ରୂପ କ୍ଷମତା ପାଇ ସହରର କଚେରି ଭିତରେ ଯେ ବସନ୍ତି, ପୁଣି ଯେଉଁମାନେ କିଛି କ୍ଷମତା ନ ପାଇ ମଫସଲରେ ନିଜ ବାରଣ୍ଡାରେ କଚେରି ଯୋଡ଼ନ୍ତି, ଆଇନ ଜୋରରେ ଯେଉଁମାନେ ଖଜଣା ଅସୁଲ କରନ୍ତି ଏବଂ ବେଆଇନ ଜୋରରେ ଖର୍ଚ୍ଚା ଆଦୟ କରନ୍ତି-ଉକ୍ତ ଶ୍ରେଣୀର ଭଦ୍ରଲୋକମାନେ ଯେଉଁ ଭାଷା କହନ୍ତି ଓ ଯେମିତି ଛି ଛାକର କରନ୍ତି, କରନ୍ତି, ସେଥିପାଇଁ ତାଙ୍କୁ ‘ଛୋକାର’ କହିବା ଛଡ଼ା ଖାଣ୍ଟି ଓଡ଼ିଆ ଭାଷାରେ ଅଧିକ ସୁରୁଚିଗତ ଏବଂ ଏମିତି ଚମତ୍କାର ଯୋଡ଼ ଖାଇଲା ଭଳି ଅଧିକ ଯୁକ୍ତିଯୁକ୍ତ ବିଶେଷଣର ପ୍ରତିଶବ୍ଦ ତ ନାହିଁ ! ନିଜର ଫୁରସତ୍‌ଅଭାବରୁ ଦୋଅକ୍ଷରୀ ଛଡ଼ା ବେଶି ଅକ୍ଷରର ଶବ୍ଦ ତାଙ୍କୁ ଯେମିତି ପଇଟେ ନାହିଁ, ସେମିତି ବେଶିଗୁଡ଼େ ଶୁଣିବାକୁ ମଧ୍ୟ ତର ନ ଥିବାର ସମ୍ଭବନା । ସେଥିପାଇଁ ହଠାତ୍‌ନିଜ ଆଡ଼ୁ ଅନ୍ୟର ମା-ଭଉଣୀ ସଙ୍ଗେ ଯେଉଁ କୋମଳ ସମ୍ପର୍କ ସେ ଗଢ଼ନ୍ତି ତାହା ବଦଳରେ କାନରେ ବାଜିବା ଭଳି ସଂକ୍ଷପରେ ତାଙ୍କୁ ‘ଶଳା’ କହିବାର ଅର୍ଥତ ସେହି ସମ୍ୱନ୍ଧଟାକୁ ହିଁ ଆଉରି ନିକଟତର ଓ ଦୃଢ଼ତର କରିବା । ଏଥିରେ ଶିଷ୍ଟଚାରର ହାନି ହୁଏ କେଉଁ ବାଟେ ? କହ ତେବେ, ତୁମକୁ କେଉଁ ସାଧୁ ସମ୍ୱୋଧନ କରିବି ?’

 

‘ତୁମେ ଯେ ମୋହର ସବୁ ଉପକାର ଭୁଲିଗଲ ଏକାବେଳେ । ତୁମର ମହାପ୍ରସାଦ, ମହୋଦଧି, ମହାଦୀପ ପରି ମୁଁ ଯେ ଗୋଟିଏ ମହା-ତୁମ ପ୍ରଦେଶର ପୁରୀ, କୋଣାର୍କ, ଭୁବନେଶ୍ୱର ପରି ମୁଁ ମଧ୍ୟ ଏକ ବଡ଼ ବିଜ୍ଞାପନ । ବଡ଼ ସାନ, ଧନୀ ଗରିବ ସମସ୍ତଙ୍କୁ ସମାନ ଦୃଷ୍ଟିରେ ମୁଁ ଦେଖିଚି, ସବୁରି ଜମି ବାଡ଼ି ବାଡ଼ ଖାଲ ଢିପ ଭାଙ୍ଗି ସମାନ କରିଚି, ତୁମର ନୈଶ୍ଚିନ୍ତ୍ୟ ଭାଙ୍ଗି ଚିନ୍ତା କରିବାକୁ ଶିଖାଇଚି, ତୁମର ଆହାର ଛଡ଼ାଇ ଆହାର ଖୋଜିବାକୁ ବାଟ ଫିଟାଇଚି, ତୁମକୁ ଜୀବନରେ ମାରି ଜୀଇଁବା ପାଇଁ ପ୍ରେରଣା ଆଣିଚି; ଏସବୁ କଣ କିଛି ନୁହେଁ ?’

 

‘ଓଡ଼ିଶା ଲୋକେ ତୁମଠାରୁ ନୂଆ କରି ଜୀଇଁବା କଥା ଶିଖିବେ କଣ, ମହାନଦୀ ! ଯେଉଁ ଜାତିରେ ଜଣେ ହେଲେ ଲୋକ ମରି ମଧ୍ୟ ଜୀଇଁଚି, ତାକୁ ଆଉ ଜୀଇଁବା କଥା ଶିଖାଇବ କିଏ ? ଓଡ଼ିଶାରେ ଏଭଳି ଲୋକ ଜନ୍ମିଚନ୍ତି !’

 

‘ହଁ ଜନ୍ମି ନ ଥିବେ କାହିଁକି । କିନ୍ତୁ ସେ ଜଣକ ମୋଠାରୁ କଦାପି ବଡ଼ ନୁହନ୍ତି; କାରଣ ମୋର ପ୍ରତାପ ବଢ଼ିଲେ ତାହାର ପ୍ରତିକାର ପାଇଁ ଏଣ୍ଡୃଜଙ୍କୁ ନ ଡାକିଲେ ଉପାୟ ତୁମ୍ଭର ନାହିଁ । ଛି, ଛି, କି ଲଜ୍ଜା । ଏହା ହିଁ ତୁମ୍ଭର ଜୀଇଁ ଶିଖିବାର ଅର୍ଥ !’

 

‘ଏଣ୍ଡୁଜ ଆମର ବନ୍ଧୁ, ପୀଡ଼ତ ଓ ଅସହାୟର ସେବକ । ଖାଲି ଭାରତରେ ନୁହେଁ, ଗୋଟା ଇଂରେଜ ସାମ୍ରାଜ୍ୟରେ ସେ ଏଥିପାଇଁ ପରିଚିତ । ତୁମେ ଯେଉଁ ଅନଶନର ଲଜ୍ଜା ଏ ଜାତି କପାଳରେ ଲେଖି ଦେଇଚ, ତାକୁ ନିଭାଇବା ପାଇଁ ତାଙ୍କ ସାହାଯ୍ୟ ଲୋଡ଼ା ।’

 

‘ନିତାନ୍ତ ଯଦି ତୁମ ପ୍ରଦେଶ ଲୋକେ ଅନଶନ କରନ୍ତି, ତା’ ହେଲେ କିନ୍ତୁ ତାଙ୍କ ପାଖକୁ ଏଣ୍ଡୃଜଙ୍କୁ ଡାକି ନ ଆଣି ସେମାନଙ୍କୁ ବରଂ ଆଣ୍ଡାମାନ ପଠାଇ ଅନଶନ କରିବାକୁ କହ । ବାଃ, ଏଣ୍ଡୃଜ ତୁମର; ଗାନ୍ଧୀ ତୁମର, ମୁଁ କିନ୍ତୁ ତୁମର କିଛି ନୁହେଁ, ନା ? ଏଣ୍ଡୃଜ ତୁମ ଅନଶନ ଭାଙ୍ଗିବେ, ଗାନ୍ଧୀ ତୁମକୁ ଲୁଗା ପିନ୍ଧାଇବେ, ଅଥଚ ମୁଁ - ।’

 

‘ତୁମ ଛୋଟ ମୁହଁରେ ଏ ସବୁ ବଡ଼ ବଡ଼ ନାମ ଉଚ୍ଚାରଣ ଭଲ ଶୁଣାଯାଏ ନାହିଁ । ଗାନ୍ଧୀଙ୍କୁ ପରିହାସ କରିବା ଅର୍ଥ ଭାରତ ବର୍ଷର ସର୍ବଶ୍ରେଷ୍ଠ ଇଜ୍ଜତ୍‌କୁ ପରିହାସ, ଏ କଥା ବୁଝ କି ?’

 

‘କିନ୍ତୁ ମୁଁ ଇ ଖାଲି ତୁମକୁ ବେ-ଇଜ୍ଜତ୍‌କରିଚି ? ମୋହର ବାରମ୍ୱାର ଆଘାତରେ ଯେବେ ତୁମ ଜାତିଟାର ଚୈତନ୍ୟ ଉଦୟ ନ ହେଲା, ତେବେ ସେ ଦୋଷ ମୋହର ନା ତୁମର ? ତଥାପି ତୁମେ ଯେବେ ଅନଶନ କର ଉଲ୍ଲଙ୍ଗ ରହ, ସେଥିପାଇଁ କଣ ମୁଁ ଦାୟୀ ? ତୁମର ମୃଦୁ ପରିବର୍ତ୍ତନରେ ମୋହର ବିଶ୍ୱାସ ନାହିଁ; ମୁଁ ଚାହେଁ ବିପ୍ଳବ ! ବିପ୍ଳବ ! ଏହି ଜଡ଼ ନିଦାରୁଣ ମାଟିର ମଧ୍ୟ ବିପ୍ଳବ ! ଏହା ହିଁ ମୋହର କର୍ମ ଏବଂ ଏହା ହିଁ ଧର୍ମ । ତୁମର ଉଦର, ତୁମର ମସ୍ତଷ୍କ, ତୁମର ପ୍ରତି ଅବୟବ ଓ ପ୍ରତି ଇନ୍ଦ୍ରିୟରେ ମଧ୍ୟ ମୁଁ ଆଘାତ କରିଚି, ତୁମର ସବୁ ବିଶ୍ୱାସ ଓ ସକଳ ନୀତି ଉପରେ ମଧ୍ୟ-ଅର୍ଥ-ନୀତିକୁ ତୁମର ନିରର୍ଥକ କରିଚି, ରାଜନୀତିରେ ଅରାଜକତା ଆଣିଚି, ଏବଂସମସ୍ୟାକୁ ତୁମର ତୀବ୍ରତର କରିଚି । ଏପରିକି, ଏ କ୍ଷଣି ତୁମ ରାଜଧାନୀ ପ୍ରସ୍ତାବକୁ ମଧ୍ୟ ଅସ୍ଥିର କରି ଦେଇଚି ।’

 

‘‘ଏ ପ୍ରଦେଶରେ ବହୁ ସଂଖ୍ୟକ ଲୋକଙ୍କ ପରି ରାଜଧାନୀ ପାଇଁ ମୁଁ ବ୍ୟାକୁଳ ନୁହେଁ ।’’

 

‘‘ମୁଁ ବି ସେୟା କହେଁ- କଟକ ପାଇଁ ଏତେ ପକ୍ଷପାତ କାହିଁକି ? ମୋ ବିଚାରରେ ବରଂ ପୁରୀରେ ହେବା ହିଁ ବେଶି ସମୀଚୀନ । ପୁରୀ ଜଳବାୟୁରେ ଯେମିତି ବେଶି ନିଦ ହୁଏ, କଟକ ମଶାରେ ସେମିତି ଆଦୌ ନିଦ ହୁଏ ନାହିଁ । କଟକରେ ମହାନଦୀ, ମ୍ୟାଲେରିଆ, ମଶା ଓ ମଣିଷଙ୍କର ଅବସ୍ଥାନ ଯେମିତି ସୁବିଦିତ, ପୁରୀରେ ମଧ୍ୟ ମନ୍ଦିର, ମହାମାରୀ, ମଠ ଓ ମାଙ୍କଡ଼ମାନେ ସେହିପରି ସୁବିଖ୍ୟାତ । ତଥାପି କଟକ ଅପେକ୍ଷା ପୁରୀ ସଙ୍ଗେ ନୀତିଗତ ମିଳନ ମୋହର ଅଧିକ । ପୁରୀ ପରି ମୁଁ ମଧ୍ୟ ଏ ପ୍ରଦେଶରେ ଖ୍ୟାତ ଚହେଁ, ଅଧିକାର ଲୋଡ଼େଁ । ଦୁହେଁଯାକ ଆମେ ତୁମକୁ ସମାନ ଭୟ ଦେଖାଉଁ, ସମସ୍ତଙ୍କୁ ପାପୀ ଅଧମ ବୋଲି ଚେତାଇ ଦେଉଁ । ଦୁହେଁଯାକ ହିଁ ତୁମ ପ୍ରଦେଶ ଲୋକଙ୍କୁ ସ୍ୱର୍ଗଦ୍ୱାର ଓ ମୁକ୍ତିମଣ୍ଡପ ଯିବାପାଇଁ ସୁବିଧା ଓ ଶସ୍ତା ବାଟ ଖୋଲି ଦେଇଛୁଁ । ତେଣୁ ମୋ ମତରେ ପୁରୀରେ ତୁମର ରାଜଧାନୀ ହେବା ଉଚିତ ।’

 

‘ରାଜଧାନୀ କେଉଁଠି ହେବ ସେଥିପାଇଁ ମୁଁ ଭାବିତ ନୁହେଁ । କଟକରେ ହେଉ, ଚୌଦ୍ୱାର, ବାରଙ୍ଗ ଓ ପୁରୀରେ ହେଉ; ଏପରି କି ଖାଲି ରଙ୍ଗେଇଲୁଣ୍ଡା ବା ଖୋର୍ଦ୍ଧାରେ ନୁହେଁ, ଏ ପ୍ରଦେଶରେ ସବୁଠାରେ ହିଁ ରାଜଧାନୀ ହେଉ । ରାଜଧାନୀକୁ ଓଡ଼ିଶାର ଭଗବାନ ରୂପ ଗ୍ରହଣ କରିବାକୁ ମଧ୍ୟ ମୁଁ ପ୍ରସ୍ତୁତ । ଭଗବାନଙ୍କ ପରି ରାଜଧାନୀ ମଧ୍ୟ ‘ସବୁଠାରେ ଅଛନ୍ତି ଓ କେଉଁଠାରେ ନାହାନ୍ତି’ ବୋଲି ଭାବିବା ପାଇଁ ମୁଁ ରାଜି । ମୋହର ହଜାର ହଜାର ଦେଶବାସୀ ଘର ଦ୍ୱାର, ଚାଷ ବାସ, ଗୋରୁ ଗାଈ, ପିଲା କୁଟୁମ୍ୱ ମୂର୍ଚ୍ଛି ଦେଇ ନିଜ ଦୁଃଖ ଗହାରି ଶୁଣାଇବାକୁ ଧାଇଁବେ ବୋଲି ଯେଉଁ ରାଜଧାନୀର ପ୍ରୟୋଜନ, ସେଥିରେ ମୋହର ବିଶ୍ୱାସ ନାହିଁ । ମୁଁ ବୁଝେଁ ସେହି ରାଜଧାନୀ, ଯାହା ପ୍ରତି ଲୋକର ଘରକୁ ଆପେ ଧାଇଁବ-କାହା ଘର ମରାମତି ଅଯୋଗ୍ୟ, କାହା ଚୁଲୀକୁ କେତେ ଦିନୁଁ ଜାଳ ଯାଇ ନାହିଁ, ଏ ଦେଶର କେତେ ପିଲା ବିନା ରୋଗରେ ବି ବିନା ଔଷଧରେ ମରନ୍ତି-ସବୁରି ଖବର ଯେ ରଖିବ-ମୁଁ ଖାଲି ସେହି ସେହି ରାଜଧାନୀକୁ ହିଁ ବୁଝେଁ, ଗୋଟାକରୁ ଦୁଇଟା ନୀତି ମୋତେ ଜଣାନାହିଁ ।

 

ମିଶୁ ମୋର ଦେହ ଏ ଦେଶ ମାଟିରେ...ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।

 

*ସେତେବେଳେ ଭୁବନେଶ୍ୱରେ ରାଜଧାନୀ ହେବା କଥା ଉଠି ନ ଥିଲା ।

 

‘ସାବାସ୍‌, ଦାସେ ଆପଣେ । ମୋର ମନେ ହୁଏ ରାଜନୀତି ଛାଡ଼ି ତୁମ ପକ୍ଷରେ ସଙ୍ଗୀତ ଚଚ୍ଚା କରିବା ଉଚିତ ଥିଲା । ତୁମର ଏ ନୂଆ ବ୍ୟବସ୍ଥା ପରିଷଦର ସବୁ ସଭ୍ୟ ମଧ୍ୟ ଟିକିଏ ଅଧେ ଗଳା ସାଧିବା ଆବଶ୍ୟକ; ଖାଲି ବ୍ୟବସ୍ଥାସଭାର ଶୁଭ ଦେବାପାଇଁ କଣ୍ଠ ଲମ୍ୱାଇ ଜାତୀୟ ଗୀତ ଗାଇବାକୁ ନୁହେଁ ଏବଂ ତାହା କାହାରି ପକ୍ଷେ ଅବୋଧ୍ୟ ହେଲା, ବୋଲି ସଙ୍ଗୀତ ଚର୍ଚ୍ଚାରେ ଅନ୍ୟମନସ୍କ ହୋଇ ସେଥିପାଇଁ ପର୍ବତ ଖୋଳି ଶେଷରେ ମୂଷା ପ୍ରସବ କରିବାକୁ ନୁହେଁ, ଯେତେକ ପ୍ରସ୍ତାବ ଏଠି ପେଶ୍‌ହେଉଚି ବା ପାଶ୍‌ହେଉଚି, ସେ ଗୁଡ଼ିକୁ ମଧ୍ୟ ଏହି କଣ୍ଠ ସାଧନା ଦ୍ୱାରା ଆଉ ଟିକିଏ ମୁଲାଏମ୍‌ ଓ ଶ୍ରୁତି ମଧୁର ଛନ୍ଦରେ ପକାଇ ପାରନ୍ତେ । ଓଡ଼ିଶାରେ ଆଗରୁ ସ୍ୱର-ଚର୍ଚ୍ଚାର ପ୍ରମାଣ ଅଛି । ମୋ ବିଚାରରେ ଏହି ବ୍ୟବସ୍ଥା ସଭାରେ ହିଁ ତାହାର ଅନୁଶୀଳନ ଏବଂ ପୁନଃ ପ୍ରତିଷ୍ଠା ହେଉ ।’

 

* ଓଡ଼ିଶାର ନୂଆ ବ୍ୟବସ୍ଥାସଭାରେ ଜଣେ ଇଂରେଜ ସରକାରୀ ସଭ୍ୟ ଜାତୀୟ ସଂଗୀତ ବୋଲାଯିବା ବେଳେ ଛିଡ଼ା ହୋଇ ନ ଥିଲେ ।

 

‘ଏ ଦେଶର ସବୁ ଆଡ଼ର ଅବସ୍ଥା ଦେଖି ବ୍ୟବସ୍ଥା ସଭା ସମ୍ବନ୍ଧେ କଥା କହ । ଏ ସଭା ଲକ୍ଷ ଲକ୍ଷ ନିରକ୍ଷର କାଠୁରିଆ ପଥୁରିଆ ଓ ମାଟି ହଣାଙ୍କର ।’

 

‘କିନ୍ତୁ ତାଙ୍କ ଭିତରୁ ସମସ୍ତଙ୍କର ନୁହେଁ ତ ? ଶତକରା ମୋଟେ ବାର ଜଣଙ୍କର ପରା ?’

 

‘ହେଲା ପଛେ ସେୟା । କିନ୍ତୁ ଯେଉଁମାନେ ଏହା ଭିତରକୁ ଯାଇଚନ୍ତି, ବହୁ ସଂଖ୍ୟାରେ ପ୍ରତିନିଧି ରୂପେ ତାଙ୍କୁ ବୁଝିବାକୁ ହେବ । ଏହି ବହୁ ଭିତରେ ହିଁ ରାଜନୀତିକ ଚେତନା ଆଣିବାକୁ ହେବ, ରାଜନୀତି ହିଁ ଏ ଯୁଗରେ ଜୀଇଁ ଶିଖିବାର ଆଶା । ଏ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଆଦିର ସଂଗଠନ ଭାବିଲା ବେଳେ ନଜର ଉପରେ ଆଗ ଏହି ବହୁର ଚିତ୍ର ରଖିବାକୁ ହେବ । ଏହି ଅମଜା, ଅଚଞ୍ଛା, ଅନାହାରୀ, ଅପାଠୁଆ ବହୁ ! ତେଣୁ ଏ ଦେଶର ବ୍ୟବସ୍ଥା ସଭାରେ ମଖମଲୀ ରାଜନୀତି ଖୋଜିଲେ ତୁମକୁ ହତାଶ ହେବାକୁ ପଡ଼ିବ । ଶାସ୍ତ୍ରୀ ସାପ୍ରୁଙ୍କର ସାପ-ନ-ମରା-ବାଡ଼ି-ନ-ଭଙ୍ଗା ବିଶୁଦ୍ଧ ବକ୍ତୃତା ଶୁଣିବାକୁ ଇଚ୍ଛା କଲେ କିମ୍ୱା ବ୍ରିଟିଶ ପାର୍ଲିଆମେଣ୍ଟର ଆଦବ କାଇଦାର ବିଚକ୍ଷଣତା ଉପଭୋଗ କରିବାକୁ ଲୋଡ଼ିଲେ, ଏଠାରେ ତାହା ମିଳିବ ନାହିଁ । ଗୋଟେ ଗୋଟେ ଚମତ୍‌କାର ବକ୍ତୃତାରେ ଚମକାଇ ଦେବାକୁ ବା ଗୋଟେ ଗୋଟେ କୌତୁକପୂର୍ଣ୍ଣ ପ୍ରଶ୍ନ ବା ମନ୍ତବ୍ୟରେ ଏ ଦେଶର ନିରନ୍ଧ୍ର ଅନ୍ଧାରକୁ ଆଲୁଅ ଆସିବ ନାହିଁ; ସେ ବକ୍ତୃତାରେ ଏହାର ନିରାଟ ନିରକ୍ଷରତା ଘୁଞ୍ଚିବ ନାହିଁ; କଥାର କୌତୁକରେ ଅସଂଖ୍ୟ ଶୂନ୍ୟ ଉଦର ପୂରିବ ନାହିଁ, ପୁଣି ପାଞ୍ଚ ଟଙ୍କା ସ୍ଥାନରେ ଆଉ ଦି’ଟଙ୍କା ସ୍ୱାସ୍ଥ୍ୟ ଶିଳ୍ପ ବାବଦ ଖର୍ଚ୍ଚ କରିବାକୁ ଅବା ଅକ୍‌ସଫୋର୍ଡ଼ କେମ୍ୱ୍ରିଜର ଅବିକଳ ଅନୁକରଣ ଅସମ୍ଭବ ବୋଲି ଏକ ବିକଳ ବିଦ୍ରୂପ ନକଲ କରି ଖଣ୍ଡେ ଖଣ୍ଡିଆ ବିଶ୍ୱବିଦ୍ୟାଳୟ ଗଢ଼ି ତାହା ଭିତରୁ ପାଞ୍ଚ ଜଣ ଧୋବଧାଉଳିଆଙ୍କ ପିଲାଙ୍କୁ ବେଶି ଛାପ ଚିକ୍‌କଣ କରିବାକୁ ଏ ସଭାରେ କେହି ପଶି ନାହିଁ; କିମ୍ୱା ଯେଉଁ ଶାସନ ଯେଉଁ ସଭ୍ୟତା ନିଜ ଅର୍ଜନ ନୁହେଁ, ଏହି ମାଟି ତଳୁ ଯାହା ଜନ୍ମି ନାହିଁ, ତାହାକୁ ହିଁ ଆପଣାର କହି ବିଶ୍ୱ ବିଖ୍ୟାତ ବେହିଆଗିରି କରିବା ପାଇଁ ଏଠାକୁ ଆସିବା ଉଦ୍ଦେଶ୍ୟ ନୁହେଁ ।’’ ଆଉ ତେବେ କଣ କରିବା ପାଇଁ ?’

 

‘ଇତିହାସ ! ଇତିହାସ ! ଭାରତ ଇତିହାସରେ ଗୋଟେ ନୂଆ ଅଧ୍ୟାୟ ଲେଖିବାକୁ, ମଣିଷ ଜାତିର ଇତିହାସରେ ଏକ ନୂଆ ଦାଗ ଟାଣିବାକୁ । ବର୍ତ୍ତମାନର ଶିକ୍ଷା, ସଭ୍ୟତା ଓ ଶାସନ କ୍ଷେତ୍ରରେ ଜାତିର ଦୃଷ୍ଟିକୋଣକୁ ଏକାବେଳେ ଓଲଟ ପାଲଟ କରିବାକୁ, ଏ ସଭ୍ୟତାର କେନ୍ଦ୍ର ଓ ପରିଧିକୁ ମଧ୍ୟ ବଦଳାଇ ଦେବାପାଇଁ ପୃଥିବୀ ଉପରେ କୌଣସି ଗୋଟାଏ ଦେଶର ଶିକ୍ଷା ବା ଶାସନ ପଦ୍ଧତି ଅନ୍ୟ ଦେଶ ପଦ୍ଧତି ସଙ୍ଗେ ସମାନ ନୁହେଁ । ପ୍ରତ୍ୟେକ ଦେଶର ପଦ୍ଧତି ତାହାରି ମାଟିରୁ ହିଁ ଜାତ । ଲଣ୍ଡନ ବିଶ୍ୱବିଦ୍ୟାଳୟର ଶିକ୍ଷା ପ୍ରଣାଳୀ ବର୍ଲିନ୍‌ ବା ପ୍ୟାରିସ୍‌ ପ୍ରଣାଳୀ ଠାରୁ ଯେତିକି ଫରକ, ସେହିପରି ରାଜତନ୍ତ୍ର, ଗଣତନ୍ତ୍ର, ଫ୍ୟାସିଜିମ, ସୋସିଲିଜିମ୍‌ବା କମ୍ୟୁନିଜିମ୍‌ଆଦି ଏକା ନାମଧେୟ ରାଜନୈତିକ ପଦ୍ଧତି ଦୁଇ ତିନି ଦେଶରେ ଚଳୁଥିଲେ ହେଁ, ଇଂଲଣ୍ଡ ରୀତି ଜାପନ ବା ସୁଇଡେନଠାରୁ ଅଲଗା, ଇଟାଲିର ଫ୍ୟାସିଜିମ୍‌ ଜର୍ମାନୀଠାରୁ ଫରକ; ଆମେରିକାର ଗଣତନ୍ତ୍ର ଇଂଲଣ୍ଡ ସଙ୍ଗେ ଅମେଳ; ଋଷିଆର କମ୍ୟୁନିଜିମ୍‌ ଫ୍ରାନ୍‌ସ ଦେଶରେ ନାହିଁ । ଭାରତର ଶିକ୍ଷା ଓ ଶାସନ ପଦ୍ଧତି ସେହିପରି ତାହାର ମାଟିତଳୁ ହିଁ ଜାତ ହେବା ସ୍ୱାଭାବିକ । ବଦହଜ୍‌ମି ବଦ୍‌ଖିଆଲ ମାଗିଆଣିଲା ପୋଷାକୀ ପଦ୍ଧତିରେ କୌଣସି ଦେଶର ମୁକ୍ତି କେବେ ହେଲେ ସମ୍ଭବ ହୋଇ ନାହିଁ, ଏ ଦେଶରେ ମଧ୍ୟ ନୁହେଁ । ଏହାର ମାଟିତଳୁ ଯାହା ଜନ୍ମିବ, ତାକୁ ପୃଷ୍ଟ ଓ ପୂର୍ଣ୍ଣ କରିବାପାଇଁ ଅବା ବାହାରୁ ପାଣି ଏବଂ ସାର ଆଣି ଯୋଗାଇବାକୁ ପଡ଼ିବ । କିନ୍ତୁ ଏ ଦେଶର ଫଳ ଲେଙ୍ଗଡ଼ା ଆମ୍ୱର ବିଶେଷତ୍ୱ ଯେମିତି ଏହାର ମାଟି ଓ ଭୌଗୋଳିକ ଅବସ୍ଥିତି ଉପରେ ନିର୍ଭର କରେ, ଏ ଦେଶର ଶିକ୍ଷା ଓ ଶାସନ ଓ ସଭ୍ୟତା ମଧ୍ୟ ତାହାର ଇତିହାସ ଉପରେ ପ୍ରତିଷ୍ଠା ଲାଭ କରିବ । ଏହି ଇତିହାସ ଗଢ଼ିବା ହିଁ ଏଠାରେ ଆଜି ଲକ୍ଷ୍ୟ ।’

 

‘ମୋହର ମଧ୍ୟ ଏହି ଇତିହାସ ଗଢ଼ିବା ଇଚ୍ଛା ଏବଂ ଆଗରୁ ଏ ଦିଗରେ ଦାନ ମୋହର ସାମାନ୍ୟ ନୁହେଁ । କିନ୍ତୁ ଦେଖିଛି, ଇତିହାସ ଗଢ଼ିବା ପାଇଁ ଏକ୍ଷଣି ତୁମର ବ୍ୟବସ୍ଥା ସଭାକୁ ଯିବା ଦରକାର । ମୋହର ଦୃଢ଼ ବିଶ୍ୱାସ, ଏଥିଲାଗି ମୋ ଯୋଗ୍ୟତା ସମ୍ୱନ୍ଧେ ପ୍ରଶ୍ନ ଉଠିବ ନାହିଁ । କୌଣସି ରାଜନୈତିକ କର୍ମପନ୍ଥା ନ ଧରି ମଧ୍ୟ ବ୍ୟବସ୍ଥା ସଭାକୁ ଗଲେ ଏ ପ୍ରଦେଶର କେହି ରାଜା ମହାରାଜାଠାରୁ ମୋହର ଖ୍ୟାତିର ପ୍ରତିସତ୍ତ ଊଣା ହେବ କି ।’

 

‘ଏ ଯୁଗର ରାଜନୀତିରେ ସେମିତି ଜଣକିଆ ପ୍ରତିପତ୍ତିର ସ୍ଥାନ ନାହିଁ । ଗୋଟେ ସିଧା ସୁତୁରା କର୍ମପନ୍ଥା ନ ଥିଲେ ପୁଣି ଦୋରସ୍ତ ହଟି ଯିବାକୁ ପଡ଼ିବ । ଏ ଯୁଗର ରାଜନୀତି ଠିକ୍‌ ଆଧୁନିକ ଫୁଟବଲ ଖେଳ ପରି । ଏଗାର ଜଣଙ୍କ ମେଣ୍ଟ ଭିତରୁ ଜଣେ ଅଧେ ଆପଣା ବହାଦୂରୀ ବେଶି ଦେଖାଇବା ଯେମିତି ସମୂହ ପକ୍ଷରେ କ୍ଷତି, ଆଜିର ରାଜନୀତି ଖେଳରେ ଖାଲି ଜଣେ ଦି’ଜଣ କ୍ଷମତା ଓ ପ୍ରତିପତ୍ତିବାନ୍‌ ଲୋକଙ୍କୁ ଘେନି କାମ ହାସଲ ହେବ ନାହିଁ; ସେମିତି ଜଣକ ବଦଳରେ ବେଶି ସାଧାରଣ ବୁଦ୍ଧି ଓ ସାଧାରଣ ଶକ୍ତି ଥିବା ଲୋକର ବରଂ ଦରକାର । ପୃଥିବୀ ଭିତରେ ଯେଉଁ ଦେଶରେ ଏ ଆଦର୍ଶ ଦେଖାଯାଉଛି, ଭାରତବର୍ଷ ଆଜି ସେହି ଦେଶର ଅଧୀନରେ-। ଆଉ କାହାରି ଅଧୀନରେ ବୋଧହୁଏ ଏତେକାଳ ଏ ଦେଶ ରହନ୍ତା ନାହିଁ । ପରାଧୀନ ରହିବାକୁ ଭାରତର ଯେତେ ଯୋଗ୍ୟତା, ତାକୁ ଅଧୀନରେ ରଖିବାର ଯୋଗ୍ୟତା ଇଂଲଣ୍ଡର ସେତିକି ବୋଲି ବୁଝିବାକୁ ହେବ ଏବଂ ଇଲଣ୍ଡର ସେ ଯୋଗ୍ୟତା ଓ ସାମର୍ଥ୍ୟପାଇଁ ଏହି ସାଧାରଣ ବୁଦ୍ଧି ହିଁ ବେଶି ପରିମାଣରେ ଦାୟୀ ବୋଲି ମୋର ମନେ ହୁଏ । ସେ ଦେଶରେ ଜଣେ ହିଟ୍‌ଲର, ମୁସୋଲିନି, ଟୋଜୋ କିମ୍ୱା କେମଲପାଶାଙ୍କର ସମ୍ଭବ ହୋଇ ନାହିଁ । ଚେମ୍ୱରଲେନ୍‌, ଚର୍ଚ୍ଚଲ, ବଲ୍‌ଡ୍‌ଉଇନ୍‌, ମ୍ୟାକ୍‌ଡୋନାଲ୍‌ଡ୍‌, ଲଏଡ୍‌ଜର୍ଜ, ହୋର ବା ଏଡେନ୍‌ଙ୍କ ଭିତରୁ କିଏ ଆଗ, କିଏ ପଛ ବା କିଏ ସାନ, କିଏ ବଡ଼ ବାଛିବା ସେଠାରେ ସହଜ ନୁହେଁ । ସେହି ସାଧାରଣ ବୁଦ୍ଧି ଓ ସାଧାରଣ ଶକ୍ତି ଆଜି ଭାରତୀୟ ରାଜନୀତିରେ ମଧ୍ୟ ଲୋଡ଼ା, ତୁମର ନୁହେଁ ।’

 

‘କିନ୍ତୁ ଗୋଟେ ଧରାବନ୍ଧା କର୍ମପନ୍ଥା ଘେନି ସାଧାରଣ ବୁଦ୍ଧି କ୍ଷେତ୍ରରେ ମୋହର ସ୍ଥାନ ତ କମ୍‌ ନୁହେଁ ? ସଫା କଥାରେ ଗୋଡ଼ଠାରୁ ମଣ୍ଡଯାଏ ମୁଁ ବି ତ ଗୋଟା ସୁଦ୍ଧା କଂଗ୍ରେସ ସଭ୍ୟ ହୋଇପାରେଁ, ଅବଶ୍ୟ ଖାଲି ଫେଡେରେଶନ୍‌ କଥାଟି ବାଦ ଦେଇ ? କାରଣ କେତୋଟି ଦେଶୀୟ ରାଜ୍ୟକୁ ଛାଡ଼ିଦେଲେ ବାକି ମୋହର ଯଦି କାହାରି ସଙ୍ଗେ ସମ୍ପର୍କ ଥାଏ, ତେବେ ସେ ଖାଲି କଂଗ୍ରେସ ପ୍ରଦେଶରେ ନୁହେଁ କି ? ନା, ନା, ଏ କ୍ଷଣି ଆଉ ବିପ୍ଳବରେ ମୋର ବିଶ୍ୱାସ ନାହିଁ । କଂଗ୍ରେସ ସଭ୍ୟ ହୋଇ ବ୍ୟବସ୍ଥା ସଭାରେ ପଶିବା ଦରକାର । ତାହାହେଲେ ତ ମୋର ମନ୍ତ୍ରୀ ପର୍ଯ୍ୟନ୍ତ ହେବାପାଇଁ ସମ୍ଭାବନା ଅଛି । ନାରୀ ହେଲେ ମଧ୍ୟ ମୋ ପକ୍ଷରେ ମନ୍ତ୍ରୀ ହେବାକୁ ତ ବାଧାନାହିଁ ?’

 

‘ନାହିଁ, କିନ୍ତୁ ଏ ପ୍ରଦେଶରୁ ତୁମେ କେତେ ସଂଖ୍ୟାରେ ଭୋଟ ପାଇବ, ତାହାର ହିସାବ କରିଚ କି ?’

 

‘ଭୋଟ ? ଏହି ପାଜି ଚୂହାଡ଼ ମୂର୍ଖ ଲୋକେ ମୋତେ ଭୋଟ ଦେବେ ? ଦରକାର ନାହିଁ-। ମୋହର ଯେଉଁ ଶକ୍ତି, ଯେଉଁ କ୍ଷମତା, ଯେଉଁ କର୍ମ, ସେଥିରେ ତୁମ ପ୍ରଦେଶର ଯେ କେହି ବଡ଼ ପାହ୍ୟାର ସରକାରୀ କର୍ମଚାରୀଠାରୁ ମୁଁ କମ୍‌କି ? ମନ୍ତ୍ରଣାଦାତ୍ରୀ ରୂପେ ନାରୀର କାମ କରିବାକୁ ମୋହର ଯେଉଁ ଯୋଗ୍ୟତା, ଶାସକ ରୂପେ ପୁରୁଷର କାମ କରିବାକୁ ମଧ୍ୟ ତାହା ନାହିଁ କି-? ତଥାପି ମୋହର କର୍ମଯୋଗୁଁ ଯଦି ଭୋଟ୍‌ ମିଳିବାର ଅସୁବିଧା ଓ ଧର୍ମଯୋଗୁଁ ଶାସକ ହେବାରେ ଯଦି ବାଧା, ତେବେ କଣ ଲକ୍ଷ ଲକ୍ଷ ନାରୀଙ୍କ ପରି ମୋହପାଇଁ ମଧ୍ୟ ସେହି ଗୋଟିଏ ବାଟ, ଗୋଟିଏ ଗତି ନାହିଁ କି ? ଆଉ କିଛି ନ ହେଲେ ହେଁ ମୋତେ କଣ ଭାର୍ଯ୍ୟା ହେବାକୁ ମନା ଅଛିକି-? ତା’ ହେଲେ ତ ସହଜେ ମୋର ସବୁ ଅଯୋଗ୍ୟତା ବି ଲୁଚିପାରେ, ଆଉରି କେତେ ନୂଆ ଯୋଗ୍ୟତା ବି ମିଳିପାରେ ? ଯେ କେହି ବଡ଼ ପାହ୍ୟାର ସରକାରୀ ଚାକର ବା ଓକିଲ ହାକିମଙ୍କ ପତ୍ନୀ ହେଲେ ବିନା ଆୟାସରେ ମୁଁ ସମ୍ମାନ ଆଦାୟ କରିପାରେଁ । ସବୁଯାକ ନାରୀଅନୁଷ୍ଠାନର ନେତ୍ରୀ-ପଦବୀ ମଧ୍ୟ ପାଇପାରେଁ । ପୁଣି ଯେ କେହି କଂଗ୍ରେସ ସଭ୍ୟଙ୍କ ଭାର୍ଯ୍ୟା ହେଲେ ମୋହର ଭୋଟ୍‌ ପାଇବାକୁ ତ ଭରସା ଅଛି ।‘

 

‘ନାରୀ ଜାତି ପ୍ରତି ତୁମର ଏଭଳି ଆକ୍ଷେପ ଏକାବେଳେ ଅକ୍ଷମଣୀୟ ।’

 

‘କିନ୍ତୁ ନାରୀ ଛଡ଼ା ତୁମ ଦେଶରେ ପୁରୁଷ କେହି ଅଛନ୍ତି କି ? ଅନୁଗ୍ରହ, ଅବଦାନ, ପ୍ରୀତି ଓ ଶୁଦ୍ଧାଭକ୍ତିକୁ ଛାଡ଼ି ଯେଉଁ ଦିନ ତୁମେ ପୁରୁଷ ହୋଇ ଜନ୍ମ ଲଭିବ, ସେହି ଦିନକୁ ମୁଁ ଚାହିଁ ରହିଚି ।

Image